ଦୀର୍ଘ ଦିନ ଧରି ଜଣେ ଜେଜେମାଆର ଭୂମିକା ନିର୍ବାହ କରିଆସିଥିବା ବୁଟେ ମାଝି ଏବେ ତାଙ୍କର ଛଅଟି ନାତୁଣୀ ଏବଂ ଦୁଇ ନାତିଙ୍କ ପାଇଁ ଚିନ୍ତାଗ୍ରସ୍ତ। ସେମାନଙ୍କୁ ତାଙ୍କ ପାଖରେ ଛାଡ଼ି ଚାଲି ଯାଇଛି ତାଙ୍କ ପୁଅ। ସବା ସାନ ନାତୁଣୀ ଛଅ ବର୍ଷର ଜାନକୀ। ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ହିଆଲଗାଁର ଏହି ୭୦ ବର୍ଷୀୟା ଗୋଣ୍ଡ ଆଦିବାସୀ ମହିଳା କହନ୍ତି, “ମୋତେ ଜଣାନାହିଁ, କେମିତି ସେମାନଙ୍କୁ ଆମେ ପାଳିପୋଷି ମଣିଷ କରିବୁ।”
ଦୁଇ ବର୍ଷ ତଳେ ତାଙ୍କ ୫୦ବର୍ଷର ପୁଅ ନୃପ ମାଝିଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକେ ଜାଣିଛନ୍ତି ଯେ, କିଡ୍ନୀ କାମ ନ କରିବାରୁ ସେ ପ୍ରାଣ ହରାଇଲେ। ସେ ଥିଲେ ଜଣେ ପ୍ରବାସୀ ଶ୍ରମିକ, ଏବଂ ତାଙ୍କ ୪୭ ବର୍ଷୀୟା ସ୍ତ୍ରୀ ନାମନିଙ୍କ ସହିତ ମିଶି ଇଟାଭାଟିରେ କାମ କରିବା ଲାଗି ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁକୁ ଯାଉଥିଲେ।
ନାମନି କହନ୍ତି, “୨୦୧୯ନଭେମ୍ବର ମାସରେ ଆମେ ଚେନ୍ନାଇର ଗୋଟିଏ ଇଟାଭାଟିରେ କାମ କରିବାକୁ ଯାଇଥିଲୁ।” ତାଙ୍କ କହିବା ଅନୁସାରେ, ପରିବାରର ୧୦ ଜଣ ସେଠାକୁ ଯାଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ତାଙ୍କ ସ୍ୱାମୀ ୫୦ ବର୍ଷୀୟ ନୃପ, ତାଙ୍କର ୨୪ ବର୍ଷର ବଡ଼ପୁଅ ଯୁଧିଷ୍ଠିର ଏବଂ ତା’ର ସ୍ତ୍ରୀ ୨୧ ବର୍ଷୀୟା ପରମିଳା, ପୂର୍ଣ୍ଣମୀ (୧୯), ସଜନୀ (୧୬), କୁମାରୀ (୧୫) ଏବଂ ତା’ର ସ୍ୱାମୀ ଦୀନେଶ (୨୧)। ସେ ଆହୁରି କହନ୍ତି, “ଏଠାକାର ସର୍ଦ୍ଦାର (ଠିକାଦାର) ପାଖରୁ ଆମେ ସମସ୍ତେ ଜଣ ପିଛା ୨୫,୦୦୦ ଟଙ୍କା ହିସାବରେ ଅଗ୍ରୀମ ପାଉଣା ନେଇଥିଲୁ।” ପରିବାର ସହିତ ସାମିଲ ହୋଇଥିଲେ ୧୦ ବର୍ଷର ସାବିତ୍ରୀ ଏବଂ ଛଅ ବର୍ଷୀୟା ଜାନକୀ। ସେମାନଙ୍କୁ କୌଣସି ପାଉଣା ଦିଆଯାଇ ନଥିଲା।
କୋଭିଡ୍-୧୯ଲକ୍ଡାଉନ୍ ଯୋଗୁଁ ୨୦୨୦ଜୁନ୍ ମାସରେ ସେମାନେ ସମସ୍ତେ ନିଜ ଗାଁକୁ ଫେରିଆସିଲେ। ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଓଡ଼ିଶା ସରକାର ଅସ୍ଥାୟୀ ଡାକ୍ତରୀ ଚିକିତ୍ସା କେନ୍ଦ୍ର ସହିତ ବିଭିନ୍ନ ସ୍କୁଲ ଏବଂ ଗୋଷ୍ଠୀ କେନ୍ଦ୍ରରେ ସଙ୍ଗରୋଧରେ ରହିବା ବ୍ୟବସ୍ଥା କରିଥିଲେ। ସେ ସମୟର କଥା ମନେ ପକାଇ ନାମନି କହନ୍ତି, “ଆମେ ଗାଁ ସ୍କୁଲରେ ୧୪ ଦିନ ରହିଲୁ। ସେଠାରେ ରହିବା ପାଇଁ ମୋତେ ଓ ମୋ ସ୍ୱାମୀଙ୍କୁ (ଓଡ଼ିଶା ସରକାରଙ୍କ ତରଫରୁ )୨,୦୦୦ଟଙ୍କା ଲେଖାଏଁ ମିଳିଲା।”












