ଦେବୀଦାସ ବେଣ୍ଡକୁଲେ କହିଲେ, ‘‘ଆମେ ଏମିତ କଠିନ ପରିଶ୍ରମ କରିଚାଲିଥିବୁ ଆଉ ଆମ ପିଲାମାନେ ଯନ୍ତ୍ରଣା ଭୋଗୁଥିବେ ? ଯଦି ଆମେ ଉଚିତ ଉପାୟରେ ରୋଜଗାର କରୁ, ଆମ ପିଲାମାନେ ତାର ସୁଫଳ ପାଇବେ। କିନ୍ତୁ ମୁଁ ଏବେ ବୁଝିପାରୁନି ଯେ ଆମେ ପେଟ ପୂରାଇବୁ କେମିତି।’’
ମାର୍ଚ୍ଚ ୧୧ରେ, ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରାୟ ୪୦,୦୦୦ କୃଷକ ମୁମ୍ବାଇରେ ପ୍ରବେଶ କଲେ। ସେମାନେ ନାସିକ୍ରୁ ୬ ଦିନ ଧରି ଚାଲିଚାଲି ଆସିଥିଲେ। ପାଦରେ ଅତିକ୍ରମ କରିଥିଲେ ୧୮୦ କିଲୋମିଟର ଦୂରତା। ତାଙ୍କ ପଦଯାତ୍ରା ୧୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଲା। ନିରବରେ ଆଉ ଅନ୍ଧାରରେ ଶେଷ ୧୫-୨୦ କିଲୋମିଟର ଚାଲିଲେ। ଶେଷରେ ସହରର ଦକ୍ଷିଣରେ ଥିବା ଆଜାଦ ମୈଦାନରେ ଏକାଠି ହେଲେ ଦାବି ଉପସ୍ଥାପନ ପାଇଁ। ସେମାନଙ୍କର ଅନୁଭବ ଥିଲା ଯେ, କୃଷିଋଣ ଛାଡ଼, ଫସଲର ସର୍ବନିମ୍ନ ସହାୟକ ରାଶି, ଫସଲ ସଂଗ୍ରହ ଏବଂ ଅହୁରି ଅନେକ କଥାରେ ସରକାର ତାଙ୍କ ସହ ବିଶ୍ୱାସଘତକା କରିଛନ୍ତି।
ଆମ ପରି ପୋଡ୍କାଷ୍ଟର ପ୍ରଥମ ଏପିସୋଡ୍ରେ, ବେଣ୍ଡକୁଲେଙ୍କ ଭଳି ଚାଷୀଙ୍କ ସହ ଆମେ କଥା ହୋଇଥିଲୁ ଯିଏ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ, ତାଙ୍କ ଭିତରେ ଥିଲା ରାଜ୍ୟ ସରକାରଙ୍କ ଦ୍ୱାରା ବାରମ୍ବାର ନିରାଶ ହେବାର କ୍ରୋଧ। ସେମାନେ ତାଙ୍କ ସଂଘର୍ଷ, ଜରୁରୀ ଦାବି ଏବଂ ବିଭିନ୍ନ ଆଶା ଆକାଂକ୍ଷା ସଂପର୍କରେ ଆମକୁ କହିଲେ।
କଥୋପକଥନ ଭିତରେ ଆମ ପ୍ରତିଷ୍ଠାତା ସଂପାଦକ ତଥା ଗ୍ରାମ୍ୟ ବ୍ୟାପାର ରିପୋର୍ଟର ପି. ସାଇନାଥ ଆଲୋକପାତ କରିଛନ୍ତି, କାହିଁକି ଏହି ବିକ୍ଷୋଭ ହଜାର ହଜାର ସଂଖ୍ୟାରେ ଚାଷୀଙ୍କୁ ରାଜପଥ ଓ ରାସ୍ତା ଉପରକୁ ଆଣିଛି। କିଭଳି ଏହି ଉଚ୍ଚ ଶୃଙ୍ଖଳିତ ପଦଯାତ୍ରା ମୁମ୍ବାଇର କେତେକ ପ୍ରାନ୍ତକୁ ଠପ୍ କରି ଦେଇଥିଲା, କେବଳ ସହରର ଶ୍ରମଜୀବୀ ଶ୍ରେଣୀ ନୁହେଁ, ମଧ୍ୟବିତ୍ତ ଏବଂ ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀ ମଧ୍ୟ; ଏବଂ ପରିଶେଷରେ କାହିଁକି ଏହି ଘଟଣା ଭାରତୀୟ ଇତିହାସରେ ମାଇଲଷ୍ଟୋନ୍ ହୋଇ ରହିବ, ସେ କଥା କହିଛନ୍ତି।
ମାର୍ଚ୍ଚ ୧୨ ତାରିଖରେ ଚାଷୀଙ୍କ ଅଧିକାଂଶ ଦାବି ପୂରଣ ପାଇଁ ମହାରାଷ୍ଟ୍ର ସରକାର ରାଜି ହୋଇଥିଲେ, କିନ୍ତୁ ଏବେ ବି ସେଥିରୁ ଅଧିକାଂଶ ପୂରଣ ହୋଇ ନାହିଁ।
ତେବେ ଏଭଳି ଶାନ୍ତିପୂର୍ଣ୍ଣ ପ୍ରତିବାଦ ହେଉଛି ଗୁରୁତ୍ୱପୂର୍ଣ୍ଣ। ଯେଉଁଠି ଗରିବଙ୍କ ସ୍ୱର ଶୁଣାଯାଇଥାଏ। ଏହି ଏପିସୋଡ୍ ଏବଂ ନିକଟରେ ପ୍ରକାଶ ପାଇଥିବା ଏକ ଆଲେଖ୍ୟରେ ବିଶାଳ, ଗଣତାନ୍ତ୍ରିକ ପ୍ରତିବାଦ, ତା’ ସହ କୃଷି ସଂକଟ ଏବଂ ଏ ସମ୍ପର୍କିତ ପ୍ରସଙ୍ଗ ପାଇଁ ଉତ୍ସର୍ଗୀକୃତ ତିନି ସପ୍ତାହ ବା ୨୧ ଦିନର ଏକ ସ୍ୱତନ୍ତ୍ର ସଂସଦ ଅଧିବେଶ ପାଇଁ ସାଇନାଥ ନିବେଦନ କରିଥିଲେ। ଉଭୟ ସଦନର ଏକ ଯୁଗ୍ମ ଅଧିବେଶନ ପାଇଁ।
ଫଟୋଗ୍ରାଫର ତଥା ରିପୋର୍ଟର ସାର୍ଥକ ଚାନ୍ଦଙ୍କୁ ଆମେ ଧନ୍ୟବାଦ ଦେବୁ ଯିଏ ଅନେକ ଚାଷୀଙ୍କ ସହ କଥା ହୋଇଥିଲେ ଏବଂ ସେମାନଙ୍କ ସଂଘର୍ଷର କାହାଣୀକୁ ସାମ୍ନାକୁ ଆଣିଥିଲେ। ପଦଯାତ୍ରାର କାହାଣୀ ପାଇଁ ପରି ସହଯୋଗୀ ପାର୍ଥ ଏମ.ଏନ୍, ଏବଂ ହିମାଂଶୁ ସାଇକିଆ, ସିଦ୍ଧାର୍ଥ ଆଦେଲକର, ଆଦିତ୍ୟ ଦୀପଙ୍କର ଓ ଏହି ଉପାଖ୍ୟାନ ପ୍ରସ୍ତୁତ କରିବାରେ ସହଯୋଗ ପାଇଁ ଗୌରବ ଶର୍ମାଙ୍କୁ ଧନ୍ୟବାଦ ଦେବୁ।
ଅନୁବାଦ: ଓଡ଼ିଶାଲାଇଭ୍