ଏପରିକି ସେ ସୀତାପୁର ଡାକ୍ତରଖାନାର ଶଯ୍ୟାରେ ପଡ଼ିଥିବା ସମୟରେ, ଅକ୍ସିଜେନ ଲାଗିଥିବା ଅବସ୍ଥାରେ ଏବଂ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ରିତେଶ ମିଶ୍ରାଙ୍କ ମୋବାଇଲ ଫୋନ ଲଗାତାର ରିଙ୍ଗ୍ ହୋଇ ଚାଲିଥାଏ। ସେସବୁ କଲ୍ ରାଜ୍ୟ ନିର୍ବାଚନ ଆୟୋଗ ଏବଂ ସରକାରୀ ଅଧିକାରୀଙ୍କ ଠାରୁ ଆସୁଥାଏ, ସେମାନେ ଚାହୁଁଥାନ୍ତି ଯେ ମରଣ ସହ ଲଢ଼ୁଥିବା ଏହି ସ୍କୁଲ ଶିକ୍ଷକ ଜଣଙ୍କ ମେ ୨ ତାରିଖରେ ଉତ୍ତର ପ୍ରଦେଶ ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି ବେଳେ କାର୍ଯ୍ୟରେ ଯୋଗ ଦେବେ କି ନାହିଁ ତାହା ସୁନିଶ୍ଚିତ କରିବେ।
ତାଙ୍କ ପତ୍ନୀ ଅପର୍ଣ୍ଣା କୁହନ୍ତି, “ଫୋନ ରିଙ୍ଗ ବନ୍ଦ ହେଉନଥାଏ”। “ମୁଁ ଯେତେବେଳେ ଫୋନ ଉଠାଇଲି ଏବଂ ସେହି ବ୍ୟକ୍ତି ଜଣଙ୍କୁ କହିଲି ଯେ ରିତେଶ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଏବଂ ସେ ସେମାନଙ୍କର ଦାବି ଅନୁସାରେ କାର୍ଯ୍ୟରେ ଯୋଗ ଦେଇପାରିବେ ନାହିଁ- ମୁଁ ସେମାନଙ୍କୁ ଡାକ୍ତରଖାନା ଶଯ୍ୟାରେ ଶୋଇଥିବା ତାଙ୍କର ଏକ ଫଟୋ ପଠାଇଲି-ପ୍ରମାଣ ସ୍ୱରୂପ। ମୁଁ ତାହା କଲି। ମୁଁ ଆପଣଙ୍କୁ ସେହି ଫଟୋ ପଠାଇବି”, ସେ ପରୀକୁ କହିଥିଲେ। ଏବଂ କଲେ।
ଅପର୍ଣ୍ଣା ମିଶ୍ରା, ୩୪, ଯାହା ବିଷୟରେ ଅଧିକ କହିଥାନ୍ତି ତାହା ହେଉଛି ନିର୍ବାଚନ କାର୍ଯ୍ୟରେ ଯୋଗ ନଦେବା ଲାଗି ସେ ଖୁବ ଦୃଢ଼ ଭାବେ ନିଜ ସ୍ୱାମୀଙ୍କୁ ବାରଣ କରିଥିଲେ। “ତାଙ୍କର ଡ୍ୟୁଟି ତାଲିକା ଆସିବା ପରେ ମୁଁ ତାଙ୍କୁ ବାରମ୍ବାର ଏହି କଥା କହି ଆସୁଥିଲି”, ସେ କୁହନ୍ତି। “କିନ୍ତୁ ସେ ବାରମ୍ବାର କହୁଥିଲେ ଯେ ନିର୍ବାଚନ କାମ ବାତିଲ କରାଯାଇପାରିବ ନାହିଁ। ଆହୁରି ଯଦି ସେ କାର୍ଯ୍ୟରେ ଯୋଗ ନଦିଅନ୍ତି ତା’ହେଲେ କର୍ତ୍ତୃପକ୍ଷ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଦେବେ।”
ରିତେଶ ଏପ୍ରିଲ ୨୯ ତାରିଖରେ କୋଭିଡ-19ରେ ପ୍ରାଣ ହରାଇଥିଲେ। ସେ ଉତ୍ତରପ୍ରଦେଶର ସେହି ୭୦୦ରୁ ଅଧିକ ସ୍କୁଲ ଶିକ୍ଷକମାନଙ୍କ ମଧ୍ୟରୁ ଜଣେ ଥିଲେ ଯେଉଁମାନଙ୍କର ଅନୁରୂପ ଭାବେ ପଞ୍ଚାୟତ ନିର୍ବାଚନରେ ଡ୍ୟୁଟି କରିବା ପରେ ମୃତ୍ୟୁ ଘଟିଥିଲା। ପରୀ ନିକଟରେ ସମ୍ପୂର୍ଣ୍ଣ ତାଲିକା ରହିଛି ଯେଉଁଥିରେ ଏବେ ମୋଟ ୭୧୩ ଜଣ -୫୪୦ ଜଣ ପୁରୁଷ ଏବଂ ୧୭୩ ଜଣ ମହିଳା ଶିକ୍ଷକ – ଶିକ୍ଷୟତ୍ରୀ ଅଛନ୍ତି ଏବଂ ଏହି ତାଲିକା ଏବେ ବଢ଼ି ବଢ଼ି ଚାଲିଛି। ରାଜ୍ୟର ପାଖାପାଖି ୮ଲକ୍ଷଶିକ୍ଷକଙ୍କ ସ୍ଥିତି ଏହିପରି-ଏମାନଙ୍କ ମଧ୍ୟରୁ ଲକ୍ଷାଧିକ ଶିକ୍ଷକଙ୍କୁ ନିର୍ବାଚନ କାମରେ ପଠାଯାଇଥିଲା।
ରିତେଶ, ଜଣେ ସହାୟକ ଅଧ୍ୟାପକ (ଅତିରିକ୍ତ ଶିକ୍ଷକ) ଯିଏକି ନିଜ ପରିବାର ସହିତ ସୀତାପୁର ଜିଲ୍ଲା ମୁଖ୍ୟାଳୟରେ ରହୁଥିଲେ କିନ୍ତୁ ସେ ଲକ୍ଷ୍ନୌର ଗୋସାଇଗଞ୍ଜ ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ। ରାଜ୍ୟରେ ଏପ୍ରିଲ ୧୫, ୧୯, ୨୬ ଓ ୨୯ ତାରିଖରେ ଚାରିଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହୋଇଥିଲା ଯେଉଁଥିରେ ତାଙ୍କୁ ନିକଟବର୍ତ୍ତୀ ଏକ ବିଦ୍ୟାଳୟରେ ନିର୍ବାଚନ ଅଧିକାରୀ ଭାବେ କାମ କରିବା ଲାଗି ଦାୟିତ୍ୱ ଦିଆଯାଇଥିଲା।












