ପରୀ ଚଳଚ୍ଚିତ୍ର ବିଭାଗ ପାଇଁ ୨୦୨୩ ବର୍ଷ ସବୁଠୁ ଫଳପ୍ରଦ ଥିଲା - ଗ୍ରାମୀଣ ଭାରତର ଲୋକମାନଙ୍କ ଉପରେ ବହୁ ସଂଖ୍ୟାରେ ଭିଡ଼ିଓ, ପ୍ରମାଣିକ ଚଳଚ୍ଚିତ୍ର, କ୍ଷୁଦ୍ର କ୍ଲିପ୍ ଏବଂ ଫିଚର ଫିଲ୍ମ ପ୍ରସ୍ତୁତ କରାଯାଇଥିଲା।
ଏକ ଅନଲାଇନ ଜର୍ଣ୍ଣାଲ ରୂପରେ, ଆମେ ସେହି ସବୁ ଚଳଚ୍ଚିତ୍ରଗୁଡ଼ିକୁ ପ୍ରୋତ୍ସାହିତ କରିଥାଉ ଯେଉଁଗୁଡ଼ିକ ଆମ ଆଖପାଖର ଖବର ଓ ଘଟଣା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥାନ୍ତି। ବିହାରର ବିହାରଶରୀଫ ସହରରେ ଥିବା ମଦ୍ରାସା ଅଜିଜିଆ ଉପରେ ଆମର ଚଳଚ୍ଚିତ୍ର ଏକ ୧୧୩ ବର୍ଷ ପୁରୁଣା ପାଠଗାରକୁ ସାମ୍ପ୍ରଦାୟିକ ଦଙ୍ଗାରେ ଜଳାଇ ଦିଆଯିବା ଘଟଣାର ନିରୀକ୍ଷଣ କରିଥିଲା। ଆମେ ଜୈଶାଲମେର୍ ଜିଲ୍ଲାର ପବିତ୍ର ଉପବନକୁ ନେଇ ଅକ୍ଷୟ ଶକ୍ତି ଉପରେ ଏକ ଚଳଚ୍ଚିତ୍ର ପ୍ରସ୍ତୁତ କରିଥିଲୁ। ସୌର ଏବଂ ବାୟୁ ଶକ୍ତି ପ୍ଲାଣ୍ଟକୁ ହସ୍ତାନ୍ତର କରିବା ଲାଗି ଏହି ଝଟା ବଣକୁ ‘ଅନୁର୍ବର ଜମି’ ରୂପରେ ତ୍ରୁଟିପୂର୍ଣ୍ଣ ଭାବେ ବର୍ଗୀକୃତ କରାଯିବା ନିଷ୍ପତ୍ତିକୁ ଏଥିରେ ଚାଲେଞ୍ଜ କରାଯାଇଛି ।
ଆସାମର ବ୍ରହ୍ମପୁତ୍ର ନଦୀରେ ଜଣେ ଆଦିବାସୀ ମଈଁଷି ଚରାଳିଙ୍କ ମଧୁର ପ୍ରେମ ଗୀତକୁ ନେଇ ଆମେ ଚଳିତ ବର୍ଷର ପ୍ରାରମ୍ଭ କରିଥିଲୁ। ସାରା ବର୍ଷ ଆମେ ଦେଶର ବିଭିନ୍ନ ଭାଗ ଯଥା ପଶ୍ଚିମବଙ୍ଗ, ଛତିଶଗଡ଼, କର୍ଣ୍ଣାଟକ, ରାଜସ୍ଥାନ ଏବଂ ଅନ୍ୟ ପ୍ରାନ୍ତରୁ ଗୀତ ଓ ନୃତ୍ୟଗୁଡ଼ିକର ସଂଗ୍ରହ ପ୍ରସ୍ତୁତ କରିବା ଜାରି ରଖିଥିଲୁ।
ପରୀର ଗ୍ରାଇଣ୍ଡମିଲ୍ ସଙ୍ଗୀତ ପ୍ରକଳ୍ପ ଉପରେ ଏକ ଚଳଚ୍ଚିତ୍ର ସହ ଆମେ ବର୍ଷ ଶେଷ କରିବାକୁ ଯାଉଛୁ - ଯାହାକି ବହୁ ଦଶନ୍ଧି ଧରି ଚାଲି ଆସିଥିବା ଏହି ଅଭୂତପୂର୍ବ କାର୍ଯ୍ୟର ଯାତ୍ରାକୁ ଧରି ରଖିଥାଏ।
ଚଳିତ ବର୍ଷ ଆମେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଚଳଚ୍ଚିତ୍ର ୱର୍ଥ ପ୍ରସ୍ତୁତ କରିଛୁ ଯାହା ପୁଣେରେ ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ମହିଳାଙ୍କ ସ୍ୱରକୁ ସାମ୍ନାକୁ ଆଣିଛି ଯେଉଁମାନେ ପ୍ରଶ୍ନ କରୁଛନ୍ତି, ‘‘ଯଦି ଆପଣମାନେ ଅଳିଆ ସୃଷ୍ଟି କରୁଛନ୍ତି, ତା’ହେଲେ ଆମେ କେମିତି ‘କଚରେୱାଲି’ (‘ଅଳିଆବାଲି’) ହେଲୁ?’’ ଆଉ ପରିବର୍ତ୍ତିତ ଜଳବାୟୁର ପ୍ରଭାବ ଉପରେ ଆମ ଚଳଚ୍ଚିତ୍ର ମଧ୍ୟରେ ଆମେ ଆଲଫୋନ୍ସୋ ଆମ୍ବକୁ ନେଇ ଏକ ଚଳଚ୍ଚିତ୍ର ପ୍ରକାଶ କରିଛୁ, ଯାହାର ଉତ୍ପାଦନକାରୀ ଅନିୟମିତ ପାଗକୁ ନେଇ ଚିନ୍ତିତ।
ବର୍ଷ ସାରା ଆମେ ବିଭିନ୍ନ ଜନସମୁଦାୟ ଉପରେ ପ୍ରସ୍ତୁତ ନିଜ ଚଳଚ୍ଚିତ୍ର ସଂଗ୍ରହରେ ଯେଉଁସବୁ ଚଳଚ୍ଚିତ୍ର ସାମିଲ କରିଛୁ ସେଥିରେ ରହିଛି : ମେଡ଼ିଗା ସମ୍ପ୍ରଦାୟର ଲୋକଙ୍କ ଦ୍ୱାରା ମେଦାପୁରମ୍ରେ ଉଗାଦୀ ସମାରୋହ ଉପରେ ପ୍ରସ୍ତୁତ ଏ ଚଳଚ୍ଚିତ୍ର ଏକ ନୂଆ ଦଳିତ ପରମ୍ପରାର ଧ୍ୱନି ଓ ରଙ୍ଗକୁ ଜୀବନ୍ତ କରି ଦେଇଛି। ମାଲାବାର କ୍ଷେତ୍ରରେ ବିଭିନ୍ନ ଜାତି ଓ ସମ୍ପ୍ରଦାୟ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ତୋଲପାୱାକୁତୁ କଳା ଉପରେ ଏହି ଲମ୍ବା ଚଳଚ୍ଚିତ୍ର ଛାୟା କଣ୍ଢେଇ ନାଚର ଉପଯୋଗ କରି ବହୁମୁଖୀ ସଂସ୍କୃତିର କାହାଣୀ ବର୍ଣ୍ଣନା କରିଥାଏ। ଆହୁରି ପଡ଼ୋଶୀ ରାଜ୍ୟ କର୍ଣ୍ଣାଟକରୁ, ଜଣେ ନାଦସ୍ୱରମ୍ ବାଦକଙ୍କ ଜୀବନକୁ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି ଯିଏକି ଭୂତ ପୂଜାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ଅଟନ୍ତି। ପଶ୍ଚିମବଙ୍ଗର ବିଲୁପ୍ତ ପ୍ରାୟ ହୋଇଯାଇଥିବା ମହମ ଢାଞ୍ଚାରେ ମୂର୍ତ୍ତି ତିଆରି ପଦ୍ଧତି - ଡୋକ୍ରାକୁ ନେଇ ଏ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି ।
ଏସବୁ ଚଳଚ୍ଚିତ୍ରକୁ ଦେଖନ୍ତୁ!
ମଦ୍ରାସା ଅଜିଜିଆର ସ୍ମୃତିରେ
ବିହାରଶରିଫରେ ଏକ ୧୧୩ ବର୍ଷ ପୁରୁଣା ମଦ୍ରାସା ଏବଂ ୪,୦୦୦ରୁ ଅଧିକ ପୁସ୍ତକ ଥିବା ଏହାର ପାଠାଗାରକୁ ଦଙ୍ଗାକାରୀମାନେ ଜଳାଇ ଦେଇଥିଲେ।
ମେ ୧୨, ୨୦୨୩ | ଶ୍ରେୟା କାତ୍ୟାୟିନୀ
ଓରାଓଁଙ୍କୁ ବଞ୍ଚାଇବା ଲାଗି ଏକ ସଂଘର୍ଷ
ଚାରଣ ଭୂମିରେ ରହିଥିବା ରାଜସ୍ଥାନର ଓରାଓଁ ଉପବନକୁ ସରକାରୀ ରେକର୍ଡରେ ତ୍ରୁଟିପୂର୍ଣ୍ଣ ଭାବେ ‘ଅନୁର୍ବର ଭୂମି’ ରୂପରେ ବର୍ଗୀକୃତ କରାଯାଇଥିବା ବେଳେ ସୌର ଓ ପବନ ଶକ୍ତି ସଂଗଠନଗୁଡ଼ିକ ଏହାକୁ ଧୀରେ ଧୀରେ ଦଖଲ କରିବାକୁ ଲାଗିଛନ୍ତି। ଦ୍ରୁତ ଗତିରେ ବଢ଼ୁଥିବା ସେମାନଙ୍କର ଉପସ୍ଥିତି ପରିବେଶ ଓ ଜୀବିକା ଉପରେ ଭାରୀ ପରିବର୍ତ୍ତନ ଆଣୁଛି ।
ଜୁଲାଇ ୨୫, ୨୦୨୩ । ଉର୍ଜା
ଜୀବନ ଓ ପ୍ରେମକୁ ନେଇ ଜଣେ ମଈଁଷି ପାଳକଙ୍କ ଗୀତ
ଆସାମରେ ମିସିଂ ସମ୍ପ୍ରଦାୟର ଯୁବକ ହେଉଛନ୍ତି ସତ୍ୟଜିତ ମୋରଙ୍ଗ। ଏହି ଭିଡିଓରେ ସେ ଓଇନିଟୋମ ଶୈଳୀରେ ଏକ ପ୍ରେମ ଗୀତ ଗାଉଛନ୍ତି ଏବଂ ବ୍ରହ୍ମପୁତ୍ର ନଦୀରେ ସୃଷ୍ଟି ହୋଇଥିବା ଦ୍ୱୀପରେ ମଈଁଷି ଚରାଇବା ସମ୍ପର୍କରେ କଥା ହେଉଛନ୍ତି।
ଜାନୁଆରୀ ୨, ୨୦୨୩ | ହିମାଂଶୁ ସୁତିଆ ସାଇକିଆ
ଗ୍ରାମୀଣ ଭାରତ ରୋଷେଇ ଘରୁ ସଙ୍ଗୀତ
ଶତାଧିକ ଗାଁରୁ ୧,୦୦,୦୦୦ରୁ ଅଧିକ ଗୀତ ଏବଂ ୩,୦୦୦ରୁ ଅଧିକ କଳାକାରଙ୍କୁ ନେଇ ଗ୍ରାଇଣ୍ଡମିଲ୍ ସଙ୍ଗୀତ ପ୍ରକଳ୍ପ (ଜିଏସପି)ରେ ସାଧାରଣ ମହିଳାଙ୍କ ସ୍ୱରକୁ ସଂଗ୍ରହ କରି ରଖାଯାଇଛି। ଚାଷୀ, ଶ୍ରମିକ, ମତ୍ସ୍ୟଜୀବୀ ମହିଳା, ଆହୁରି ଝିଅ, ପତ୍ନୀ, ମା’ ଓ ଭଉଣୀମାନଙ୍କର ସଙ୍ଗୀତ ଏଥିରେ ରହିଛି । ସେମାନେ ପଥର ଫେସା - ‘ଜାତ୍ୟାୱରଚ୍ୟାଓବ୍ୟ’ର ଗୀତ ଗାଇଛନ୍ତି। ଜିଏସପିର କାବ୍ୟ ଐତିହ୍ୟ ଏବଂ ଏହାର ଉତ୍ପତି ଉପରେ ପରୀର ଏକ ପ୍ରାମାଣିକ ଚଳଚ୍ଚିତ୍ର।
. ଡିସେମ୍ବର ୭, ୨୦୨୩ | ପରୀ ସହଯୋଗୀ
ୱର୍ଥ । ମୂଲ୍ୟ
ଅକ୍ଟୋବର ୨ ତାରିଖ ସ୍ୱଚ୍ଛ ଭାରତ ଦିବସରେ ପୁଣେର ମହିଳା ବର୍ଜ୍ୟବସ୍ତୁ ସଂଗ୍ରହକାରୀଙ୍କ ଉପରେ ଏକ ଚଳଚ୍ଚିତ୍ର
ଅକ୍ଟୋବର ୨, ୨୦୨୩ | କବିତା କାର୍ନେଇରୋ
ଆଲଫୋନ୍ସୋର ଉତ୍ପାଦନ କମୁଛି
ମହାରାଷ୍ଟ୍ରର କୋଙ୍କଣ କ୍ଷେତ୍ରରେ, ଆଲଫୋନ୍ସୋ ଆମ୍ବ ଅମଳ ଦ୍ରୁତ ଗତିରେ ହ୍ରାସ ପାଇବାକୁ ନେଇ ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି।
ଅକ୍ଟୋବର ୧୩, ୨୦୨୩ । ଜୟସିଂ ଚହ୍ୱଣ
ମେଦାପୁରମରେ ଉଗାଦୀ : ପରମ୍ପରା, ଶକ୍ତି ଓ ପରିଚୟ
ଆନ୍ଧ୍ରପ୍ରଦେଶର ମେଡ଼ାପୁରମରେ ବାର୍ଷିକ ଭବ୍ୟ ଉଗାଦୀ ମହୋତ୍ସବ ଆୟୋଜନ କରାଯାଇଥାଏ, ଭଗବାନଙ୍କ ମୂର୍ତ୍ତିକୁ ନିଜ ସହରକୁ ଆଣିଥିବା ସେଠାକାର ମାଦିଗା ସଂପ୍ରଦାୟ ଏହି ପର୍ବର ଆୟୋଜନ କରନ୍ତି
ଅକ୍ଟୋବର ୨୭, ୨୦୨୩ । ନାଗ ଚରଣ
ଛାଇର କାହାଣୀ : ମାଲାବାରର ତୋଲପାୱାକୁତୁ କଣ୍ଢେଇ ନାଚ
କେରଳର ମାଲାବାର କ୍ଷେତ୍ରରେ ଥିବା ଗାଁଗୁଡ଼ିକରେ ଛାୟା କଣ୍ଢେଇ ନାଚ ମଞ୍ଚକୁ ନେଇ ପ୍ରସ୍ତୁତ ଏକ ଚଳଚ୍ଚିତ୍ର।
ମେ ୨୯, ୨୦୨୩ । ସଙ୍ଗୀତ ଶଙ୍କର
ତୁଲୁନାଡ଼ୁର ଭୂତ
ଆରବ ସାଗର ଉପକୂଳରେ ଥିବା କର୍ଣ୍ଣାଟକର ଏହି କ୍ଷେତ୍ରରେ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଭୂତ ପୂଜା ପାଇଁ ଏକତ୍ରିତ ହୋଇଥାନ୍ତି। ଏହି ପ୍ରଥାକୁ ଆୟୋଜନ କରୁଥିବା ସୟେଦ ନାସିର ଓ ତାଙ୍କର ସଙ୍ଗୀତ ଦଳର ଐତିହ୍ୟ ଉପରେ ପ୍ରସ୍ତୁତ ଏକ ଚଳଚ୍ଚିତ୍ର।
ଏପ୍ରିଲ ୨୬, ୨୦୨୩ । ଫୈଜଲ ଅହମ୍ମଦ
ଡୋକ୍ରା : ପରିବର୍ତ୍ତନର କଳା
ବିଲୁପ୍ତ ପ୍ରାୟ ମହମ ଢାଞ୍ଚା ପଦ୍ଧତି ବ୍ୟବହାର କରି ଧାତବ ମୂର୍ତ୍ତି ତିଆରି କରିଥାନ୍ତି ପୀଜୁସ ମଣ୍ଡଳ। ଏହି କୁଶଳୀ ଡୋକ୍ରା କାରିଗର କଞ୍ଚାମାଲ ଏବଂ ଏହି ପ୍ରକ୍ରିୟା ପାଇଁ ଜରୁରି ହୋଇଥିବା ପାଣିପାଗକୁ ନେଇ ଚିନ୍ତା ବ୍ୟକ୍ତ କରିଥାନ୍ତି।
ଅଗଷ୍ଟ ୨୬, ୨୦୨୩ । ଶ୍ରେୟଶୀ ପଲ
ଆମକୁ ଏକ ଚଳଚ୍ଚିତ୍ର କିମ୍ବା ଭିଡ଼ିଓ ପଠାଇବାକୁ ଚାହୁଁଥିଲେ [email protected] ରେ ଲେଖି ଜଣାନ୍ତୁ।
ଯଦି ଆମେ କରୁଥିବା କାର୍ଯ୍ୟରେ ଆପଣଙ୍କର ରୁଚି ରହିଛି ଏବଂ ଆପଣ ପରୀରେ ଯୋଗଦାନ କରିବାକୁ ଚାହୁଁଛନ୍ତି ତା ’ହେଲେ ଦୟାକରି ଆମକୁ [email protected]ରେ ଲେଖନ୍ତୁ। ଆମ ସହ କାମ କରିବା ଲାଗି ମୁକ୍ତବୃତ୍ତି ଓ ନିରପେକ୍ଷ ଲେଖକ , ସାମ୍ବାଦିକ, ଫଟୋଗ୍ରାଫର, ଚଳଚ୍ଚିତ୍ର ନିର୍ମାତା, ଅନୁବାଦକ, ସମ୍ପାଦକ, ଚିତ୍ରକର ଏବଂ ଗବେଷକଙ୍କୁ ଆମେ ସ୍ୱାଗତ କରୁଛୁ।
ପରୀ ଏକ ଅଣ-ଲାଭକାରୀ ସଂସ୍ଥା ଏବଂ ଆମର ବହୁଭାଷୀ ଅନଲାଇନ ଜର୍ଣ୍ଣାଲ୍ ଓ ଆର୍କାଇଭ୍କୁ ପସନ୍ଦ କରୁଥିବା ଲୋକଙ୍କ ଠାରୁ ମିଳୁଥିବା ଦାନ ଉପରେ ଆମେ ନିର୍ଭର କରିଥାଉ। ଯଦି ଆପଣ ପରୀରେ ଯୋଗଦାନ କରିବାକୁ ଚାହୁଁଛନ୍ତି ତା’ହେଲେ ଦୟାକରି ଦାନ କରନ୍ତୁ ଉପରେ କ୍ଲିକ୍ କରନ୍ତୁ
ଅନୁବାଦ: ଓଡ଼ିଶାଲାଇଭ୍