ଶକୀଲା ନିଜାମୁଦ୍ଦିନ କହନ୍ତି,“ମୋର ପାଞ୍ଚ ବର୍ଷର ଝିଅକୁ ଭୀଷଣ ଜ୍ଵର ହୋଇଛି, କିନ୍ତୁ (ତାକୁ ଡାକ୍ତରଙ୍କ ପାଖକୁ ନେବା ବାଟରେ) ପୋଲିସ ମୋ ସ୍ଵାମୀଙ୍କୁ ଅଟକାଇଲା । ସେ ଭୟରେ ଫେରି ଆସିଲେ । ଆମକୁ କଲୋନି ବାହାରକୁ ଯିବାକୁ ଅନୁମତି ମିଳୁନି, ଏମିତି କି ଡାକ୍ତରଖାନାକୁ ବି ନୁହେଁ ।”
ଅହମ୍ମଦାବାଦ ସହରର ସିଟିଜେନ୍ ନଗର ରିଲିଫ୍ କଲୋନିରେ ରହନ୍ତି ୩୦ ବର୍ଷୀୟା ଶକୀଲା । ଘରେ ଗୁଡ଼ି ତିଆରି କରି କଷ୍ଟେମଷ୍ଟେ ଗୁଜୁରାଣ ମେଣ୍ଟାନ୍ତି । ଲକ୍ଡାଉନ୍ ଯୋଗୁଁ ତାଙ୍କର ଓ ତାଙ୍କ ଦିନ ମଜୁରିଆ ସ୍ଵାମୀଙ୍କର ସବୁ ଆଶା ମଉଳି ଯିବାସହିତ ରୋଜଗାର ସମ୍ଭାବନା କ୍ଷୀଣ ହେବାରେ ଲାଗିଛି । ଭିଡିଓ କଲ୍ରେ କଥାବାର୍ତ୍ତା କରି ସେ ମୋତେ କହିଲେ, “କ୍ଲିନିକ୍ ବନ୍ଦ ହୋଇଯାଇଛି’’ । “ସେମାନେ ଆମକୁ କହୁଛନ୍ତି ‘ଘରକୁ ପଳାଅ, କିଛି ଘରୋଇ ଉପଚାର କର’ । ହାସପାତାଳ ଯିବାକୁ ଚାହିଁଲେ ପୋଲିସ ଆମକୁ ଫାଇଲ୍ ଆଉ କାଗଜପତ୍ର ମାଗୁଛନ୍ତି । ସେସବୁ ପାଇବାକୁ ଆମେ କେଉଁଠାକୁ ଯିବୁ ?”
୨୦୦୨ର ଭୟାବହ ସାଂପ୍ରଦାୟିକ ଦଙ୍ଗା ଯୋଗୁଁ ବାସଚ୍ୟୁତ ୫୦,୦୦୦ରୁ ଅଧିକ ଲୋକଙ୍କ ବସବାସ ପାଇଁ ଗୁଜରାଟର ବିଭିନ୍ନ ସ୍ଥାନରେ କେତେକ ଦାତବ୍ୟ ସଂସ୍ଥା ପକ୍ଷରୁ୨୦୦୪ରେ ସ୍ଥାପିତ ୮୧ଟି କଲୋନି ମଧ୍ୟରୁ ଏହା ଗୋଟିଏ । ଲକ୍ଡାଉନ୍ କଟକଣା ଯୋଗୁଁ ଏବେ ଏହି କଲୋନିର ଲୋକେ ଦୁଃସ୍ଵପ୍ନରେ ଆଚ୍ଛନ୍ନ ସମୟ ଅତିବାହିତ କରୁଛନ୍ତି ।
କିନ୍ତୁ, ସେମାନଙ୍କ ମଧ୍ୟରୁ ଜଣେ ମୋତେ ଯାହା କହିଲେ, ସେମାନେ ନିଜ ଟେଲିଭିଜନ ସ୍କ୍ରିନ୍ ଉପରେ ଅମିତାଭ ବଚ୍ଚନଙ୍କୁ ମଧ୍ୟ ଦେଖୁଛନ୍ତି, ଯିଏ କି ଭାରତରେ ଏହି ନୂତନ କରୋନା ଭାଇରସ୍ର ବ୍ୟାପ୍ତିକୁ ରୋକିବା ପାଇଁ ସମସ୍ତେ ମିଳିମିଶି ଆଗେଇ ଆସିବାକୁ ନିବେଦନ କରୁଛନ୍ତି ।
“ଯଦି ଆମକୁ କେବଳ ଘରେ ହାତ ବାନ୍ଧି ବସି ରହିବାକୁ ହେବ, ତେବେ କ’ଣ ପାଇଁ ଆମେ ହାତ ଧୋଇବୁ?” ଏହା ପଚାରନ୍ତି ରେଶମା ସୈୟଦ, ସିଟିଜେନ୍ ନଗର କଲୋନି ବାସିନ୍ଦାଙ୍କର ଜଣେ ନେତା, ଯାହାଙ୍କୁ ଲୋକେ ଆଦରରେ ରେଶମା ଆପା ବୋଲି ଡାକନ୍ତି । ୨୦୦୨ ଦଙ୍ଗା ପ୍ରପୀଡ଼ିତ ନରୋଦା ପାଟିୟା ବାସିନ୍ଦାଙ୍କ ଥଇଥାନ ପାଇଁ ଅହମ୍ମଦାବାଦରେ ନିର୍ମିତ୧୫ଟି ଥଇଥାନ କଲୋନିରୁ ଏହା ଗୋଟିଏ । କଲୋନିର ପ୍ରବେଶ ପଥରେ ଲାଗିଥିବା ପଥର ନିର୍ମିତ ଫଳକରୁ ଜଣାପଡ଼େ ଯେ କେରଳ ରାଜ୍ୟ ମୁସ୍ଲିମ ରିଲିଫ କମିଟି ଦ୍ଵାରା ୨୦୦୪ରେ ଏହି କଲୋନି ନିର୍ମାଣ କରାଯାଇଥିଲା । ତାହା ହେଲା ସେ ସମୟର କଥା, ଯେତେବେଳେ ଦଙ୍ଗାରୁ ବର୍ତ୍ତି ଯାଇଥିବା ୪୦ଟି ପରିବାର ପ୍ରଥମେ ଏଠାକୁ ଆସିଥିଲେ । ସେମାନଙ୍କ ଆଖି ଆଗରେ ସେମାନଙ୍କର ସବୁ ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଥିଲା ।









