‘ସେଦିନ ଅପରାହ୍ଣରେ ହଠାତ୍ ଏମିତି ଘଟିଗଲା!’
“ମୁଁ ଜାଣେ, ସେଇ ଝଡ଼ ଥିଲା ଭୟାବହ । ନୁହେଁ କି?”
“ଅବଶ୍ୟ, ମୋ ଅନୁମାନରେ ଏହି ଗଛଟି ବି ବହୁତ ପୁରୁଣା ହୋଇଯାଇଥିଲା । ପାଞ୍ଚ ଦଶନ୍ଧି ତଳେ, ଆମେ ଏହି ସୋସାଇଟିକୁ ଆସିବା ବେଳକୁ ବି ଏ ଗଛଟି ଏଠାରେ ଥିଲା ।”
“ଏମିତି ତ ଏ ଗଛଟି ବିପଜ୍ଜନକ ଭାବରେ ଗୋଟିଏ ପଟକୁ ଝୁଙ୍କି ପଡ଼ିଥିଲା । ଆଉ ତା’ରି ତଳେ ଅବଦୁଲଙ୍କ ଟପରି (ଚା’ ଦୋକାନ) ବି ବଡ଼ ଝାମେଲା କରୁଥିଲା । ରାତିରେ ବାଦୁଡ଼ି, ଆଉ ଦିନ ସାରା ବଦମାସିଆ ଟୋକାଙ୍କ ଉତ୍ପାତ ଲାଗି ରହୁଥିଲା । ଏସବୁ ମୋତେ ବିରକ୍ତ କରୁଥିଲା ।”
“ହେ, ସେଇଟା କେମିତି ଗୋଟାଏ ଅଜବ ଶବ୍ଦ ଥିଲା! ଠିକ୍ ନା ?”
ପୌର ସଂସ୍ଥାର ଜରୁରୀକାଳୀନ ସହାୟତା ଟିମ୍ ପହଞ୍ଚି ଆପାର୍ଟମେଣ୍ଟ ଫାଟକ ପାଖରେ ରାସ୍ତା ଅବରୋଧ କରିଥିବା ଗଛ ସଫା କରିବାର ୩୬ ଘଣ୍ଟା ବିତିଗଲାଣି । ତଥାପି ଲୋକେ ଏ ସଂପର୍କରେ କଥାବାର୍ତ୍ତା ବନ୍ଦ କରିନାହାନ୍ତି: କି ଆଶ୍ଚର୍ଯ୍ୟ କଥା, କେତେ ଦୁଃଖଦ, କେମିତି ଆଖି ପିଛୁଳାକେ ହେଲା, ଓଃ ଏତେ ଭୟଙ୍କର, ଏଡ଼େ ଭାଗ୍ୟବାନ । ବେଳେବେଳେ ତା’ ମନରେ ପ୍ରଶ୍ନଟିଏ ଉଙ୍କି ମାରେ, ସମସ୍ତେ କ’ଣ ସେହି ସବୁ କଥାକୁ, ସେହି ପୃଥିବୀକୁ ସବୁ ସମୟରେ ତା’ରି ନଜରରେ ଦେଖୁଛନ୍ତି ? ସେଦିନ ଅପରାହ୍ଣରେ ସେ ସେଠାରେ ଥିଲା ବୋଲି ସେମାନେ କ’ଣ ଜାଣିଥିଲେ ? କେହି କ’ଣ ତା’ର ମୃତ୍ୟୁ ସମୟରେ ତାକୁ ଦେଖିଛନ୍ତି ?
ଅବଦୁଲ ଚାଚାଙ୍କ ଦୋକାନ ପାଖରେ ସେ ଅଟୋରୁ ଓହ୍ଲାଇବା ବେଳେ ଖୁବ୍ ଜୋର୍ରେ ବର୍ଷା ହେଉଥିଲା । ବର୍ଷା ପାଣି ଜମି ରାସ୍ତା ବନ୍ଦ ହୋଇଯାଇଥିଲା ଏବଂ ଅଟୋବାଲା ଆଉ ଆଗକୁ ଯିବ ନାହିଁ ବୋଲି ମନା କରିଦେଲା । ଚାଚା ତା’କୁ ଦେଖି ଚିହ୍ନିଲେ, ହାତରେ ଛତାଟିଏ ଧରି ଦୌଡ଼ି ଦୌଡ଼ି ଅଟୋ ପାଖକୁ ଆସିଲେ ଏବଂ ପଦୁଟିଏ ହେଲେ କଥା ନ କହି ଛତାଟି ତାଙ୍କ ହାତକୁ ବଢ଼ାଇ ଦେଲେ । ସେ ତାଙ୍କ ମୁଣ୍ଡ ଟୁଙ୍ଗାରିଲେ । ସେ ବୁଝିପାରିଲେ, ଅଳ୍ପ ହସି ଛତାଟିକୁ ନେଲେ ଏବଂ ପ୍ରତ୍ୟୁତ୍ତରରେ ମୁଣ୍ଡ ଟୁଙ୍ଗାରିଲେ ଏବଂ ଅଳ୍ପ ଦୂରରେ ଥିବା ଆପାର୍ଟମେଣ୍ଟରେ ପହଞ୍ଚିବା ପାଇଁ ବର୍ଷାପାଣି ଜମିଥିବା ରାସ୍ତା ଅତିକ୍ରମ କରି ଆଗେଇବାରେ ଲାଗିଲେ। ମିନିଟ୍କ ପାଇଁ ହେଲେ ବି ସେ ଭାବିଲେନି ଯେ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଥିଲା ।
ଘଣ୍ଟାକ ପରେ ସେ ଯେତେବେଳେ କିଛି ଗୋଟାଏ ଭାଙ୍ଗି ଯିବାର ବିକଟାଳ ଶବ୍ଦ ଶୁଣି ଝରକା ପାଖକୁ ଦୌଡ଼ି ଗଲେ, ତାଙ୍କୁ ଲାଗିଲା, ସତେ ଯେମିତି ମୁଖ୍ୟ ରାସ୍ତା ଉପରକୁ ଧସେଇ ପଶି ଆସିଛି ନୂଆ ଜଙ୍ଗଲଟିଏ । କିଛି ଦୂରରେ ଥିବା ପୁରୁଣା ଗଛଟି ଏବେ ଭାଙ୍ଗି ପଡ଼ିଛି ବୋଲି ବୁଝିବା ଲାଗି ତାଙ୍କୁ କିଛି ସମୟ ଲାଗିଗଲା । ଏବଂ ସେହି ଗଛ କୋରଡ଼ରୁ ଧଳା କପୋତଟିଏ ଭଳି ଅବଦୁଲ ଚାଚାଙ୍କର ତକିୟା, ମୁଣ୍ଡ ଉପର ଭାଗର ଜାଲି ଟୋପିଟି, ବାହାରକୁ ଉଙ୍କି ମାରୁଥିଲା।



