“ଜୁନ୍ ମାସରେ ଏସଡିଏମ୍ (ଉପଖଣ୍ଡୀୟ ମାଜିଷ୍ଟ୍ରେଟ) ଆସିଲେ ଏବଂ କହିଲେ, ‘ଏଇଟା ହେଉଛି ଏ ଜାଗା ଛାଡ଼ି ଚାଲିଯିବା ପାଇଁ ନୋଟିସ୍’।”
ତାଙ୍କ ଗାଁ ଗହଦାରାର ପ୍ରବେଶ ପଥରେ ଥିବା ଏକ ବଡ଼ ବରଗଛ ଆଡ଼କୁ ଆଙ୍ଗୁଠି ଦେଖାନ୍ତି ବାବୁଲାଲ ଆଦିବାସୀ। ଏହି ସ୍ଥାନରେ ତାଙ୍କ ସମାଜର ବୈଠକ ବସିଥାଏ – ଏବଂ ଏବେ, ଠିକ୍ ଏହି ସ୍ଥାନରେ ହିଁ ଗୋଟିଏ ଦିନରେ ବଦଳି ଯାଇଥିଲା ତାଙ୍କ ଲୋକମାନଙ୍କର ଭବିଷ୍ୟତ।
ଗୋଟିଏ ବନ୍ଧ ଓ ଗୋଟିଏ ନଦୀ ସଂଯୋଗୀକରଣ ପ୍ରକଳ୍ପ ନିମନ୍ତେ ସେମାନଙ୍କ ଘର ଓ ଜମି ଛାଡ଼ି ଦେବା ଲାଗି ମଧ୍ୟ ପ୍ରଦେଶର ପାନ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ପିଟିଆର) ଓ ଏହାକୁ ଘେରି ରହିଥିବା ଅଞ୍ଚଳର ୨୨ଟି ଗାଁର ହଜାର ହଜାର ଲୋକଙ୍କୁ କୁହାଯାଇଛି। ବହୁ ଦିନ ତଳେ, ୨୦୧୭ରେ ଏଥିପାଇଁ ପରିବେଶ ସଂକ୍ରାନ୍ତ ଚୂଡ଼ାନ୍ତ ମଞ୍ଜୁରି ଆସିଥିଲା, ଏବଂ ଏବେ ଜାତୀୟ ଉଦ୍ୟାନରେ ଗଛକଟା ଆରମ୍ଭ ହୋଇଛି। ହେଲେ ଆସନ୍ନ ଉଚ୍ଛେଦ ଆଶଙ୍କା ଏବେ ଘନେଇବାରେ ଲାଗିଛି।
ଦୁଇ ଦଶନ୍ଧିରୁ ଅଧିକ କାଳ ଧରି ପ୍ରସ୍ତାବ ପର୍ଯ୍ୟାୟରେ ରହିଆସିଥିବା ଏହି ପ୍ରକଳ୍ପ ହେଉଛି କେନ ଓ ବେତୱା ନଦୀକୁ ସଂଯୋଗ କରିବା ଲାଗି ୨୧୮ କିଲୋମିଟର ଲମ୍ବା ଏକ କେନାଲ ନିର୍ମାଣ ସକାଶେ ୪୪,୬୦୫ କୋଟି ଚଙ୍କାର ଏକ ଯୋଜନା (ପ୍ରଥମ ପର୍ଯ୍ୟାୟ)।
ଏହି ପ୍ରକଳ୍ପ ବ୍ୟାପକ ସମାଲୋଚିତ ହୋଇଛି। ଜଳସଂପଦ କ୍ଷେତ୍ରରେ ୩୫ ବର୍ଷ ଧରି ଜଡ଼ିତ ବିଜ୍ଞାନୀ ହିମାଂଶୁ ଠକ୍କର କହନ୍ତି, “ଏହି ପ୍ରକଳ୍ପର କୌଣସି ଯଥାର୍ଥତା ନାହିଁ, ଏମିତି କି ଜଳବିଜ୍ଞାନ ଦୃଷ୍ଟିକୋଣରୁ ବି ଯଥାର୍ଥତା ନାହିଁ।” ସେ ଆହୁରି କହନ୍ତି, “ପ୍ରଥମ କଥା ହେଲା କେନ ନଦୀରେ ବଳକା ପାଣି ନାହିଁ। ଏ ସଂପର୍କରେ କୌଣସି ବିଶ୍ୱସନୀୟ ଆକଳନ କିମ୍ବା ବସ୍ତୁନିଷ୍ଠ ଅଧ୍ୟୟନ କରାଯାଇନାହିଁ, କେବଳ ପୂର୍ବରୁ ସ୍ଥିରୀକୃତ ସିଦ୍ଧାନ୍ତ ଯାହା ରହିଛି।”
ଠକ୍କର ହେଉଛନ୍ତି ବନ୍ଧ, ନଦୀ ଓ ଲୋକଙ୍କ ବିଷୟରେ ଗଠିତ ସଂଗଠନ ‘ସାଉଥ୍ ଏସିଆ ନେଟୱର୍କ ଅନ୍ ଡ୍ୟାମସ, ରିଭରସ ଆଣ୍ଡ ପିପୁଲ (SANDRP)’ର ସଂଯୋଜକ। ନଦୀ ସଂଯୋଗୀକରଣ ନିମନ୍ତେ ଜଳସଂପଦ ମନ୍ତ୍ରାଳୟ (ବର୍ତ୍ତମାନ ଜଳ ଶକ୍ତି) ଦ୍ୱାରା ପାଖାପାଖି ୨୦୦୪ ମସିହାରେ ଗଠିତ ବିଶେଷଜ୍ଞ କମିଟିରେ ସେ ଜଣେ ସଦସ୍ୟ ଥିଲେ। ସେ କହନ୍ତି ଯେ, ଏହି ପ୍ରକଳ୍ପର ମୂଳ ଆଧାର ହିଁ ବିସ୍ମୟକର: “ନଦୀ ସଂଯୋଗୀକରଣର ପରିବେଶଗତ ଓ ପରିଣାମଗତ ସାମାଜିକ ପ୍ରଭାବ ଜଙ୍ଗଲ, ନଦୀ, ଜୈବ ବିବିଧତା ଉପରେ ଖୁବ୍ ଅଧିକ ପଡ଼ିବ ଏବଂ ଏଠାକାର ଏବଂ ବୁନ୍ଦେଲଖଣ୍ଡ ଭଳି ଦୂରବର୍ତ୍ତୀ ସ୍ଥାନର ଲୋକେ ଦାରିଦ୍ର୍ୟ ମୁହଁକୁ ଠେଲି ହୋଇଯିବେ।”





























