ହାତରେ ପତାକା ଉଠାଇ ସେମାନେ ମଞ୍ଚ ଆଡ଼କୁ ଆଗେଇ ଚାଲିଥିଲେ-ନାଲି, ହଳଦିଆ, ସବୁଜ, ଧଳା ଓ କମଳା ରଙ୍ଗର ପତାକା। ମହିଳା ଚାଷୀମାନଙ୍କର ଏକ ଦଳ ଶୋଭାଯାତ୍ରା କରିଆସିଲେ, ସେମାନଙ୍କ ମୁଣ୍ଡରେ ସବୁଜ ରଙ୍ଗର ଓଢ଼ଣି ଥିଲା। ଟ୍ରାକ୍ଟରରେ ଚଳାଇ ପୁରୁଷମାନଙ୍କର ଦଳ ଆଗେଇ ଚାଲିଥିଲା, ସେମାନେ ଧଳା ଓ ବାଦାମୀ ଲାଲ, ହଳଦିଆ ଓ ସବୁଜ ରଙ୍ଗର ପଗଡ଼ି ପିନ୍ଧିଥିଲେ। ଦିନ ସାରା ବିଭିନ୍ନ ଦଳ ରଙ୍ଗବେରଙ୍ଗର ପତାକା କାନ୍ଧରେ ପକାଇ ମଞ୍ଚ ନିକଟ ଦେଇ ପଦଯାତ୍ରାରେ ଯାଉଥିଲେ - ପ୍ରତ୍ୟେକ ରଙ୍ଗ ଏକ ମହାକାବ୍ୟର ଛନ୍ଦ ଭଳି ପ୍ରବାହିତ ହେଉଥିଲା।
ସଂସଦରେ ପାରିତ ହୋଇଥିବା ତିନୋଟି ଆଇନ ବିରୋଧରେ ଆନ୍ଦୋଳନ କରିବା ଲାଗି ଦିଲ୍ଲୀ ସୀମାରେ ସେମାନେ ନଭେମ୍ବର ୨୬,୨୦୨୦ରେ ପହଞ୍ଚିଥିଲେ, ସେ ଦିନକୁ ପ୍ରାୟ ବର୍ଷେ ବିତି ସାରିଲାଣି। ଐତିହାସିକ ବର୍ଷ ପୂର୍ତ୍ତିକୁ ପାଳନ କରିବା ଲାଗି ଚାଷୀ ଓ ସେମାନଙ୍କର ସମର୍ଥକମାନେ ଗତ ଶୁକ୍ରବାର ଦିନ ସିଂଘୁ, ଟିକରି ଓ ଘାଜିପୁର ଆନ୍ଦୋଳନସ୍ଥଳୀରେ ଭିଡ଼ ଜମାଇଥିଲେ।
ଏହା ଥିଲା ବିଜୟ ଓ ଦୁଃଖ, କିଛି ସ୍ମୃତି ଓ ଯୋଜନାର ଦିନ । “ଆମେ ଯୁଦ୍ଧରେ ଜିତିଛୁ, କିନ୍ତୁ ଏହା ଅନ୍ତିମ ବିଜୟ ନୁହେଁ,” ନଭେମ୍ବର ୧୯ ତାରିଖରେ ପ୍ରଧାନମନ୍ତ୍ରୀ ତିନୋଟି କୃଷି ଆଇନ ଉଚ୍ଛେଦ କରିବା ଲାଗି ଘୋଷଣା କରିବା ପରେ ସିଂଘୁଠାରେ ୩୩ ବର୍ଷ ବୟସ୍କ ଗୁରଜିତ ସିଂ ଏହା କହିଥିଲେ। ପଞ୍ଜାବର ଫିରୋଜପୁର ଜିଲ୍ଲା ଜିରା ତହସିଲରେ ଥିବା ନିଜ ଗ୍ରାମ ଆରାଇଆନୱାଲାରେ ସେ ୨୫ ଏକର ଜମିରେ ଚାଷ କରିଥାନ୍ତି।
୪୫ ବର୍ଷ ବୟସ୍କ ଗୁରଜିତ ସିଂ ଆଜାଦଙ୍କ ଗ୍ରାମ ଭଟ୍ଟିଆଁ, ଗୁରୁଦାସପୁର ଜିଲ୍ଲା କାହ୍ନୁୱାନ ତହସିଲରେ ରହିଛି, ସେଠାରେ ତାଙ୍କ କକା ନିଜର ଦୁଇ ଏକର ଜମିରେ ମୁଖ୍ୟତଃ ଗହମ ଏବଂ ଧାନ ଚାଷ କରିଥାନ୍ତି। ସେଦିନ ସିଂଘୁ ସୀମାରେ ଆଜାଦ କହିଥିଲେ, “ଏହା ସାଧାରଣ ଜନତାଙ୍କ ବିଜୟ। ଆମେ ଜଣେ ଜିଦଖୋର ପ୍ରଶାସକଙ୍କୁ ହରାଇ ଦେଇଛୁ ଏବଂ ଆମେ ଖୁସି ଅଛୁ।’’ ‘‘ନଭେମ୍ବର ୨୬ ରେ ଏହି ଯୁଦ୍ଧ ଆରମ୍ଭ ହୋଇନଥିଲା। ସେଦିନ ଏହା ଦିଲ୍ଲୀ ସୀମାରେ ପହଞ୍ଚିଥିଲା।’’ ବିଧେୟକଗୁଡ଼ିକ ଆଇନରେ ପରିଣତ ହେବାର ଢେର ପୂର୍ବରୁ ଚାଷୀମାନେ ଆନ୍ଦୋଳନ କରିବା ଆରମ୍ଭ କରିଥିଲେ। ସେପ୍ଟେମ୍ବର ୨୦୨୦ରେ ତିନୋଟି ଚାଷୀ ଆଇନ ପାରିତ ହେବା ପରେ, ଦିଲ୍ଲୀ ଆସିବା ପାଇଁ ଡାକରା ଦିଆଗଲା। ଆମେ ତାହାକୁ ଅନୁସରଣ କଲୁ।”
ଗତବର୍ଷ ମାର୍ଚ୍ଚ ମାସ ଘଟଣାବହୁଳ ଥିଲା ବୋଲି ସେ ସ୍ମରଣ କରି କହିଥିଲେ: “ଆମେ ରାଜଧାନୀ ଅଭିମୁଖେ ଯାତ୍ରା କରିବା କ୍ଷଣି ଆମ ଉପରେ ପାଣି ଫୁଆରା ମାଡ଼ କରାଗଲା। ସେମାନେ ତାର ବାଡ଼ ଘେରିଦେଲେ। କିନ୍ତୁ କଣ୍ଟା ତାର ଏବଂ ଉଚ୍ଚ ବାଡ଼କୁ ଡରି ଯାଇ ଆମର ସଂଘର୍ଷ ବନ୍ଦ କରି ଦେବା ଲାଗି ଏଠାକୁ ଆସିନଥିଲୁ।” (ଗତବର୍ଷ, ୬୨ ବର୍ଷ ବୟସ୍କ ଯୋଗରାଜ ସିଂ ମୋତେ କହିଥିଲେ ତାଙ୍କ ଭଳି ଚାଷୀ ପୁଲିସମାନଙ୍କୁ ମଧ୍ୟ ଖାଦ୍ୟ ଦେଇଛନ୍ତି, ଏବଂ ସୁରକ୍ଷାକର୍ମୀମାନେ ମଧ୍ୟ ତାଙ୍କର ସନ୍ତାନ-ତେଣୁ ଯଦି ତାଙ୍କ ଭାଗ୍ୟରେ ଲାଠି ‘ଖାଇବା’ର ଅଛି, ତା’ହେଲେ ଚାଷୀମାନେ ସେମାନଙ୍କର ପିଠି ଦେଖାଇବା ଲାଗି ପ୍ରସ୍ତୁତ ଅଛନ୍ତି)




















