ନୂଆଦିଲ୍ଲୀ କାଲକା ଶତାବ୍ଦୀ ସ୍ପେଶାଲର ଏକ ସିଟ୍ରେ ବସିବା ପରେ ଟ୍ରେନ ଧରିବାକୁ ନେଇ ମୋ ମନରେ ରହିଥିବା ଆଶଙ୍କା ଏବେ ଦୂର ହୋଇଥିଲା। କର୍କଶ ଶବ୍ଦ କରି ଟ୍ରେନ୍ଟି ଧୀରେ ଧୀରେ ପ୍ଲାଟଫର୍ମ ଛାଡ଼ୁଥିଲା। ମୋ ମସ୍ତିଷ୍କର ବିଚାର ଭଳି ଟ୍ରେନ ଚକ ଗଡ଼ିବାର ଧାରାବାହିକ ଛୁକ୍ ଛୁକ୍ ଶବ୍ଦ ଧୀରେ ଧୀରେ ମୋ ଚାରିପାଖରେ ଏକ ଆରାମଦାୟକ ପରିବେଶ ସୃଷ୍ଟି କରୁଥିଲା। କିନ୍ତୁ ତା’ ପାଇଁ ନୁହେଁ। ତା’ର ଅସ୍ଥିରତା ଟ୍ରେନ୍ର ଗତି ସହ ତାଳ ଦେଇ ଦ୍ରୁତ ଗତିରେ ବଢ଼ି ଚାଲିଥିଲା।
ପ୍ରଥମତଃ, ସେ ନିଜ ଜେଜେବାପାଙ୍କ ଚନ୍ଦାମୁଣ୍ଡରେ ଥିବା ଅଳ୍ପ କିଛି କେଶକୁ ପାନିଆରେ କୁଣ୍ଡାଇ ଦେଉଥିଲା। ଆମେ କୁରୁକ୍ଷେତ୍ରରେ ପହଞ୍ଚିବା ବେଳକୁ ସୂର୍ଯ୍ୟାସ୍ତ ହୋଇଯାଇଥିଲା, ଝରକା ବାହାରେ ସୂର୍ଯ୍ୟଙ୍କ ସାମାନ୍ୟ କିରଣ ସୁଦ୍ଧା ନଥିଲା। ଏବେ ସେ ଚୌକିର ହାତରେ ଖେଳୁଥିଲା, କିଛି ସମୟ ପାଇଁ ତା’କୁ ଉଠାଇ ଦେଉଥିଲା ପୁଣି ଆଉ କିଛି ସମୟ ପାଇଁ ତଳେ ପକାଇ ଦେଉଥିଲା। ସୂର୍ଯ୍ୟାସ୍ତ ହେବା ସହ ଚାଲିଯାଇଥିବା ହଳଦିଆ ଆଲୋକକୁ ମୁଁ ଖୋଜୁଥିଲି, କିନ୍ତୁ ଆମକୁ ଅନ୍ଧାରରେ ବୁଡ଼ାଇ ଦେଇ ତାହା ଚାଲିଯାଇଥିଲା।
କିନ୍ତୁ ବଢ଼ୁଥିବା ଅନ୍ଧକାର ତା’ର ସେହି ଉଦୀୟମାନ ଊର୍ଜା ସାମ୍ନାରେ ଯେମିତି ପରାଜିତ ହୋଇଥିଲା। ଧଳା ପଟିଥିବା ଗାଢ଼ ନୀଳ ରଙ୍ଗର ଫ୍ରକ୍ଟିଏ ପିନ୍ଧି ସେ ନିଜ ମା’ଙ୍କ କୋଳରେ ଛିଡ଼ା ହୋଇଥିଲା। ଅଳ୍ପ ବୟସ୍କା ମହିଳା ଜଣଙ୍କ ନିଜ ବାହୁରେ ତା’କୁ ତୋଳି ଧରି ତା’କୁ ଏକ ସୁନ୍ଦର ଦୃଶ୍ୟ ଦେଖାଉଥିଲେ। ପିଲାଟି ମୋତେ ଚାହିଁଲା ଏବଂ ତେଣୁ ମୁଁ ମଧ୍ୟ ତା’ ଆଖିରେ ଆଖି ମିଶାଇ ତା’କୁ ଚାହିଁଲି। ତା’ ମୁଣ୍ଡ ଉପରେ ଥିବା ଦୁଇଟି ସୁଇଚ୍ ଉପରକୁ ଆମର ଆଖି ଚାଲିଗଲା। ସେ ଟିକିଏ ମା’ର କୋଳରୁ ଉପରକୁ ଉଠି ଗୋଟିଏ ହାତ ବଢ଼ାଇଲା ଏବଂ ଏହାପରେ ଦୁଇଟି ହାତ ବଢ଼ାଇଲା ଆଉ ତା’ପରେ... ସଫଳତା ମିଳିଗଲା!




