ମହୁଲ ଋତୁର ଅବଧି ଖୁବ ଅଳ୍ପ, ଯାହା ଦୁଇରୁ ତିନି ମାସ ପର୍ଯ୍ୟନ୍ତ ରହିଥାଏ। ଖରାଦିନ ଆରମ୍ଭରେ, ମଧ୍ୟ ଭାରତରେ ଦେଖିବାକୁ ମିଳୁଥିବା ଏସବୁ ଡେଙ୍ଗା ଗଛରୁ ମୂଲ୍ୟବାନ ଫୁଲ ଝଡ଼ିଥାଏ।
ଫିକା ହଳଦିଆ ଫୁଲ ସଂଗ୍ରହ କରିବା ସେମାନଙ୍କ ପାଇଁ ଏକ ପାର୍ବଣର ଏକ ସମୟ ଭଳି । ଆଉ ଏଠାରେ ଛତିଶଗଡ଼ରେ ଛୋଟ ପିଲାଙ୍କ ସମେତ ସାରା ପରିବାର ଜଙ୍ଗଲ ଭୂମି ଉପରେ ପଡ଼ିଥିବା ଫୁଲ ତୋଳିବା କାମରେ ଲାଗିଥିବା ଦେଖିବାକୁ ମିଳିଥାଏ। ‘‘ଏହା ଏକ କଠିନ କାର୍ଯ୍ୟ’’, ଭୁପିନ୍ଦର କୁହନ୍ତି। ‘‘ଆମେ ବଡ଼ି ଭୋରରୁ ଏବଂ ପୁଣିଥରେ ସନ୍ଧ୍ୟାରେ ମହୁଲ ଫୁଲ ସଂଗ୍ରହ କରିଥାଉ ।’’ ଧମତରୀ ଜିଲ୍ଲାର ଚାନାଗାଓଁ ବାସିନ୍ଦା ଭୁପିନ୍ଦର ନିଜ ମାତାପିତାଙ୍କ ସହାୟତା ପାଇଁ ଆସିଛନ୍ତି । ଆଖପାଖରେ ଏତେ ସଂଖ୍ୟକ ଲୋକ ଏକତ୍ରିତ ହୋଇଥିବାରୁ ଏହା ଏକ ପାର୍ବଣ ଋତୁ ଭଳି ଲାଗୁଛି ।
ନିର୍ଦ୍ଧାରିତ ଋତୁ ଆସିଲେ ମହୁଲ ଫୁଲର ବାସ୍ନା ସମଗ୍ର ଅଞ୍ଚଳରେ ଖେଳିଯାଇଥାଏ। ରାୟଗଡ଼ ଜିଲ୍ଲାର ଧରମଜଇଗଡ଼ଠାରୁ ନେଇ ଛତିଶଗଡ଼ର ରାଜଧାନୀ ରାୟପୁର ପର୍ଯ୍ୟନ୍ତ ଶହ ଶହ ସଂଖ୍ୟାରେ ମହୁଲ ଗଛ ଦେଖିବାକୁ ମିଳିଥାଏ। ଗଛ ତଳେ ଗାଁ ଲୋକମାନେ ମହୁଲ ଫୁଲ ତୋଳିବାରେ ବ୍ୟସ୍ତ ରହିଥାନ୍ତି। ସେଗୁଡ଼ିକୁ ଶୁଖାଇବା ପରେ ସାଇତି ରଖାଯାଏ ଏବଂ ସେଥିରୁ ଅଟା, ମଦ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ ହୋଇଥାଏ।
‘‘ଜଙ୍ଗଲରୁ ଆମେ ସଂଗ୍ରହ କରୁଥିବା ସାମଗ୍ରୀ ମଧ୍ୟରେ ମହୁଲ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଅନାହାର ସମୟରେ ଏହା ଖାଦ୍ୟ ରୂପେ ଉପଯୋଗ ହୋଇଥାଏ। ଟଙ୍କା ଦରକାର ହେଲେ ସେମାନେ କିଛି ମହୁଲ ବିକ୍ରି କରିଦେଇପାରିବେ,’’ ଅମ୍ବିକାପୁରର ସାମାଜିକ କର୍ମୀ ଏବଂ ଆଦିବାସୀ ନେତା ଗଙ୍ଗାରାମ ପାଇଁକ୍ରା କୁହନ୍ତି। ଯେତେବେଳେ ମଜୁରି କାମ ମିଳେ ନାହିଁ, ସେହି ଅଭାବ ସମୟରେ ଲୋକମାନେ ମହୁଲ ଫୁଲ ଉପରେ ନିର୍ଭର କରନ୍ତି ବୋଲି ସେ କହିଥାନ୍ତି ।













