“୨୦୨୦ ମସିହା ଲକଡାଉନ ବେଳେ କିଛି ଲୋକ ଆସି ଆମର ୧.୨୦ ଏକର ଜମି ଉପରେ ପାଚେରୀ ଘେରେଇଲେ”, କହିଲେ ଫଗୁଆ ଓରାଓଁ। ତିରିଶି ବର୍ଷରୁ ଟିକିଏ ଅଧିକ ବୟସର ଜଣେ ଆଦିବାସୀ ଚାଷୀ ଫଗୁଆ ଇଟା ପାଚେରୀ ଘେରା ହେଇଥିବା ଖୋଲା ଜମିକୁ ଦେଖାଇ କହୁଥିଲେ। ଖୁଣ୍ଟି ଜିଲ୍ଲାର ଡୁମାରି ଆମ ଗାଁ ଯେଉଁଠାରେ ଅଧିକାଂଶ ହେଉଛନ୍ତି ଓରାଓଁ ଆଦିବାସୀ ସମ୍ପ୍ରଦାୟ। ସେମାନେ ମାପଚୁପ କଲାବେଳେ କହିଲେ, “ଏ ଜମି ଆଉ ଜଣକର, ତୁମର ନୁହେଁ”। ଆମେ ସେମାନଙ୍କୁ ବିରୋଧ କଲୁ।

“ଏହି ଘଟଣା ଘଟିବାର ପ୍ରାୟ ୧୫ ଦିନ ପରେ ଆମେ ଆମ ଗାଁଠାରୁ ୩୦ କି. ମି. ଦୂର ଖୁଣ୍ଟିଠାରେ ଥିବା ସବ-ଦିଭିଜନାଲ ମାଜିଷ୍ଟ୍ରେଟଙ୍କ ପାଖକୁ ଗଲୁ। ପ୍ରତି ଥର ଯିବା ପାଇଁ ଆମକୁ ୨୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା। ସେଠାରେ ଆମକୁ ଜଣେ ଓକିଲଙ୍କ ସାହାଯ୍ୟ ନେବାକୁ ହେଲା। ସେ ଆମଠୁ ୨,୫୦୦ ଟଙ୍କା ନେଇ ସାରିଲେଣି। କିନ୍ତୁ କିଛି ହେଲା ନାହିଁ।

“ତା’ ପୂର୍ବରୁ ଆମେ ଆମ ବ୍ଲକରେ ଥିବା ଜୋନାଲ ଅଫିସକୁ ଯାଇଥିଲୁ। ଏପରିକି ଅଭିଯୋଗ କରିବା ପାଇଁ ଆମେ ଥାନାକୁ ବି ଯାଇଥିଲୁ। ଜମି ଉପରେ ଦାବି ନକରିବା ପାଇଁ ଆମକୁ ବାରମ୍ବାର ଧମକ ଦିଆ ଯାଉଥିଲା। ଗୋଟିଏ ଦକ୍ଷିଣାପନ୍ଥୀ ସଂସ୍ଥାର ଜଣେ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଆମକୁ ଧମକ ଦେଇଥିଲେ। କିନ୍ତୁ କୋର୍ଟରେ ଏ ବିଷୟରେ କୌଣସି ଶୁଣାଣି ହୋଇନାହିଁ। ଏବେ ଆମ ଜମିରେ ପାଚେରୀ ଘେରା ହେଇଛି। ଔର ହମ ଦୋ ସାଲସେ ଇସି ତରହ ଦୌଡ଼-ଧୁପ କର ରହେ ହୈ [ଆଉ ଆମେ ଗତ ଦି’ ବର୍ଷ ହେଲା ଏମିତି ଦଉଡ଼ା-ଧାପଡ଼ା କରୁଛୁ]”।

“ମୋ ଜେଜେବାପା ଲୁସା ଓରାଓଁ ଏହି ଜମିକୁ ୧୯୩୦ ମସିହାରେ ଜମିଦାର ବାଲଚନ୍ଦ ସାହୁଙ୍କଠାରୁ କିଣିଥିଲେ। ଆମେ ଏହି ଜମିରେ ଚାଷ କରି ଆସୁଛୁ। ୧୯୩୦ରୁ ୨୦୧୫ ପର୍ଯ୍ୟନ୍ତ ଆମେ ଏହି ଜମି ପ୍ଲଟ ପାଇଁ ଖଜଣା ଦାଖଲ କରି ରସିଦ ରଖିଛୁ। ପରବର୍ତ୍ତୀ ସମୟରେ [୨୦୧୬ ରେ] ଅନ-ଲାଇନ୍‌ ବ୍ୟବସ୍ଥା ଆରମ୍ଭ ହେଲା। ଆଉ ସେହି ଅନ-ଲାଇନ୍‌ ବ୍ୟବସ୍ଥା ରେକର୍ଡ଼ରେ ଜମିର ସତ୍ତ୍ଵ ପୂର୍ବ-ମାଲିକଙ୍କ ବଂଶଧରଙ୍କ ନାଁରେ ଦେଖାଉଛି। ଏହା କେମିତି ହେଲା ଆମେ କିଛି ଜାଣିନୁ”।

ଫଗୁଆ ଓରାଓଁ କେନ୍ଦ୍ର ସରକାରଙ୍କ ଦ୍ଵାରା ଆହୁତ ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡସ ମଡର୍ଣ୍ଣାଇଜେସନ ପ୍ରୋଗ୍ରାମ (ଡିଆଇଏଲଆରଏମପି) ଯୋଗୁଁ ତାଙ୍କ ଜମି ହରାଇଛନ୍ତି। ଏହାର (ଡିଆଇଏଲଆରଏମପି) ଉଦ୍ଦେଶ୍ୟ ହେଉଛି କି ସାରା ଦେଶରେ ସମସ୍ତ ଜମିଜମାର ରେକର୍ଡ ଡିଜିଟାଇଜେସନ କରି ଏକ କେନ୍ଦ୍ରୀୟ ଡାଟା ପରିଚାଳନା ବ୍ୟବସ୍ଥା ସୃଷ୍ଟି କରିବା। ସେହି ସମସ୍ତ ରେକର୍ଡର ଆଧୁନିକ ପରିଚାଳନା କରିବା ହେଉଛି ଏହି ଯୋଜନାର ଲକ୍ଷ୍ୟ, ଓ ତଦନୁଯାୟୀ ରାଜ୍ୟ ସରକାର ଜିଲ୍ଲାୱାରୀ ଜମିଜମା ସୂଚନା ଆଧାରରେ ୨୦୧୬ ଜାନୁୟାରୀରେ ଗୋଟିଏ ଲ୍ୟାଣ୍ଡବ୍ୟାଙ୍କ ପୋର୍ଟାଲ ଆରମ୍ଭ କଲେ। ଏହାର ଉଦ୍ଦେଶ୍ୟ ହେଲା “ଜମି/ସମ୍ପତ୍ତି ବିବାଦର ପରିମାଣ କମାଇବା ଓ ଜମିଜମା ରେକର୍ଡ ପରିଚାଳନାକୁ ସ୍ଵଚ୍ଛ ରଖିବା”।

ଫଗୁଆ ଓ ତାଙ୍କ ପରି ଆହୁରି ଅନେକଙ୍କ ପାଇଁ ଏହା ଏକଦମ ବିପରୀତ ଭାବେ କାମ କରିଛି।

“ଅନଲାଇନ୍‌ରେ ଜମିର ପ୍ରକୃତ ସ୍ଥିତି ଜାଣିବା ପାଇଁ ଆମେ ପ୍ରଜ୍ଞା କେନ୍ଦ୍ରକୁ ଗଲୁ”। ଏହି କେନ୍ଦ୍ର ଝାଡ଼ଖଣ୍ଡରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଆହୁତ ଡିଜିଟାଲ ଭାରତ ଅନ୍ତର୍ଗତ ଗ୍ରାମ ପଞ୍ଚାୟତସ୍ତରରେ କିଛି ଫି ନେଇ ସାଧାରଣ ସେବା ଯୋଗାଇ ଦେବା ପାଇଁ ସୃଷ୍ଟି ହୋଇଥିବା ୱାନ-ଷ୍ଟପ ସେବା କେନ୍ଦ୍ର। “ଅନଲାଇନରେ ଥିବା ରେକର୍ଡ ଅନୁଯାୟୀ ଜମିର ବର୍ତ୍ତମାନର ମାଲିକ ହେଉଛନ୍ତି ନଗେନ୍ଦ୍ର ସିଂ। ତାଙ୍କ ପୂର୍ବରୁ ମାଲିକ ଥିଲେ ସଞ୍ଜୟ ସିଂ। ସେ ବିନ୍ଦୁ ସିଂଙ୍କୁ ଏହି ଜମି ବିକ୍ରି କରିଥିଲେ, ଓ ବିନ୍ଦୁ ସିଂ ଏହାକୁ ବିକ୍ରି କରିଥିଲେ ନଗେନ୍ଦ୍ର ସିଂଙ୍କୁ”।

“ଯାହା ଲାଗୁଛି, ଜମିଦାରଙ୍କ ବଂଶଧରମାନେ ଏହି ସମାନ ଜମିକୁ ଆମ ଅଜ୍ଞାତରେ ଦୁଇ ତିନି ଥର କିଣାବିକା କରିଛନ୍ତି। କିନ୍ତୁ ୧୯୩୦ ରୁ ୨୦୧୫ ପର୍ଯ୍ୟନ୍ତ ଖଜଣା ପାଉତି ଆମ ପାଖରେ ଥିବା ବେଳେ ଏହା କେମିତି ସମ୍ଭବ ହେଲା? ଆମେ ବର୍ତ୍ତମାନ ସୁଦ୍ଧା ୨୦,୦୦୦ ଟଙ୍କାରୁ ଅଧିକ ଖର୍ଚ୍ଚ କରି ସାରିଲୁଣି ଓ ଏଣେତେଣେ ଦଉଡ଼ା ଦଉଡ଼ି କରିବାରେ ଲାଗିଛୁ। ଏଥି ପାଇଁ ଆମେ ଘରର ଖାଇବା ଶସ୍ୟ ବିକିଦେଲୁ। ବର୍ତ୍ତମାନ ଯେତେବେଳେ ଏହି ଜମି ଉପରେ ପାଚେରୀ ଦେଖୁଛି, ମତେ ଲାଗୁଛି ସତେ ଯେମିତି ଆମେ ଆମ ନିଜର ସବୁକିଛି ହରାଇ ବସିଛୁ। ଆମେ ଜାଣିନୁ ଆମର ଏହି ସଂଘର୍ଷ  ବେଳେ କିଏ ଆମକୁ ସାହାଯ୍ୟ କରି ପାରିବ?”

PHOTO • Om Prakash Sanvasi
PHOTO • Jacinta Kerketta

ଫଗୁଆ ଓରାଓଁ (ବାମରେ) ହେଉଛନ୍ତି କେତେ ବର୍ଷ ତଳେ ହୋଇଥିବା ଜମିଜମା ରେକର୍ଡ ଡିଜିଟାଇଜେସନ ବେଳେ ଉତ୍ତରାଧିକାରୀ ରୂପେ ପୂର୍ବ-ପୁରୁଷଙ୍କ ଜମି ହରାଇଥିବା ଝାଡ଼ଖଣ୍ଡ ଖୁଣ୍ଟି ଗାଁର ବହୁ ଲୋକଙ୍କ ମଧ୍ୟରୁ ଜଣେ। ତାଙ୍କର ୧.୨୦ ଏକର ଜମିର ୨୦୧୫ ପର୍ଯ୍ୟନ୍ତ ଜମା ହୋଇଥିବା ଖଜଣା ପାଉତି (ବାମରେ) ତାଙ୍କ ନିକଟରେ ରହିଥିଲେ ବି ସେହି ଜମି ପାଇଁ ତାଙ୍କୁ ଅଯଥା ନିଜ ଟଙ୍କା ଓ ଶକ୍ତି ଖର୍ଚ୍ଚ କରିବାକୁ ପଡୁଛି

*****

ଝାଡ଼ଖଣ୍ଡରେ ଜମି ଅଧିକାର ଇତିହାସ ସୁଦୀର୍ଘ ଓ ଜଟିଳ। ଏକାଧିକ ନିୟମ ମାଧ୍ୟମରେ ରାଜନୈତିକ ଦଳଗୁଡ଼ିକ ବହୁଳ ସଂଖ୍ୟାରେ ଆଦିବାସୀମାନେ ରହୁଥିବା ଖଣିଜ ସମ୍ପଦରେ ଭରପୁର ଅଞ୍ଚଳର ଜମି ଅଧିକାର ନିୟମକୁ ମୋଡ଼ିମକଚି ଚାଲିଛନ୍ତି। ଏହି ରାଜ୍ୟରେ ସାରା ଦେଶର ୪୦ ପ୍ରତିଶତ ଖଣିଜ ସମ୍ପଦ ରହିଛି।

୨୦୧୧ରେ ହୋଇଥିବା ଜାତୀୟ ଜନଗଣନା ଅନୁଯାୟୀ ରାଜ୍ୟରେ ୨୩,୭୨୧ ବର୍ଗ କି. ମି.ରେ ଘେରି ରହିଥିବା ଜଙ୍ଗଲର ପରିମାଣ ୨୯.୭୬ ପ୍ରତିଶତ, ଆଦିବାସୀ ଜନଜାତି ରୂପେ ବର୍ଗୀକୃତ ୩୨ଟି ଦେଶୀୟ ସମ୍ପ୍ରଦାୟରେ ୪ ଭାଗରୁ ଭାଗେ ଲୋକ, ଅର୍ଥାତ ରାଜ୍ୟ ଜନସଂଖ୍ୟାର ୨୬ ପ୍ରତିଶତ ଲୋକ ରହୁଛନ୍ତି, ପଞ୍ଚମ ଅନୁସୂଚୀ ଅନୁଯାୟୀ ୧୩ ଟି ଜିଲ୍ଲାରେ ସମୁଦାୟ ଭାବେ ଓ ୩ ଟି ଜିଲ୍ଲାରେ ଆଂଶିକ ଭାବେ ଆଦିବାସୀମାନଙ୍କ ଉପସ୍ଥିତିକୁ ଚିହ୍ନିତ କରାଯାଇଛି।

ରାଜ୍ୟର ଆଦିବାସୀମାନେ ସେମାନଙ୍କ ସାମାଜିକ-ସାଂସ୍କୃତିକ ଜୀବନଶୈଳୀ ସହିତ ଗଭୀର ଭାବେ ସଂଶ୍ଳିଷ୍ଟ ସ୍ଥାନୀୟ ସମ୍ପଦ ଉପରେ ସେମାନଙ୍କ ଅଧିକାର ସାବ୍ୟସ୍ତ କରିବା ପାଇଁ ସ୍ଵାଧିନତା ପ୍ରାପ୍ତି ପୂର୍ବରୁ ସଂଗ୍ରାମ କରି ଆସୁଛନ୍ତି। ୫୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସେମାନଙ୍କର ଏହି ସାମୂହିକ ସଂଘର୍ଷର ଫଳ ସ୍ଵରୂପ ୧୯୩୩ ମସିହାରେ ସେମାନଙ୍କୁ ପ୍ରଥମ ରେକର୍ଡ ଅଫ ରାଇଟସ ‘ହୁକୁକ-ନାମା’ ମିଳିଲା। ସ୍ଵାଧିନତା ପ୍ରାପ୍ତିର ଶହେ ବର୍ଷ ପୂର୍ବରୁ ଏହା ଥିଲା ଆଦିବାସୀମାନଙ୍କୁ ଦିଆ ଯାଇଥିବା ସାମୁଦାୟିକ କୃଷି ଅଧିକାର ଓ ସ୍ଥାନୀୟ ସ୍ଵୟଂ ଶାସନ ଅଧିକାର।

ଏବଂ ସମ୍ବିଧାନରେ ପଞ୍ଚମ ସୂଚୀ ଅନୁଯାୟୀ ମାନ୍ୟତା ମିଳିବାର ବହୁ ପୂର୍ବରୁ ୧୯୦୮ ରେ ପ୍ରଣୀତ ଛୋଟନାଗପୁର ଟେନାନ୍ସି ଆକ୍ଟ (ସିଏନଟିଏ) ଓ ୧୮୭୬ ରେ ପ୍ରଣୀତ ସାନ୍ତାଳ ପ୍ରଗଣା ଆକ୍ଟ (ଏସପିଟିଏ)ରେ ଆଦିବାସୀ (ଏସଟି) ଓ ମୂଳବାସୀ (ଏସସି, ବିସି ଓ ଅନ୍ୟାନ୍ୟ)ଙ୍କୁ ସେହି ସ୍ଵତନ୍ତ୍ର ଜୋନ ଅଞ୍ଚଳରେ ଚାଷ ଜମି ଅଧିକାର ପ୍ରଦାନ କରାଯାଇଥିଲା।

*****

ଫଗୁଆ ଓରାଓଁ ଓ ତାଙ୍କ ପରିବାର ଜୀବିକା ଅର୍ଜନ ପାଇଁ ଜମିଦାରଙ୍କଠାରୁ ସେମାନଙ୍କ ପୂର୍ବ-ପ୍ରୁରୁଷ କିଣିଥିବା ଜମି ଉପରେ ନିର୍ଭରଶୀଳ। ତା’ ସହିତ ସେମାନଙ୍କର ଓରାଓଁ ପୂର୍ବ-ପୁରୁଷଙ୍କଠାରୁ ସେମାନଙ୍କ ନିକଟରେ ୧.୫୦ ଏକର ‘ଭୂଇଁହାରୀ’ ଜମି ରହିଛି।

ଯେଉଁ ପରିବାରର ଉତ୍ତରାଧିକାରୀମାନେ ସେମାନଙ୍କ ପୂର୍ବ-ପୁରୁଷମାନେ ଜଙ୍ଗଲ ସଫା କରି ଚାଷ ଜମିରେ ପରିଣତ କରିଥିବା ଓ ବସତି ସ୍ଥାପନ କରିଥିବା ଜମିକୁ ସାମୂହିକ ଭାବେ ଭୋଗ କରନ୍ତି ତାହାକୁ ଓରାଓଁ ଅଞ୍ଚଳରେ ‘ଭୂଇଁହାରୀ’ ଓ ମୁଣ୍ଡା ଅଞ୍ଚଳରେ ‘ମୁଣ୍ଡାରୀ ଖୁଣ୍ଟକାଟି’ ଜମି କୁହାଯାଏ।

“ଆମେ ହେଲୁ ତିନି ଭାଇ”, କହନ୍ତି ଫଗୁଆ। “ଆମ ତିନି ଜଣଙ୍କର ପରିବାର ଅଛି। ଉଭୟ ବଡ଼ ଭାଇ ଓ ମଝିଆଁ ଭାଇ ପ୍ରତ୍ୟେକଙ୍କର ତିନିଟି କରି ପିଲା ରହିଥିଲା ବେଳେ ମୋର ଦୁଇଟି ପିଲା। ପରିବାରର ସମସ୍ତେ ଚାଷ ଜମି ଓ ପାହାଡ଼ିଆ ଜମିରେ ଚାଷକରୁ। ଆମେ ଧାନ ତଥା ବାଜରା, ସୁଆଁ, ମାଣ୍ଡିଆ ପରି ଶସ୍ୟ ଓ ପନିପରିବା ଉତ୍ପାଦନ କରୁ। ଆମେ ସେଥିରୁ ଅଧା ଖାଉ ଓ ବାକି ଅଧକ ଟଙ୍କା ଦରକାର ପଡ଼ିଲେ ବିକ୍ରି କରୁ। ଏମିତି ହିଁ ଆମେ ଚଳୁ”, ସେ ବୁଝାଇ କହନ୍ତି।

ଏହି ଏକ-ଶସ୍ୟ ଅଞ୍ଚଳରେ ବର୍ଷକୁ ମାତ୍ର ଥରେ ଚାଷ କାମ ହୁଏ। ବାକି ସମୟରେ ସେମାନେ ସେମାନଙ୍କ ଗାଁ ପାଖ କରା ବ୍ଲକ କି ଆଉ କିଛି ଦୂରରେ ଦିନ ମଜୁରିଆ କାମ କରି ବଞ୍ଚନ୍ତି।

ଡିଜିଟାଇଜେସନ ଓ ତାହାର ସମସ୍ୟା ଏଭଳି ପାରିବାରିକ-ମାଲିକାନା ଥିବା ଜମି କିସମ ଛଡ଼ା ଅନ୍ୟାନ୍ୟ ବହୁ କ୍ଷେତ୍ରକୁ ମଧ୍ୟ ବ୍ୟାପିଛି।

PHOTO • Jacinta Kerketta

ଖୁଣ୍ଟି ଜିଲ୍ଲା ଅନ୍ତର୍ଗତ କୋସାମ୍ବି ଗାଁରେ ଅନୁଷ୍ଠିତ ହୋଇଥିବା ସଂଯୁକ୍ତ ପାରହା କମିଟି ସଭାରେ ଲୋକେ ଏକାଠି ହୋଇଥିଲେ। କମିଟି ପକ୍ଷରୁ ୧୯୩୨ ରେ ପ୍ରସ୍ତୁତ ହୋଇଥିବା ଗୋଷ୍ଠୀ ଓ ଘରୋଇ ଅଧିକାରରେ ଥିବା ଜମି ସର୍ଭେ ରିପୋର୍ଟର ଖତିଆନ ଦେଖାଇ ଆଦିବାସୀମାନଙ୍କୁ ସଚେତନ କରିବାକୁ ଚେଷ୍ଟା କରାଯାଇଥିଲା

ପ୍ରାୟ ପାଞ୍ଚ କି. ମି. ଥିବା କୋସାମ୍ବି ଗାଁର ବନ୍ଧୁ ହୋରୋ ସେମାନଙ୍କ ସାମୁଦାୟିକ ଜମି ସମ୍ପର୍କରେ ମନେ ପକେଇ କହନ୍ତି – “୨୦୨୨ ଜୁନ ମାସରେ କିଛି ଲୋକ ଆସିଲେ ଓ ଆମ ଜମି ଉପରେ ବାଡ଼ କରିବାକୁ ଚେଷ୍ଟା କଲେ। ସେମାନେ ଯେସିବି ମାଟିଖୋଳା ଗାଡ଼ି ନେଇ ଆସିଥିଲେ ଓ ଯେତେବେଳେ କାମ ଆରମ୍ଭ କଲେ ଆମ ଗାଁର ସବୁ ଲୋକ ବାହାରି ଆସିଲେ ଓ ସେମାନଙ୍କୁ ଅଟକାଇଲେ”।

“ଗାଁର ପ୍ରାୟ ୨୦-୨୫ ଜଣ ଆଦିବାସୀ ଲୋକ ଏକାଠି ଆସିଲେ ଓ ଜମିରେ ବସି ପଡ଼ିଲେ”, ସେହି ଗାଁର ୭୬-ବର୍ଷୀୟ ଫ୍ଲୋରା ହୋରୋ ଆମ ନିକଟକୁ ଆଗେଇ ଆସି କହିଲେ। “ଏପରିକି ଲୋକେ ଜମିରେ ହଳ କରିବା ଆରମ୍ଭ କଲେ। ଜମି କିଣିବାକୁ ଆସିଥିବା ପାର୍ଟି ପୋଲିସକୁ ଡାକିଲେ। କିନ୍ତୁ ଗାଁ ଲୋକେ ଜମିରେ ସନ୍ଧ୍ୟା ପର୍ଯ୍ୟନ୍ତ ବସି ରହିଲେ। ଏବଂ ପରେ ପରେ ସେହି ଜମିରେ ସର୍ଗୁଜା [ନିଗର ଗୁଳ୍ମ ବା ଗୁଇଜୋରିଆ ଆବିସିନିକା] ଲଗେଇ ଦିଆଗଲା” ସେ ଜଣେଇଲେ।

“କୋସାମ୍ବି ଗାଁରେ ଥିବା ୮୩ ଏକର ଜମିକୁ ‘ ମଞ୍ଜହିଆ’ କୁହାଯାଏ”, ୩୬-ବର୍ଷ ବୟସ୍କ ଗାଁ ମୁଖିଆ ବିକାଶ ହୋରୋ ବିସ୍ତୃତ ଭାବେ ବୁଝାଇଲେ। “ଏହା ହେଉଛି ଗାଁରେ ଆଦିବାସୀ ସମୁଦାୟ ଦ୍ଵାରା ଜମିଦାରଙ୍କ ଦ୍ଵାରା ସ୍ଵତନ୍ତ୍ର ଭାବେ ଚିହ୍ନିତ ହୋଇ ରହିଥିବା ଜମି। ଗାଁ ଲୋକମାନେ ଏକାଠି ସାମୁଦାୟିକ ଭାବେ ଏହି ଜମିରେ ଚାଷ କରନ୍ତି ଓ ଉତ୍ପାଦିତ ଶସ୍ୟରୁ ଗୋଟିଏ ଭାଗ ଜମିଦାରଙ୍କ ପରିବାରକୁ ଶ୍ରଦ୍ଧା ସହ ‘ସଲାମୀ’ ରୂପେ ଦିଅନ୍ତି। ରାଜ୍ୟରୁ ଜମିଦାରୀ ବ୍ୟବସ୍ଥା ଉଚ୍ଛେଦ ହେଲା ପରେ ମଧ୍ୟ ଏହି ସେବା ବନ୍ଦ ହୋଇ ନଥିଲା। “ଏପରିକି ଆଜି ମଧ୍ୟ ଗାଁର ବହୁ ଆଦିବାସୀ ସେମାନଙ୍କ ଅଧିକାର ସମ୍ପର୍କରେ ଜାଣନ୍ତି ନାହିଁ”, ସେ କହନ୍ତି।

୩୫-ବର୍ଷୀୟ ସେତେଙ୍ଗ ହୋରୋଙ୍କ ପରିବାର ତାଙ୍କ ତିନି ଭାଇଙ୍କ ପରି ଜୀବିକା ପାଇଁ ସେମାନଙ୍କର ମାଲିକାନାରେ ଥିବା ୧୦ ଏକର ଜମି ଉପରେ ନିର୍ଭର କରନ୍ତି, ତାଙ୍କର ବି ଏହି ଭଳି କାହାଣୀ ଅଛି। “ପ୍ରଥମରୁ ଆମେ ଜାଣି ନଥିଲୁ ଯେ ଜମିଦାରୀ ପ୍ରଥା ଉଚ୍ଛେଦ ହେବା ସହ ‘ ମଂଝିୟସ ’ ଜମି ସାମୁଦାୟିକ ଭାବେ ଚାଷ କରୁଥିବା ଲୋକଙ୍କ ପାଖକୁ ଫେରିଆସେ ବୋଲି। ଆମେ ଯେହେତୁ ଜାଣି ନଥିଲୁ ପୂର୍ବ ଜମିଦାରଙ୍କ ବଂଶଜଙ୍କୁ ଚାଷ ପରେ ସେଥିରୁ କିଛି କିଛି ନେଇ ଦେଇ ଆସୁଥିଲୁ। ସେମାନେ ଯେତେବେଳେ ବେନିୟମ ଭାବେ ସେହିସବୁ ଜମିକୁ ବିକିବାକୁ ଲାଗିଲେ, ସେତେବେଳେ ଯାଇ ଆମ ଜମି ସତ୍ତ୍ଵକୁ ସୁରକ୍ଷିତ ରଖିବା ପାଇଁ ଆମେ ଏକାଠି ହୋଇ ବାହାରିଲୁ”, ସେ କହନ୍ତି।

ରାଞ୍ଚିରେ ରହୁଥିବା ବରିଷ୍ଠ ଆଇନଜୀବୀ ରଶ୍ମୀ କାତ୍ୟାୟନ କହନ୍ତି, “ବିହାର ଜମି ସଂସ୍କାର ଅଧିନିୟମ ୧୯୫୦-୫୫ ମଧ୍ୟରେ ଲାଗୁ ହେଲା। ଚାଷ ହେଉ ନଥିବା ଜମିକୁ ଲିଜ୍‌ରେ ଦେବା ଅଧିକାର, ଜମିର ଭଡ଼ା ଓ ଟିକସ ସଂଗ୍ରହ ଅଧିକାର, ବଞ୍ଜର ଭୂମିରେ ନୂଆ ରୟତଙ୍କୁ ଥଇଥାନ କରିବା କ୍ଷମତା, ଗାଁ ହାଟ ଓ ଯାନିଯାତରା, ମେଳଣ ଆଦିରୁ ମାହାସୁଲ ଆଦାୟ କରିବା ଆଦି ଜମିଦାରଙ୍କ ସମସ୍ତ ସୁବିଧାକୁ ବନ୍ଦ କରିଦେଇ କେବଳ ପୂର୍ବ ଜମିଦାରମାନେ ଚାଷ କରୁଥିବା ଜମି ଛାଡ଼ିଦେଇ ଅନ୍ୟ ସମସ୍ତ ଦାୟିତ୍ୱ ସରକାରଙ୍କୁ ଦେଇ ଦିଆଗଲା”।

“ପୂର୍ବ ଜମିଦାରମାନେ ସେମାନଙ୍କ ସେହି ଭଳି ଜମି ଓ ବିଶେଷ ଅଧିକାର ପ୍ରାପ୍ତ ଜମି, ଯାହାକୁ ‘ ମଂଝିୟସ ‘ କୁହାଯାଏ, ତାହାକୁ  ଫେରସ୍ତ କରିବା ବ୍ୟବସ୍ଥା ରହିଲା। କିନ୍ତୁ ସେମାନେ ସେହି ସବୁ ଜମିକୁ ନିଜର ବୋଲି ମନେ କଲେ ଓ କେବେ ବି ସେସବୁ ଜମି ଫେରସ୍ତ କଲେ ନାହିଁ। ଖାଲି ସେତିକି ନୁହେଁ, ସେମାନେ ଜମିଦାରୀ ପ୍ରଥା ଉଚ୍ଛେଦ ହେବାର ବହୁଦିନ ପରେ ମଧ୍ୟ ଜମିର ଉତ୍ପାଦନରୁ ଅଧା ଭାଗ ନେବା ଜାରି ରଖିଲେ। ବିଗତ ପାଞ୍ଚ ବର୍ଷ ମଧ୍ୟରେ ଡିଜିଟାଇଜେସନ କାରଣରୁ ଜମିଜମା ସଂଘର୍ଷର  ସଂଖ୍ୟା ବହୁତ ବଢ଼ି ଯାଇଛି”, କହନ୍ତି ୭୨-ବର୍ଷୀୟ କାତ୍ୟାୟନ।

ପୂର୍ବ-ଜମିଦାରମାନଙ୍କ ବଂଶଧର ଓ ଖୁଣ୍ଟି ଜିଲ୍ଲାର ଆଦିବାସୀମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷ ବିଷୟରେ ୪୫-ବର୍ଷୀୟ ଆଇନଜୀବୀ ଅନୁପ ମିଞ୍ଜଙ୍କ ସହ ଆଲୋଚନା କରିବା ବେଳେ ସେ କହନ୍ତି, “ଜମିଦାରମାନଙ୍କ ବଂଶଧରଙ୍କ ପାଖରେ ନା ଖଜଣା ପାଉତି ଅଛି, ନା ଅଛି ସେହି ସବୁ ଜମିର ମାଲିକାନା ସତ୍ତ୍ଵ, କିନ୍ତୁ ସେମାନେ ଅନଲାଇନରେ ସେସବୁ ଜମିକୁ ଚିହ୍ନଟ କରୁଛନ୍ତି ଓ କାହାକୁ ନା କାହାକୁ ବିକି ଦେଉଛନ୍ତି। ଛୋଟନାଗପୁର ଟେନାନ୍ସି ଆକ୍ଟ, ୧୯୦୮ରେ ରହିଥିବା ବ୍ୟବସ୍ଥା ଅନୁଯାୟୀ କେହି ଜଣେ ବ୍ୟକ୍ତି ଯଦି ଲଗାତାର ଭାବେ ୧୨ ବର୍ଷ ଧରି ଗୋଟିଏ ଜମିରେ ଚାଷ କରି ଆସୁଥିବ, ତେବେ ସେହି ବ୍ୟକ୍ତି ଆପେ ଆପେ ଉକ୍ତ ‘ମଂଝିୟସ ’ ଜମିର ଅଧିକାରପ୍ରାପ୍ତ ହେବେ।

PHOTO • Jacinta Kerketta

କୋସାମ୍ବି ଗାଁର ଲୋକମାନେ ସେମାନେ ଏବେ ସାମୂହିକ ଭାବେ ଯେଉଁ ଜମିରେ ଚାଷ କରୁଛନ୍ତି ସେହି ଜମିକୁ ଦେଖେଇଲେ। ପୂର୍ବ-ଜମିଦାରମାନଙ୍କ ବଂଶଜଙ୍କ ସହ ସାମୂହିକ ଭାବେ ଲମ୍ବା ସଂଘର୍ଷ କରି ସେମାନେ ଏହି ଜମିକୁ ରକ୍ଷା କରିଛନ୍ତି

ଏହି ଭଳି ଜମିକୁ ଚାଷ କରୁଥିବା ଚାଷୀମାନଙ୍କୁ ଏକାଠି କରି ଗତ କେତେ ବର୍ଷ ହେଲା ସଂଯୁକ୍ତ ପାରହା କମିଟି ସକ୍ରିୟ ରହିଛି। ପାରମ୍ପରିକ ଗଣତାନ୍ତ୍ରିକ ପାରହା ବ୍ୟବସ୍ଥା ଅଧୀନରେ ରହିଥିବା ଆଦିବାସୀଙ୍କ ସ୍ଵୟଂ ଶାସନ ପ୍ରଣାଳୀରେ ଏହା କରିବା ସମ୍ଭବ ହୋଇଛି। ଗୋଟିଏ ଗୋଟିଏ ପାରହାରେ ୧୨ଟିରୁ ୨୨ ଟି ଗାଁ ଏକାଠି ରହିଥାନ୍ତି।

“ଖୁଣ୍ଟି ଜିଲ୍ଲାର ବହୁ ଅଞ୍ଚଳରେ ଏହି ସଂଘର୍ଷ ଜାରି ରହିଛି”, କହନ୍ତି କମିଟିରେ ଥିବା ୪୫-ବର୍ଷୀୟ ସାମାଜିକ କର୍ମୀ ଆଲଫ୍ରେଡ ହୋରୋ। “ଜିଲ୍ଲାର ଟୋରପା ବ୍ଲକରେ ୩୦୦ ଏକର ଜମିକୁ ପୂର୍ବ-ଜମିଦାରଙ୍କ ବଂଶଜମାନେ ପୁନଃ-ଅଧିକାର କରିବାକୁ ଚାହୁଁଛନ୍ତି, କାରା ବ୍ଲକର ଟୁଯୁଗୁତୁ ବା ଟିୟୁ ଗାଁରେ ୨୩ ଏକର, ପାରଗାଓଁରେ ୪୦ ଏକର, କୋସାମ୍ବିରେ ୮୩ ଏକର, ମଧୁକମା ଗାଁରେ ୪୫ ଏକର, ମେହାନ ବା ମେହା ଗାଁରେ ୨୩ ଏକର ଓ ଛଟା ଗାଁରେ ୯୦ ଏକର। ଏ ପର୍ଯ୍ୟନ୍ତ ଯୁଗ୍ମ ପାରହା କମିଟି ଆଦିବାସୀଙ୍କର ପାଖାପାଖି ୭୦୦ ଏକର ଜମି ଉଦ୍ଧାର କରି ସାରିଲାଣି”, ସେ କହନ୍ତି।

ସଂଯୁକ୍ତ ପାରହା କମିଟି ଆଦିବାସୀମାନଙ୍କୁ ସେମାନଙ୍କ ଜମି ଅଧିକାର ସମ୍ପର୍କରେ ସଚେତନ କରୁଛି, ସେମାନଙ୍କୁ ଗୋଷ୍ଠୀ ଓ ଘରୋଇ ଜମି ଆଦି ଭୂସମ୍ପତି ଅଧିକାରକୁ ନେଇ ୧୯୩୨ ରେ ହୋଇଥିବା ସର୍ଭେ ଅନୁଯାୟୀ ଖତିୟାନ ଦେଖାଇ ଜାଗ୍ରତ କରାଉଛି। ସେଥିରେ କେଉଁ ଜମିର କିସମ କ’ଣ ଓ ତାହା ଉପରେ କାହାର ଅଧିକାର ରହିଛି ତା’ର ଟିକିନିଖି ବିବରଣୀ ରହିଛି। ଯେତେବେଳେ ଗାଁ ଲୋକେ ସେହି ଖତିୟାନ ଦେଖିଲେ, ସେଥିରୁ ସେମାନେ ଜାଣିବାକୁ ପାଇଲେ ଯେ ସେମାନେ ସାମୁଦାୟିକ ଭାବେ ଯେଉଁ ଜମିରେ ଚାଷ କରୁଛନ୍ତି ସେମାନଙ୍କ ପୂର୍ବ-ପୁରୁଷ ତାହାର ମାଲିକ ଥିଲେ। ଏହା କେବେ ବି ପୂର୍ବ-ଜମିଦାରଙ୍କର ନଥିଲା, ଓ ଏବେ ଜମିଦାରୀ ପ୍ରଥା ଉଚ୍ଛେଦ ହୋଇ ସାରିଲାଣି।

“ଲୋକମାନେ ଏବେ ଡିଜିଟାଲ ଇଣ୍ଡିଆ ଯୋଗୁଁ ଅନଲାଇନରେ ସମସ୍ତ ତଥ୍ୟ ଜାଣି ପାରୁଛନ୍ତି, ଓ ସେହି କାରଣରୁ ସଂଘର୍ଷ ବୃଦ୍ଧି ପାଇଛି”, କହନ୍ତି ଖୁଣ୍ଟି ଅନ୍ତର୍ଗତ ମର୍ଲେ ଗାଁର ଇପିଲ ହୋରୋ। ୨୦୨୪ ମେ ୧ ତାରିଖ ଶ୍ରମିକ ଦିବସ ଦିନ ଗାଁ ପାଖରେ ଥିବା ‘ମଂଝିୟସ ’ ଜମିରେ ବାଡ଼ ଘେରେଇବାକୁ ଆସି ପହଞ୍ଚିଲେ। ସେହି ଜମିକୁ ସେମାନେ କିଣିଛନ୍ତି ବୋଲି ଦାବି କଲେ। ପ୍ରାୟ ୬୦ ଜଣ ଗାଁର ସ୍ତ୍ରୀ ପୁରୁଷ ଏକାଠି ମିଶି ଆସିଲେ ଓ ସେମାନଙ୍କୁ ଅଟକାଇଲେ।

“ପୂର୍ବ-ଜମିଦାରଙ୍କ ବଂଶଧରମାନେ ଅନଲାଇନରେ ‘ମଂଝିୟସ ଜମିକୁ ଦେଖି ପାରିବେ। କିନ୍ତୁ ସେମାନେ ଏବେ ବି ସେହି ସବୁ ଜମିକୁ ସେମାନଙ୍କର ବିଶେଷ ଅଧିକାର ଅନ୍ତର୍ଗତ ବୋଲି ବିଚାର କରି ଅନ୍ୟାୟ ଭାବେ ବିକାବିକି କରୁଛନ୍ତି। ଆମର ମିଳିତ ଶକ୍ତି ଦ୍ଵାରା ଏଭଳି ଜମି ହଡ଼ପକୁ ଆମେ ବିରୋଧ କରୁଛୁ”, ଇପିଲ ବୁଝାଇ କହନ୍ତି। ସେଠାରେ ଥିବା ମୁଣ୍ଡା ଗାଁରେ ସମୁଦାୟ ୩୬ ଏକର ମଂଝିୟସ ’ ଜମି ଅଛି ଯାହାକୁ ଗାଁ ଲୋକେ ପୀଢ଼ି ପରେ ପୀଢ଼ି ସାମୁଦାୟିକ ଭାବେ ଚାଷ କରି ଆସୁଛନ୍ତି।

୩୦ ବର୍ଷ ବଯସର ଭରୋଷି ହୋରୋ କହନ୍ତି’ “ଗାଁର ଲୋକମାନେ ବେଶୀ ପଢାଶୁଣା କରି ନାହାନ୍ତି। ଦେଶରେ କେଉଁ ନିୟମ ତିଆରି ହେଲା ଓ କେବେ ବଦଳିଲା ସେ ବାବଦରେ ଆମେ କିଛି ଜାଣି ନାହୁଁ। ପାଠ ପଢୁଆ ଲୋକ ଅନେକ କିଛି ଜାଣନ୍ତି। କିନ୍ତୁ ସେହି ଜ୍ଞାନକୁ ଆୟୁଧ କରି ସେମାନେ ଜାଣି ନଥିବା ଲୋକଙ୍କୁ ଲୁଟୁଛନ୍ତି, ହଇରାଣ କରୁଛନ୍ତି। ସେଥି ପାଇଁ ଆଦିବାସୀମାନେ ସେମାନଙ୍କୁ ବିରୋଧ କରୁଛନ୍ତି”।

ବହୁ ପ୍ରତୀକ୍ଷିତ ‘ଡିଜିଟାଲ ବିପ୍ଲବ’ କିନ୍ତୁ ବିକ୍ଷିପ୍ତ ବିଦ୍ୟୁତ ସରବରାହ ଓ ଏବେ ଥିବ ଏବେ ନଥିବ ପରି ଇଣ୍ଟର୍ନେଟ ସଂଯୋଗ ଯୋଗୁ ବହୁ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁ ନାହିଁ। ଝାଡ଼ଖଣ୍ଡର ଗ୍ରାମୀଣ ଇଲାକାରେ ଇଣ୍ଟର୍ନେଟ ମାତ୍ର ୩୨ ପ୍ରତିଶତ ସ୍ଥାନରେ ପହଞ୍ଚି ପାରୁଛି। ତା’ ସହିତ ଦେଶ ଭିତରେ ପୂର୍ବରୁ ରହିଥିବା ଶ୍ରେଣୀ, ଲିଙ୍ଗ, ଜାତି ଓ ଆଦିବାସୀ ମଧ୍ୟରେ ରହିଥିବା ବିଭାଜନକୁ ଡିଜିଟାଲ ବିଭାଜନ ଅଧିକ ଉତ୍କଟ କରୁଛି ବୋଲି କହିଲେ ଭୁଲ ହେବ ନାହିଁ।

ଜାତୀୟ ନମୁନା ସର୍ଭେ (ଏନଏସଏସ ୭୫ ତମ ସଂଖ୍ୟା – ଜୁଲାଇ ୨୦୧୭-ଜୁନ ୨୦୧୮)ର ଉଲ୍ଲେଖ ଅନୁଯାୟୀ ଝାଡ଼ଖଣ୍ଡର ଆଦିବାସୀ ଅଞ୍ଚଳରେ ଲୋକେ ମାତ୍ର ୧୧.୩ ପ୍ରତିଶତ ଘରେ ଇଣ୍ଟରନେଟ ସୁବିଧା ମିଳୁଛି ଏବଂ ଗ୍ରାମାଞ୍ଚଳର କେବଳ ପ୍ରାୟ ୧୨ ପ୍ରତିଶତ ପୁରୁଷ ଓ ୨ ପ୍ରତିଶତ ମହିଳା ଇଣ୍ଟରନେଟ ବ୍ୟବହାର କରିବା ଜାଣିଛନ୍ତି। ଗାଁ ଲୋକମାନେ କେବଳ ପ୍ରଜ୍ଞା କେନ୍ଦ୍ରର ସେବା ଉପରେ ନିର୍ଭରଶୀଳ, ଯାହାର ଯଥେଷ୍ଟ ଭାବେ ଉପଲବ୍ଧ ହେଉ ନଥିବା ସମ୍ପର୍କରେ ପୂର୍ବରୁ ୧୦ଟି ଜିଲ୍ଲାରେ ସର୍ବେକ୍ଷଣ ଆଧାରରେ ଆଲୋଚନା କରାଯାଇ ସାରିଛି।

PHOTO • Jacinta Kerketta

ଗାଁର ଆଦିବାସୀମାନେ ଏକାଠି ହୋଇ ନିଜ ଜମି ପାଇଁ ସଂଘର୍ଷ କରୁଥିବା ବେଳେ ପୂର୍ବ-ଜମିଦାରଙ୍କ ବଂଶଧରମାନେ ଜେସିବି ମେସିନ ନେଇ ଆସୁଛନ୍ତି। ଗାଁ ଲୋକେ ଆସି ଜମିରେ ଏକାଠି ବସୁଛନ୍ତି, ହଳ କରୁଛନ୍ତି, ବହୁତ ସମୟ ପର୍ଯ୍ୟନ୍ତ ଜଗି ରହୁଛନ୍ତି ଓ ଶେଷକୁ ଖରଗୁଜା ଲଗାଉଛନ୍ତି

ଖୁଣ୍ଟି ଜିଲ୍ଲାର କରା ବ୍ଲକ ଉନ୍ନୟନ ଅଫିସର ସର୍କଲ ଅଫିସର (ସିଓ) ବନ୍ଦନା ଭାରତୀ ଅତି ସଂଯତ ଭାବେ କହନ୍ତି, “ପୂର୍ବ-ଜମିଦାରଙ୍କ ବଂଶଧରମାନଙ୍କ ପାଖରେ ଜମି କାଗଜାତ ଅଛି, କିନ୍ତୁ ଦେଖିବାକୁ ହେବ ଯେ ଜମି କାହା ଅଧିକାରରେ ଅଛି”। “ଜମି ଆଦିବାସୀମାନଙ୍କ ଅଧିକାରରେ ଅଛି, ଓ ସେଇମାନେ ହିଁ ଜମିରେ ଚାଷ କରୁଛନ୍ତି। ଏବେ ଏହା ଏକ ଜଟିଳ ମାମଲା। ଆମେ ସାଧାରଣତଃ ଏଭଳି କେ ସ୍‌ଗୁଡ଼ିକୁ କୋର୍ଟକୁ ପଠାଇ ଦେଇଥାଉ। ବେଳେବେଳେ ପୂର୍ବ-ଜମିଦାରଙ୍କ ବଂଶଧର ଓ ଲୋକେ ସେମାନଙ୍କ ଭିତରେ ବୁଝାମଣା କରି ନିଅନ୍ତି”।

ଝାଡ଼ଖଣ୍ଡର ସ୍ଥାନୀୟ ଅଧିବାସୀ ନିୟମକୁ ନେଇ ୨୦୨୩ ରେ ଇକୋନୋମିକ ଏଣ୍ଡ ପଲିଟିକାଲ ଉଇକ୍ଲିରେ ପ୍ରକାଶିତ ଏକ ସର୍ବେକ୍ଷଣର ତଥ୍ୟ ଅନୁଯାୟୀ “... ପ୍ରତ୍ୟେକ ଡିଜିଟାଲ ରେକର୍ଡରେ ଅତି ଚତୁରତାର ସହ ପାରମ୍ପରିକ ଖତିୟାନରେ ଗୋଷ୍ଠୀକୁ ସିଏନଟିଏ ଅନୁଯାୟୀ ଦିଆଯାଇଥିବା ଜମି ଅଧିକାର ତଥ୍ୟକୁ ଅଣଦେଖା କରି ରେଭେନ୍ୟୁ ଜମିକୁ ଘରୋଇ ଜମି ଭାବେ ଚିହ୍ନିତ କରାଯାଇଛି”।

ଖାତାରେ କି ପ୍ଲଟ ନମ୍ବର, ଜମିର ମାପ, ପରିବର୍ତ୍ତିତ ନାଁ ଓ ଜମି ମାଲିକଙ୍କ ଜାତି କିମ୍ବା ସେ ଆଦିବାସୀ କି ନୁହନ୍ତି ତଥା ଧୋକାଦାରୀ ଦ୍ଵାରା ଜମି ବିକ୍ରିର ତଥ୍ୟ ଆଦିକୁ ଭୁଲ ଭାବେ ପୂରଣ କରିବା ଦ୍ଵାରା ଆଦିବାସୀମାନେ ରେକର୍ଡ ଠିକ୍‌ କରିବାକୁ ଯେତେ ଦୌଡ଼ାଦୌଡ଼ି କଲେ ବି ସେଥିରୁ କୌଣସି ଲାଭ ହୁଏନାହିଁ – ଏକଥା ସହ ସର୍ବେକ୍ଷଣକାରୀମାନେ ସହମତ ହୁଅନ୍ତି। ଏବେ ଯେତେବେଳେ ସେମାନଙ୍କ ଜମି ଆଉ କାହା ନାଁରେ ରହିଛି ସେଥିପାଇଁ ସେମାନେ ଯେଉଁସବୁ ଟିକସ ଦେବା କଥା ତାହା ଦେଇ ପାରୁନାହାନ୍ତି।

“ଏହାର ପ୍ରକୃତ ଲାଭ କାହାକୁ ମିଳୁଛି?”, ପଚାରନ୍ତି ଜମି ଅଧିକାର ପାଇଁ ଜନ ଆନ୍ଦୋଳନ କରୁଥିବା ଏକତା ପରିଷଦର ଜାତୀୟ ସଂଯୋଜକ ରମେଶ ଶର୍ମା। “ଜମି ରେକର୍ଡ ଡିଜିଟାଇଜେସନ କ’ଣ ଗଣତାନ୍ତ୍ରିକ ଧାରା? ଏହା ନିଃସନ୍ଦେହ ଯେ ଏକଦା ଜମିଦାର, ଜମି ମାଫିଆ ଓ ମଧ୍ୟସ୍ଥିମାନେ ଯେଉଁ ଭଳି ଲାଭ ଉଠାଉଥିଲେ, ସେହି ଭଳି ଷ୍ଟେଟ, ଅଳ୍ପ କେତେକ କ୍ଷମତାଶାଳୀ ବ୍ୟକ୍ତି ଏହି ମିସନରୁ ସବୁଠୁ ବେଶୀ ଲାଭବାନ ହେବେ”। ସେ ବିଶ୍ଵାସ କରନ୍ତି ଯେ ପ୍ରଚଳିତ ବ୍ୟବସ୍ଥାକୁ ବୁଝି ନପାରିବା କି  ଜମି ଚିହ୍ନଟ କରି ନପାରିବା ହେଉଛି ସ୍ଥାନୀୟ ପ୍ରଶାସନର ଅକ୍ଷମତା ହେଉଛି ଉଦ୍ଦେଶ୍ୟମୂଳକ। ସେମାନେ ଜାଣିବୁଝି ଅଗଣତାନ୍ତ୍ରିକ ଓ କ୍ଷମତାଶାଳୀଙ୍କ ସପକ୍ଷରେ ରହିଛନ୍ତି।

ଆଦିବାସୀ ଗୋଷ୍ଠୀମାନଙ୍କର ଆଶଙ୍କାର କାରଣ ଯେ କୌଣସି କଳ୍ପନାଠାରୁ ଯଥେଷ୍ଟ ଅଧିକ ବୋଲି ବୁଝାଇ କହନ୍ତି ବାସନ୍ତୀ ଦେବୀ। “ଏହି ଗାଁକୁ ଚାରିପଟେ ‘ ମଂଝିୟସ ’  ଜମି ଘେରି ରହିଛି। ଏବେ ଯଦି ଚାରି ପାଟର ସେସବୁ ଜମି ବେନିୟମ ଭାବେ ବିକ୍ରି ହେଇଯିବ, ପାଚେରୀ ତିଆରି କରି ଦିଆଯିବ ତେବେ ଆମ ଗାଈଗୋରୁ, ଛେଳିମେଣ୍ଢା ଚରିବାକୁ କୁଆଡ଼େ ଯିବେ? ସାରା ଗାଁ ସମ୍ପୂର୍ଣ୍ଣ ରୂପେ ଅବରୋଧ ହୋଇଯିବ। ଆମେ ଏଠାରୁ ଆଉ କୋଉ ଜାଗାକୁ ସ୍ଥାନାନ୍ତରିତ ହୋଇ ଯିବାକୁ ବାଧ୍ୟ ହେବୁ। ଏସବୁ ଅତି ଭୟଙ୍କର”।

ଲେଖକ ବରିଷ୍ଠ ଆଇନଜୀବୀ ରଶ୍ମୀ କାତ୍ୟାୟନଙ୍କ ସହ ଆଲୋଚନାରୁ ପାଇଥିବା ଦୃଷ୍ଟିକୋଣ ଯାହାକି ଏହି ଲେଖାକୁ ସମୃଦ୍ଧ କରିଛି ସେଥିପାଇଁ ଓ ତାଙ୍କର ଅକୁଣ୍ଠ ସହଯୋଗ ପାଇଁ ତାଙ୍କ ନିକଟରେ ଗଭୀର ଭାବେ କୃତଜ୍ଞ।

ଅନୁବାଦ: ଓଡ଼ିଶାଲାଇଭ୍‍

Jacinta Kerketta

ਉਰਾਂਵ ਆਦਿਵਾਸੀ ਭਾਈਚਾਰੇ ਨਾਲ਼ ਤਾਅਲੁਕ ਰੱਖਣ ਵਾਲ਼ੀ ਜੰਸਿਤਾ ਕੇਰਕੇਟਾ, ਝਾਰਖੰਡ ਦੇ ਪੇਂਡੂ ਇਲਾਕਿਆਂ ਵਿੱਚ ਯਾਤਰਾਵਾਂ ਕਰਦੀ ਹਨ ਅਤੇ ਸੁਤੰਤਰ ਲੇਖਕ ਅਤੇ ਰਿਪੋਰਟ ਵਜੋਂ ਕੰਮ ਕਰਦੀ ਹਨ। ਉਹ ਆਦਿਵਾਸੀ ਭਾਈਚਾਰਿਆਂ ਦੇ ਸੰਘਰਸ਼ਾਂ ਨੂੰ ਬਿਆਨ ਕਰਨ ਵਾਲ਼ੀ ਕਵਿਤਰੀ ਵੀ ਹਨ ਅਤੇ ਆਦਿਵਾਸੀਆਂ ਖ਼ਿਲਾਫ਼ ਹੋਣ ਵਾਲ਼ੇ ਅਨਿਆ ਖ਼ਿਲਾਫ਼ ਅਵਾਜ਼ ਵੀ ਬੁਲੰਦ ਕਰਦੀ ਹਨ।

Other stories by Jacinta Kerketta
Editor : Pratishtha Pandya

ਪ੍ਰਤਿਸ਼ਠਾ ਪਾਂਡਿਆ PARI ਵਿੱਚ ਇੱਕ ਸੀਨੀਅਰ ਸੰਪਾਦਕ ਹਨ ਜਿੱਥੇ ਉਹ PARI ਦੇ ਰਚਨਾਤਮਕ ਲੇਖਣ ਭਾਗ ਦੀ ਅਗਵਾਈ ਕਰਦੀ ਹਨ। ਉਹ ਪਾਰੀਭਾਸ਼ਾ ਟੀਮ ਦੀ ਮੈਂਬਰ ਵੀ ਹਨ ਅਤੇ ਗੁਜਰਾਤੀ ਵਿੱਚ ਕਹਾਣੀਆਂ ਦਾ ਅਨੁਵਾਦ ਅਤੇ ਸੰਪਾਦਨ ਵੀ ਕਰਦੀ ਹਨ। ਪ੍ਰਤਿਸ਼ਠਾ ਦੀਆਂ ਕਵਿਤਾਵਾਂ ਗੁਜਰਾਤੀ ਅਤੇ ਅੰਗਰੇਜ਼ੀ ਵਿੱਚ ਪ੍ਰਕਾਸ਼ਿਤ ਹੋ ਚੁੱਕਿਆਂ ਹਨ।

Other stories by Pratishtha Pandya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE