ରୂପେଶ ମୋହାରକର୍ ଉତ୍ସାହବର୍ଦ୍ଧକ ଆଲୋଚନା ପାଇଁ ୨୦ ବର୍ଷ ପାଖାପାଖି ବୟସର କିଛି ଯୁବକ ଓ ଯୁବତୀଙ୍କୁ ତୁରନ୍ତ ଏକଜୁଟ୍ କରି ଦେଇଛନ୍ତି ।
‘‘ଧ୍ୟାନ କେନ୍ଦ୍ରିତ କର,’’ ଯୁବକଯୁବତୀମାନେ ତାଙ୍କର ସଂକ୍ଷିପ୍ତ ପରାମର୍ଶକୁ ଧ୍ୟାନ ଦେଇ ଶୁଣୁଥିବା ବେଳେ ୩୧ ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ ବଡ଼ ପାଟିରେ କୁହନ୍ତି। ‘‘ଅଳସୁଆମି ପାଇଁ କୌଣସି ସ୍ଥାନ ନାହିଁ!’’ ଏବେ ନୁହେଁ ତ’ କେବେ ନୁହେଁ, ସେମାନଙ୍କୁ ସେ ଚେତାଇ ଦିଅନ୍ତି ।
ସମସ୍ତେ ତାଙ୍କ କଥାରେ ମୁଣ୍ଡ ଟୁଙ୍ଗାରି ସମ୍ମତି ପ୍ରକାଶ କରନ୍ତି, ସମସ୍ତଙ୍କ ମୁଖମଣ୍ଡଳ ଗମ୍ଭୀର ଥାଏ, ସାମୂହିକ ବିଜୟ ଘୋଷ ଗୁଞ୍ଜରିତ ହୋଇ ଉଠେ। ସମସ୍ତେ ଉତ୍ସାହିତ ହୋଇ ଦ୍ରୁତ ବେଗରେ ଦୌଡ଼ିବା, ଏବଂ ବ୍ୟାୟାମ କରିବା ଆରମ୍ଭ କରିଦିଅନ୍ତି। ସେମାନେ ଗୋଟିଏ ମାସ ହେବ ଏଭଳି ଶାରୀରିକ ତାଲିମ ଅଭ୍ୟାସ କରି ଆସୁଛନ୍ତି ।
ଏପ୍ରିଲ ମାସର ଆରମ୍ଭ ସମୟ, ସକାଳ ୬ଟା ବାଜିଛି ଏବଂ ଭଣ୍ଡାରାରେ ଥିବା ସହରର ଏକମାତ୍ର ସର୍ବସାଧାରଣ ପଡ଼ିଆରେ ଉତ୍ସାହପୂର୍ଣ୍ଣ ଯୁବବର୍ଗଙ୍କ ଭିଡ଼ ଲାଗି ରହିଛି। ସେମାନେ କଠିନ ପରିଶ୍ରମ କରି ଝାଳ ବୁହାଇ ଚାଲିଛନ୍ତି, କିଏ ୧୦୦ ମିଟର ଦ୍ରୁତ ଦୌଡ଼ରେ ବ୍ୟସ୍ତ ରହିଛି; ଆଉ କେଉଁମାନେ ୧୬୦୦ ମିଟର ଦୌଡ଼ିବା ଜାରି ରଖିଛନ୍ତି। ଶାରୀରିକ ଶକ୍ତି ବଢ଼ାଇବା ପାଇଁ ଶର୍ଟପୁଟ୍ ଏବଂ ଅନ୍ୟ ଅଭ୍ୟାସ ଜାରି ରଖିଛନ୍ତି।
ଏସବୁ ପରେ ସେମାନଙ୍କ ମନରେ ଯେଉଁ ଶେଷ କଥାଟି ରହିଛି ତାହା ହେଉଛି ଆଗାମୀ ସାଧାରଣ ନିର୍ବାଚନ ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ବିଜୟ ହାସଲ କରିବା ଲକ୍ଷ୍ୟରେ ରଖିଛନ୍ତି । ଭଣ୍ଡାରା-ଗୋନ୍ଦିଆ ସଂସଦୀୟ କ୍ଷେତ୍ରରେ ୧୯ ଏପ୍ରିଲ ୨୦୨୪ରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ, ଯାହା ଏକ ଲମ୍ବା, କଷ୍ଟକର ଏବଂ ଝାଳବୁହା ନିର୍ବାଚନୀ ଋତୁ ହେବ।
ନିର୍ବାଚନୀ ଲଢ଼େଇଠାରୁ ଦୂରରେ ରହି ଏହି ଯୁବକ ଓ ଯୁବତୀମାନେ ରାଜ୍ୟ ପୁଲିସ ନିଯୁକ୍ତି ଅଭିଯାନ ପାଇଁ ପ୍ରସ୍ତୁତିରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି, ଏଥିପାଇଁ ଆବେଦନର ଶେଷ ତାରିଖ ଏପ୍ରିଲ ୧୫। ଉଭୟ ଶାରୀରିକ ଏବଂ ଲିଖିତ ପରୀକ୍ଷାର ମିଶ୍ରଣରେ ଏହି ପରୀକ୍ଷା ଆୟୋଜନ କରାଯିବ । ପୁଲିସ କନଷ୍ଟେବଳ, କନଷ୍ଟେବଳ ଡ୍ରାଇଭର୍, ରାଜ୍ୟ ରିଜର୍ଭ ପୁଲିସ ବଳ, ପୁଲିସ ବ୍ୟାଣ୍ଡସ୍ମେନ୍ ଓ କାରାଗାର କନଷ୍ଟେବଳ ପାଇଁ ଖାଲି ଥିବା ପଦବୀ ପୂରଣ କରିବା ପାଇଁ ଆଉ ଦୁଇ ତିନି ମାସ ମଧ୍ୟରେ ପରୀକ୍ଷା ଆୟୋଜିତ ହେବ।













