ଦୁଇ ହାତ ବଢ଼ାଇ ଏବେ କେବଳ ତାଙ୍କ ସ୍ମୃତିରେ ରହିଥିବା ଦୂର ଦିଗ୍ବଳୟ ଆଡ଼କୁ ଇଙ୍ଗିତ କରନ୍ତି ସୁରେନ୍ଦ୍ରନାଥ ଅବସ୍ଥି। “ଏଇ ସବୁ, ଏବଂ ସେ ସବୁ ମଧ୍ୟ,” ଯେତେ ଦୂର ଯାଏ ସମ୍ଭବ ହାତକୁ ବୁଲାଇ ଆଣି ନିଷ୍ପ୍ରଭ ହସ ସହିତ କହନ୍ତି ସେ।
ସେ କହନ୍ତି,“ଆମେ ତାକୁ ଭଲ ପାଉଥିଲୁ। କେବଳ ତା’ରି ଯୋଗୁଁ ହିଁ ଆମ କୂଅରେ ମାତ୍ର ୧୦ ଫୁଟ୍ ତଳେ ମିଠା ପାଣି ରହୁଥିଲା। ପ୍ରତି ବର୍ଷ ବର୍ଷାଦିନେ ସେ ଆମ ଘର ଯାଏ ମାଡ଼ି ଆସୁଥିଲା। ପ୍ରତି ତିନି ବର୍ଷରେ ଥରେ ସେ ପଶୁବଳି ଚାହୁଁଥିଲା- ପ୍ରାୟତଃ ଛୋଟ ପଶୁଟିଏର। ଯଦିବା, ଥରେ ସେ ମୋର ୧୬ ବର୍ଷର ସଂପର୍କୀୟ ଭାଇକୁ ତା ଗର୍ଭକୁ ଟାଣି ନେଇଥିଲା। ମୁଁ ରାଗିଯାଇଥିଲି ଏବଂ ବହୁ ଦିନ ଧରି ତା ଆଡ଼କୁ ଚାହିଁ ରାଗରେ ଚିତ୍କାର କରିଥିଲି। ହେଲେ ଏବେ ସେ ବହୁ ଦିନ ହେଲା ଆମ ଉପରେ ରାଗିଛି... ବୋଧହୁଏ ଏ ସବୁ ସେଇ ପୋଲଟି ଯୋଗୁଁ,” ଧୀରେ ଧୀରେ ନରମି ଆସି ଥମିଯାଏ ତାଙ୍କ କଣ୍ଠସ୍ୱର।
ଅବସ୍ଥି ଗୋଟିଏ ୬୭ ମିଟର ଲମ୍ବା ପୋଲ ଉପରେ ଠିଆ ହୋଇଥାଆନ୍ତି। ନିଶ୍ଚିହ୍ନ ହେବାକୁ ବସିଥିବା ନଦୀ ଉପରେ ନିର୍ମିତ ଏହି ପୋଲ। ଦିନେ ସଇ ନାଁରେ ପରିଚିତ ଥିଲା ଏହି ନଈ। ସତେ କି ରୋଷଭରା ନାରୀ ରୂପରେ ନଈଟିଏ। ଏହି ପୋଲ ତଳେ ରହିଛି ଚାଷଜମି- ନିକଟରେ ଗହମ କଟା ହେବା ପରେ ଥୁଣ୍ଟା ଭର୍ତ୍ତି ନଦୀଶଯ୍ୟା ଏବଂ ଉଭୟ ପଟେ ପବନରେ ଦୋଳାୟମାନ ଅବସ୍ଥାରେ ସହଜରେ ପାଣି ଶୋଷି ନେଉଥିବା ଅନେକ ୟୁକାଲିପଟାସ୍ ଗଛ।
ସଇ ନଦୀକୁ ‘ଏକ ସୁନ୍ଦର ନଈ’ ରୂପରେ ମନେ ରଖିଛନ୍ତି ଅବସ୍ଥି ଏବଂ ତାଙ୍କ ବନ୍ଧୁ ତଥା ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ଜଗଦୀଶ ପ୍ରସାଦ ତ୍ୟାଗୀ।
ସେଦିନର କଥା ମନେ ପକାଇ ସେ କହନ୍ତି ଗଭୀର ନଦୀଜଳରେ ସୃଷ୍ଟ ଭଉଁରୀ ଏବଂ ତା ଚାରିପାଖେ ବଡ଼ ବଡ଼ ମାଛମାନଙ୍କର ମନଲୋଭା ଉଠାପକା ଦୃଶ୍ୟର କଥା। ଆଜି ବି ସେ କେତେକ ମାଛର ନାଁ ମନେ ରଖିଛନ୍ତି- ଯେମିତି କି ‘ଏଡି ମଛଲି’, ରୋହୀ, ତୋଡ଼ି, ବେଙ୍ଗ-ମାଛ ପ୍ରଭୃତି। ସେ କହନ୍ତି, “ପାଣି ଶୁଖିବା ଆରମ୍ଭ ହେଲେ ମାଛମାନେ ଗାଏବ ହୋଇଯାଆନ୍ତି।”
ଆହୁରି କେତେକ ମଧୁର ସ୍ମୃତି ବି ରହିଛି। ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ଏଠାକାର ସରପଞ୍ଚ ରୂପେ ରହିଥିବା ୭୪ ବର୍ଷୀୟା ମାଳତୀ ଅବସ୍ଥି ବି ଅନେକ ପୁରୁଣା କଥା ମନେ ପକାନ୍ତି- କେମିତି ନଦୀଶଯ୍ୟାରୁ ୧୦୦ ମିଟର ଦୂରରେ ଅବସ୍ଥିତ ତାଙ୍କ ଘର ଅଗଣା ଯାଏ ମାଡ଼ି ଆସୁଥିଲା ସଇ ନଦୀ। ପ୍ରତି ବର୍ଷ ସେହି ବିରାଟ ଅଗଣାରେ ଗାଁ ଲୋକେ ମିଶି ଏକ ଗୋଷ୍ଠୀଭିତ୍ତିକ‘ଅନ୍ନ୍ ପର୍ବତ୍ ଦାନ୍’ ର (ଶସ୍ୟ ଗଦା ସମୂହର ଅବଦାନ) ଆୟୋଜନ କରୁଥିଲେ। ନଦୀର ପ୍ରକୋପରେ ନିଜ ନିଜର ଫସଲ ହରାଇଥିବା ପରିବାରର ସଦସ୍ୟମାନଙ୍କ ପାଇଁ ଏହା ଆୟୋଜିତ ହେଉଥିଲା।
ମାଳତୀ କହନ୍ତି, “ଏବେ ସାମାଜିକ ଗୋଷ୍ଠୀ ପ୍ରତି ସେଭଳି ଭାବନା ଆଉ ନାହିଁ। ସେସବୁ ଶସ୍ୟର ସ୍ୱାଦ ବି ନାହିଁ। ଗାଁର କୂଅଗୁଡ଼ିକରେ ପାଣି ନାହିଁ। ଗୃହପାଳିତ ପ୍ରାଣୀମାନେ ବି ଆମ ଭଳି କଷ୍ଟ ଭୋଗୁଛନ୍ତି। ଜୀବନଟା ସ୍ୱାଦହୀନ ହୋଇପଡ଼ିଛି।”























