ସାମ୍ରାଜ୍ୟବାଦୀଙ୍କ ଶୟନକକ୍ଷରେ କମ୍ପନ ସୃଷ୍ଟି ହେଲା ବେଳକୁ ଯଥେଷ୍ଟ ବିଳମ୍ବ ହୋଇ ସାରିଥିଲା। ଯଥେଷ୍ଟ ବିଳମ୍ବ ହୋଇ ସାରିଥିଲା ବିଖଣ୍ଡିତ ଦୁର୍ଗର ମରାମତି କରିବାକୁ, ଶାସନକର୍ତ୍ତା ଓ ତାଙ୍କ ସାମନ୍ତମାନେ କୌଣସି ମୁକାବିଲା କରିବା ପାଇଁ ମଧ୍ୟ ଯଥେଷ୍ଟ ବିଳମ୍ବ ହୋଇ ସାରିଥିଲା ।
ସାରା ସାମ୍ରାଜ୍ୟରେ ସଗର୍ବେ ପ୍ରଲମ୍ବିତ ହୋଇଥିଲା ଗଭୀର ଖାଇ। ସଦ୍ୟ କଟାହୋଇ ଆସିଥିବା ଗହମ ଗୋଚ୍ଛାରୁ ବାହାରୁଥିବା ଗନ୍ଧ ପରି ବାସୁଥିଲା ସେହି ଖାଇ, ଭୋକିଲା ମଣିଷମାନଙ୍କ ପ୍ରତି ଶାସନକର୍ତ୍ତାଙ୍କ ଭିତରେ ଥିବା ଘୃଣାଠାରୁ ଆହୁରି ଅଧିକ ଦୁର୍ଗନ୍ଧ ବାହାରୁଥିବା ଓ ତାଙ୍କ ଆକାଶ ପରି ବକ୍ଷ ଠାରୁ ଅଧିକ ପ୍ରଶସ୍ତ ସେହି ଖାଇ ଜନପଦ, ବଜାର, ପ୍ରାଚୀର ଓ ପବିତ୍ର ଗୌଶାଳା ଦେଇ ପ୍ରଲମ୍ବିତ ହୋଇ ଯାଇଥିଲା ତାଙ୍କ ପ୍ରାସାଦ ପର୍ଯ୍ୟନ୍ତ। ଯଥେଷ୍ଟ ବିଳମ୍ବ ହୋଇ ସାରିଥିଲା।
ଜନସାଧାରଣଙ୍କ ଭିତରେ କର୍କଶ ରଡ଼ି ଛାଡି ଡିଆଁ ଡେଇଁ କରିବା ପାଇଁ ପୋଷା କୁଆମାନଙ୍କୁ ଖୋଲିଦେବା ପାଇଁ, ଫମ୍ପା କଳରବ ଭାବି କମ୍ପନକୁ ଉପଦ୍ରବ ବୋଲି ଘୋଷଣା କରିବା ପାଇଁ ଯଥେଷ୍ଟ ବିଳମ୍ବ ହୋଇ ସାରିଥିଲା। ଆଗକୁ ବଢୁଥିବା ପାଦଗୁଡ଼ିକୁ ଘୃଣା କରିବାକୁ ମଧ୍ୟ ଯଥେଷ୍ଟ ବିଳମ୍ବ ହୋଇ ସାରିଥିଲା। ଓଃ ସେହି ଫଟା ଆଉ ଖରା-ସିଝା ପାଦଗୁଡ଼ିକ କିପରି ସିଂହାସନକୁ ଥରହର କରିଦେଲେ! ଏହି ପବିତ୍ର ସାମ୍ରାଜ୍ୟ ଚିରକାଳ ତିଷ୍ଠି ରହିବ ବୋଲି ପ୍ରଚାର କରିବା ଯଥେଷ୍ଟ ବିଳମ୍ବ ହୋଇ ସାରିଥିଲା। ଧୂଳିମାଟିରୁ ରସାଳ ମକା ଫଳାଇ ପାରୁଥିବା ସେହି ଅନଭ୍ୟସ୍ତ ହାତଗୁଡ଼ିକ ଆକାଶ ଛୁଉଁଥିଲା।
କିନ୍ତୁ କାହାର ଥିଲା ସେହି ସଶକ୍ତ ମୁଠା? ସେମାନଙ୍କ ମଧ୍ୟରୁ ଅଧା ଥିଲେ ମହିଳା, ଏକ-ତୃତୀୟାଂଶ ମାନୁ ନଥିଲେ ଦାସତ୍ଵ, ଅନ୍ୟମାନଙ୍କଠାରୁ ପୁରୁଣାକାଳର ଥିଲେ ଏକ-ଚତୁର୍ଥାଂଶ। ଉଜ୍ଜ୍ଵଳ ଇନ୍ଦ୍ରଧନୁ ପରି ଥିଲା କେତେକଙ୍କର ପରିଧାନ, ଅନ୍ୟ କେତେକଙ୍କ ଆବରଣରେ ନାରଙ୍ଗି ରଙ୍ଗର ଉଲ୍ଲାସ ଥିଲା, କିମ୍ବା ତା’ ଉପରେ କିଛିଟା ହଳଦିଆ ଛିଟା ପଡିଥିଲା, ଏବଂ ଅନ୍ୟମାନେ ଛିଣ୍ଡା ଲୁଗାପଟା ପିନ୍ଧିଥିଲେ। ସେହି ଛିଣ୍ଡା ଲୁଗାପଟା ଥିଲା ସମ୍ରାଟଙ୍କ ନିୟୁତ-ଡଲାର ପୋଷାକଠାରୁ ଯଥେଷ୍ଟ ଅଧିକ ରାଜକୀୟ। ସେମାନେ ଥିଲେ ମୃତ୍ୟୁକୁ ଅସ୍ଵୀକାର କରୁଥିବା ଦଳେ ଆତଙ୍କ ଖେଳେଇବାର ସ୍ପର୍ଦ୍ଧା ଯେଉଁମାନେ ଆଗକୁ ମାଡି ଚାଲୁଥିଲେ, ଗାଉଥିଲେ, ହସୁଥିଲେ, ଆନନ୍ଦରେ ବିଭୋର ହେଉଥିଲେ। ସେମାନେ ଥିଲେ ଲଙ୍ଗଳ ଚଳଉଥିବା ଅସଭ୍ୟ ମଣିଷ ଯେଉଁମାନଙ୍କୁ କି ପଥର ଫିଙ୍ଗୁଥିବା ଶକ୍ତିଶାଳୀ ଟ୍ରେବୁଚେଟ ମେସିନ କିମ୍ବା ପବିତ୍ର ବନ୍ଧୁକ ଗୁଳି ମାରିବାକୁ ସକ୍ଷମ ହୋଇ ପାରି ନଥିଲା।
ସାମ୍ରାଜ୍ୟବାଦୀଙ୍କ କକ୍ଷରେ ଯେଉଁଠାରେ ଗୋଟିଏ ହୃଦୟ ରହିବା କଥା, ସେଠାରେ ଯେତେବେଳେ କମ୍ପନ ପହଞ୍ଚିଲା ସେତେବେଳକୁ ଯଥେଷ୍ଟ ବିଳମ୍ବ ହୋଇ ସାରିଥିଲା।



