ବତ୍ସଲା ହିଁ ମନିରାମଙ୍କ ଜୀବନ ବଞ୍ଚାଇଥିଲା।

‘‘ଆମେ ପାଣ୍ଡବ୍‌ ଝରଣାକୁ ଯାଇଥିଲୁ,’’ ମନିରାମ କଥା ଆରମ୍ଭ କରନ୍ତି, ‘‘ଆଉ ବତ୍ସଲା ଚରିବା ପାଇଁ ଚାଲି ଯାଇଥିଲା। ମୁଁ ତା’କୁ ଆଣିବାକୁ ଯାଉଥିବା ସମୟରେ ଗୋଟିଏ ବାଘ ଚାଲିଆସିଥିଲା।’’

ମନିରାମ ଯେତେବେଳେ ସାହାଯ୍ୟ ପାଇଁ ବଡ଼ ପାଟିରେ ଡାକିଲେ, ‘‘ସେ ଦୌଡ଼ି ଦୌଡ଼ି ଆସିଲା ଏବଂ ନିଜର ଆଗ ଗୋଡ଼ ଉପରକୁ ଉଠାଇଲା ଯାହାଫଳରେ ମୁଁ ତା’ର ପିଠି ଉପରେ ଚଢ଼ି ବସିପାରିବି। ମୁଁ ଯେତେବେଳେ ବସିପଡ଼ିଲି, ସେ ନିଜ ପାଦକୁ ତଳେ କଚି କଚି ଗଛଗୁଡ଼ିକୁ ଭାଙ୍ଗି ପକାଇଲା। ଟାଇଗର୍‌ ଭାଗ୍‌ ଗୟା (ବାଘ ଦୌଡ଼ି ପଳାଇଲା),’’ ଆଶ୍ୱସ୍ତି ଭରା ସ୍ୱରରେ ଏହି ମହାୱତ୍‌ (ମାହୁନ୍ତ) ଜଣଙ୍କ କହିଥାନ୍ତି।

ପନ୍ନା ଟାଇଗର ରିଜର୍ଭର ଏହି ବୟୋବୃଦ୍ଧା ମାଈ ହାତୀ ବତ୍ସଲାକୁ ୧୦୦ରୁ ଅଧିକ ବୟସ ହେବ। ଏହା ବିଶ୍ୱର ସବୁଠୁ ବୟସ୍କ ମାଈ ହାତୀ। ‘‘କେହି କେହି ତା’ର ବୟସ ୧୧୦ ଏବଂ ଆଉ କେହି ୧୧୫ ବୋଲି କୁହନ୍ତି। ମୁଁ ଭାବୁଛି ଏହା ସତ,’’ ମନିରାମ କୁହନ୍ତି। ଏହି ଗୋଣ୍ଡ ଆଦିବାସୀ ଜଣଙ୍କ ୧୯୯୬ ଠାରୁ ବତ୍ସଲାର ଦେଖାଶୁଣା କରି ଆସୁଛନ୍ତି।

ବତ୍ସଲା ଗୋଟିଏ ଏସୀୟ ମାଈ ହାତୀ (ଏଲିଫାସ୍‌ ମାକ୍ସିମସ୍‌) ଏବଂ ସେ କେରଳ ଓ ମଧ୍ୟପ୍ରଦେଶରେ ଅନେକ ଦିନ ଧରି ବସବାସ କରି ଆସୁଛି। ମନିରାମ କୁହନ୍ତି, ସେ ବହୁତ ସରଳ କିନ୍ତୁ ଯୁବାବସ୍ଥାରେ ଏହି ହାତୀ ବହୁତ ଉଗ୍ର ଥିଲା। ବର୍ତ୍ତମାନ ଦୃଷ୍ଟି ଓ ଶ୍ରବଣ ଶକ୍ତି କମିଯାଇଥିଲେ ସୁଦ୍ଧା ବିପଦ ଆସିବା କ୍ଷଣି ସେ ହାତୀ ପଲକୁ ସତର୍କ କରାଇ ଦେଇଥାଏ।

ମନିରାମ କୁହନ୍ତି ଯେ ତା’ର ଆଘ୍ରାଣ ଶକ୍ତି ଏବେ ମଧ୍ୟ ବହୁତ ପ୍ରଖର ଏବଂ ସେ ଅନ୍ୟ ବିପଜ୍ଜନକ ପ୍ରାଣୀଙ୍କ ଉପସ୍ଥିତି ବିଷୟରେ ଜାଣିପାରେ। ଏପରି ହେଲେ ସେ ତୁରନ୍ତ ଶବ୍ଦ କରି ହାତୀପଲକୁ ସତର୍କ କରାଇ ଦିଏ ଏବଂ ଛୁଆମାନଙ୍କୁ ମଝିରେ ରଖି ସବୁ ହାତୀ ଗୋଟିଏ ଜାଗାରେ ଏକାଠି ହୋଇଯାଆନ୍ତି। ‘‘ବାହାର ପ୍ରାଣୀ ଆକ୍ରମଣ କଲେ ସେମାନେ ତା’କୁ ପଥର, ବାଡ଼ି ଓ ଏବଂ ନିଜ ଶୁଣ୍ଢରେ ଉଠାଇଥିବା ଡାଳ ସହାୟତାରେ ଘଉଡ଼େଇ ଦିଅନ୍ତି,’’ ମନିରାମ ଆଗକୁ ଆହୁରି କୁହନ୍ତି, ‘‘ପେହଲେ ବହୁତ୍‌ ତେଜ୍‌ ଥୀ (ପୂର୍ବରୁ ସେ ବହୁତ କ୍ଷୀପ୍ର ଥିଲା)।’’

PHOTO • Priti David
PHOTO • Priti David

ବାମ: ମଧ୍ୟପ୍ରଦେଶର ପନ୍ନା ବ୍ୟାଘ୍ର ଅଭୟାରଣ୍ୟରେ ବତ୍ସଲା ଏବଂ ତା’ର ମାହୁନ୍ତ ମନିରାମ। ଡାହାଣ: ବତ୍ସଲା ବିଶ୍ୱର ସବୁଠୁ ବୟସ୍କ ହାତୀ, ତା’କୁ ୧୦୦ରୁ ଅଧିକ ବୟସ

PHOTO • Sarbajaya Bhattacharya
PHOTO • Sarbajaya Bhattacharya

ବତ୍ସଲା ଗୋଟିଏ ଏସୀୟ ହାତୀ (ଏଲିଫାସ ମାକ୍ସିମସ୍‌) ଥିଲା। ସେ କେରଳରେ ଜନ୍ମ ନେବା ପରେ ୧୯୯୩ରେ ତା’କୁ ହୋଶଙ୍ଗାବାଦ (ନର୍ମଦାପୁରମ୍‌ ପୁନଃନାମକରଣ ହୋଇଛି)କୁ ଅଣାଯାଇଥିଲା

ସେହିପରି ତା’ର ଦାୟିତ୍ୱରେ ଥିବା ମନିରାମ ମଧ୍ୟ ବାଘ ସମେତ ଅନ୍ୟ ହିଂସ୍ର ପ୍ରାଣୀଙ୍କୁ ଡରନ୍ତି ନାହିଁ। ୨୦୨୨ର ରିପୋର୍ଟ ମୁତାବକ ପନ୍ନା ବ୍ୟାଘ୍ର ଅଭୟାରଣ୍ୟରେ ପ୍ରାୟ ୫୭ରୁ ୬୦ଟି ବାଘ ଅଛନ୍ତି। ‘‘ହାଥୀ କେ ସାଥ୍‌ ରେହତେ ଥେ, ତୋ ଟାଇଗର୍‌ କା ଡର୍‌ ନହିଁ ରେହତା ଥା (ମୁଁ ହାତୀ ସହିତ ରହୁଥିବାରୁ ବାଘକୁ ଡରୁନଥିଲି),’’ ସେ କୁହନ୍ତି।

ପନ୍ନା ବ୍ୟାଘ୍ର ଅଭୟାରଣ୍ୟର ହିନୌତା ଗେଟ୍‌ ପାଖରେ ଥିବା ହାତୀ ଖୁଆଡ଼ ନିକଟରେ ପରୀ ତାଙ୍କ ସହିତ କଥା ହୋଇଛି। ପ୍ରାୟ ୧୦ଟି ହାତୀଙ୍କ ମଧ୍ୟରେ ଗୋଟିଏ ଛୁଆ ହାତୀ ଅଛି ଏବଂ ସେମାନେ ଦିନର ପ୍ରଥମ ଖାଦ୍ୟ ଖାଇବା ପାଇଁ ଅପେକ୍ଷା କରି ରହିଛନ୍ତି। ଗୋଟିଏ ଗଛ ତଳେ ବତ୍ସଲା ଛିଡ଼ା ହୋଇଥିଲା ଏବଂ ମନିରାମ ଆମକୁ ସେଠାକୁ ଡାକିନେଲେ। ହାତୀର ଗୋଡ଼କୁ ଅସ୍ଥାୟୀ ରୂପେ ମାଟିରେ ପୋତା ହୋଇଥିବା କାଠରେ ବାନ୍ଧି ଦିଆଯାଇଥିଲା। ତା’ ପାଖରେ ହିଁ କୃଷ୍ଣକଲି ନିଜ ଦୁଇ ମାସର ଛୁଆ ସହିତ ଛିଡ଼ା ହୋଇଥିଲା।

ବତ୍ସଲାର ନିଜସ୍ୱ କେହି ଛୁଆ ନାହାନ୍ତି। ‘‘କିନ୍ତୁ ସେ ସବୁବେଳେ ଅନ୍ୟ ହାତୀଙ୍କ ଛୁଆମାନଙ୍କର ଯତ୍ନ ନେଉଥାଏ। ଅନ୍ୟମାନଙ୍କ ପିଲାମାନଙ୍କୁ ସେ ବହୁତ ଭଲ ପାଏ। ଦୁସ୍‌ରୀ କୀ ବଚ୍ଚିୟାଁ ବହତ୍‌ ଚାହତୀ ହୈ (ସେ ପ୍ରକୃତରେ ହାତୀ ଛୁଆଙ୍କୁ ଭଲ ପାଏ),’’ ମନୀରାମ ଉଦାସ ଭରା ସ୍ମିତ ହାସ୍ୟ ସହିତ କହିଥାନ୍ତି, ‘‘ସେ ଛୁଆଙ୍କ ସହିତ ଖେଳିଥାଏ।’’

*****

ମଧ୍ୟପ୍ରଦେଶର ଉତ୍ତରପୂର୍ବାଞ୍ଚଳରେ ଥିବା ଗୋଟିଏ ଜିଲ୍ଲା ପନ୍ନାର ୫୦ ପ୍ରତିଶତ ଅଞ୍ଚଳ ଜଙ୍ଗଲରେ ପରିପୂର୍ଣ୍ଣ। ଉଭୟ ବତ୍ସଲା ଓ ମନିରାମ ଏଠାରେ ପ୍ରବାସୀ। ବତ୍ସଲା କେରଳରେ ଜନ୍ମ ନେବା ପରେ ୧୯୯୩ରେ ତା’କୁ ହୋଶଙ୍ଗାବାଦ (ନର୍ମଦାପୁରମ୍ ପୁନଃନାମକରଣ ହୋଇଛି) କୁ ଅଣାଯାଇଥିଲା। ମନିରାମ ସେଠାରେ ଜନ୍ମ ନେଇଥିଲା ଏବଂ ସେହି ସ୍ଥାନରେ ହିଁ ଉଭୟଙ୍କର ଭେଟ ହୋଇଥିଲା।

୫୦ରୁ ଅଧିକ ବୟସ୍କ ମନିରାମ କୁହନ୍ତି, ‘‘ସବୁବେଳେ ହାତୀଙ୍କୁ ଭଲ ପାଇଛି।’’ ତାଙ୍କ ପରିବାରରେ କେହି କେବେ ପ୍ରାଣୀଙ୍କ ଦେଖାଶୁଣା କାମ କରିନଥିଲେ। ତାଙ୍କ ବାପା ସେମାନଙ୍କର ପାଞ୍ଚ ଏକର ଜମିରେ ଚାଷ କରୁଥିଲେ ଏବଂ ମନିରାମଙ୍କ ପୁଅମାନେ ମଧ୍ୟ ସେହି କାମ କରୁଛନ୍ତି। ‘‘ଆମେ ଗେହୁଁ (ଗହମ), ଚନା (ଚଣା) ଏବଂ ତିଲି (ରାଶି) ଚାଷ କରୁ,’’ ସେ କୁହନ୍ତି।

ବତ୍ସଲାକୁ ତା’ର ଦିନ ବିତାଉଥିବାର ଦେଖନ୍ତୁ

ବତ୍ସଲାକୁ ୧୦୦ରୁ ଅଧିକ ବୟସ ହେବ - ସେ ବିଶ୍ୱର ସବୁଠୁ ବୟସ୍କ ହାତୀ ବୋଲି ତା’ର ମାଲିକ ତଥା ଜଣେ ଗୋଣ୍ଡ ଆଦିବାସ ମାହୁନ୍ତ ମନିରାମ କୁହନ୍ତି

ହୋଶଙ୍ଗାବାଦରେ ବତ୍ସଲା ପହଞ୍ଚିବା ପରେ ମନିରାମ ଆଉ ଜଣେ ମହାୱତଙ୍କୁ ସହଯୋଗ କରିବା କାମରେ ନିୟୋଜିତ ଥିଲେ। ସେ ମନେ ପକାଇଥାନ୍ତି, ‘‘ପ୍ରଥମେ ତା’କୁ ଟ୍ରକରେ କାଠ ଲଦିବା କାମ ଦିଆଗଲା।’’ କିଛି ବର୍ଷ ପରେ ବତ୍ସଲା ପନ୍ନାକୁ ଚାଲି ଆସିଥିଲା। ‘‘ଏହାର କିଛି ବର୍ଷ ପରେ, ପନ୍ନାରେ ଥିବା ମହାୱତ ବଦଳି ହୋଇ ଏଠାରୁ ଚାଲିଗଲେ, ତା’ପରେ ସେମାନେ ମୋତେ ଡାକିଲେ,’’ ମନିରାମ କୁହନ୍ତି। ସେବେଠାରୁ ସେ ପନ୍ନା ବ୍ୟାଘ୍ର ଅଭୟାରଣ୍ୟରେ ଥିବା ନିଜର ଦୁଇ ବଖୁରିଆ ଘରେ ସେ ରହି ଆସୁଛନ୍ତି ଏବଂ ବୟସାଧିକ୍ୟ ହୋଇଯାଇଥିବା ଏହି ହାତୀର ଯତ୍ନ ନେଉଛନ୍ତି।

ତେବେ ନିଜ ବନ୍ଧୁଙ୍କ ବିପରୀତ, ମନିରାମ ଜଙ୍ଗଲ ବିଭାଗର ସ୍ଥାୟୀ କର୍ମଚାରୀ ନୁହନ୍ତି। ‘‘ଜବ୍‌ ଶାସନ ରିଟାୟର୍‌ କରା ଦେଙ୍ଗେ, ତବ୍‌ ଚଲେ ଜାୟେଙ୍ଗେ (ଯେତେବେଳେ ସରକାର ମୋତେ ଅବସର ଦେଇ ଦେବେ ମୁଁ ଚାଲିଯିବି),’’ ସେ କୁହନ୍ତି। ୨୧,୦୦୦ ଟଙ୍କାର ପାରିଶ୍ରମିକରେ ତାଙ୍କର ଚୁକ୍ତିଭିତ୍ତିକ ନିଯୁକ୍ତିର ପ୍ରତିବର୍ଷ ନବୀକରଣ ହୋଇଥାଏ ଏବଂ ସେ ଆଉ କେତେବର୍ଷ କାମ କରିପାରିବେ ସେ ନେଇ ନିଶ୍ଚିନ୍ତ ନୁହନ୍ତି।

‘‘ଭୋର ୫ଟାରୁ ମୋର କାମ ଆରମ୍ଭ ହୋଇଥାଏ,’’ ମନିରାମ କୁହନ୍ତି। ‘‘ମୁଁ ଦଲିଆ (ଗହମ ଖୁଦ) ରାନ୍ଧି ବତ୍ସଲାକୁ ଦିଏ ଏବଂ ତା’କୁ ଜଙ୍ଗଲକୁ ପଠାଏ।’’ ବତ୍ସଲା ସେଠାରେ ଅନ୍ୟ ହାତୀମାନଙ୍କ ସହିତ ଚରୁଥିବା ବେଳେ ମନିରାମ ତା’ର ଖୁଆଡ଼ ସଫା କରନ୍ତି ଏବଂ ରାତ୍ରି ଭୋଜନ ଆକାରରେ ଆଉ ୧୦ କିଲୋଗ୍ରାମ ଦଲିଆ ପ୍ରସ୍ତୁତ କରନ୍ତି। ସେଠାରେ ଆହୁରି ୨୦ଟି ହାତୀ ଅଛନ୍ତି ବୋଲି ମନିରାମ କୁହନ୍ତି। ତା’ପରେ ସେ ନିଜ ପାଇଁ ରୁଟି ଓ ଭାତ ରାନ୍ଧନ୍ତି। ହାତୀ ଅପରାହ୍ଣ ୪ଟା ବେଳେ ଫେରେ ଏବଂ ତା’ପରେ ବତ୍ସଲାର ଗାଧୋଇବା ସମୟ ଆସିଯାଏ। ଶେଷରେ ରାତ୍ରି ଭୋଜନ କରି ବତ୍ସଲାର ଗୋଟିଏ ଦିନ ଶେଷ ହୁଏ।

‘‘ପୂର୍ବରୁ ସେ ଧାନ ଖାଇବାକୁ ଭଲ ପାଉଥିଲା। ଯେତେବେଳେ ସେ କେରଳରେ ଥିଲା ସେ ତାହା ହିଁ ଖାଉଥିଲା,’’ ମନିରାମ କୁହନ୍ତି। କିନ୍ତୁ ୧୫ ବର୍ଷ ପୂର୍ବରୁ ଏଥିରେ ପରିବର୍ତ୍ତନ ଆସିଥିଲା। ସେତେବେଳେ ୯୦ରୁ ୧୦୦ ବର୍ଷ ବୟସ୍କା ବତ୍ସଲାକୁ ରାମ ବାହାଦୂର ନାମକ ଗୋଟିଏ ଅଣ୍ଡିରା ହାତୀ ଆକ୍ରମଣ କଲା। ତା’ର ପଛ ଓ ପାକସ୍ଥଳୀରେ ଆଘାତ ଲାଗିଥିଲା। ଜଣେ ଡାକ୍ତରଙ୍କୁ ଡକାଗଲା। ‘‘ଡକ୍ଟର ସାବ୍‌ ଏବଂ ମୁଁ, ତା’ର ଯତ୍ନ ନେଲୁ,’’ ମନିରାମ କୁହନ୍ତି। କିନ୍ତୁ ସେହି ଆକ୍ରମଣ ପରେ ସେ ବହୁତ ଦୁର୍ବଳ ହୋଇପଡ଼ିଲା ଏବଂ ସେ ହରାଇଥିବା ଶକ୍ତିକୁ ଫେରି ପାଇବା ଲାଗି ତା’ର ଖାଦ୍ୟରେ ପରିବର୍ତ୍ତନ ଆବଶ୍ୟକ ହେଲା।

PHOTO • Priti David
PHOTO • Sarbajaya Bhattacharya

ବାମ: ଜଙ୍ଗଲ ବିଭାଗର ତତ୍ତ୍ୱାବଧାରକ ଆଶୀଷ ହାତୀମାନଙ୍କ ପାଇଁ ଦଲିଆ ପ୍ରସ୍ତୁତ କରୁଛନ୍ତି। ବାମ: ମନିରାମ ଜଳଖିଆ ଖୁଆଇବା ଲାଗି ବତ୍ସଲାକୁ ନେଇ ଯାଉଛନ୍ତି

PHOTO • Priti David
PHOTO • Sarbajaya Bhattacharya

ପନ୍ଦର ବର୍ଷ ପୂର୍ବରୁ ପ୍ରାୟ ୯୦ରୁ ୧୦୦ ବର୍ଷ ବୟସ୍କା ବତ୍ସଲାକୁ ଗୋଟିଏ ଅଣ୍ଡିରା ହାତୀ ଆକ୍ରମଣ କଲା ତା’ର ପଛ ଓ ପାକସ୍ଥଳୀରେ ଆଘାତ ଲାଗିଥିଲା। ‘ସେହି ଆକ୍ରମଣ ପରେ ସେ ବହୁତ ଦୁର୍ବଳ ହୋଇପଡ଼ିଲା ଏବଂ ସେ ହରାଇଥିବା ଶକ୍ତିକୁ ଫେରି ପାଇବା ଲାଗି ତା’ର ଖାଦ୍ୟରେ ପରିବର୍ତ୍ତନ ଆବଶ୍ୟକ ହେଲା’, ମାହୁନ୍ତ କହିଥା’ନ୍ତି

ଘଟଣାକ୍ରମେ ସେ କାର୍ଯ୍ୟରୁ ଅବସର ନେଲା - ତା’ର ଦାୟିତ୍ୱ ବଦଳିଗଲା ଏବଂ ସେ ଟ୍ରକରେ କାଠ ଲଦିବା କାମ ପରିବର୍ତ୍ତେ ଜଙ୍ଗଲରେ ବାଘଙ୍କୁ ଚିହ୍ନଟ କରିବା ଓ ସେମାନଙ୍କର ଗତିବିଧି ନିରୀକ୍ଷଣ କରିବା ସହିତ ଜଙ୍ଗଲରେ ପଇଁତରା କାମରେ ସାହାଯ୍ୟ କଲା।

ବନ୍ଧୁମାନେ ଅଲଗା ହୋଇଗଲେ ପରସ୍ପର କଥା ମନେ ପକାଇଥା’ନ୍ତି। ମନିରାମ କୁହନ୍ତି, ‘‘ମୁଁ ଘରେ ଥିବା ବେଳେ ତା’ କଥା ବହୁତ ମନେ ପଡ଼େ। ସେ କ’ଣ କରୁଥିବ, ଠିକ ଭାବେ ଖାଇଥିବ କି ନାହିଁ… ସେ କଥା ସବୁ ମୁଁ ଭାବୁଥାଏ’’ ହାତୀ ଠାରେ ମଧ୍ୟ ଠିକ୍‌ ଏହିପରି ଭାବନା ଦେଖିବାକୁ ମିଳେ - ତା’ର ମାହୁନ୍ତ ଗୋଟିଏ ସପ୍ତାହରୁ ଅଧିକ ସମୟ ଛୁଟିରେ ଗଲେ, ସେ ପେଟ ପୂରା ଖାଦ୍ୟ ଖାଇପାରେ ନାହିଁ।

‘‘ଉସକୋ ପତା ଚଲତି ହୈ କି ଅବ୍‌ ମହାୱତ ସାବ୍‌ ଆ ଗୟେ (ଏବେ ମାହୁନ୍ତ ଫେରି ଆସିଛନ୍ତି ବୋଲି ସେ ଜାଣିପାରିଥାଏ),’’ ମନିରାମ କୁହନ୍ତି। ଏପରିକି ସେ ଚାରି ଶହରୁ ପାଞ୍ଚ ଶହ ମିଟର ଦୂର ଗେଟ୍‌ ପାଖରେ ଛିଡ଼ା ହୋଇଥିଲେ ବି ହାତୀ ଚିତ୍କାର କରି ତାଙ୍କ ଆଗମନ ବିଷୟରେ ଜାଣିପାରିଥାଏ।

ବିଗତ କିଛି ବର୍ଷ ଧରି ସେମାନଙ୍କ ସମ୍ପର୍କ ଆହୁରି ଅଧିକ ମଜବୁତ ହୋଇଯାଇଛି। ‘‘ମେରୀ ଦାଦି ଜୈସି ଲଗତି ହୈ (ସେ ମୋ ଜେଜେ ମା’ ଭଳି),’’ ମନିରାମ କୁହନ୍ତି, ତାଙ୍କ ମୁଖମଣ୍ଡଳରେ ଖୋଲା ହସ ଦେଖିବାକୁ ମିଳେ।

ଏହି କାହାଣୀ ପ୍ରସ୍ତୁତ କରିବାରେ ସହଯୋଗ ପାଇଁ ଦେବାଶ୍ରୀ ସୋମାନୀଙ୍କୁ ଏହି ରିପୋର୍ଟର ଧନ୍ୟବାଦ ଜ୍ଞାପନ କରୁଛନ୍ତି।

ଅନୁବାଦ : ଓଡ଼ିଶାଲାଇଭ୍‍

Sarbajaya Bhattacharya

ਸਰਬਜਯਾ ਭੱਟਾਚਾਰਿਆ, ਪਾਰੀ ਦੀ ਸੀਨੀਅਰ ਸਹਾਇਕ ਸੰਪਾਦਕ ਹਨ। ਉਹ ਬੰਗਾਲੀ ਭਾਸ਼ਾ ਦੀ ਮਾਹਰ ਅਨੁਵਾਦਕ ਵੀ ਹਨ। ਕੋਲਕਾਤਾ ਵਿਖੇ ਰਹਿੰਦਿਆਂ ਉਹਨਾਂ ਨੂੰ ਸ਼ਹਿਰ ਦੇ ਇਤਿਹਾਸ ਤੇ ਘੁਮੱਕੜ ਸਾਹਿਤ ਬਾਰੇ ਜਾਣਨ 'ਚ ਰੁਚੀ ਹੈ।

Other stories by Sarbajaya Bhattacharya
Editor : Priti David

ਪ੍ਰੀਤੀ ਡੇਵਿਡ ਪੀਪਲਜ਼ ਆਰਕਾਈਵ ਆਫ਼ ਇੰਡੀਆ ਦੇ ਇਕ ਪੱਤਰਕਾਰ ਅਤੇ ਪਾਰੀ ਵਿਖੇ ਐਜੁਕੇਸ਼ਨ ਦੇ ਸੰਪਾਦਕ ਹਨ। ਉਹ ਪੇਂਡੂ ਮੁੱਦਿਆਂ ਨੂੰ ਕਲਾਸਰੂਮ ਅਤੇ ਪਾਠਕ੍ਰਮ ਵਿੱਚ ਲਿਆਉਣ ਲਈ ਸਿੱਖਿਅਕਾਂ ਨਾਲ ਅਤੇ ਸਮਕਾਲੀ ਮੁੱਦਿਆਂ ਨੂੰ ਦਸਤਾਵੇਜਾ ਦੇ ਰੂਪ ’ਚ ਦਰਸਾਉਣ ਲਈ ਨੌਜਵਾਨਾਂ ਨਾਲ ਕੰਮ ਕਰਦੀ ਹਨ ।

Other stories by Priti David
Photographs : Sarbajaya Bhattacharya

ਸਰਬਜਯਾ ਭੱਟਾਚਾਰਿਆ, ਪਾਰੀ ਦੀ ਸੀਨੀਅਰ ਸਹਾਇਕ ਸੰਪਾਦਕ ਹਨ। ਉਹ ਬੰਗਾਲੀ ਭਾਸ਼ਾ ਦੀ ਮਾਹਰ ਅਨੁਵਾਦਕ ਵੀ ਹਨ। ਕੋਲਕਾਤਾ ਵਿਖੇ ਰਹਿੰਦਿਆਂ ਉਹਨਾਂ ਨੂੰ ਸ਼ਹਿਰ ਦੇ ਇਤਿਹਾਸ ਤੇ ਘੁਮੱਕੜ ਸਾਹਿਤ ਬਾਰੇ ਜਾਣਨ 'ਚ ਰੁਚੀ ਹੈ।

Other stories by Sarbajaya Bhattacharya
Photographs : Priti David

ਪ੍ਰੀਤੀ ਡੇਵਿਡ ਪੀਪਲਜ਼ ਆਰਕਾਈਵ ਆਫ਼ ਇੰਡੀਆ ਦੇ ਇਕ ਪੱਤਰਕਾਰ ਅਤੇ ਪਾਰੀ ਵਿਖੇ ਐਜੁਕੇਸ਼ਨ ਦੇ ਸੰਪਾਦਕ ਹਨ। ਉਹ ਪੇਂਡੂ ਮੁੱਦਿਆਂ ਨੂੰ ਕਲਾਸਰੂਮ ਅਤੇ ਪਾਠਕ੍ਰਮ ਵਿੱਚ ਲਿਆਉਣ ਲਈ ਸਿੱਖਿਅਕਾਂ ਨਾਲ ਅਤੇ ਸਮਕਾਲੀ ਮੁੱਦਿਆਂ ਨੂੰ ਦਸਤਾਵੇਜਾ ਦੇ ਰੂਪ ’ਚ ਦਰਸਾਉਣ ਲਈ ਨੌਜਵਾਨਾਂ ਨਾਲ ਕੰਮ ਕਰਦੀ ਹਨ ।

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE