“୨୦୨୦ ମସିହା ଲକଡାଉନ ବେଳେ କିଛି ଲୋକ ଆସି ଆମର ୧.୨୦ ଏକର ଜମି ଉପରେ ପାଚେରୀ ଘେରେଇଲେ”, କହିଲେ ଫଗୁଆ ଓରାଓଁ। ତିରିଶି ବର୍ଷରୁ ଟିକିଏ ଅଧିକ ବୟସର ଜଣେ ଆଦିବାସୀ ଚାଷୀ ଫଗୁଆ ଇଟା ପାଚେରୀ ଘେରା ହେଇଥିବା ଖୋଲା ଜମିକୁ ଦେଖାଇ କହୁଥିଲେ। ଖୁଣ୍ଟି ଜିଲ୍ଲାର ଡୁମାରି ଆମ ଗାଁ ଯେଉଁଠାରେ ଅଧିକାଂଶ ହେଉଛନ୍ତି ଓରାଓଁ ଆଦିବାସୀ ସମ୍ପ୍ରଦାୟ। ସେମାନେ ମାପଚୁପ କଲାବେଳେ କହିଲେ, “ଏ ଜମି ଆଉ ଜଣକର, ତୁମର ନୁହେଁ”। ଆମେ ସେମାନଙ୍କୁ ବିରୋଧ କଲୁ।
“ଏହି ଘଟଣା ଘଟିବାର ପ୍ରାୟ ୧୫ ଦିନ ପରେ ଆମେ ଆମ ଗାଁଠାରୁ ୩୦ କି. ମି. ଦୂର ଖୁଣ୍ଟିଠାରେ ଥିବା ସବ-ଦିଭିଜନାଲ ମାଜିଷ୍ଟ୍ରେଟଙ୍କ ପାଖକୁ ଗଲୁ। ପ୍ରତି ଥର ଯିବା ପାଇଁ ଆମକୁ ୨୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା। ସେଠାରେ ଆମକୁ ଜଣେ ଓକିଲଙ୍କ ସାହାଯ୍ୟ ନେବାକୁ ହେଲା। ସେ ଆମଠୁ ୨,୫୦୦ ଟଙ୍କା ନେଇ ସାରିଲେଣି। କିନ୍ତୁ କିଛି ହେଲା ନାହିଁ।
“ତା’ ପୂର୍ବରୁ ଆମେ ଆମ ବ୍ଲକରେ ଥିବା ଜୋନାଲ ଅଫିସକୁ ଯାଇଥିଲୁ। ଏପରିକି ଅଭିଯୋଗ କରିବା ପାଇଁ ଆମେ ଥାନାକୁ ବି ଯାଇଥିଲୁ। ଜମି ଉପରେ ଦାବି ନକରିବା ପାଇଁ ଆମକୁ ବାରମ୍ବାର ଧମକ ଦିଆ ଯାଉଥିଲା। ଗୋଟିଏ ଦକ୍ଷିଣାପନ୍ଥୀ ସଂସ୍ଥାର ଜଣେ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଆମକୁ ଧମକ ଦେଇଥିଲେ। କିନ୍ତୁ କୋର୍ଟରେ ଏ ବିଷୟରେ କୌଣସି ଶୁଣାଣି ହୋଇନାହିଁ। ଏବେ ଆମ ଜମିରେ ପାଚେରୀ ଘେରା ହେଇଛି। ଔର ହମ ଦୋ ସାଲସେ ଇସି ତରହ ଦୌଡ଼-ଧୁପ କର ରହେ ହୈ [ଆଉ ଆମେ ଗତ ଦି’ ବର୍ଷ ହେଲା ଏମିତି ଦଉଡ଼ା-ଧାପଡ଼ା କରୁଛୁ]”।
“ମୋ ଜେଜେବାପା ଲୁସା ଓରାଓଁ ଏହି ଜମିକୁ ୧୯୩୦ ମସିହାରେ ଜମିଦାର ବାଲଚନ୍ଦ ସାହୁଙ୍କଠାରୁ କିଣିଥିଲେ। ଆମେ ଏହି ଜମିରେ ଚାଷ କରି ଆସୁଛୁ। ୧୯୩୦ରୁ ୨୦୧୫ ପର୍ଯ୍ୟନ୍ତ ଆମେ ଏହି ଜମି ପ୍ଲଟ ପାଇଁ ଖଜଣା ଦାଖଲ କରି ରସିଦ ରଖିଛୁ। ପରବର୍ତ୍ତୀ ସମୟରେ [୨୦୧୬ ରେ] ଅନ-ଲାଇନ୍ ବ୍ୟବସ୍ଥା ଆରମ୍ଭ ହେଲା। ଆଉ ସେହି ଅନ-ଲାଇନ୍ ବ୍ୟବସ୍ଥା ରେକର୍ଡ଼ରେ ଜମିର ସତ୍ତ୍ଵ ପୂର୍ବ-ମାଲିକଙ୍କ ବଂଶଧରଙ୍କ ନାଁରେ ଦେଖାଉଛି। ଏହା କେମିତି ହେଲା ଆମେ କିଛି ଜାଣିନୁ”।
ଫଗୁଆ ଓରାଓଁ କେନ୍ଦ୍ର ସରକାରଙ୍କ ଦ୍ଵାରା ଆହୁତ ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡସ ମଡର୍ଣ୍ଣାଇଜେସନ ପ୍ରୋଗ୍ରାମ (ଡିଆଇଏଲଆରଏମପି) ଯୋଗୁଁ ତାଙ୍କ ଜମି ହରାଇଛନ୍ତି। ଏହାର (ଡିଆଇଏଲଆରଏମପି) ଉଦ୍ଦେଶ୍ୟ ହେଉଛି କି ସାରା ଦେଶରେ ସମସ୍ତ ଜମିଜମାର ରେକର୍ଡ ଡିଜିଟାଇଜେସନ କରି ଏକ କେନ୍ଦ୍ରୀୟ ଡାଟା ପରିଚାଳନା ବ୍ୟବସ୍ଥା ସୃଷ୍ଟି କରିବା। ସେହି ସମସ୍ତ ରେକର୍ଡର ଆଧୁନିକ ପରିଚାଳନା କରିବା ହେଉଛି ଏହି ଯୋଜନାର ଲକ୍ଷ୍ୟ, ଓ ତଦନୁଯାୟୀ ରାଜ୍ୟ ସରକାର ଜିଲ୍ଲାୱାରୀ ଜମିଜମା ସୂଚନା ଆଧାରରେ ୨୦୧୬ ଜାନୁୟାରୀରେ ଗୋଟିଏ ଲ୍ୟାଣ୍ଡବ୍ୟାଙ୍କ ପୋର୍ଟାଲ ଆରମ୍ଭ କଲେ। ଏହାର ଉଦ୍ଦେଶ୍ୟ ହେଲା “ଜମି/ସମ୍ପତ୍ତି ବିବାଦର ପରିମାଣ କମାଇବା ଓ ଜମିଜମା ରେକର୍ଡ ପରିଚାଳନାକୁ ସ୍ଵଚ୍ଛ ରଖିବା”।
ଫଗୁଆ ଓ ତାଙ୍କ ପରି ଆହୁରି ଅନେକଙ୍କ ପାଇଁ ଏହା ଏକଦମ ବିପରୀତ ଭାବେ କାମ କରିଛି।
“ଅନଲାଇନ୍ରେ ଜମିର ପ୍ରକୃତ ସ୍ଥିତି ଜାଣିବା ପାଇଁ ଆମେ ପ୍ରଜ୍ଞା କେନ୍ଦ୍ରକୁ ଗଲୁ”। ଏହି କେନ୍ଦ୍ର ଝାଡ଼ଖଣ୍ଡରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଆହୁତ ଡିଜିଟାଲ ଭାରତ ଅନ୍ତର୍ଗତ ଗ୍ରାମ ପଞ୍ଚାୟତସ୍ତରରେ କିଛି ଫି ନେଇ ସାଧାରଣ ସେବା ଯୋଗାଇ ଦେବା ପାଇଁ ସୃଷ୍ଟି ହୋଇଥିବା ୱାନ-ଷ୍ଟପ ସେବା କେନ୍ଦ୍ର। “ଅନଲାଇନରେ ଥିବା ରେକର୍ଡ ଅନୁଯାୟୀ ଜମିର ବର୍ତ୍ତମାନର ମାଲିକ ହେଉଛନ୍ତି ନଗେନ୍ଦ୍ର ସିଂ। ତାଙ୍କ ପୂର୍ବରୁ ମାଲିକ ଥିଲେ ସଞ୍ଜୟ ସିଂ। ସେ ବିନ୍ଦୁ ସିଂଙ୍କୁ ଏହି ଜମି ବିକ୍ରି କରିଥିଲେ, ଓ ବିନ୍ଦୁ ସିଂ ଏହାକୁ ବିକ୍ରି କରିଥିଲେ ନଗେନ୍ଦ୍ର ସିଂଙ୍କୁ”।
“ଯାହା ଲାଗୁଛି, ଜମିଦାରଙ୍କ ବଂଶଧରମାନେ ଏହି ସମାନ ଜମିକୁ ଆମ ଅଜ୍ଞାତରେ ଦୁଇ ତିନି ଥର କିଣାବିକା କରିଛନ୍ତି। କିନ୍ତୁ ୧୯୩୦ ରୁ ୨୦୧୫ ପର୍ଯ୍ୟନ୍ତ ଖଜଣା ପାଉତି ଆମ ପାଖରେ ଥିବା ବେଳେ ଏହା କେମିତି ସମ୍ଭବ ହେଲା? ଆମେ ବର୍ତ୍ତମାନ ସୁଦ୍ଧା ୨୦,୦୦୦ ଟଙ୍କାରୁ ଅଧିକ ଖର୍ଚ୍ଚ କରି ସାରିଲୁଣି ଓ ଏଣେତେଣେ ଦଉଡ଼ା ଦଉଡ଼ି କରିବାରେ ଲାଗିଛୁ। ଏଥି ପାଇଁ ଆମେ ଘରର ଖାଇବା ଶସ୍ୟ ବିକିଦେଲୁ। ବର୍ତ୍ତମାନ ଯେତେବେଳେ ଏହି ଜମି ଉପରେ ପାଚେରୀ ଦେଖୁଛି, ମତେ ଲାଗୁଛି ସତେ ଯେମିତି ଆମେ ଆମ ନିଜର ସବୁକିଛି ହରାଇ ବସିଛୁ। ଆମେ ଜାଣିନୁ ଆମର ଏହି ସଂଘର୍ଷ ବେଳେ କିଏ ଆମକୁ ସାହାଯ୍ୟ କରି ପାରିବ?”







