ଦୁଇ ଆଣ୍ଠୁ ମଝିରେ ଗୋଟିଏ ଗାରଗାରିଆ ଲୁଙ୍ଗି ଖୋସି ଦେଇ, ୩୦ ସେକେଣ୍ଡ ଭିତରେ ୪୦ ଫୁଟ୍ ଉଚ୍ଚ ତାଳଗଛର ଅଧା ଯାଏ ଚଢ଼ି ପାରନ୍ତି ଅଜୟ ମାହାତୋ।
ସବୁଦିନ ସେ ଏହି କାମ ହିଁ କରନ୍ତି – ତଳକୁ ଚାହିଁଲେ ମୁଣ୍ଡ ଘୂରାଇ ଦେବା ଭଳି ଉଚ୍ଚତାର ତାଳଗଛ ଉପରକୁ ଚଢ଼ି ପତ୍ର ସନ୍ଧିରେ ବାହାରିଥିବା ଫୁଲକେଣ୍ଡାରୁ ତାଡ଼ି ସଂଗ୍ରହ କରନ୍ତି।
ବିହାରର ସମସ୍ତିପୁର ଜିଲ୍ଲାରେ, ମେ ମାସର ଏକ ଖରାଟିଆ ସକାଳେ ଗଛ ଚଢ଼ିବାକୁ ସଜ ହେଉଥିଲେ ଏହି ୨୭ ବର୍ଷୀୟ ତାଡ଼ି ସଂଗ୍ରହକାରୀ। “ଅବ୍ ତୋ ତାର୍ କେ ପେଡ୍ ଜୈସନ୍ ଶକ୍କତ ହୋ ଗଲୈହାନ୍। କାଣ୍ଟା ଭି ନୈ ଭୋକଇତୈ (ଏବେ ତ ଏଗୁଡ଼ାକ ତାଳଗଛ ଭଳି ଟାଣ ହୋଇଗଲେଣି। ଏମିତି କି କଣ୍ଟା ବି ଏଥିରେ ଫୁଟିବନି),” ତାଙ୍କ ଦୁଇ ହାତର ବିଣ୍ଡିକୁ ଦେଖାଇ ଅଜୟ କହନ୍ତି।
ଦୁଇ ହାତର ଆଙ୍ଗୁଠିକୁ ଛନ୍ଦି କେମିତି ଗଛର ଗଣ୍ଡି ଚାରିପଟେ ଘେରାଇବାକୁ ହୁଏ, ତାହା ଦେଖାଇ ଅଜୟ କହନ୍ତି, “ଗଛ ଚଢ଼ିବା ବେଳେ ହାତ ମୁଠାକୁ ଟାଣ କରି ଗଛକୁ ଧରିବା ଦରକାର। ଗଛର ଗଣ୍ଡିକୁ ଦୁଇ ହାତରେ ଓ ଦୁଇ ଗୋଡ଼ରେ ଘେରା କରି ଧରିବାକୁ ହୁଏ।” ସରୁ ଏବଂ ଖଦଖଦଡ଼ିଆ ତାଳ ଗଛ ଚଢ଼ିବାର ଏହି କଠିନ କାମ ଯୋଗୁଁ ତାଙ୍କ ଛାତି, ଦୁଇ ହାତ ଓ ଦୁଇ ଗୋଡ଼ର ଗୋଇଠି ପାଖରେ କଳାଦାଗ ପଡ଼ିଯାଇଛି।
‘‘୧୫ ସାଲ କେ ରହିୟା ତାହିୟେ ସେ ଷ୍ଟାର୍ଟ କା ଦେଲିୟେ ରା (ମୋତେ ୧୫ ବର୍ଷ ହୋଇଥିବା ବେଳରୁ ମୁଁ ଗଛ ଚଢ଼ିବା ଆରମ୍ଭ କରିଥିଲି),” ବୋଲି କହନ୍ତି ଏହି ତାଡ଼ି ସଂଗ୍ରହକାରୀ ଜଣକ। ଆଜିକୁ ୧୨ ବର୍ଷ ହେଲା ସେ ଏହା କରିଆସୁଛନ୍ତି।
ରସୁଲପୁର ଗାଁର ଅଜୟ ପାସି ସଂପ୍ରଦାୟର ଏବଂ ପାରମ୍ପରିକ ଭାବେ ସେମାନେ ତାଡ଼ି ସଂଗ୍ରହ କରନ୍ତି। ଅଜୟଙ୍କ ପରିବାର ଲୋକେ ଅତି କମ୍ରେ ତିନି ପିଢ଼ି ଧରି ଏହା କରିଆସୁଛନ୍ତି।














