ବେଲଦାଙ୍ଗ ସହରରୁ କୋଲକାତା ଯାଉଥିବା ହଜାରଦୁଆରି ଏକ୍ସପ୍ରେସ ପ୍ଲାସି ଅତିକ୍ରମ କଲାବେଳେ କମ୍ପାର୍ଟମେଣ୍ଟ ଭିତରେ ଏକତାରାର ମୂର୍ଚ୍ଛନା ଭରିଗଲା। କାଠ ନିର୍ମିତ ବିଭିନ୍ନ କଳାକୃତି ଥିବା ବଡ଼ ଝୁଡ଼ିଟିଏ ଧରିଥିଲେ ସଂଜୟ ବିଶ୍ୱାସ । ସେଥିରେ ଥିଲା ଗୋଟିଏ ଚରଖା, ଗୋଟିଏ ଟେବୁଲ ଲ୍ୟାମ୍ପ, ଗୋଟିଏ କାର୍, ଗୋଟିଏ ବସ୍ ଏବଂ ଗୋଟିଏ ତାର ବିଶିଷ୍ଟ ଏକତାରା।
ସୂକ୍ଷ୍ମ କାରୁକାର୍ଯ୍ୟ ହୋଇଥିବା ଜିନିଷଗୁଡ଼ିକ ବିକ୍ରି ହେବାକୁ ଥିବା ଚାଇନା ଜିନିଷ - ଖେଳଣା, ଚାବି ରିଙ୍ଗ, ଛତା, ଟର୍ଚ୍ଚ, ଲାଇଟର ଗୁଡିକ ଭିତରେ ବାରି ହୋଇ ପଡ଼ୁଥିଲେ - ଅନ୍ୟ ବେପାରୀମାନେ ରୁମାଲ, କ୍ୟାଲେଣ୍ଡର, ମେହେନ୍ଦି ପୁସ୍ତିକା, ଝାଲ-ମୁଢି, ସିଝାଅଣ୍ଡା, ଚା’, ବାଦାମ, ସିଙ୍ଗଡ଼ା, ମିନେରାଲ ପାଣି ଆଦି ବିକ୍ରି କରୁଥିଲେ। ଟ୍ରେନ୍ରେ ଥିବା ସବୁ ବେପାରୀଙ୍କ ରାସ୍ତା ଅଲଗା ଆଉ କମ୍ପାର୍ଟମେଣ୍ଟ ଅଲଗା ଥିଲା।
ଯାତ୍ରୀମାନେ ଖୁବ୍ ମୂଲଚାଲ କରୁଥିଲେ। ମୁର୍ସିଦାବାଦ ଜିଲ୍ଲା ବାହାରାମପୁର ସବଡିଭିଜନ୍ର ବେଲଦାଙ୍ଗ ଏବଂ ରାଣାଘାଟ ମଧ୍ୟରେ ଥିବା ୧୦୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ଦୁଇ ଘଣ୍ଟା ଲାଗୁଥିଲା। ଏହି ସମୟ ମଧ୍ୟରେ ହକରମାନେ ଭଲ ବ୍ୟବସାୟ କରୁଥିଲେ। ଅଧିକାଂଶ ବେପାରୀ ରାଣାଘାଟରେ ଓହ୍ଲାଇ ଯାଉଥିଲେ। ଆଉ କିଛି କ୍ରିଷ୍ଣାନଗରରେ ଓହ୍ଲାଉଥିଲେ। ଏହି ରାସ୍ତାରେ ଏ ଦୁଇଟି ହେଉଛି ବଡ ଜଙ୍କସନ୍। ସେଠାରୁ ସ୍ଥାନୀୟ ଟ୍ରେନ୍ ଧରି ସେମାନେ ନିଜନିଜର ଗାଁ ଏବଂ ସହରକୁ ଯାଆନ୍ତି।
କିଛି ଲୋକ ସଂଜୟଙ୍କୁ ଏକତାରାର ଦାମ୍ ପଚାରିଲେ। ସେ କହିଲେ ୩୦୦ ଟଙ୍କା। କିଣିବା ଭଳି କ୍ଷମତା ଥିବା ଗ୍ରାହକ ମଧ୍ୟ ମୂଲଚାଲ କରୁଥିଲେ। ସଂଜୟ କହିଲେ, ‘‘ଏଇଟା ଶସ୍ତା ଖେଳଣା ନୁହେଁ, ଖୁବ ନିଷ୍ଠାରେ ତିଆରି କରିଛି। ଏଥିରେ ସବୁଠୁ ଭଲ ଜିନିଷ ଲାଗିଛି। ଏକତାରାର ତଳପଟେ ଖାଣ୍ଟି ଚମଡ଼ା ଲାଗିଛି।’’ ଆଉ ଜଣେ ଯାତ୍ରୀ ଯୁକ୍ତି କଲେ: ‘‘ମେଳା ମହୋତ୍ସବରେ ବହୁତ ଶସ୍ତାରେ ମିଳୁଛି।’’ ସଂଜୟ ଉତ୍ତର ଦେଲେ, ‘‘ମେଳାରେ ବିକ୍ରି ହେଲାଭଳି ଏଇଟା ଶସ୍ତା ଜିନିଷ ନୁହେଁ। ଲୋକଙ୍କୁ ଠକିବା ମୋର ବେପାର ନୁହେଁ।’’
ସେ ଯାତ୍ରୀଙ୍କ ସିଟ୍ ମଝିରେ ଥିବା ବାଟରେ ଆଗକୁ ଗଲେ, ନିଜେ ତିଆରି କରିଥିବା ଜିନିଷ ଦେଖାଇଲେ ଆଉ କିଛି ଛୋଟମୋଟ ଜିନିଷ ବିକିଲେ। ସଂଜୟ କହିଲେ, ‘‘ଜିନିଷକୁ ନିଜ ହାତରେ ଧରି ଦେଖନ୍ତୁ, ମୋ ହାତ ତିଆରି କଳାକୃତି ଦେଖିବାକୁ କିଛି ପଇସା ଦେବାକୁ ପଡ଼ିବନି।’’ ସାଙ୍ଗେ ସାଙ୍ଗେ ଗୋଟିଏ ଦମ୍ପତି ବିନା ମୂଲଚାଲରେ ଗୋଟିଏ ଏକତାରା କିଣିଲେ। ସଂଜୟଙ୍କ ମୁହଁ ଉଜ୍ୱଳ ହୋଇ ଉଠିଲା। ସେ କହିଲେ, ‘‘ଏଥିରେ ବହୁ ପରିଶ୍ରମ କରିବାକୁ ପଡ଼ିଛି - ଏହାର ସ୍ୱରକୁ ଦେଖନ୍ତୁ।’’




