‘‘ହୁର୍…
ହେହେହେ… ହୋ…ହେହେହେ…ହୋ…’’
ହଠାତ୍ ବଗିଚା ଉପର ଆକାଶରେ ଅଗଣିତ ପକ୍ଷୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହି ଡେଣାଲଗା ପ୍ରାଣୀମାନଙ୍କୁ ଘଉଡ଼ାଇବା ପାଇଁ ସୁରଜ ଯେତେବେଳେ ପାଟି କଲା ସେମାନେ ଭୟଭୀତ ହୋଇ ଉପରେ ଉଡ଼ିବାକୁ ଲାଗିଲେ। ଏହି ନାସପାତି ବଗିଚାର ଜଗୁଆଳି ଭାବେ, ଭୋକିଲା ପକ୍ଷୀମାନଙ୍କୁ ପାଚିଲା ଫଳଠାରୁ ଦୂରେଇ ରଖିବା ତା’ର କାମ। ସେମାନଙ୍କୁ ଭୟଭୀତ କରି ଘଉଡ଼ାଇବା ଲାଗି ସେ ବଡ଼ ପାଟିରେ ଚିଲ୍ଲାଇଥାଏ ଏବଂ ଏକ କମାନ୍ କିମ୍ବା ଗୁଲେଲ (ଏକ ବାଟୁଳି ଖଡ଼ା)ରେ ରୋଡା (ମାଟି ଗୁଳି) ମାରିଥାଏ।
ଉତ୍ତର-ପଶ୍ଚିମ ପଞ୍ଜାବର ତରନତାରନ ଜିଲ୍ଲାର ସୀମାବର୍ତ୍ତୀ ସ୍ଥାନରେ ଥିବା ପଟ୍ଟୀ ନିଜର ଫଳ ବଗିଚା ପାଇଁ ପ୍ରସିଦ୍ଧ। ନାସପାତି ଏବଂ ପିଚ୍ ଫଳ ଗଛର ରକ୍ଷଣାବେକ୍ଷଣ ପାଇଁ ପ୍ରତିବର୍ଷ ପ୍ରବାସୀ ଶ୍ରମିକମାନେ ଏଠାକୁ ଆସନ୍ତି। ସେମାନଙ୍କ କାମ ହେଉଛି ପକ୍ଷୀମାନଙ୍କୁ ଦୂରରେ ରଖିବା । ପକ୍ଷୀମାନେ ଯେକୌଣସି ସମୟରେ ତଳକୁ ଆସି ପାଚିଲା ଫଳକୁ ଥଣ୍ଟ ମାରି ଖାଇ ଦିଅନ୍ତି କିମ୍ବା ନଷ୍ଟ କରି ଦେଇଥାନ୍ତି। ଏହି ଫଳ ବଗିଚାକୁ ଜଗୁଥିବା ସୂରଜଙ୍କ ଭଳି ଶ୍ରମିକମାନଙ୍କୁ ରାଖେ କୁହାଯାଏ।
ସୁରଜ ବହରଦାର ହିସାବ କରି କୁହନ୍ତି, ଦୁଇ ଏକର ପରିଧି ବିଶିଷ୍ଟ ଏହି ବଗିଚାରେ ପାଖାପାଖି ୧୪୪ଟି ନାସପାତି ଗଛ ରହିଛି। ଏପ୍ରିଲରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ଚାଲୁଥିବା ଫଳ ଋତୁରେ ୧୫ ବର୍ଷୀୟ ସୂରଜ ଏକମାତ୍ର ଜଗୁଆଳି ଅଟନ୍ତି। ଏଥିପାଇଁ ଜମି ମାଲିକ ତାଙ୍କୁ ମାସିକ ୮,୦୦୦ ଟଙ୍କା ବେତନ ଦେଇଥାନ୍ତି।
‘‘ଗଛରେ ଫୁଲ ଧରିବା ଆରମ୍ଭ କରିବା ମାତ୍ରେ, ଜମି ମାଲିକମାନେ ସେମାନଙ୍କ ବଗିଚାକୁ ଲିଜ୍ ଦେଇଦିଅନ୍ତି। ଏହାକୁ ଲିଜ୍ରେ ନେଉଥିବା ଠେକେଦାର (ଠିକାଦାର)ମାନେ ରାଖେ ମାନଙ୍କୁ ନିଯୁକ୍ତ କରିଥାନ୍ତି,’’ ସୂରଜ ଆମକୁ କହିଥାନ୍ତି। ଅଧିକାଂଶ ରାଖେ ଉତ୍ତରପ୍ରଦେଶ ଓ ବିହାରରୁ ଆସିଥିବା ପ୍ରବାସୀ ଶ୍ରମିକ ହୋଇଥାନ୍ତି।









