୧୯୪୭ର ରକ୍ତାକ୍ତ ଦେଶ ବିଭାଜନ ଯୋଗୁଁ ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ସୀମାରେଖା - ରାଡ୍କ୍ଲିଫ୍ ଲାଇନ୍ ପଞ୍ଜାବକୁ ମଧ୍ୟ ଦୁଇ ଭାଗରେ ବିଭକ୍ତ କରିଥିଲା। ସୀମା ନିର୍ଦ୍ଧାରଣ କମିସନ୍ର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିବା ବ୍ରିଟିଶ ଆଇନଜ୍ଞଙ୍କ ନାମରେ ନାମିତ ଏହି ରେଖା କେବଳ ଯେ ଭୌଗୋଳିକ ବିଭାଜନ ଘଟାଇଥିଲା, ତାହା ନୁହେଁ, ବରଂ ଏହା ପଞ୍ଜାବୀ ଭାଷାକୁ ମଧ୍ୟ ଦୁଇଟି ଲିପିରେ ବିଭାଜିତ କରାଇଥିଲା। ଲୁଧିଆନା ଜିଲ୍ଲାର ପାୟଲ ତହସିଲ ଅନ୍ତର୍ଗତ କଟହରି ଗାଁର କିର୍ପାଲ ସିଂହ ପନ୍ନୁ କହିଲେ,“ଦେଶ ବିଭାଜିତ ହେବା କାରଣରୁ ପଞ୍ଜାବୀ ସାହିତ୍ୟରେ ଏବଂ ପଞ୍ଜାବୀ ଭାଷାର ଦୁଇଟି ଲିପିରେ, ଚିରଦିନ ଲାଗି ଏକ କ୍ଷତ ସୃଷ୍ଟି ହୋଇଥିଲା।”
ଦେଶ ବିଭାଜନ ଯୋଗୁଁ ସୃଷ୍ଟ ଏହି ନିର୍ଦ୍ଦିଷ୍ଟ କ୍ଷତରେ ମଲମ ଲଗାଇବା ପ୍ରଚେଷ୍ଟାରେ ତାଙ୍କ ଜୀବନର ତିନି ଦଶନ୍ଧି ଉତ୍ସର୍ଗ କରିଦେଇଛନ୍ତି ୯୦ ବର୍ଷ ବୟସ୍କ ଏହି ପୂର୍ବତନ ସୈନିକ ପନ୍ନୁ। ସୀମା ସୁରକ୍ଷା ବଳ (BSF)ର ଜଣେ ଅବସରପ୍ରାପ୍ତ ଡେପୁଟି କମାଣ୍ଡାଣ୍ଟ ପନ୍ନୁ, ଗୁରୁ ଗ୍ରନ୍ଥ ସାହିବ, ମହାନ୍ କୋଷ (ପଞ୍ଜାବର ଅନ୍ୟତମ ସମ୍ମାନିତ ପବିତ୍ର ଜ୍ଞାନକୋଷ) ଭଳି ଅନେକ ଶାସ୍ତ୍ର ଓ ଧର୍ମଗ୍ରନ୍ଥକୁ ଏବଂ ଅନ୍ୟ କେତେକ ସାହିତ୍ୟିକ ସୃଷ୍ଟିକୁ ଗୁରମୁଖୀ ଲିପିରୁ ଶାହମୁଖୀରେ ଏବଂ ଶାହମୁଖୀରୁ ଗୁରମୁଖୀ ଲିପିରେ ଆକ୍ଷରିକ ଅନୁବାଦ କରିଛନ୍ତି।
୧୯୪୭ ପରେ ଭାରତରେ ଉର୍ଦ୍ଦୁ ଭଳି ଡାହାଣରୁ ବାମକୁ ଲେଖାଯାଉଥିବା ଶାହମୁଖୀ ଲିପିର ବ୍ୟବହାର କରାଯାଇ ନଥିଲା। ୧୯୯୫-୧୯୯୬ରେ ପନ୍ନୁ ଏଭଳି ଏକ କମ୍ପ୍ୟୁଟର ପ୍ରୋଗ୍ରାମ ପ୍ରସ୍ତୁତ କଲେ ଯାହା ଗୁରୁ ଗ୍ରନ୍ଥ ସାହିବକୁ ଗୁରମୁଖୀରୁ ଶାହମୁଖୀରେ ଏବଂ ଶାହମୁଖୀରୁ ଗୁରମୁଖୀ ଲିପିରେ ପରିବର୍ତ୍ତନ କରିପାରୁଥିଲା।
ଦେଶ ବିଭାଜନ ପୂର୍ବରୁ ଉର୍ଦ୍ଦୁ ଭାଷାଭାଷୀ ଲୋକେ ଶାହମୁଖୀ ଲିପିରେ ଲିଖିତ ପଞ୍ଜାବୀ ଭାଷାକୁ ମଧ୍ୟ ପଢ଼ି ପାରୁଥିଲେ। ପାକିସ୍ତାନ ଗଠିତ ହେବା ପୂର୍ବରୁ ଅଧିକାଂଶ ସାହିତ୍ୟ ରଚନା ଏବଂ ସରକାରୀ ଅଦାଲତ ନଥିପତ୍ର ଶାହମୁଖୀ ଲିପିରେ ଲେଖା ଯାଇଥିଲା। ଏମିତି କି, ତତ୍କାଳୀନ ଅବିଭକ୍ତ ପଞ୍ଜାବ ପ୍ରଦେଶର ପାରମ୍ପରିକ ଗଳ୍ପକଥନ କଳା ‘କିସ୍ସା’ରେ ମଧ୍ୟ କେବଳ ଶାହମୁଖୀ ଲିପି ବ୍ୟବହାର କରାଯାଉଥିଲା।
ଭାରତର ଦେବନାଗରୀ ଲିପି ସହିତ କିଛିଟା ସାମଞ୍ଜସ୍ୟ ଥାଇ ବାମରୁ ଡାହାଣକୁ ଲେଖାଯାଉଥିବା ଗୁରମୁଖୀ ଲିପି ପାକିସ୍ତାନର ପଞ୍ଜାବରେ ବ୍ୟବହାର କରାଯାଏ ନାହିଁ। ପରିଣାମ ସ୍ୱରୂପ, ପଞ୍ଜାବୀ ଭାଷାଭାଷୀ ପାକିସ୍ତାନୀମାନଙ୍କର ପରବର୍ତ୍ତୀ ପିଢ଼ି ଗୁରମୁଖୀ ଲିପି ପଢ଼ିବାରେ ସକ୍ଷମ ହେଲେ ନାହିଁ ଏବଂ ସେମାନଙ୍କ ନିଜସ୍ୱ ସାହିତ୍ୟଠାରୁ ବିଚ୍ଛିନ୍ନ ହୋଇ ରହିଗଲେ। ସେମାନେ ଜାଣିଥିବା ଶାହମୁଖୀ ଲିପିରେ ପ୍ରସ୍ତୁତ ହେବା ପରେ ହିଁ ଅବିଭକ୍ତ ପଞ୍ଜାବର ମହାନ ସାହିତ୍ୟିକମାନଙ୍କ କୃତୀକୁ ସେମାନେ ପଢ଼ିପାରିଲେ।













