୨୦୧୯ ମସିହାରେ ମହାରାଷ୍ଟ୍ରର ନାସିକ୍ ଜିଲ୍ଲାରେ ତାଙ୍କ ଘରୁ ପାରୁକୁ ମାତ୍ର ୭ ବର୍ଷ ବୟସରେ ତା’ର ବାପା ମେଣ୍ଢା ଚରାଳି ଭାବରେ କାମ କରିବାକୁ ପଠାଇ ଦେଇଥିଲେ।
୩ ବର୍ଷ ପରେ ୨୦୨୨ ମସିହା ଅଗଷ୍ଟ ଶେଷ ଆଡ଼କୁ, ସେମାନେ ପାରୁକୁ ସଂଜ୍ଞାହୀନ ଅବସ୍ଥାରେ ତାଙ୍କ ଚାଳିଆ ବାହାରେ ଦେଖିଲେ। ତା’ ଦେହରେ କମ୍ବଳଟିଏ ଗୁଡ଼ା ହୋଇଥିଲା। ବେକରେ ଛୁରୀ ଭୁଷାଯିବାର ଚିହ୍ନ ରହିଥିଲା।
‘‘ଶେଷ ନିଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ଚେଷ୍ଟା କରି ମଧ୍ୟ କଥା ପଦେ କହି ପାରିନଥିଲା। ଆମେ କ’ଣ ହେଲା ବୋଲି ପଚାରିବାକୁ ଚେଷ୍ଟା କଲୁ କିନ୍ତୁ ସେ କହିପାରିନଥିଲା।’’ ଆଖିରୁ ଝରିଯାଉଥିବା ଲୁହ ପୋଛି ପୋଛି କହିଥିଲେ ପାରୁର ମା ସବିତାବାଇ। ‘‘ଆମେ ଭାବିଲୁ କେହି ତା’ ଉପରେ ଯାଦୁ ଟୋଣକା କରିଛନ୍ତି ତେଣୁ ଆମେ ପାଖରେ ଥିବାମୋରା ପାହାଡ଼ର ଏକ ମନ୍ଦିରକୁ ନେଇଗଲୁ (ମୁମ୍ବାଇ-ନାସିକ ହାଇୱେ ସମ୍ମୁଖରେ)। ପୂଜାରୀ ତା’ ଦେହରେ ବିଭୂତି (ପବିତ୍ର ପାଉଁଶ) ବୋଳିଦେଲେ। କାଳେ ତା’ର ଚେତା ଆସିବ ଆମେ ଅପେକ୍ଷା କରି ରହିଲୁ। କିନ୍ତୁ ତାହା ହେଲା ନାହିଁ,’’ ବୋଲି ସବିତାବାଇ ମନେ ପକାଇ କହିଥିଲେ। କିନ୍ତୁ ସେ ଆମ କୁଡ଼ିଆ ସାମ୍ନାରେ ମିଳିବାର ୫ ଦିନ ପରେ ସେପ୍ଟେମ୍ବର ୨, ୨୦୨୨ରେ ନାସିକ୍ ସହରର ସିଭିଲ୍ ହସ୍ପିଟାଲରେ ଦେହରେ ହୋଇଥିବା କ୍ଷତ ଯୋଗୁଁ ପାରୁ ମୃତ୍ୟୁବରଣ କଲା।
ପାରୁ ଗତ ୩ ବର୍ଷ ମଧ୍ୟରେ ଘରୁ ଯିବା ପରେ ମାତ୍ର ଥରେ ଘରକୁ ଫେରିଥିଲା। ତାକୁ କାମ କରିବାକୁ ନେଇଥିବା ମଧ୍ୟସ୍ଥି ଦେଢ଼ ବର୍ଷ ତଳେ ତାକୁ ଘରକୁ ଆଣିଥିଲା। ‘‘ସେ ସାତ ଆଠ ଦିନ ପାଇଁ ଘରେ ରହିଥିଲା। ଅଷ୍ଟମ ଦିନ ସେ ଆସି ପୁଣି ତାକୁ କାମକୁ ନେଇ ଯାଇଥିଲା।’’ ସବିତାବାଇ ପାରୁ ଅଚେତ ଅବସ୍ଥାରେ ମିଳିବା ପର ଦିନ ପୋଲିସ୍ ନିକଟରେ ଏହି ମଧ୍ୟସ୍ଥି ବା ଦଲାଲ୍ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ।











