କୃଷ୍ଣା ଗାଓଡ଼େ ଶୀଘ୍ର ବଡ଼ ହୋଇଯାଇଥିଲେ। ତାଙ୍କ ବୟସର ପିଲାମାନେ ସ୍କୁଲ ଯାଉଥିବା ସମୟରେ ସେ ଦୈନିକ ୨୦୦ ଟଙ୍କା ମଜୁରିରେ ଚାଷ ଜମିରେ କାମ କରୁଥିଲେ। ଗାଁରେ ତାଙ୍କ ସାଙ୍ଗମାନେ କ୍ରିକେଟ୍ ଖେଳୁଥିବା ସମୟରେ ସେ ନିର୍ମାଣସ୍ଥଳୀରେ ଛିଡ଼ା ହୋଇ ଦିନ ମଜୁରି କାମ ମିଳିବାକୁ ଅପେକ୍ଷା କରି ରହୁଥିଲେ। ପାଞ୍ଚ ବର୍ଷ ପୂର୍ବରୁ, ତାଙ୍କୁ ଯେତେବେଳେ ମାତ୍ର ୧୩ ବର୍ଷ ହୋଇଥିଲା, ୬ ଜଣିଆ ପରିବାରର ସବୁ ଦାୟିତ୍ୱ ତାଙ୍କର ବଡ଼ ଭାଇ ମହେଶ ଓ ତାଙ୍କ ଉପରକୁ ଆସିଯାଇଥିଲା। ମହେଶ ତାଙ୍କ ଠାରୁ ମାତ୍ର ତିନି ବର୍ଷ ବଡ଼ ଥିଲେ।
ସେମାନଙ୍କ ଘର ମହାରାଷ୍ଟ୍ରର ବୀଡ଼ ଜିଲ୍ଲା ଅନ୍ତର୍ଗତ ନବଗଣ ରାଜୁରୀ ଗ୍ରାମରେ ରହିଛି। ଘର ବାହାରେ ପଥର ଚଟାଣ ଉପରେ ବସିଥିବା ସେମାନଙ୍କର ଜେଜେବାପା ୮୦ ବର୍ଷୀୟ ରଘୁନାଥ ଗାଓଡ଼େ କୁହନ୍ତି ଯେ ସେମାନଙ୍କ ପିତା ପ୍ରଭାକର ମାନସିକ ଅକ୍ଷମ ହୋଇଥିବାରୁ କାମ କରିପାରନ୍ତି ନାହିଁ, ସେମାନଙ୍କ ମା’ ଅଧିକାଂଶ ସମୟରେ ଅସୁସ୍ଥ ରହିଥାନ୍ତି। ସେ ଆହୁରି କୁହନ୍ତି, “ମୋର ଏବଂ ମୋର ପତ୍ନୀଙ୍କର ଅଧିକ ବୟସ ହୋଇଯାଇଥିବାରୁ ଆମେ କାମ କରିବାକୁ ସକ୍ଷମ ନୋହୁଁ। ସେଥିପାଇଁ ମୋର ନାତିମାନଙ୍କୁ ଏତେ ଶୀଘ୍ର ସବୁ ଦାୟିତ୍ୱର ବୋଝ ମୁଣ୍ଡାଇବାକୁ ପଡ଼ିଲା। ବିଗତ ୪-୫ ବର୍ଷ ହେବ ସେମାନଙ୍କ ରୋଜଗାରରେ ଘର ଚାଲୁଛି।”
ଗାଓଡ଼େ ପରିବାର ଧନଗର ସମ୍ପ୍ରଦାୟର, ସେମାନେ ପାରମ୍ପରିକ ଭାବେ ପଶୁପାଳକ ଅଟନ୍ତି। ମହାରାଷ୍ଟ୍ରରେ ଏମାନଙ୍କୁ ବିମୁକ୍ତ ଜାତି ଏବଂ ଯାଯାବର ଜନଜାତି ସୂଚୀରେ ସାମିଲ କରାଯାଇଛି। ଏହି ପରିବାର ପାଖରେ ନବଗଣ ରାଜୁରିରେ ଗୋଟିଏ ଏକରରୁ କମ୍ ଜମି ରହିଛି, ସେଥିରେ ସେମାନେ ଯଅ ଏବଂ ବାଜରା ଫସଲ ଅମଳ କରିଥାନ୍ତି। ଘର ଖର୍ଚ୍ଚ ପାଇଁ ଏତିକି ଅମଳ ଯଥେଷ୍ଟ ହୋଇଥାଏ।
କୃଷ୍ଣ ଏବଂ ମହେଶ ମିଶି ମାସିକ ୬ରୁ ୮ ହଜାର ଟଙ୍କା ରୋଜଗାର କରି ନେଇଥାନ୍ତି ଏବଂ ସେଥିରେ ସେମାନଙ୍କ ପରିବାର ଖର୍ଚ୍ଚ ଚଳିଯାଇଥାଏ। କିନ୍ତୁ, କରୋନା ମହାମାରୀ କାରଣରୁ ସେମାନଙ୍କ ଘରର ଆର୍ଥିକ ସନ୍ତୁଳନ ବିଗିଡ଼ି ଯାଇଛି। ମାର୍ଚ୍ଚ ୨୦୨୦ରେ ଦେଶବ୍ୟାପୀ ତାଲାବନ୍ଦ ଘୋଷଣା କାରଣରୁ ଦୁଇ ଭାଇ ନିଜର କାମ ଏବଂ ରୋଜଗାର ହରାଇଥିଲେ।
କୃଷ୍ଣ ଏବଂ ମହେଶଙ୍କ ୬୫ ବର୍ଷୀୟା ଜେଜେ ମା’ ସୁନ୍ଦରବାଈ କୁହନ୍ତି, “ଆମେ ସମାଜିକ କର୍ମୀ ଏବଂ ସରକାରଙ୍କ ପକ୍ଷରୁ ମିଳୁଥିବା ରାସନରେ ବଞ୍ଚିଲୁ। କିନ୍ତୁ ଆମ ପାଖରେ ଟଙ୍କା ନଥିଲା। ଆମେ ତେଲ କିମ୍ବା ପରିବା ସୁଦ୍ଧା କିଣି ପାରିନଥିଲୁ। ତାଲାବନ୍ଦ ପରେ ତିନି ମାସ ସବୁଠୁ ଅଧିକ ସଙ୍କଟରେ ଥିଲୁ।”
ଜୁନ ୨୦୨୦ରେ ତାଲାବନ୍ଦ ନିୟମ ସାମାନ୍ୟ କୋହଳ ହୋଇଥିଲା ଏବଂ ଆର୍ଥିକ ଗତିବିଧି ଧୀରେ ଧୀରେ ଆରମ୍ଭ ହୋଇଥିଲା। ଏହା ସତ୍ତ୍ୱେ ବୀଡ଼ରେ ଦିନ ମଜୁରି କାମ ମିଳିବା ବେଶ କଠିନ ଥିଲା। ରଘୁନାଥ କୁହନ୍ତି, “ଏହି କାରଣରୁ ମହେଶ କାମ ଖୋଜିବା ଲାଗି ପୁଣେ ଚାଲିଗଲା”। କିନ୍ତୁ ତା’କୁ ସେଠାରେ କୌଣସି କାମ ମିଳିଲା ନାହିଁ। ଫଳରେ ସେ ଘରକୁ ଟଙ୍କା ପଠାଇ ପାରିଲା ନାହିଁ। “କୃଷ୍ଣ ପରିବାରର ଯତ୍ନ ନେବା ଲାଗି ଏଠାରେ ବୀଡ଼ରେ ରହି କାମ ଖୋଜିଲା”।
ପଛକୁ ଫେରି ଚାହିଁଲେ ଜଣାପଡ଼ିଥାଏ ଯେ ଏହି ନିଷ୍ପତ୍ତି ବେଶ ବିପଜ୍ଜନକ ସାବ୍ୟସ୍ତ ହୋଇଥିଲା।








