ଗହମ ଫସଲରେ ପାଣି ମଡ଼ାଇବାର ସମୟ ଆସିଥିଲା। ଏବଂ ସବରନ ସିଂ ତାଙ୍କର ଚାଷ ଜମିରେ ଏହି ଜରୁରି କାର୍ଯ୍ୟ ନକରି ରହିପାରିନଥିଲେ। ତେଣୁ ସେ ହରିୟାଣା-ଦିଲ୍ଲୀ ସୀମାରୁ, ପଞ୍ଜାବରେ ଥିବା ତାଙ୍କ ଗ୍ରାମକୁ ଡିସେମ୍ବର ପ୍ରଥମ ସପ୍ତାହରେ ଫେରିଯାଇଥିଲେ।
କିନ୍ତୁ ସେ ଆନ୍ଦୋଳନସ୍ଥଳୀ ଛାଡ଼ୁନଥିଲେ, ଯେଉଁଠାରେ ସେ ନଭେମ୍ବର ୨୬ ତାରିଖ ପରଠାରୁ ସ୍ଥିର ଭାବେ ରହିଥିଲେ, ଭଲ ପାଇଁ। କିଛିଦିନ ପରେ, ସେ ପାଖାପାଖି ୨୫୦ କିଲୋମିଟର ଦୂରରେ ଥିବା ଖାଣ୍ଟ ଗ୍ରାମରେ ଥିବା ନିଜର ୧୨ ଏକର ଚାଷ ଜମିରୁ ସେ ସିଙ୍ଘୁକୁ ଫେରିଥିଲେ। “ମୁଁ ଏକାକୀ ଏହା କରୁନାହିଁ”, ୭୦ ବର୍ଷୀୟ ଚାଷୀ କୁହନ୍ତି। “ଅଧିକାଂଶ ଲୋକ ଅଦଳବଦଳ ହୋଇ ସେମାନଙ୍କ ଗ୍ରାମ ଏବଂ ଆନ୍ଦୋଳନସ୍ଥଳୀକୁ ଯିବା ଆସିବା କରୁଛନ୍ତି।”
ଚାଷୀମାନେ ଏପରି ଏକ ରିଲେ ପ୍ରସ୍ତୁତ କରିଥିଲେ ଯାହାଫଳରେ ସିଙ୍ଘୁରେ ସେମାନଙ୍କର ସଂଖ୍ୟା କମିବ ନାହିଁ, ଏବଂ ସେଠାରେ ଗାଁରେ ସେମାନଙ୍କର ଫସଲ ମଧ୍ୟ ଦେଖାଶୁଣା ମଧ୍ୟ ଭଲ ଭାବେ ହୋଇପାରିବ।
“ଏହି ସମୟରେ ଆମେ ଆମର ଗହମ ଚାଷ ଆରମ୍ଭ କରିଥାଉ”, ସବରନ, ନଭେମ୍ବର-ଡିସେମ୍ବର ଅବଧି ବିଷୟରେ ଉଲ୍ଲେଖ କରି କୁହନ୍ତି। “ଯେତେବେଳେ ମୁଁ ଏଠାରେ ନଥିଲି, ଗାଁର ମୋର କେତେଜଣ ସାଙ୍ଗ ଏଠାରେ ସିଂଘୁ ସୀମାରେ ମୋର ସ୍ଥାନ ନେଇଥିଲେ।”
ବହୁସଂଖ୍ୟକ ଆନ୍ଦୋଳନକାରୀ ଏହି ନିୟମ ପାଳନ କରି ଅଦଳବଦଳ ହୋଇ ଆନ୍ଦୋଳନରେ ଯୋଗ ଦେଉଛନ୍ତି। “ଆମ ଭିତରୁ ଅଧିକାଂଶ ଲୋକଙ୍କର ଚାରି ଚକିଆ ଯାନ ଅଛି”, ସବରନ କୁହନ୍ତି, ସେ ମଧ୍ୟ ଜଣେ ପୂର୍ବତନ ସେନା କର୍ମଚାରୀ। “ସେଗୁଡ଼ିକ ଏଠାରୁ ଆମ ଗାଁକୁ ଯିବା ଆସିବା କରିଥାନ୍ତି। କିନ୍ତୁ କାରଗୁଡ଼ିକ କେବେହେଲେ ଫାଙ୍କା ନଥାଏ। ଯଦି କାରରେ ଚାରି ଜଣ ଲୋକ ଗାଁକୁ ଯାଇଥାନ୍ତି, ସେଠାରୁ ଆଉ ଚାରି ଜଣ ଆନ୍ଦୋଳନସ୍ଥଳୀକୁ ଫେରିଥାନ୍ତି।”







