‘‘ଆମେ ଯେତେବେଳେ କାମ ସନ୍ଧାନରେ ହାଇଦ୍ରାବାଦ ଆସିଲୁ ଯାହା କାମ ମିଳିଲା କଲୁ। ଆମ ଝିଅକୁ ଭଲ ଶିକ୍ଷା ଦେବା ପାଇଁ ଆମେ ଯଥେଷ୍ଟ ଟଙ୍କା ରୋଜଗାର କରିବାକୁ ଚାହୁଁଥିଲୁ,’’ ଗୁଡଲା ମାଙ୍ଗମ୍ମା କୁହନ୍ତି । ସେ ଓ ତାଙ୍କର ସ୍ୱାମୀ ଗୁଡଲା କୋଟିୟା ୨୦୦୦ ମସିହାରେ ତେଲଙ୍ଗାନାର ମେହବୁବ ନଗର ଜିଲ୍ଲାରୁ ରାଜ୍ୟର ରାଜଧାନୀ ହାଇଦ୍ରାବାଦକୁ ଚାଲି ଆସିଥିଲେ। ସେମାନଙ୍କ ପ୍ରଥମ ସନ୍ତାନ କଳ୍ପନା ଜନ୍ମ ନେବାର ମାତ୍ର କିଛି ଦିନ ହୋଇଥିଲା।
କିନ୍ତୁ ସହର ସେମାନଙ୍କ ପ୍ରତି ନିଷ୍ଠୁର ଥିଲା। କୋଟିୟା ଯେତେବେଳେ କୌଣସି କାମ ପାଇଲେ ନାହିଁ, ସେ ଟଙ୍କା ରୋଜଗାର କରିବା ଲାଗି ହାତରେ ମଇଳା କାଢ଼ିବା କାମ କରିବାକୁ ନିଷ୍ପତ୍ତି ନେଲେ । ସେ ଜଳ ନିଷ୍କାସନ ଡ୍ରେନ ସଫା କରିବା ଆରମ୍ଭ କରିଦେଲେ।
ହାଇଦ୍ରାବାଦରେ, କୋଟିୟାଙ୍କର ପାରମ୍ପରିକ ବେଉସା କପଡ଼ା ସଫା କରିବା ସହ ଜଡ଼ିତ କୌଣସି କାମ ମିଳିଲା ନାହିଁ । ସେ ଚକାଲି ସମୁଦାୟର ଅଧିବାସୀ (ତେଲଙ୍ଗାନାରେ ଅନ୍ୟାନ୍ୟ ପଛୁଆ ବର୍ଗ ଭାବେ ତାଲିକାଭୁକ୍ତ) ଥିଲେ। ‘‘ଆମର ପୂର୍ବଜମାନେ କପଡ଼ା ସଫା ଓ ଇସ୍ତ୍ରୀ କରୁଥିଲେ। କିନ୍ତୁ ଏବେ ଆମ ପାଇଁ ପ୍ରାୟତଃ କିଛି କାମ ନାହିଁ; ଏବେ ସମସ୍ତଙ୍କ ପାଖରେ ନିଜର ୱାଶିଂମେସିନ ଓ ଆଇରନ ଅଛି,’’ ସେମାନଙ୍କ ପାଇଁ ଏବେ କାହିଁକି ସେତେଟା କାମ ମିଳୁନାହିଁ ସେ ସମ୍ପର୍କରେ ମାଙ୍ଗମ୍ମା କହିଥାନ୍ତି।
କୋଟିୟା ନିର୍ମାଣସ୍ଥଳୀରେ ଦିନ ମଜୁରିଆ ଭାବେ କାମ କରିବା ଆରମ୍ଭ କରିଥିଲେ। ‘‘ନିର୍ମାଣସ୍ଥଳୀଗୁଡ଼ିକ ସବୁବେଳେ ଘର ଠାରୁ ଦୂରରେ ରହୁଥିଲା ଏବଂ ତାଙ୍କୁ ବାଟ ଖର୍ଚ୍ଚ ଅଧିକ ପଡ଼ୁଥିଲା, ତେଣୁ ସେ ସବୁବେଳେ ଭାବୁଥିଲେ ହାତରେ ମଇଳା କାଢ଼ିବା କାମ ଭଲ କାରଣ ଏହା ଘର ପାଖରେ ମିଳିଯାଉଛି,’’ ମାଙ୍ଗମ୍ମା କୁହନ୍ତି। ସେ ଅନୁମାନ କରି କୁହନ୍ତି ଯେ ସପ୍ତାହକୁ ସେ ତିନି ଦିନ ଏହି କାମ କରୁଥିଲେ। ଏଥିରୁ ଦୈନିକ ୨୫୦ ଟଙ୍କା ମଜୁରି ପାଉଥିଲେ ।
ମାଙ୍ଗମ୍ମା ମେ ୨୦୧୬ର ସେହି ସକାଳ କଥା ମନେ ପକାଇଥାନ୍ତି ଯେତେବେଳେ କୋଟିୟା ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଘରୁ ବାହାରିଯାଇଥିଲେ । ସେ ତାଙ୍କ ପତ୍ନୀଙ୍କୁ କହିଥିଲେ ଯେ ସେ ଏକ ଟାଙ୍କି ସଫା କରିବାକୁ ଯାଉଛନ୍ତି ଏବଂ ଫେରିବା ବେଳକୁ ତାଙ୍କ ପାଇଁ ଘର ବାହାରେ ଏକ ପାଣି ବାଲଟି ରଖି ଦେବାକୁ ପତ୍ନୀଙ୍କୁ କହିଥିଲେ ଯାହାଫଳରେ ସନ୍ଧ୍ୟାରେ ଘରକୁ ଫେରିବା ପରେ ସେ ନିଜ ଶରୀରକୁ ଧୋଇ ସଫା କରିପାରିବେ । “ମୋ ସ୍ୱାମୀ ଜଣେ ସଫେଇକର୍ମୀକୁଲୁ (ମ୍ୟୁନିସପାଲର ସଫେଇ କର୍ମଚାରୀ) ନଥିଲେ। ଆମର ଟଙ୍କା ଦରକାର ଥିବାରୁ ସେ ଏହି କାମ କରୁଥିଲେ,’’ ମାଙ୍ଗମ୍ମା କୁହନ୍ତି ।














