ଉତ୍ତର ପ୍ରଦେଶ ପଞ୍ଚାୟତ ନିର୍ବାଚନରେ ବାଧ୍ୟତାମୂଳକ ଡ୍ୟୁଟି କରିବା ପରେ କୋଭିଡ-19ରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ଶିକ୍ଷକଙ୍କ ସଂଖ୍ୟା ଏବେ ୧,୬୨୧ ରେ ପହଞ୍ଚିଛି-ଏଥିରେ ୧,୧୮୧ଶିକ୍ଷକ ଓ ୪୪୦ ଶିକ୍ଷୟିତ୍ରୀ ମହିଳା ଅଛନ୍ତି। ଉତ୍ତର ପ୍ରଦେଶ ଶିକ୍ଷକ ମହାସଂଘ ଏବଂ ଏହାର ଅନୁମୋଦିତ ସଂଘଗୁଡ଼ିକ ପକ୍ଷରୁ ଏ ସଂକ୍ରାନ୍ତରେ ନୂଆ ତାଲିକା ଦିଆଯାଇଛି। ପରୀ ନିକଟରେ ଉଭୟ ହିନ୍ଦୀ ଓ ଇଂରାଜୀରେ ଏଠାରେ ସମସ୍ତଙ୍କ ତାଲିକା ରହିଛି।
ମେ ୧୦ ତାରିଖରେ, ଆମେ ଏକ ଖବର ପ୍ରକାଶ କରିଥିଲୁ-ଏହାର ତଳେ ଦିଆଯାଇଛି-ଯେଉଁଥିରେ ଏହି ମନୁଷ୍ୟକୃତ ବିପର୍ଯ୍ୟୟ କିଭଳି ଘଟିଲା ତାହାର ବିସ୍ତୃତ ବର୍ଣ୍ଣନା କରାଯାଇଥିଲା। ଶିକ୍ଷକ ସଂଘଗୁଡ଼ିକ ପକ୍ଷରୁ ନିର୍ବାଚନ ସ୍ଥଗିତ ରଖିବା ଲାଗି କରାଯାଇଥିବା ବାରମ୍ବାର ଅନୁରୋଧକୁ ଉଭୟ ରାଜ୍ୟ ନିର୍ବାଚନ ଆୟୋଗ (ଏସଇସି) ଏବଂ ଉତ୍ତର ପ୍ରଦେଶ ସରକାର ଅଣଦେଖା କରିଥିଲେ। ସେତେବେଳେ ନିର୍ବାଚନ ଡ୍ୟୁଟିରେ ଯୋଗ ଦେଇଥିବା ଏବଂ କୋଭିଡ-୧୯ରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ଶିକ୍ଷକଙ୍କ ସଂଖ୍ୟା ୭୧୩ ଥିଲା-ଏଥିରେ ୫୪୦ ଶିକ୍ଷକ ଏବଂ ୧୭୩ ଶିକ୍ଷୟିତ୍ରୀ ଥିଲେ।
ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଥିବା ପାଖାପାଖି ୮ଲକ୍ଷ ଶିକ୍ଷକଙ୍କ ସ୍ଥିତି ଏହିପରି-ଏମାନଙ୍କ ମଧ୍ୟରୁ ଲକ୍ଷାଧିକଙ୍କୁ ନିର୍ବାଚନ ଡ୍ୟୁଟିରେ ପଠାଯାଇଥିଲା। ଆହୁରି ଏହା ଏକ ବିଶାଳ ନିର୍ବାଚନ ପ୍ରକ୍ରିୟା ଥିଲା। ଏଥିରେ ୮ ଲକ୍ଷ ଆସନରେ ୧.୩ନିୟୁତ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ୧୩୦ ନିୟୁତ ଯୋଗ୍ୟ ଭୋଟର ଭୋଟ୍ ଦେଇଥିଲେ। ତେଣୁ ନିଶ୍ଚିତ ଭାବେ ନିର୍ବାଚନ ଅଧିକାରୀ (ଶିକ୍ଷକ ଓ ଅନ୍ୟମାନେ)ମାନଙ୍କୁ ହଜାର ହଜାର ଲୋକଙ୍କ ସହ କଥା ହେବାକୁ ପଡ଼ିଥିବ, କିନ୍ତୁ ବାସ୍ତବରେ ଅତି ସାମାନ୍ୟ ସୁରକ୍ଷା ନିୟମ ସହିତ।
ଅତୀତରେ ୟୁପି ପଞ୍ଚାୟତ ନିର୍ବାଚନକୁ ଘୁଞ୍ଚାଇ ଦିଆଯିବାର ନଜିର ରହିଛି-ଉଦାହରଣ ସ୍ୱରୂପ ସେପ୍ଟେମ୍ବର ୧୯୯୪ରୁ ଏପ୍ରିଲ ୧୯୯୫କୁ। ତେଣୁ “ଏପରି ଏକ ଅଭୂତପୂର୍ବ ମହାମାରୀ ଏବଂ ଏକ ମାନବୀୟ ସଙ୍କଟ ଆମକୁ ଘେରି ରହିଥିବା ବେଳେ ଏତେ ତରବର କାହିଁକି?” ଏହି ପ୍ରଶ୍ନ କରିଥାନ୍ତି ପୂର୍ବତନ ରାଜ୍ୟ ନିର୍ବାଚନ ଆୟୁକ୍ତ ସତୀଶ କୁମାର ଅଗ୍ରୱାଲ।
ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଦ୍ୟାଳୟ ଶିକ୍ଷକ ଓ ଅନ୍ୟମାନଙ୍କ ମୃତ୍ୟୁ ସହିତ ନିର୍ବାଚନ ଆୟୋଜନର କୌଣସି ସମ୍ପର୍କ ଥିବାକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛନ୍ତି। “ଦିଲ୍ଲୀରେ କ’ଣ ନିର୍ବାଚନ ଥିଲା? ମହାରାଷ୍ଟ୍ରରେ କ’ଣ ନିର୍ବାଚନ ଥିଲା?” ମେ ୧୨ ତାରିଖରେ ସେ ନୋଏଡ଼ାରେ ରିପୋର୍ଟରମାନଙ୍କୁ ପଚାରିଥିଲେ। ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟଙ୍କ ମୁଣ୍ଡରେ ମଧ୍ୟ ଦୋଷ ଲଦିବାକୁ ପ୍ରୟାସ କରାଯାଇଥିଲା। ଯେପରିକି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରିପୋର୍ଟରମାନଙ୍କୁ କହିଥିଲେ: “ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ପଞ୍ଚାୟତ ନିର୍ବାଚନ ଆୟୋଜନ କରାଯାଇଥିଲା।”
ଏହା କେବଳ ଏକ ଅର୍ଦ୍ଧସତ୍ୟ। ନିର୍ବାଚନ ସ୍ଥଗିତ ରଖିବା ଲାଗି ହୋଇଥିବା ଏକ ଆବେଦନକୁ ଅଦାଲତ କେବଳ ଖାରଜ କରି ଦେଇଥିଲେ। ଏହା ଏକ ଘରୋଇ ଆବେଦନ ଥିଲା, ରାଜ୍ୟ ସରକାରଙ୍କ ପକ୍ଷରୁ ନଥିଲା। (ସାମ୍ବିଧାନିକ ଆବଶ୍ୟକତା ଅନୁଯାୟୀ, ପଞ୍ଚାୟତ ନିର୍ବାଚନ ଜାନୁଆରୀ ୨୧, ୨୦୨୧ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଯିବାର ଆବଶ୍ୟକତା ଥିଲା)। ତେବେ କୋଭିଡ-୧୯ ନିୟମକୁ କଠୋରତା ପୂର୍ବକ ପାଳନ କରି ନିର୍ବାଚନ ଆୟୋଜନ କରିବା ଲାଗି ନ୍ୟାୟାଳୟ ଆଦେଶ ଦେଇଥିଲେ।
ଏପ୍ରିଲ ୬ ତାରିଖରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ରାୟ ଦେଇଥିଲେ ଯେ ସମସ୍ତ ସୁରକ୍ଷା ନିୟମକୁ ରାଜ୍ୟ ପାଳନ କରିବ ବୋଲି ଆଶା କରାଯାଉଥିଲା ଏବଂ “ନିର୍ବାଚନ ପ୍ରଚାର ସମୟରେ ପାଳନ କରାଯିବା ନିମନ୍ତେ ୟୁପି ସରକାର ପୂର୍ବରୁ ଏକ ନିୟମ ଘୋଷଣା କରିସାରିଥିଲେ”। ଅଦାଲତ ଆହୁରି ଆଦେଶ ଦେଇଥିଲେ ଯେ “ପଞ୍ଚାୟତ ନିର୍ବାଚନ ଏପରି ଭାବେ ଆୟୋଜନ ହେବା ଉଚିତ ଯେ କୌଣସି ଜନ ସମାବେଶ ଯେପରି ହେବ ନାହିଁ। ନାମାଙ୍କନ ଦାଖଲ ହେଉ, ପ୍ରଚାର ହେଉ କିମ୍ବା ଭୋଟଦାନ ହେଉ, ଏହି ସବୁ କାର୍ଯ୍ୟରେ ସମସ୍ତ କୋଭିଡ-୧୯ ନିୟମ ପାଳନ କରାଯିବା ଉଚିତ୍।” ଅନ୍ୟ ଅର୍ଥରେ କହିବାକୁ ଗଲେ, ନିର୍ବାଚନ “ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ମୁତାବକ” ଆୟୋଜନ କରାଯାଇ ନଥିଲା। ଅଦାଲତଙ୍କ ଏହି ଆଦେଶର ଉଲ୍ଲଙ୍ଘନ ଶିକ୍ଷକମାନଙ୍କ ପାଇଁ ପ୍ରଳୟଙ୍କରୀ ପରିଣାମ ଆଣିଲା, ବୋଲି ସଂଘଗୁଡ଼ିକ କହିଥାନ୍ତି।
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଶିକ୍ଷକ ସଂଘଗୁଡ଼ିକ ପକ୍ଷରୁ ଲେଖାଯାଇଥିବା ସଦ୍ୟତମ ପତ୍ର ଅନୁଯାୟୀ, “ଏପରିକି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି କରୁଥିବା ସମୟରେ ମହାସଂଘ ପକ୍ଷରୁ ନିଜର ଓକିଲଙ୍କ ଜରିଆରେ ସେମାନଙ୍କର ସ୍ଥିତି ସମ୍ପର୍କରେ ସ୍ପଷ୍ଟ କରାଯାଇଥିଲା। ତେବେ, ସରକାରୀ ଓକିଲ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଆଶ୍ଵାସନା ଦେଇ କହିଥିଲେ ଯେ ଭୋଟ ଗଣତି ସମୟରେ ଲୋକମାନଙ୍କୁ କୋଭିଡ ସଂକ୍ରମଣରୁ ସୁରକ୍ଷିତ ରଖିବା ଲାଗି ସମସ୍ତ ମାର୍ଗଦର୍ଶିକା ପାଳନ କରାଯିବ।”
ଏହି ପତ୍ରରେ ଏକ ଯନ୍ତ୍ରଣାଦାୟକ ବାକ୍ୟ ଲେଖାଯାଇଥିଲା : “ଏତେ ଅଧିକ ସଂଖ୍ୟାରେ ଶିକ୍ଷକମାନଙ୍କ ମୃତ୍ୟୁ ପରେ ପ୍ରାଥମିକ ଶିକ୍ଷା ବିଭାଗ କିମ୍ବା ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ସମବେଦନା ପ୍ରକଟ କରାଯାଇନାହିଁ।”
ଏପ୍ରିଲ ୨୬ ତାରିଖରେ, ମୁହଁରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ସମେତ ସେହିସବୁ ନିୟମ “ଆନ୍ତରିକତା ସହିତ ପାଳନ କରାଯିବାକୁ ଥିଲେ” ମଧ୍ୟ “ଉଲ୍ଲଙ୍ଘନ” ହୋଇଥିବାରୁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଅଦାଲତ ନୋଟିସ ଜାରି କରିଥିଲେ। ଯଦି ସରକାର କିମ୍ବା ରାଜ୍ୟ ନିର୍ବାଚନ ଆୟୋଗ ଅଦାଲତଙ୍କ ଆଦେଶରେ ଅସନ୍ତୁଷ୍ଟ ଥିଲେ ତା’ହେଲେ ସେମାନେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିବାକୁ ଯାଇପାରିଥାନ୍ତେ। ମାତ୍ର ସେମାନେ ତାହା କଲେ ନାହିଁ। ଏପରିକି ପୂର୍ବରୁ, ମାର୍ଚ୍ଚ ଶେଷ ସପ୍ତାହରେ, ରାଜ୍ୟରେ ବ୍ୟାପକ ହୋଲି ଆୟୋଜନ ସମୟରେ ରାଜ୍ୟ ସରକାର କୋଭିଡ-୧୯ନିୟମ ଲାଗୁ କରିବା ନିମନ୍ତେ ବାସ୍ତବରେ କୌଣସି ପ୍ରୟାସ କରିନଥିଲେ।
ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପଞ୍ଚାୟତ ନିର୍ବାଚନରେ ଡ୍ୟୁଟି ପରେ କୋଭିଡ-19ରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ନିର୍ବାଚନ ଅଧିକାରୀ (ଶିକ୍ଷକ ଓ ଅନ୍ୟ ସରକାରୀ କର୍ମଚାରୀ) ମାନଙ୍କ ନିକଟ ସମ୍ପର୍କୀୟଙ୍କୁ ୧ କୋଟି ଟଙ୍କାର ମୃତ୍ୟୁକାଳୀନ କ୍ଷତିପୂରଣ ରାଶି ପ୍ରଦାନ କରିବା ଉଚିତ୍ ବୋଲି ମେ ୧୨ ତାରିଖରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ରାୟ ଦେଇଥିଲେ। ବିଚାରପତି ସିଦ୍ଧାର୍ଥ ବର୍ମା ଏବଂ ଅଜିତ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇଥିଲେ: “ନିର୍ବାଚନ ସମୟରେ କେହି ନିଜ ଇଚ୍ଛାରେ କାର୍ଯ୍ୟରେ ଯୋଗ ଦେଇନଥିଲେ, ବରଂ ଅନିଚ୍ଛା ସତ୍ତ୍ୱେ ସେମାନଙ୍କୁ ନିର୍ବାଚନ କାର୍ଯ୍ୟରେ ଯୋଗ ଦେବା ଲାଗି ସବୁପ୍ରକାରରେ ବାଧ୍ୟ କରାଯାଇଥିଲା।”
ଏଠାରେ ଉଲ୍ଲେଖଯୋଗ୍ୟ : ଗୋଟିଏ ବର୍ଷ ପୂର୍ବରୁ କୁମ୍ଭ ମେଳା ଆୟୋଜନ କରିବା ଲାଗି ଉତ୍ତର ପ୍ରଦେଶ କିମ୍ବା ଉତ୍ତରାଖଣ୍ଡ ସରକାରଙ୍କୁ ଦେଶର କୌଣସି ଅଦାଲତ ଆଦେଶ କିମ୍ବା ପରାମର୍ଶ ଦେଇନଥିଲେ। ପ୍ରତି ୧୨ ବର୍ଷରେ ଥରେ ହରିଦ୍ୱାରରେ କୁମ୍ଭ ମେଳା ଆୟୋଜନ କରାଯାଇଥାଏ ଏବଂ ପରବର୍ତ୍ତୀ କୁମ୍ଭ ମେଳା ୨୦୨୨ରେ ପଡ଼ିଥାନ୍ତା। ତଥାପି, କୁମ୍ଭ ହେଉଛି ଆଉ ଏକ ବୃହତ ସମାରୋହ, ଯାହା ବହୁଦିନ ଧରି ବର୍ଷର ସେହି ସମୟରେ ଆୟୋଜିତ ହୋଇଥିଲା ଯେତେବେଳେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏବେ ୨୦୨୨ ପରିବର୍ତ୍ତେ ଗୋଟିଏ ବର୍ଷ ଆଗରୁ ୨୦୨୧ରେ କୁମ୍ଭ ମେଳା ଆୟୋଜନ କରାଯିବାର ଜ୍ୟୋତିଷ ଓ ଧାର୍ମିକ ଔଚିତ୍ୟ ରହିଥିବା ସମ୍ପର୍କରେ ଆଲୋଚନା କରାଯାଉଛି। କିନ୍ତୁ ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଆୟୋଜନ କରାଯିବାକୁ ଥିବାରୁ ରାଜନୈତିକ କାରଣରୁ ‘ସଫଳତା’ ଆଶାରେ ଉତ୍ତର ପ୍ରଦେଶ ପଞ୍ଚାୟତ ନିର୍ବାଚନ ଓ କୁମ୍ଭ ମେଳା ଆୟୋଜନ କରାଯିବା ସମ୍ପର୍କରେ ଖୁବ କମ୍ ଚର୍ଚ୍ଚା ହେଉଛି- ଯଦି ଏହି ଦୁଇଟି କାର୍ଯ୍ୟକ୍ରମ ଏତେ ବିନାଶକାରୀ ହୋଇନଥାନ୍ତା, ତା’ହେଲେ ଏହାକୁ ମହାନ ଉପଲବ୍ଧି ଭାବେ ଚର୍ଚ୍ଚା କରାଯାଇଥାନ୍ତା।
ଦୁଃଖଦ ଘଟଣା ଉପରେ ଏଠାରେ ପରୀର ମୁଖ୍ୟ ପ୍ରସଙ୍ଗ (ମେ ୧୦ ତାରିଖର) ଦିଆଗଲ:













