ମନ୍ଦିର ଭିତରକୁ ଯିବା ସମୟରେ ଅଧିକାଂଶ ଭକ୍ତଙ୍କୁ ସେମାନଙ୍କ ମୁଣ୍ଡ ନୁଆଁଇବା ଲାଗି ବାଧ୍ୟ କରେ ଚାରି ଫୁଟ ଉଚ୍ଚତାର ପ୍ରବେଶ ଦୁଆର। କିନ୍ତୁ ରୋଗରୁ ମୁକ୍ତି ଦେବାରେ ଦେବୀଙ୍କ ଶକ୍ତି ପ୍ରତି ଭକ୍ତି ଏତେ ଅଧିକ ଯେ ମରହା ଓ ଆଖପାଖ ଗାଁରୁ ଆସୁଥିବା ଅନେକ ଭକ୍ତ ଏଠାକୁ ଆସି ମୁଣ୍ଡ ନୁଆଁନ୍ତି।
“ଯଦି ଆପଣଙ୍କ ପରିବାରରେ କେହି ଅସୁସ୍ଥ ହୁଅନ୍ତି, ତେବେ ଆପଣ ଆସି ଭଗବତୀଙ୍କୁ ପ୍ରାର୍ଥନା କରିପାରନ୍ତି,” ବାବୁ ସିଂହ କହନ୍ତି। ଝଙ୍କାଳିଆ ବରଗଛ ତଳେ ବସିଥିବା ଅନ୍ୟମାନଙ୍କ ଭଳି ସେ ବି ପୂଜାପାଠ ଆରମ୍ଭ ହେବାକୁ ଅପେକ୍ଷା କରିଛନ୍ତି। ଏହି ମନ୍ଦିରରେ ପୂଜା ପାଉଥିବା ଦେବୀ ହେଉଛନ୍ତି ଭଗବତୀ। “ସେ ସବୁ ସମସ୍ୟାର ସମାଧାନ କରିବେ – ରୋଗ ହେଉ କି ଭୁତ୍ (ଭୁତ) କିମ୍ବା ଡାୟନ୍ (ଡାଆଣି),” କଥାରେ କଥା ଯୋଡ଼ି ଦୃଢ଼ ବିଶ୍ୱାସର ସହ ସେ କହନ୍ତି।
ଆଜି ବୁଧବାର, ଏବଂ ଆଜିକା ପୂଜାପାଠ ଅଧିବେଶନର ବିଶେଷତ୍ୱ ବେଶ୍ ଅଧିକ – ଆଜି ମନ୍ଦିରର ପୂଜକ (ସ୍ଥାନୀୟ ଭାଷାରେ ପଣ୍ଡା)ଙ୍କ ଶରୀରରେ ଠାକୁରାଣୀ ପ୍ରବେଶ କରିବେ। ତାଙ୍କ ଜରିଆରେ, ଦେବୀ ମାତା ଭକ୍ତମାନଙ୍କର ସବୁ ପ୍ରଶ୍ନର ଉତ୍ତର ଦେବେ ଏବଂ ସେମାନଙ୍କ ସବୁ ସମସ୍ୟାର, ସାଧାରଣତଃ ଯାହା ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାର, ସମାଧାନ ବାଟ ବତାଇବେ।
ଭକ୍ତମାନଙ୍କର ଏହି ଶ୍ରୋତାମଣ୍ଡଳୀର ଅଧିକାଂଶ ହେଉଛନ୍ତି ଗହଦାରା, କୋନି, କୁଡ଼ନ, ଖାମରି, ମାଝୋଲି, ମରହା, ରକସେହା ଏବଂ କଠେରି ବିଲହାଟା ଗାଁର ପୁରୁଷ। ତଥାପି, ମୁଣ୍ଡ ଉପରୁ ଲମ୍ବିଥିବା ଓଢ଼ଣାରେ ମୁହଁ ଢାଙ୍କି, କେତେକ ମହିଳା ବି ଉପସ୍ଥିତ ଥାଆନ୍ତି।
‘ଆଠ୍ ଗାଓଁ କେ ଲୋଗ ଆତେ ହୈ, (ଆଠଟି ଗାଁର ଲୋକେ ଏଠାକୁ ଆସନ୍ତି),” ସେଦିନର ଅପରାହ୍ନ ଲାଗି କାର୍ଯ୍ୟରେ ବ୍ୟସ୍ତ ଥାଇ କହନ୍ତି ଭୈୟା ଲାଲ ଆଦିବାସୀ କହନ୍ତି। ସେ ଏଠାକାର ପୂଜକ ଏବଂ ସକଳ ବ୍ୟାଧିର ବ୍ୟାଖାକାର। ସେ ଜଣେ ଗୋଣ୍ଡ ଆଦିବାସୀ ଏବଂ ଅନେକ ପିଢ଼ି ଧରି ତାଙ୍କ ପରିବାର ଦେବୀଙ୍କ ପୂଜାର୍ଚ୍ଚନା କରିଆସୁଛନ୍ତି।










