ଦକ୍ଷିଣ କନ୍ନଡ଼ ଜିଲ୍ଲାରେ ଥିବା ବେଲତାଙ୍ଗଡ଼ି ତାଲୁକର ଖାଲଢିପ ପାହାଡ଼ିଆ ଇଲାକାରେ ଏବେ ଗୋରୁ ଘଣ୍ଟିର ଟେଁ – ଟେଁ – ଟେଁ ଶବ୍ଦ ଖୁବ୍ କ୍ୱଚିତ୍ ଶୁଣିବାକୁ ମିଳୁଛି । ‘‘କେହି ଏବେ ଏ ଘଣ୍ଟି ଆଉ ତିଆରି କରୁନାହାନ୍ତି’’, ହୁକ୍ରାପ୍ପା କୁହନ୍ତି । ତେବେ ସେ ଯେଉଁ ଘଣ୍ଟି କଥା କହୁଛନ୍ତି, ତାହା ସାଧାରଣ ଗୋରୁ ଘଣ୍ଟି ନୁହେଁ । ତାଙ୍କ ଗାଁ ଶିବାଜେରେ ଏହି ଘଣ୍ଟିକୁ ଗୋରୁଙ୍କ ବେକରେ ବନ୍ଧା ଯାଇଥାଏ – ରୋଚକ କଥା ହେଉଛି ଏହା କୌଣସି ଧାତୁରେ ନୁହେଁ ବରଂ ହାତ ତିଆରି ଏ ଘଣ୍ଟି ବାଉଁଶରେ ତିଆରି କରାଯାଏ। ବୟସର ୬୦ଟି ବସନ୍ତ ଅତିକ୍ରମ କରିସାରିଥିବା ହୁକ୍ରାପ୍ପା ବହୁ ବର୍ଷ ଧରି ଏହି ଅଭିନବ ଉପକରଣ ତିଆରି କରି ଆସୁଛନ୍ତି।
ହୁକ୍ରାପ୍ପା କୁହନ୍ତି, ‘‘ପୂର୍ବରୁ ମୁଁ ଗାଈ ଚରାଳି ଥିଲି। ବେଳେ ବେଳେ ଆମ ଗୋରୁ ହଜି ଯାଉଥିଲେ, ତେଣୁ ସେମାନଙ୍କୁ ଖୋଜି ଆଣିବା ଲାଗି ବାଉଁଶରେ ଗୋରୁ ଘଣ୍ଟି ତିଆରି କରିବାର ଉପାୟ ମନକୁ ଆସିଥିଲା।’’ ପାହାଡ଼ରେ ଏଣେତେଣେ ବୁଲୁଥିବା କିମ୍ବା ଅନ୍ୟମାନଙ୍କ ଗୁହାଳକୁ ଚାଲିଯାଇଥିବା ଗୋରୁଙ୍କୁ ଠାବ କରିବା ଲାଗି ଏହି ଘଣ୍ଟିର ଶବ୍ଦ ବିଶେଷ ସହାୟକ ହୋଇଥାଏ। ଗାଁର ଜଣେ ବୟସ୍କ ବ୍ୟକ୍ତିଙ୍କଠାରୁ ଏହି କାରିଗରୀ ଶିଖିବା ପରେ ସେ ଘଣ୍ଟି ତିଆରି କରିବା ଆରମ୍ଭ କରିଥିଲେ। ସମୟ ବିତିବା ସହିତ, ସେ ବିଭିନ୍ନ ଆକାରର ଘଣ୍ଟି ତିଆରି କରିବାରେ କୁଶଳୀ ହୋଇପାରିଥିଲେ। ଆଖପାଖ ଇଲାକାରେ ସହଜରେ ବାଉଁଶ ମିଳିଯାଉଥିବାରୁ ତାଙ୍କୁ ବିଶେଷ ସହାୟତା ମିଳିପାରୁଥିଲା। ହୁକ୍ରାପ୍ପାଙ୍କ ଗାଁ ବେଲତାଙ୍ଗଡ଼ି କର୍ଣ୍ଣାଟକର ପଶ୍ଚିମଘାଟ ପର୍ବତମାଳା ଅନ୍ତର୍ଗତ କୁଦ୍ରେମୁଖ ଜାତୀୟ ଉଦ୍ୟାନ ଅଧୀନରେ ଆସିଥାଏ, ଏଠାରେ ତିନି ପ୍ରକାରର ବାଉଁଶ ଗଛ ଦେଖିବାକୁ ମିଳେ।
ହୁକ୍ରାପ୍ପା ‘ଟୁଲୁ’ ଭାଷାରେ କଥା ହୋଇଥାନ୍ତି, ତାଙ୍କ ଭାଷାରେ ବାଉଁଶ ଗୋରୁ ଘଣ୍ଟିକୁ ‘ବୋମକା’ ବୋଲି କୁହାଯାଇଥାଏ । ଅନ୍ୟପଟେ କନ୍ନଡ଼ ଭାଷାରେ ଏହାକୁ ‘ମୋଣ୍ଟେ’ ବୋଲି କହିଥାନ୍ତି । ଶିବାଜେର ସାଂସ୍କୃତିକ ଜୀବନରେ ଏହାର ବିଶେଷ ମହତ୍ତ୍ୱ ରହିଛି । ସ୍ଥାନୀୟ ଦୁର୍ଗା ପରମେଶ୍ୱରୀ ମନ୍ଦିରରେ ଦେବୀଙ୍କୁ ମୋଣ୍ଟେ ଅର୍ପଣ କରାଯିବାର ପରମ୍ପରା ରହିଛି । ଏପରିକି ମନ୍ଦିର ପରିସରକୁ ‘ମୋଣ୍ଟେତଡ୍କା’ କୁହାଯାଏ। ଭକ୍ତମାନେ ନିଜ ଗୋରୁଙ୍କ ସୁରକ୍ଷା ଏବଂ ସେମାନଙ୍କର ମନୋସ୍କାମନା ପୂରଣ କରିବା ଲାଗି ପ୍ରାର୍ଥନା କରିଥାନ୍ତି । ସେମାନଙ୍କ ମଧ୍ୟରୁ କିଛି ଭକ୍ତ ହୁକ୍ରାପ୍ପାଙ୍କଠାରୁ ଆଗୁଆ ଅର୍ଡର ଦେଇ ବାଉଁଶ ଗୋରୁ ଘଣ୍ଟି ତିଆରି କରିଥାନ୍ତି । ‘‘ଲୋକମାନେ ହରକେ (ମାନସିକ ଅର୍ପଣ) ପାଇଁ ଏହାକୁ କିଣିଥାନ୍ତି। ଗାଈଟିଏ ବାଛୁରୀ ଜନ୍ମ କରିନପାରିଲେ [ଉଦାହରଣ ସ୍ଵରୁପ], ସେମାନେ ଏହାକୁ ଦେବୀଙ୍କୁ ଅର୍ପଣ କରିଥାନ୍ତି। ସେମାନେ ଏକ ଖଣ୍ଡ ପାଇଁ ୫୦ ଟଙ୍କା ପର୍ଯ୍ୟନ୍ତ ଦେୟ ଦିଅନ୍ତି। ବଡ଼ ଘଣ୍ଟିଗୁଡ଼ିକ ୭୦ ଟଙ୍କା ପର୍ଯ୍ୟନ୍ତ ଦରରେ ବିକ୍ରି ହୋଇଥାଏ’’।


