ରାଜକୁମାରୀ ଭୁୟା କହନ୍ତି, “କୌଣସି ଅପରାଧ ପାଇଁ ନୁହେଁ, ମୋର ଜମି ପାଇଁ ଲଢେଇ କରିବା ଯୋଗୁ ମୁଁ ଜେଲ୍ରେ ଥିଲି । ସେତେବେଳେ ମୁଁ ଜେଲ୍ ଯିବାକୁ ଭୟ କରିନଥିଲି ଏବଂ ଏବେ ମଧ୍ୟ ଭୟଭୀତ ନାହିଁ ।’’
୫୫ ବର୍ଷୀୟ ରାଜକୁମାରୀ ଉତ୍ତରପ୍ରଦେଶର ସୋନଭଦ୍ରା ଜିଲ୍ଳାର ଧୁମା ଗାଁର ଭୁୟା ଆଦିବାସୀ ସଂପ୍ରଦାୟର ବାସିନ୍ଦା । ୨୦୧୫ରେ କାନହର ଜଳସେଚନ ପ୍ରକଳ୍ପକୁ ବିରୋଧ କରି ହୋଇଥିବା ବିକ୍ଷୋଭରେ ଭାଗ ନେବା ଯୋଗୁ ସେ ଜେଲ୍ରେ ୪ ମାସରୁ ଅଧିକ ସମୟ ଧରି ରହିଥିଲେ । ବାସଚ୍ୟୁତ ହେବା ଏବଂ ସେମାନଙ୍କ ପାଣିର ଉତ୍ସ ପ୍ରଦୂଷିତ ହେବାକୁ ଭୟ କରି ଦୁଧି ବ୍ଲକ୍ର କାନହର ନଦୀରେ ଡ୍ୟାମ୍ ନିର୍ମାଣକୁ ସମାଜସେବୀ ଏବଂ ସ୍ଥାନୀୟ ସଂପ୍ରଦାୟର ଲୋକେ ବିରୋଧ କରୁଛନ୍ତି ।
ନ୍ୟୁଜ ରିପୋର୍ଟ ଅନୁସାରେ ସେହିବର୍ଷ ଏପ୍ରିଲ ମାସରେ ହୋଇଥିବା ବିକ୍ଷୋଭ ସମୟରେ ପୁଲିସ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିଚାଳନା କରିଥିଲା ଏବଂ ଲୋକଙ୍କୁ ଗିରଫ କରିବା ଆରମ୍ଭ କରିଥିଲା । ରାଜକୁମାରୀ (ଉପରେ ଥିବା କଭର ଫଟୋରେ ବାମରୁ ଦ୍ୱିତୀୟ)ଙ୍କୁ ତାର କିଛି ଦିନ ପରେ ଗିରଫ କରାଯାଇଥିଲା ଏବଂ ତାଙ୍କୁ ଧୁମା ଠାରୁ ପ୍ରାୟ ୨୦୦ କିମି ଦୂର ମୀର୍ଜାପୁର ଜିଲ୍ଲା କାରାଗାରକୁ ନିଆଯାଇଥିଲା ।
ରାଜକୁମାରୀଙ୍କ ଭଳି ଦ ଅଲ୍ ଇଣ୍ଡିଆ ୟୁନିଅନ୍ ଅଫ୍ ଫରେଷ୍ଟ ୱାର୍କିଂ ପିପୁଲ (ଏଆଇୟୁଏଫଡବ୍ଲ୍ୟୁପି)ର ସଦସ୍ୟ ଥିବା ସୁକାଲୋ ଗୋଣ୍ଡ ମଧ୍ୟ କାନହର ବିକ୍ଷୋଭରେ ଭାଗ ନେଇଥିଲେ । ସେ କହନ୍ତି, ‘‘ମୁଁ କାନହରରେ ଜନ୍ମ ନେଇଥିଲି ଏବଂ ସଂପ୍ରଦାୟକୁ ସମର୍ଥନ କରିବାକୁ ଚାହୁଁଥିଲି । ପୋଲିସ ଗୁଳିଚାଳନା କରିବା ସମୟରେ (୨୦୧୫ ମସିହା ଏପ୍ରିଲ ମାସ ୧୪ ତାରିଖ ସକାଳ ପ୍ରାୟ ୧୦ଟା ସମୟରେ ପୋଲିସ ପ୍ରାୟ ୨ ଘଣ୍ଟା ଧରି ଗୁଳିଚାଳନା କରିଥିଲା) ମୁଁ ସେଠାରେ ନଥିଲି । ମୁଁ ତା’ ପରେ ସେଠାକୁ ଗଲି, କିନ୍ତୁ ବିକ୍ଷୋଭ ହିଂସାତ୍ମକ ହୋଇଗଲା । ତେଣୁ ଆମେ ସମସ୍ତେ ସେ ସ୍ଥାନ ଛାଡ଼ି ବିଭିନ୍ନ ଦିଗରେ ପଳାଇଗଲୁ । ରାଜକୁମାରୀ ତାଙ୍କର ରାସ୍ତାରେ ଗଲେ, ଆଉ ମୁଁ ମୋ ରାସ୍ତାରେ ।’’ (ଯେହେତୁ ଏହି ଆଲେଖ୍ୟ ପାଇଁ ତାଙ୍କର ସାକ୍ଷାତକାର ନିଆଗଲା, ସୁକାଲୋଙ୍କୁ ପୁଣି ଗିରଫ କରାଯାଇ ଜେଲ୍ରେ ରଖାଯାଇଛି ।) ଆହୁରି ମଧ୍ୟ ଦେଖନ୍ତୁ: https://cjp.org.in/sonebhadras-daughter-sukalo/)
ସୁକାଲୋ (ଉପରେ ଥିବା କଭର ଫଟୋରେ ଡାହାଣରୁ ଦ୍ୱିତୀୟ) କହିବା ଜାରି ରଖିଲେ, ‘‘ମୁଁ ଦୁଇ ସପ୍ତାହ ଧରି ଘରଠାରୁ ଦୂରରେ ଥିଲି ।” “ଜଣେ ଦୂର ସଂପର୍କୀୟ ଆଦିବାସୀ ପରିବାର ଯିଏକି ଆମର ଯନ୍ତ୍ରଣାକୁ ବୁଝନ୍ତି ତାଙ୍କ ଘରକୁ ୫ ଘଣ୍ଟା ଧରି ଚାଲି ଚାଲି ଯାଇଥିଲି । ମୁଁ ସେଠାରେ ୨ ରାତି ରହିଲି, ଏବଂ ତା’ ପରେ ଅନ୍ୟ ଜଣକ ଘରକୁ ଗଲି, ସେଠାରେ ୧୦ ଦିନ ରହିଲି । ଆଉ ତା’ ପରେ ପୁଣି ଅନ୍ୟଜଣକ ଘରକୁ ଗଲି ।’’








