ପ୍ରତି ବର୍ଷ ତାଙ୍କ ଫସଲର କିଛି ଭାଗ ହରାଇ ଆସୁଛନ୍ତି ଲକ୍ଷ୍ମୀବାଇ କାଲେ। ଅତ୍ୟଧିକ ବର୍ଷା କିମ୍ବା ମରୁଡ଼ି କିମ୍ବା ଚାଷବାସରେ ଜ୍ଞାନକୌଶଳ ଉପଯୋଗର ଅଭାବ ଯୋଗୁଁ ନୁହେଁ। ୬୦ ବର୍ଷୀୟା ଲକ୍ଷ୍ମୀବାଇ କହିଲେ, “ଆମ ଫସଲ ଏହି କାରଣରୁ ନଷ୍ଟ ହୋଇଯାଏ ଯେ ଆମ ଜମିରେ ଗାଈଗୋରୁ ଚରିବାକୁ ଛାଡ଼ିବା ପାଇଁ ପଞ୍ଚାୟତ ଅନୁମତି ଦିଏ। କେତେଥର ଯେ କ୍ଷତି ଆମେ ସହିଛୁ, ମୁଁ ସେ ହିସାବ ଭୁଲିଗଲିଣି।”
ନାସିକ ଜିଲ୍ଲାର ମୋହାଡ଼ି ଗାଁର ଲକ୍ଷ୍ମୀବାଇ ଏବଂ ତାଙ୍କ ସ୍ୱାମୀ ବାମନ, ଗତ ତିନି ଦଶନ୍ଧି ହେଲା ଯେଉଁ ପାଞ୍ଚ ଏକର ଜମିକୁ ଚାଷ କରିଆସୁଛନ୍ତି, ତାହା ଗାଇରାନ–ଅର୍ଥାତ୍ ଗୋଚର ରୂପେ ବ୍ୟବହୃତ ସରକାରଙ୍କ ନିୟନ୍ତ୍ରଣାଧୀନ ଗ୍ରାମର ସର୍ବସାଧାରଣ ଜମିର ଅଂଶବିଶେଷ । ସେମାନେ ସେଥିରେ ହରଡ଼, ବାଜରା, ଯଅ ଓ ଧାନ ଚାଷ କରନ୍ତି । ସେ କହିଲେ, “ପଞ୍ଚାୟତ ସଦସ୍ୟମାନେ କହିଲେ କି ଆମେ ଯଦି ଜମିରେ ଗାଁ ଲୋକଙ୍କ ଗୋରୁଗାଈ ଚରିବାକୁ ନ ଛାଡ଼ିବୁ, ତେବେ ସେମାନେ ଆମ ବିରୋଧରେ ମକଦ୍ଦମା କରିବେ ।”
ଲକ୍ଷ୍ମୀବାଇ ଏବଂ ଡିଣ୍ଡୋରି ତାଲୁକା ଅନ୍ତର୍ଗତ ତାଙ୍କ ଗାଁର ଅନ୍ୟ କୃଷକମାନେ ଜମି ଉପରେ ଅଧିକାର ପାଇଁ ୧୯୯୨ରୁ ସଂଘର୍ଷ ଚଳାଇ ଆସିଛନ୍ତି । ସେ କହିଲେ, ‘‘ଏହି ଜମି ଚାଷ କରିବାରେ ମୁଁ (ଆମ ପରିବାରର) ହେଉଛି ତୃତୀୟ ପିଢ଼ି, ହେଲେ ଏ ପର୍ଯ୍ୟନ୍ତ ଆମେ ଏହାର ମାଲିକ ହୋଇପାରିନାହୁଁ । ୨୦୦୨ରେ ଆମେ ଜମି ଉପରେ ଅଧିକାର ପାଇଁ ସତ୍ୟାଗ୍ରହ ଏବଂ ଏକ ଜେଲ୍ ଭରୋ ଆନ୍ଦୋଳନ କରିଥିଲୁ ।” ସେଦିନର କଥା ମନେ ପକାଇ ସେ କହନ୍ତି ଯେ, ସେ ସମୟରେ ଅଧିକାଂଶ ମହିଳାଙ୍କ ସମେତ ପ୍ରାୟ ୧,୫୦୦ କୃଷକ, ନାସିକ ଜେଲ୍ରେ ୧୭ ଦିନ ବିତାଇଥିଲେ ।
ମହାରାଷ୍ଟ୍ରରେ ‘ଅନ୍ୟାନ୍ୟ ପଛୁଆ ବର୍ଗ’ ରୂପେ ତାଲିକାଭୁକ୍ତ ଲୋହାର ଜାତିର ଲକ୍ଷ୍ମୀବାଇଙ୍କ ପାଖରେ କୌଣସି ଜମିର ମାଲିକାନା ନଥିବାରୁ ଫସଲହାନି ସଂପର୍କିତ କୌଣସି ଯୋଜନାରେ ତାଙ୍କୁ ସହାୟତା ମିଳେନାହିଁ । ସେ କହିଲେ, “ଜମି ଆମ ନାଁରେ ନାହିଁ ବୋଲି ଆମକୁ (ଫସଲ) ଋଣ କି ବୀମା ସୁବିଧା ମିଳେନାହିଁ ।” ତେଣୁ ଅଧିକ ରୋଜଗାର କରି ଫସଲର କ୍ଷତିଭରଣା କରିବା ଲାଗି ସେ ଜଣେ କୃଷି ଶ୍ରମିକ ରୂପେ, ବେଳେବେଳେ ଦିନକୁ ଦୁଇଟି ଆଠ ଘଣ୍ଟିଆ ସିଫ୍ଟରେ, କାମ କରନ୍ତି ।
ଜଣେ ଭିଲ ଆଦିବାସୀ ସଂପ୍ରଦାୟର ଶ୍ରମିକ ୫୫ ବର୍ଷୀୟା ବିଜାବାଇ ଗଙ୍ଗୁର୍ଡେଙ୍କ ଅବସ୍ଥା ବି ଏକାଭଳି । ମୋହାଡ଼ିରେ ଥିବା ତାଙ୍କ ଜମି ଚାଷ କରିଯାହା କିଛି ମିଳେ, ସେଥିରେ ସେଚଳି ପାରିବେନି । ବିଜାବାଇ କହିଲେ, “ମୋ ନିଜର ଦୁଇ ଏକର ଜମିରେ ଆଠ ଘଣ୍ଟା କାମ କରିବା ପରେ ମୁଁ (ଅନ୍ୟ କାହାରି ଜମିରେ) କୃଷି ଶ୍ରମିକ ଭାବରେ ଆଉ ଆଠ ଘଣ୍ଟା କାମ କରେ ।” ସକାଳ ୭ଟାରୁ ଆରମ୍ଭ ହେଉଥିବା ତାଙ୍କ ଦିନଗୁଡ଼ିକ ଦୁଇଟି ଶିଫ୍ଟରେ ଭାଗ ହୋଇଥାଏ ।
ସେ ଆହୁରି କହିଲେ, “କିନ୍ତୁ ମୁଁ କେବେହେଲେ ସାହୁକାରଙ୍କ ପାଖରୁ ଋଣ କରେ ନାହିଁ । ସାହୁକାରମାନେ ୧୦୦ ଟଙ୍କାର ଋଣ ଉପରେ ୧୦ ଟଙ୍କା ସୁଧ ନିଅନ୍ତି ଏବଂ ମାସ ଶେଷ ସୁଦ୍ଧା ଏହା ଶୁଝିବାକୁ ହୁଏ ।” ଲକ୍ଷ୍ମୀବାଇ ମଧ୍ୟ ଘରୋଇ ଋଣଦାତାଙ୍କଠାରୁ ଦୂରେଇ ରହନ୍ତି । ସେ କହିଲେ, “ଆଖପାଖ ଗାଁରେ ବିଧବାମାନଙ୍କୁ ସାହୁକାରମାନେ ହଇରାଣ କରିଛନ୍ତି ।”








