ଖାଣ୍ଡବ ବନ
ଖାଣ୍ଡବ ବନ ଜଳୁଛି ଧର୍ମରାଜ !
ବଣରୁ ଉଠୁଥିବା କଳାଧୁଆଁ
ଆମ ନାସିକାର ସୁଡ଼ଙ୍ଗ ଦେଇ
ଫୁସ୍ଫୁସ୍ର ଗହ୍ୱରକୁ ଭରିବା ପାଇଁ
ବଣ ଜନ୍ତୁଙ୍କୁ ପରି ମାଡି ଚାଲିଛି ….
ଅନ୍ଧାରରେ ଚମକୁଛି
ରଡ଼ ନିଆଁ ପରି ଆଖି
ଭୟରେ ବରଫ ପାଲଟୁଛି ଆମର ଜିଭ
ଆଉ ଆମର ଫୁସ୍ଫୁସ୍ ଶୁଖିଲା ଅଙ୍ଗୁର ପେନ୍ଥା ପରି
ଏକ କଳା, ରଙ୍ଗହୀନ ରସ ଝରାନ୍ତି ;
ଦେଶର ଅଣ ନିଶ୍ୱାସୀ ହେଉଛି
ଯୋଗୀରାଜ !
ଖାଣ୍ଡବ ବନ ଜଳୁଛି !!
ସହରର ଧନୀକ ମାନଙ୍କର ଲୋଭ-ଭରା ଯଜ୍ଞରେ,
ଏବଂ ଶାସକମାନଙ୍କର ବାସନା ପୂର୍ଣ୍ଣ ପ୍ରସାଦରେ ତୃପ୍ତ,
ବ୍ରାହ୍ମଣର ବେଶରେ ଥିବା,
ଏହି ଅତୃପ୍ତ ଅଗ୍ନି ,
ତଥାପି ଆହୁରି ଅମ୍ଳଜାନ ଚାହାଁନ୍ତି ।
ନିଜ ଯୌବନକୁ ପ୍ରଜ୍ଜ୍ୱଳିତ କରିବା ପାଇଁ,
ସେ ଛନଛନ ଗଛର ରକ୍ତ ଚାହେଁ
ସେ ଚାହେଁ ଦଗ୍ଧ ପଶୁମାନଙ୍କର ଶରୀର
ସେ କାମନା କରେ…
ଜଳନ୍ତା କାଠର ବ୍ୟଥାଭରା ଫାଟିବା ଶବ୍ଦ ପଛରୁ ଆସୁଥିବା
ମଣିଷଙ୍କର ଚିତ୍କାରକୁ …
କୃଷ୍ଣ କହିଲେ ‘ତଥାସ୍ତୁ’ ।
ତା’ହେଲେ ଏହା ହେଉ ।
ନିଶରେ ହାତ ବୁଲାଇ ଅର୍ଜୁନ କହିଲେ-
‘‘ଏହା ହୋଇଯିବ’’
ଏବଂ ଖାଣ୍ଡବ ଜଳିଗଲା …
ଖାଣ୍ଡବ ବନ ଜଳୁଛି
ଯୋଗେଶ୍ୱର !
ଶ୍ୱାସ ଅବରୁଦ୍ଧ ହେବାରୁ ଦୌଡ଼ୁଛନ୍ତି
ପଶୁମାନେ ଚିତ୍କାର କରି
ପଳାୟନ କରୁଥିବା ପକ୍ଷୀମାନଙ୍କର
ଡେଣା ଧରି ଅଗ୍ନି ପୁଣି ଥରେ
ନିଆଁ ଭିତରକୁ ଫିଙ୍ଗୁଛି ;
ଭୀଲ, କୋଲ, କିରାତ, ନାଗ….ଅଣନାଗରିକ ଜନ
ଏକ ବୁନ୍ଦା ଅମ୍ଲଜାନ ପାଇଁ ଛଟପଟ ହୋଇ
ଦୌଡ଼ୁଛନ୍ତି ଜଙ୍ଗଲ ବାହାରକୁ -
ରକ୍ଷା କର !
ଖାଣ୍ଡବ ବନର ସୀମାରେ ଛିଡ଼ା ହୋଇଛନ୍ତି କୃଷ୍ଣ,
ନିଶାରେ ନଇଁ ଯାଇଛି ଆଖି,
ଅର୍ଜୁନ ବି ଛିଡ଼ା ହୋଇଛନ୍ତି କର୍ତ୍ତବ୍ୟରେ
ନିଆଁରୁ ବର୍ତ୍ତି ପଳାୟନ କରୁଥିବା ଲୋକମାନଙ୍କୁ
ମୃତ୍ୟୁର ଘାଟରେ ପହଞ୍ଚାଇବା
ପୁଣି ଅଗ୍ନି କୁଣ୍ଡରେ ଫିଙ୍ଗିବା ….
ଆମକୁ ଅମ୍ଲଜାନ ଦିଅ
ମହାଭାରତର ବିଜେତାମାନେ
ଏ ଭାରତ ତୁମର
ଏ ମହାଭାରତ ତୁମର
ଏ ଧରିତ୍ରୀ, ଏ ଧନ –ଧାନ୍ୟ,
ଏ ଧର୍ମ, ଏ ନୀତି
ଗତ – ଆଗତ ସବୁ ତୁମର
ଆମକୁ କେବଳ ଗୋଟିଏ ସିଲିଣ୍ଡର୍ ଅମ୍ଲଜାନ ଦରକାର .… ମଧୁସୂଦନ
ଏ ଅମ୍ଲଜାନ ଅଗ୍ନିର ଖାଦ୍ୟ ନୁହେଁ
ଆମର ଜୀବନ ଏହା ।
ତୁମେ କହିଥିଲ ନା !
ଅଗ୍ନି ଆତ୍ମାକୁ ଦହନ କରି ପାରିବନି
କିନ୍ତୁ ଏ ବନ ଆମର ଆତ୍ମା ଥିଲା ଆଉ
ଏବେ ଏହା ଜଳୁଛି
ଖାଣ୍ଡବ ବନ ଜଳୁଛି
ଗୀତେଶ୍ୱର !
ଏକ ବିଶାଳ ଚିତା ପରି
ଖାଣ୍ଡବ ବନ ଜଳୁଛି
ଧୁ-ଧୁ ହୋଇ ।



