୨୫ ମିଟର ଉଚ୍ଚ ଏକ ଗଛ ଉପରୁ ତଳକୁ ଚାହିଁ, ହୁମାୟୁନ ଶେଖ ହିନ୍ଦୀ ଭାଷାରେ ପାଟି କରି କହୁଛନ୍ତି, ‘‘ଘୁଞ୍ଚି ଯାଅ! ନହେଲେ ତୁମକୁ ଆଘାତ ଲାଗିବ।’’
ତାଙ୍କ ତଳେ ସିଧାସଳଖ କେହି ନଥିବା ନେଇ ସୁନିଶ୍ଚିତ ହେବା ପରେ, ସେ ନିଜର ବଙ୍କା କଟୁରୀକୁ ଗୋଟିଏ ଆଡ଼କୁ ବୁଲାଇ ହାଣି ଚାଲନ୍ତି, ଏବଂ ନଡ଼ିଆ ସବୁ ତଳକୁ ଖସି ଚାଲେ। ଥଡ଼! ଥଡ଼!
ମାତ୍ର କିଛି ମିନିଟ୍ ମଧ୍ୟରେ କାମ ସରିଯାଏ ଏବଂ ସେ ପୁଣିଥରେ ତଳକୁ ଓହ୍ଲାଇ ଆସନ୍ତି। ତାଙ୍କର ଅସାଧାରଣ ଗତି –ମାତ୍ର ଚାରି ମିନିଟ୍ରେ ଉପରୁ ତଳକୁ – କେବଳ ଏକ ଯାନ୍ତ୍ରିକ ଉପକରଣ କାରଣରୁ ସମ୍ଭବ ହୋଇପାରିଥାଏ। ପାରମ୍ପରିକ ନଡ଼ିଆ ତୋଳାଳୀଙ୍କ ବିପରୀତ ହୁମାୟୁନ ଏହି ଯାନ୍ତ୍ରିକ ଗଛ ଚଢ଼ା ଉପକରଣର ସାହାଯ୍ୟ ନେଇଥାନ୍ତି ଯାହାକୁ ଏକ ନଡ଼ିଆ ଗଛ ଗଣ୍ଡି ଉପରକୁ ଚଢ଼ିବା ଏବଂ ତଳକୁ ଓହ୍ଲାଇବା ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଛି।
ସେ ବ୍ୟବହାର କରୁଥିବା ଉପକରଣଟି ପାଦ ରଖିବା ସ୍ଥାନ ବା ଫୁଟ୍ ରେଷ୍ଟ ସହିତ ଦୁଇ ଗୋଡ଼ ଭଳି ହୋଇଥାଏ। ଏହା ସହିତ ଏକ ଲମ୍ବା ରଶି ଲାଗିଥାଏ, ଯାହାକି ଗଣ୍ଡି ଚାରି ପାଖରେ ବନ୍ଧା ଯାଏ। ଏହା ହୁମାୟୁନଙ୍କ ପାଇଁ ଗଛ ଚଢ଼ାକୁ ଏତେ ସହଜ କରି ଦେଇଥାଏ ଯେ, ସେ କୌଣସି ଶିଢ଼ି ଚଢ଼ିବା ଭଳି ଉପରକୁ ଚଢ଼ିଯାଆନ୍ତି।








