“ଆଗାମୀ ଦିନରେ ଆଦୌ ଏମଏସପି ରହିବ ନାହିଁ, ସେମାନେ ଧୀରେ ଧୀରେ ଏପିଏମସିକୁ ବନ୍ଦ କରିଦେବେ ଏବଂ ବିଦ୍ୟୁତର ଘରୋଇକରଣ କରିଦେବେ। ସେଥିପାଇଁ ଆମେ ଚିନ୍ତିତ ଅଛୁ”, କର୍ଣ୍ଣାଟକର ଶିବମୋଗା ଜିଲ୍ଲାର ଜଣେ କୃଷକ, ଡି. ମଲ୍ଲିକାର୍ଜ୍ଜୁନପା କହିଥିଲେ।
ଗଣତନ୍ତ୍ର ଦିବସରେ କୃଷକମାନଙ୍କ ଟ୍ରାକ୍ଟର ପ୍ୟାରେଡରେ ସାମିଲ ହେବା ଲାଗି ୬୧ ବର୍ଷୀୟ ମଲ୍ଲିକାର୍ଜ୍ଜୁନପ୍ପା, ହୁଲୁଗିନକୋପ୍ପା ଗ୍ରାମରୁ ୨୫ ଜାନୁଆରୀରେ ବେଙ୍ଗାଲୁରୁ ଆସିଥିଲେ। ସେ ଶିକାରପୁର ତାଲୁକାରେ ଥିବା ନିଜର ଗ୍ରାମ ଠାରୁ ପ୍ରାୟ ୩୫୦ କିମି ଦୂର ଅତିକ୍ରମ କରି ଏଠାରେ ପହଞ୍ଚିଥିଲେ। “ବଡ଼ କମ୍ପାନୀ କଥା ଶୁଣିବା ବଦଳରେ, ସେ (କେନ୍ଦ୍ର ସରକାର) ଏପିଏମସିରେ ସଂସ୍କାର ଆଣିବା ଉଚିତ୍”, ବୋଲି କହିଥିଲେ।
ନୂଆ କୃଷି ଆଇନ ସେମାନଙ୍କର ଚିନ୍ତା ବଢ଼ାଇ ଦେଇଛି-ଏଗୁଡ଼ିକ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଏବଂ କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି)କୁ ଦୁର୍ବଳ କରିଦେବ, ଯେଉଁଗୁଡ଼ିକ କୃଷକମାନଙ୍କୁ ସେମାନଙ୍କ ଖାଦ୍ୟଶସ୍ୟ କ୍ରୟର ଗ୍ୟାରେଣ୍ଟି ଦେଉଥିଲା।
ମଲ୍ଲିକାର୍ଜ୍ଜୁନପ୍ପା ନିଜର ୧୨ ଏକର ଜମି ମଧ୍ୟରୁ ୩-୪ ଏକରରେ ଧାନ ଚାଷ କରିଥାନ୍ତି। ବାକି ଜମିରେ ସେ ଗୁଆ ଚାଷ କରିଥାନ୍ତି। “ବିଗତ ବର୍ଷ ଗୁଆ ଅମଳ ଭଲ ନଥିଲା, ଏବଂ ମୋତେ ସେତିକି ଧାନ ମଧ୍ୟ ମିଳିନଥିଲା”, ସେ କହିଥିଲେ। “ବ୍ୟାଙ୍କରୁ ନେଇଥିବା ୧୨ ଲକ୍ଷ ଟଙ୍କାର ଋଣ ମୋତେ ସୁଝିବାର ଅଛି। ସେମାନେ (ରାଜ୍ୟ ସରକାର) କହିଥିଲେ ଯେ ଋଣ ଛାଡ଼ କରିଦେବେ। କିନ୍ତୁ ବ୍ୟାଙ୍କ ଏବେ ମଧ୍ୟ ମୋତେ ଲଗାତର ନୋଟିସ ପଠାଉଛି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଚେତାବନୀ ଦେଉଛି। ମୁଁ ଏହାକୁ ନେଇ ଚିନ୍ତିତ”, ସେ ରାଗରେ କହିଥିଲେ।
ମଲ୍ଲିକାର୍ଜ୍ଜୁନପ୍ପାଙ୍କ ଭଳି କୃଷକ, କର୍ଣ୍ଣାଟକର ଦୂରବର୍ତ୍ତୀ ଜିଲ୍ଲାରୁ, ପ୍ୟାରେଡର ଗୋଟିଏ ଦିନ ପୂର୍ବରୁ ବେଙ୍ଗାଲୁରୁରେ ପହଞ୍ଚିଥିଲେ। କିନ୍ତୁ ମାଣ୍ଡ୍ୟା, ରାମନଗର, ତୁମକୁର ଓ ଆଖପାଖର ଅନ୍ୟ ଜିଲ୍ଲାର କୃଷକ ୨୬ ଜାନୁଆରୀରେ ଟ୍ରାକ୍ଟର, କାର ଓ ବସ୍ ରେ ବେଙ୍ଗାଲୁରୁ ସହରର ବାହ୍ୟ ଅଞ୍ଚଳରେ ସକାଳ ୯ଟା ସମୟରେ ଏକତ୍ରିତ ହେବାକୁ ଲାଗିଥିଲେ। ସେମାନେ ମଧ୍ୟାହ୍ନ ବେଳକୁ କେନ୍ଦ୍ରୀୟ ବେଙ୍ଗାଲୁରୁର ଗାନ୍ଧୀ ନଗର ଅଞ୍ଚଳରେ ଥିବା ଫ୍ରିଡମ ପାର୍କରେ ପହଞ୍ଚିବାର ଥିଲା, ଏବଂ ଦିଲ୍ଲୀରେ କୃଷକମାନଙ୍କର ଟ୍ରାକ୍ଟର ପ୍ୟାରେଡକୁ ସମର୍ଥନ କରି ଆନ୍ଦୋଳନରେ ସାମିଲ ହୋଇଥିଲେ। ୨୬, ନଭେମ୍ବରଠାରୁ ଦିଲ୍ଲୀ ସୀମାରେ ତିନୋଟି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା କୃଷକମାନେ ଜାତୀୟ ରାଜଧାନୀରେ ଗଣତନ୍ତ୍ର ଦିବସ ପ୍ୟାରେଡ ଆୟୋଜନ କରିଥିଲେ।







