କାଳିଦାସପୁର ଗ୍ରାମର ଜଣେ ବାସିନ୍ଦା ଅମିନା ବିବି ମେ’ ମାସର ଶେଷ ଭାଗରେ ମୋତେ କହିଥିଲେ, ‘‘ଏବେ ବାତ୍ୟା ଶେଷ ହୋଇଯାଇଥିବାରୁ ଆମକୁ ଚାଲିଯିବାକୁ କୁହାଯାଉଛି । କିନ୍ତୁ ଆମେ କେଉଁଠିକୁ ଯିବୁ ?’’
ଝଡ଼ର ଦିନକ ଆଗରୁ ଘୂର୍ଣ୍ଣିବାତ୍ୟା ଅମ୍ଫାନ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ଥିବା ଅମୀନାଙ୍କ ଗ୍ରାମର ୧୫୦ କିଲୋମିଟର ଦୂରରେ ସ୍ଥଳଭାଗ ଛୁଇଁଥିଲା । ସ୍ଥାନୀୟ କର୍ତ୍ତୃପକ୍ଷ ଅନେକେ ଗ୍ରାମର ପରିବାରଗୁଡ଼ିକୁ ଖାଲି କରିଥିଲେ ଏବଂ ସେମାନଙ୍କୁ ଆଶ୍ରୟ ଶିବିରରେ ରହିବାକୁ ଦେଇଥିଲେ । ଏହି ବର୍ଷ ମଇ ୧୯ ତାରିଖରେ ଅମୀନା ଏବଂ ତାଙ୍କ ପରିବାର ଏକ ପଡ଼ୋଶୀ ଗ୍ରାମରେ ଥିବା ଏକ ଅସ୍ଥାୟୀ ଘରକୁ ଚାଲିଯାଇଥିଲେ।
ଘୂର୍ଣ୍ଣିବାତ୍ୟା ସୁନ୍ଦରବନରେ ଥିବା ଗୋସବା ବ୍ଲକ୍ରେ ଥିବା ୫,୮୦୦ ଜନସଂଖ୍ୟା ବିଶିଷ୍ଟ ଗ୍ରାମରେ ଥିବା ଅମୀନାଙ୍କ ମାଟିଘରକୁ ଉଡ଼ାଇ ନେଇଥିଲା । ତାଙ୍କର ସମସ୍ତ ଜିନିଷ ମଧ୍ୟ ଚାଲିଯାଇଥିଲା । ଅମୀନା, ୪୮ ତାଙ୍କ ସ୍ୱାମୀ ମହମ୍ମଦ ରମଜାନ ମୋଲ୍ଲା, ୫୬ ଏବଂ ୨ରୁ ୧୬ ବର୍ଷ ବୟସ ମଧ୍ୟରେ ତାଙ୍କର ୬ଜଣ ସନ୍ତାନ ସୁରକ୍ଷିତ ରହିଥିଲେ ।
ମହମ୍ମଦ ମୋଲ୍ଲା ଘୂର୍ଣ୍ଣିବାତ୍ୟା ଆସିବାର ମାତ୍ର ଦୁଇ ସପ୍ତାହ ପୂର୍ବରୁ ଗାଁ’କୁ ଫେରିଥିଲେ । ୫୬ବର୍ଷ ବୟସ୍କ ମୋଲ୍ଲା ମହାରାଷ୍ଟ୍ରର ପୁନେଠାରେ ଏକ ମଲ୍ରେ ସଫେଇ କର୍ମଚାରୀ ଭାବରେ କାର୍ଯ୍ୟ କରି ମାସକୁ ଟ. ୧୦,୦୦୦ ରୋଜଗାର କରନ୍ତି । ଏଥର ସେ ଏଠାରେ ରହିଯିବା ପାଇଁ ଏବଂ ନିକଟସ୍ଥ ମୋଲ୍ଲା ଖାଲି ବଜାରରେ ଏକ ଚା’ ଦୋକାନ ଖୋଲିବା ପାଇଁ ଯୋଜନା କରିଥିଲେ ।
ଅମୀନା ମଧ୍ୟ ନିଜ ଘର କାମ ଶେଷ କରିବା ପରେ ନିକଟସ୍ଥ ଗୋମର ନଈରୁ କଙ୍କଡ଼ା ଓ ମାଛ ଧରି ତାଙ୍କ ପରିବାରର ଆୟରେ ମିଶାଉଥିଲେ । ସେ ଧରିଥିବା ତାଙ୍କର ଅଳ୍ପ କିଛି ଜିନିଷକୁ ବଜାରରେ ବିକ୍ରି କରୁଥିଲେ । ସେ ମୋତେ କହିଥିଲେ, ‘‘ମୁଁ ସେଥିରେ ଦିନକୁ ଟ. ୧୦୦ ମଧ୍ୟ ପାଉନଥିଲି’’।
ସେମାନଙ୍କର ବଡ଼ ପୁଅ ରକ୍କବ ଅଲ୍ଲୀ ୨୦୧୮ ମସିହାରେ ୧୪ବର୍ଷ ବୟସରେ ସ୍କୁଲ ଛାଡ଼ିଥିଲା । ସେ କୁହନ୍ତି, ‘‘ଆବ୍ବା ଘରକୁ ପଠାଉଥିବା ଅର୍ଥରେ ଆମେ ଚଳିପାରିବୁ ନାହିଁ । ସେଥିପାଇଁ ମୁଁ କାମ କରିବାକୁ ବାହାରିଲି ।’’ ରକ୍କବ କୋଲକାତାରେ ଏକ ଦର୍ଜି ଦୋକାନରେ ସହାୟକ ଭାବରେ କାର୍ଯ୍ୟକରି ମାସକୁ ଟ. ୫,୦୦୦ ରୋଜଗାର କରୁଥିଲେ । କୋଭିଡ୍ ୧୯ ଲକ୍ଡାଉନ୍ ସମୟରେ ଯେତେବେଳେ ଅମ୍ଫାନ ଆସିଲା ସେ ଘରେ ଥିଲେ ।
ପରିବାରର ଚାଳଛପର ମାଟିଘର ଗୋମର ନଦୀକୂଳରେ ଥିଲା । ପ୍ରତ୍ୟେକ ଥର ବାତ୍ୟା ସମୟରେ – ସିଦ୍ଦର (୨୦୦୭), ଆଇଲା (୨୦୦୯) ଏବଂ ବୁଲବୁଲ (୨୦୧୯)ରେ ନଦୀ ତାଙ୍କ ଘରଆଡ଼କୁ ଘୁଞ୍ଚି ଆସୁଥିଲା ଏବଂ କ୍ରମଶଃ ସେମାନଙ୍କର ଥିବା ସମୁଦାୟ ତିନି ବିଘା (ଏକ ଏକର ଜମି) ବୁଡ଼ାଇ ଦେଇଥିଲା । ଏଥିରେ ସେମାନେ ବର୍ଷକୁ ଥରେ ଧାନଚାଷ କରୁଥିଲେ ଏବଂ କିଛି ପନିପରିବା ମଧ୍ୟ । ଅମ୍ଫନ ଆସିବା ସମୟରେ ସେମାନଙ୍କର କୌଣସି ଜମି ନଥିଲା ।















