ଚାମୁରୁ କହିଲେ, "ସବୁ ଆବେଦନ ପତ୍ର ନେଇଆସ ଆଉ ପୋଡ଼ିଦିଅ। ଏଗୁଡ଼ିକ ବୈଧ ନୁହେଁ। ଏହି କୋର୍ଟ ଏଗୁଡିକର ବିଚାର କରିପାରିବ ନାହିଁ। "
ସେ ପ୍ରକୃତରେ ଜଣେ ମାଜିଷ୍ଟ୍ରେଟ୍ ହେବାର ଆନନ୍ଦ ନେବା ଆରମ୍ଭ କରିଥିଲେ।
ଏହା ଥିଲା ୧୯୪୨ ଅଗଷ୍ଟ। ସାରା ଦେଶରେ ବିଦ୍ରୋହ ତେଜୁଥିଲା। ଏଥିରୁ ସମ୍ବଲପୁର କୋର୍ଟ ବାଦ ପଡିନଥିଲା। ଚାମୁରୁ ପରିଡା ଏବଂ ତାଙ୍କ ବିଦ୍ରୋହୀ ସାଥୀମାନେ ଏହାକୁ ଦଖଲ କରିଥିଲେ। ଚାମୁରୁ ନିଜକୁ ବିଚାରପତି ଘୋଷଣା କରିଥିଲେ। ଜିତେନ୍ଦ୍ର ପ୍ରଧାନ ତାଙ୍କ "ଚପରାସି" ହୋଇଥିଲେ। ପୂର୍ଣ୍ଣଚନ୍ଦ୍ର ପ୍ରଧାନ କୋର୍ଟ କିରାଣୀ ବା ପେସ୍କାର ହେବାକୁ ଆଗ୍ରହ ପ୍ରକାଶ କରିଥିଲେ।
କୋର୍ଟ ଦଖଲ କରିବା ଭାରତ ଛାଡ଼ ଆନ୍ଦୋନଳରେ ସେମାନଙ୍କ ଅବଦାନର ଏକ ଅଂଶବିଶେଷ ଥିଲା।
କୋର୍ଟରେ ଆଶ୍ଚର୍ଯ୍ୟ ହୋଇ ଛିଡ଼ା ହୋଇଥିବା ଲୋକଙ୍କୁ ଚାମୁରୁ କହିଲେ, "ଏହି ଆବେଦନଗୁଡ଼ିକ ବ୍ରିଟିଶକୁ ଦିଆଯାଇଥିଲା। ଆମେ ଏବେ ସ୍ୱାଧୀନ। ଯଦି ମାମଲାଗୁଡ଼ିକୁ ବିଚାର କରାଯାଉ ବୋଲି ଭାବୁଛ, ତାହାଲେ ଏସବୁ ନେଇଯାଅ। ଆଉ ଥରେ ଲେଖି ମହାତ୍ମା ଗାନ୍ଧିଙ୍କ ଠିକଣାରେ ଆବେଦନ କର। ଆମେ ଏହା ଉପରେ ଧ୍ୟାନ ଦେବୁ।"
ଘଟଣାର ପ୍ରାୟ ୬୦ ବର୍ଷ ପରେ, ଉଲ୍ଲସିତ ହୋଇ ଚାମୁରୁ ଏହି କାହାଣୀ କହୁଥିଲେ। ତାଙ୍କୁ ଏବେ ୯୧ ବର୍ଷ। ତାଙ୍କ ପାଖରେ ବସିଥିବା ଜିତେନ୍ଦ୍ରଙ୍କୁ ୮୧ ବର୍ଷ। ଯଦିଓ ପୂର୍ଣ୍ଣଚନ୍ଦ୍ର ଆଉ ନାହାନ୍ତି। ତଥାପି ସେମାନେ ଓଡ଼ିଶାର ବରଗଡ ଜିଲ୍ଲାର ପାଣିମରା ଗାଁରେ ରହୁଥିଲେ। ସ୍ୱାଧୀନତ ସଂଗ୍ରାମର ଚୂଡାନ୍ତ ପର୍ଯ୍ୟାୟରେ ଅନେକ ପୁଅ ଝିଅଙ୍କୁ ଏହି ଗାଁ ଯୁଦ୍ଧକ୍ଷେତ୍ରକୁ ପଠାଇଥିଲା। ରେକର୍ଡ ଅନୁସାରେ ୧୯୪୨ ମସିହାରେ କେବଳ ଏହି ଗାଁର ୩୨ଜଣ ଜେଲ ଯାଇଥିଲେ। ଚାମୁରୁ ଏବଂ ଜିତେନ୍ଦ୍ରଙ୍କୁ ମିଶାଇ ସେମାନଙ୍କ ମଧ୍ୟରୁ ଏବେ ବି ୭ ଜଣ ଜୀବିତ ଅଛନ୍ତି।
ଏକ ସମୟରେ ଏହି ଗାଁର ପ୍ରତି ପରିବାର ସତ୍ୟାଗ୍ରହରେ ସାମିଲ ହୋଇଥିଲେ। ଏହା ଏପରି ଏକ ଗାଁ ଯିଏ ବ୍ରିଟିଶ ସହ ଲଢେଇ କରିଥିଲା। ଏହାର ଏକତା ମଜଭୁତ ଥିଲା। ଅପୂର୍ବ ଥିଲା ଏହାର ସଂକଳ୍ପ। ବ୍ରିଟିଶକୁ ଯେଉଁମାନେ ସମ୍ନା କରୁଥିଲେ ସେମାନେ ଥିଲେ, ଗରିବ ଏବଂ ନିରକ୍ଷର ଚାଷୀ। ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସଙ୍ଘର୍ଷ କରୁଥିଲେ। ଅଧିକାଂଶ ଏହି ରାସ୍ତାରେ ଥିଲେ।
ଇତିହାସ ପୃଷ୍ଠାରେ ସେମାନଙ୍କ ନାଁ ନାହିଁ। ଏପରିକି ଓଡ଼ିଶା ମଧ୍ୟ ସେମାନଙ୍କୁ ଭୁଲି ଯିବଣି। ଏକଥା ସେମାନଙ୍କ ମନକୁ କେବେ ଆସି ନାହିଁ। କିନ୍ତୁ ବରଗଡ ଜିଲ୍ଲାର ଏହି ଗାଁ ଏବେ ବି ସ୍ୱାଧୀନତାର ଗାଁ ଭାବେ ପରିଚିତ ହୋଇ ରହିଛି। ସ୍ୱାଧୀନତା ସଂଗ୍ରାମ ପାଇଁ ବ୍ୟକ୍ତିଗତ ଭାବରେ ଖୁବ କମ୍ ଲୋକ କିଛି ପାଇଛନ୍ତି। କିନ୍ତୁ ପୁରସ୍କାର ଭାବରେ, ପଦପଦବୀ କିମ୍ବା ବୃତ୍ତି ଭାବେ ନୁହେଁ। କିନ୍ତୁ ସେମାନେ ବିପଦକୁ ବରଣ କରିଥିଲେ। ଭାରତର ସ୍ୱାଧୀନତା ପ୍ରାପ୍ତି ପାଇଁ ଲଢିଥିଲେ।
ଏମାନେ ଥିଲେ ସ୍ୱାଧୀନତା ସଂଗ୍ରାମର ପଦାତିକ ସୈନ୍ୟ। ଏମାନେ ଖାଲି ପାଦରେ ଯୁଦ୍ଧ ଲଢିଥିଲେ। ଏଠି କେହି କେବେ ଏମାନଙ୍କ ପାଦରେ ଜୋତାଟିଏ ପିନ୍ଧାଇ ଦେଇନି।
* * *
ଚାମୁରୁ ମୁରୁକି ମୁରୁକି ହସୁଥିଲେ। କହିଲେ, "କୋର୍ଟରେ ପୋଲିସ କର୍ମଚାରୀ ଆଶ୍ଚର୍ଯ୍ୟ ଚକିତ ହୋଇ ଚାହିଁଥିଲେ। ସେମାନେ ବୁଝିପାରୁ ନଥିଲେ, ତାଙ୍କୁ କଣ କରିବାକୁ ପଡିବ। ସେମାନେ ଯେତେବେଳେ ଆମକୁ ଗିରଫ କରିବାକୁ ଉଦ୍ୟମ କଲେ ମୁଁ କହିଲି, ‘ମୁଁ ମାଜିଷ୍ଟ୍ରେଟ୍। ତୁମେ ମୋ ଆଦେଶ ପାଳନ କର। ଯଦି ତୁମେ ଭାରତୀୟ ତା’ହେଲେ ମୋ ଆଦେଶ ପାଳନ କର। ଯଦି ତୁମେ ଇଂରେଜ, ତା’ ହେଲେ ତୁମ ଦେଶକୁ ଚାଲିଯାଅ’।”



