ହାତରେ ପତାକା ଉଠାଇ ସେମାନେ ମଞ୍ଚ ଆଡ଼କୁ ଆଗେଇ ଚାଲିଥିଲେ-ନାଲି, ହଳଦିଆ, ସବୁଜ, ଧଳା ଓ କମଳା ରଙ୍ଗର ପତାକା। ମହିଳା ଚାଷୀମାନଙ୍କର ଏକ ଦଳ ଶୋଭାଯାତ୍ରା କରିଆସିଲେ, ସେମାନଙ୍କ ମୁଣ୍ଡରେ ସବୁଜ ରଙ୍ଗର ଓଢ଼ଣି ଥିଲା। ଟ୍ରାକ୍ଟରରେ ଚଳାଇ ପୁରୁଷମାନଙ୍କର ଦଳ ଆଗେଇ ଚାଲିଥିଲା, ସେମାନେ ଧଳା ଓ ବାଦାମୀ ଲାଲ, ହଳଦିଆ ଓ ସବୁଜ ରଙ୍ଗର ପଗଡ଼ି ପିନ୍ଧିଥିଲେ। ଦିନ ସାରା ବିଭିନ୍ନ ଦଳ ରଙ୍ଗବେରଙ୍ଗର ପତାକା କାନ୍ଧରେ ପକାଇ ମଞ୍ଚ ନିକଟ ଦେଇ ପଦଯାତ୍ରାରେ ଯାଉଥିଲେ - ପ୍ରତ୍ୟେକ ରଙ୍ଗ ଏକ ମହାକାବ୍ୟର ଛନ୍ଦ ଭଳି ପ୍ରବାହିତ ହେଉଥିଲା।
ସଂସଦରେ ପାରିତ ହୋଇଥିବା ତିନୋଟି ଆଇନ ବିରୋଧରେ ଆନ୍ଦୋଳନ କରିବା ଲାଗି ଦିଲ୍ଲୀ ସୀମାରେ ସେମାନେ ନଭେମ୍ବର ୨୬,୨୦୨୦ରେ ପହଞ୍ଚିଥିଲେ, ସେ ଦିନକୁ ପ୍ରାୟ ବର୍ଷେ ବିତି ସାରିଲାଣି। ଐତିହାସିକ ବର୍ଷ ପୂର୍ତ୍ତିକୁ ପାଳନ କରିବା ଲାଗି ଚାଷୀ ଓ ସେମାନଙ୍କର ସମର୍ଥକମାନେ ଗତ ଶୁକ୍ରବାର ଦିନ ସିଂଘୁ, ଟିକରି ଓ ଘାଜିପୁର ଆନ୍ଦୋଳନସ୍ଥଳୀରେ ଭିଡ଼ ଜମାଇଥିଲେ।
ଏହା ଥିଲା ବିଜୟ ଓ ଦୁଃଖ, କିଛି ସ୍ମୃତି ଓ ଯୋଜନାର ଦିନ । “ଆମେ ଯୁଦ୍ଧରେ ଜିତିଛୁ, କିନ୍ତୁ ଏହା ଅନ୍ତିମ ବିଜୟ ନୁହେଁ,” ନଭେମ୍ବର ୧୯ ତାରିଖରେ ପ୍ରଧାନମନ୍ତ୍ରୀ ତିନୋଟି କୃଷି ଆଇନ ଉଚ୍ଛେଦ କରିବା ଲାଗି ଘୋଷଣା କରିବା ପରେ ସିଂଘୁଠାରେ ୩୩ ବର୍ଷ ବୟସ୍କ ଗୁରଜିତ ସିଂ ଏହା କହିଥିଲେ। ପଞ୍ଜାବର ଫିରୋଜପୁର ଜିଲ୍ଲା ଜିରା ତହସିଲରେ ଥିବା ନିଜ ଗ୍ରାମ ଆରାଇଆନୱାଲାରେ ସେ ୨୫ ଏକର ଜମିରେ ଚାଷ କରିଥାନ୍ତି।
୪୫ ବର୍ଷ ବୟସ୍କ ଗୁରଜିତ ସିଂ ଆଜାଦଙ୍କ ଗ୍ରାମ ଭଟ୍ଟିଆଁ, ଗୁରୁଦାସପୁର ଜିଲ୍ଲା କାହ୍ନୁୱାନ ତହସିଲରେ ରହିଛି, ସେଠାରେ ତାଙ୍କ କକା ନିଜର ଦୁଇ ଏକର ଜମିରେ ମୁଖ୍ୟତଃ ଗହମ ଏବଂ ଧାନ ଚାଷ କରିଥାନ୍ତି। ସେଦିନ ସିଂଘୁ ସୀମାରେ ଆଜାଦ କହିଥିଲେ, “ଏହା ସାଧାରଣ ଜନତାଙ୍କ ବିଜୟ। ଆମେ ଜଣେ ଜିଦଖୋର ପ୍ରଶାସକଙ୍କୁ ହରାଇ ଦେଇଛୁ ଏବଂ ଆମେ ଖୁସି ଅଛୁ।’’ ‘‘ନଭେମ୍ବର ୨୬ ରେ ଏହି ଯୁଦ୍ଧ ଆରମ୍ଭ ହୋଇନଥିଲା। ସେଦିନ ଏହା ଦିଲ୍ଲୀ ସୀମାରେ ପହଞ୍ଚିଥିଲା।’’ ବିଧେୟକଗୁଡ଼ିକ ଆଇନରେ ପରିଣତ ହେବାର ଢେର ପୂର୍ବରୁ ଚାଷୀମାନେ ଆନ୍ଦୋଳନ କରିବା ଆରମ୍ଭ କରିଥିଲେ। ସେପ୍ଟେମ୍ବର ୨୦୨୦ରେ ତିନୋଟି ଚାଷୀ ଆଇନ ପାରିତ ହେବା ପରେ, ଦିଲ୍ଲୀ ଆସିବା ପାଇଁ ଡାକରା ଦିଆଗଲା। ଆମେ ତାହାକୁ ଅନୁସରଣ କଲୁ।”
ଗତବର୍ଷ ମାର୍ଚ୍ଚ ମାସ ଘଟଣାବହୁଳ ଥିଲା ବୋଲି ସେ ସ୍ମରଣ କରି କହିଥିଲେ: “ଆମେ ରାଜଧାନୀ ଅଭିମୁଖେ ଯାତ୍ରା କରିବା କ୍ଷଣି ଆମ ଉପରେ ପାଣି ଫୁଆରା ମାଡ଼ କରାଗଲା। ସେମାନେ ତାର ବାଡ଼ ଘେରିଦେଲେ। କିନ୍ତୁ କଣ୍ଟା ତାର ଏବଂ ଉଚ୍ଚ ବାଡ଼କୁ ଡରି ଯାଇ ଆମର ସଂଘର୍ଷ ବନ୍ଦ କରି ଦେବା ଲାଗି ଏଠାକୁ ଆସିନଥିଲୁ।” (ଗତବର୍ଷ, ୬୨ ବର୍ଷ ବୟସ୍କ ଯୋଗରାଜ ସିଂ ମୋତେ କହିଥିଲେ ତାଙ୍କ ଭଳି ଚାଷୀ ପୁଲିସମାନଙ୍କୁ ମଧ୍ୟ ଖାଦ୍ୟ ଦେଇଛନ୍ତି, ଏବଂ ସୁରକ୍ଷାକର୍ମୀମାନେ ମଧ୍ୟ ତାଙ୍କର ସନ୍ତାନ-ତେଣୁ ଯଦି ତାଙ୍କ ଭାଗ୍ୟରେ ଲାଠି ‘ଖାଇବା’ର ଅଛି, ତା’ହେଲେ ଚାଷୀମାନେ ସେମାନଙ୍କର ପିଠି ଦେଖାଇବା ଲାଗି ପ୍ରସ୍ତୁତ ଅଛନ୍ତି)
ଗତ ସପ୍ତାହରେ ସିଂଘୁ ଠାରେ ପଟିଆଲା ଜିଲ୍ଲାର ଦାଉଁ କାଲାଁ ଗ୍ରାମର ରାଜିନ୍ଦର କୌର ମଧ୍ୟ ଉପସ୍ଥିତ ଥିଲେ- ସେ ଆନ୍ଦୋଳନସ୍ଥଳୀକୁ ୨୬ ଥର ଆସିଥିଲେ। “ଏହି ଆନ୍ଦୋଳନ ଆରମ୍ଭ ହେବା ପରଠାରୁ ମୁଁ ପଟିଆଲାର ଏକ ଟୋଲ ପ୍ଲାଜାରେ ସ୍ୱେଚ୍ଛାକୃତ ସେବା କରୁଥିଲି”, ୪୮ ବର୍ଷ ବୟସ୍କା ରାଜିନ୍ଦର କହିଥିଲେ, ଯାହାଙ୍କ ପରିବାର ନିଜର ପାଞ୍ଚ ଏକର ଜମିରେ ଚାଷ କରିଥାନ୍ତି। “ପ୍ରଥମେ, ସେ (ପ୍ରଧାନମନ୍ତ୍ରୀ) ଆଇନ ଲାଗୁ କଲେ। ପରେ ସେ ସେଗୁଡ଼ିକୁ ଉଚ୍ଛେଦ କଲେ। ଏହା ମଧ୍ୟରେ ଆମେ ଅନେକ କ୍ଷତି (ଜୀବନ ଓ ଜୀବିକା) ସହିଲୁ। ଆରମ୍ଭରୁ ସେହି ଆଇନ ଆଣିବାର ନଥିଲା ଏବଂ ଯଦି ସେ ଏପରି କଲେ, ତା’ହେଲେ ବହୁ ପୂର୍ବରୁ ଏହାକୁ ଉଚ୍ଛେଦ କରିଦେବାର ଥିଲା।”
୧୨ ମାସ ଧରି, ପ୍ରଧାନମନ୍ତ୍ରୀ ଆଇନ ଉଚ୍ଛେଦ କରିନଥିବା କାରଣରୁ, ଚାଷୀମାନେ ହାଡ଼ଭଙ୍ଗା ଶୀତୁଆ ପବନକୁ ସହି ଚାଲିଥିଲେ ଏବଂ ସରକାର ସେମାନଙ୍କ ଦାବିକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରି ଚାଲିଥିଲେ। ପ୍ରଖର ସୂର୍ଯ୍ୟ କିରଣକୁ ସେମାନେ ସାହସର ସହିତ ମୁକାବିଲା କରିଥିଲେ, ରାଜପଥରେ ଥିବା ତାଙ୍କ ଶିବିରକୁ ଝଡ଼ ଓ ବର୍ଷା ଉଡ଼ାଇ ନେଇଥିଲା। ସେମାନଙ୍କର ପାଣି ଓ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଦିଆଯିବ ବୋଲି ଧମକ ଦିଆଗଲା। ମହାମାରୀର ବିପଦ ସମୟରେ ସେମାନେ ଶୌଚାଳୟର ଅଭାବ ମଧ୍ୟରେ ଥାଇ ସୁଦ୍ଧା ସଂଘର୍ଷ କରୁଥିଲେ।
“ସରକାର ଭାବୁଥିଲେ ଆମେ ଥକିଯିବୁ ଏବଂ ଏଠାରୁ ଚାଲିଯିବୁ। କିନ୍ତୁ ଆମେ ଏଠାରେ ରହିଲୁ,” ଆଜାଦ କହିଥିଲେ। ଗୋଟିଏ ପଟେ ଚାଷୀମାନେ ସଂକଳ୍ପବଦ୍ଧ ହୋଇ ଆନ୍ଦୋଳନ ଜାରି ରଖିଥିବା ବେଳେ ମୁଖ୍ୟଧାରାର ବହୁ ଗଣମାଧ୍ୟମ ସେମାନଙ୍କୁ ନିନ୍ଦିତ କରିବା ଲାଗି ଚେଷ୍ଟା କରିଥିଲେ। ଚାଷୀଙ୍କ ପ୍ରତି ସମର୍ପିତ ଏକ ଜଣାଶୁଣା ସାମାଜିକ ଗଣମାଧ୍ୟମ ମଞ୍ଚକୁ ସ୍ୱେଚ୍ଛାକୃତ ଭାବେ ଆଜାଦ ସେବା ଦେଇଥାନ୍ତି। ସେ କହିଥିଲେ, ଚାଷୀମାନଙ୍କୁ ଅଶିକ୍ଷିତ, ଖଲିସ୍ତାନୀ ଏବଂ ଆହୁରି ଅନେକ କଥା କହି ନିନ୍ଦିତ କରିବା ଲାଗି ଚେଷ୍ଟା କରାଯାଇଥିଲା। “ସେମାନେ କହିଲେ, ଆମେ ଅଶିକ୍ଷିତ ଏବଂ ନିଜ ପାଇଁ ଭାବିବା ଓ ଚିନ୍ତା କରିବା ଲାଗି ଆମର ସାମର୍ଥ୍ୟକୁ ସେମାନେ ପ୍ରଶ୍ନ ଉଠାଇଥିଲେ। ମୁଁ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କଲି ଓ ଏହାକୁ ଖଣ୍ଡନ କରିବା ଲାଗି ଲେଖିବା ଆରମ୍ଭ କଲି”, ସେ କହିଥିଲେ।
ଗୁରଜିତ ସିଂ ଆହୁରି କହିଥିଲେ, “ଏହି ଆନ୍ଦୋଳନ ଆମକୁ ଅନେକ କିଛି ଶିଖାଇଛି। ସତ୍ୟ ପାଇଁ ସଂଘର୍ଷ ଯେତେ କଷ୍ଟକର ହେଉ ପଛେ, ସବୁବେଳେ ସତ୍ୟର ହିଁ ବିଜୟ ହୋଇଥାଏ। ଏବଂ ଏହା ଅତିକମ୍ରେ ଦେଶର ଆଇନ ନିର୍ମାତାମାନଙ୍କୁ ଗୋଟିଏ କଥା ଶିକ୍ଷା ଦେଲା – ଦେଶର ଲୋକମାନଙ୍କ ଉପରେ ଏପରି ଅନ୍ୟ କୌଣସି ଆଇନ ଲଦିଦେବା ପୂର୍ବରୁ ହଜାର ଥର ଚିନ୍ତା କରିବା ଦରକାର।”
୧୫ ବର୍ଷ ପୂର୍ବେ ଦୁର୍ଘଟଣାରେ ନିଜର ବାମ ଗୋଡ଼ ହରାଇଥିବା ଫତେଗଡ଼ ସାହିବ ଜିଲ୍ଲା ଅଧୀନ ଖାମାନନ ତହସିଲର ମୋହନ ମାଜ୍ରା ଗ୍ରାମ ବାସିନ୍ଦା ୪୭ ବର୍ଷୀୟ କୃଷକ ସୁଖଦେବ ସିଂ କହିଥିଲେ, “ଆମେ ବିଜୟୀ ହେଲୁ, ଏବଂ କେବଳ ଆମେ ସମ୍ପୂର୍ଣ୍ଣ ଜିତିଲେ ହିଁ ଏହି ସ୍ଥାନ ଛାଡ଼ିବୁ। ଆଇନ (ଉଚ୍ଛେଦ) ଘୋଷଣା କରାଯିବା ପରେ ଆମକୁ ଘରକୁ ପଠାଇ ଦିଆଯିବା ପ୍ରତି ଧ୍ୟାନ ଦିଆଯାଉଛି। ଉଚ୍ଛେଦ ପାଇଁ ସଂସଦୀୟ ପ୍ରକ୍ରିୟା ଶେଷ ନହେବା ଏବଂ ବିଦ୍ୟୁତ ବିଲ୍ (ସଂଶୋଧନ ବିଲ୍, ୨୦୨୦) ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆମେ ଫେରିଯିବୁ ନାହିଁ।”
ବର୍ଷ ସାରା ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଚାଷୀମାନେ ଯେପରି ଶାନ୍ତିପୂର୍ଣ୍ଣ ରହିଥିଲେ, ନଭେମ୍ବର ୨୬ ତାରିଖରେ ଉତ୍ସବ ପାଳନ କରିବା ସମୟରେ ମଧ୍ୟ ସେହିପରି ଶାନ୍ତିପୂର୍ଣ୍ଣ ଥିଲେ। ସେମାନେ ନାଚିଥିଲେ, ଗାଇଥିଲେ ଏବଂ ପରସ୍ପର ମଧ୍ୟ ମିଠା ଓ ଫଳ ବାଣ୍ଟିଥିଲେ – ବୁନ୍ଦି ଲଡ୍ଡୁ, ବରଫି ଓ କଦଳୀ ବାଣ୍ଟିଥିଲେ। ଲଙ୍ଗର ଓ ଅନ୍ୟ ସେବା ଜାରି ରହିଛି।
ନଭେମ୍ବର ୨୬ ତାରିଖରେ ସିଂଘୁ ଓ ଟିକରି ସୀମାରେ ବିଭିନ୍ନ କ୍ଷେତ୍ରର ଲୋକ ଏବଂ ପେସାଦାରମାନେ ଉପସ୍ଥିତ ଥିଲେ, ସେମାନେ ଚାଷୀମାନଙ୍କୁ ଅଭିନନ୍ଦନ ଜଣାଇବାକୁ ଏଠାକୁ ଆସିଥିଲେ। ବହୁଲୋକ ମଧ୍ୟ କାନ୍ଦିଥିଲେ।
ମଞ୍ଚରେ ବହୁ ଚାଷୀ ନେତା ବସିଥିଲେ ଏବଂ ଆଗରେ ବସିଥିବା ମହିଳା ଓ ପୁରୁଷ ଚାଷୀମାନେ ଉତ୍ସାହ ଏବଂ ଗର୍ବର ସହିତ ପ୍ରତ୍ୟେକ ସ୍ଲୋଗାନରେ ସାମିଲ ହେଉଥିଲେ। ମଞ୍ଚରେ ବକ୍ତବ୍ୟ ଦେଉଥିବା ଥିବା ପ୍ରତ୍ୟେକ ବ୍ୟକ୍ତି ଗତବର୍ଷର ସଂଘର୍ଷ କାଳରେ ପ୍ରାଣ ହରାଇଥିବା ପ୍ରାୟ ୭୦୦ଚାଷୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଆଜାଦ୍ କହିଥିଲେ, “ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଏଠାକୁ ଆସିଥିବା ଚାଷୀମାନେ କେବଳ ବିଜୟର ଉଲ୍ଲାସକୁ ପାଳନ କରିବା ଲାଗି ନୁହେଁ, ବରଂ ଆନ୍ଦୋଳନ କାଳରେ ପ୍ରାଣ ହରାଇଥିବା ସହିଦମାନଙ୍କୁ ସମ୍ମାନ ଜଣାଇବା ଲାଗି ଆସିଥିଲେ।” ଗୁରଜିତ ଆହୁରି କହିଥିଲେ, “ଆମେ ଖୁସି କିମ୍ବା ଦୁଃଖରେ ଅଛୁ ଜାଣିପାରୁନାହୁଁ। ଏହି ଆନ୍ଦୋଳନ ପାଇଁ ନିଜର ଜୀବନ ବଳି ଦେଇଥିବା ସହଯୋଗୀ ଆନ୍ଦୋଳନକାରୀଙ୍କ କଥା ଭାବିଲେ ଏବେ ବି ଆମ ଆଖି ଲୁହରେ ଭରି ଯାଉଛି। ଆମେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛୁ।”
ଅମ୍ରିତସରର ଅଜନାଲା ତହସିଲ ଅନ୍ତର୍ଗତ ସେନସରା ଗ୍ରାମର ୮୭ ବର୍ଷ ବୟସ୍କ ମୁଖତାର ସିଂ ସିଂଘୁ ସୀମାକୁ ଆସିବା ଲାଗି ସମ୍ପୂର୍ଣ୍ଣ ଭାବେ ସଂକଳ୍ପବଦ୍ଧ ଥିଲେ। ସେଠାରେ ତାଙ୍କର ନଅ ଏକର ଜମି ରହିଛି। ସେ ଅତି କଷ୍ଟରେ ଚାଲିପାରନ୍ତି ଓ କଥା କହିପାରନ୍ତି। ଅଣ୍ଟା ପାଖରୁ ନଇଁ ପଡ଼ିଲେଣି, ହାତରେ ଖଣ୍ଡେ ବାଡ଼ି ଧରିଛନ୍ତି। ଛୋଟ ଛୋଟ ପାଦ ପକାଇ ସେ ମଞ୍ଚ ଆଡ଼କୁ ଚାଲି ଚାଲି ଯାଉଥିଲେ। ଆଇନ ଉଚ୍ଛେଦ ପାଇଁ ଘୋଷଣା ହେବା ପରେ ସେ ଆନ୍ଦୋଳନସ୍ଥଳୀକୁ ଯିବା ଲାଗି ଇଚ୍ଛା ପ୍ରକଟ କରି ନିଜ ପୁଅ ସୁଖଦେବ ସିଂ (୩୬)ଙ୍କୁ କହିଥିଲେ। ସେ ସୁଖଦେବଙ୍କୁ କହିଥିଲେ ଯେ, ସାରା ଜୀବନ ସେ ଚାଷୀଙ୍କ ପାଇଁ କାମ କରିଛନ୍ତି (କୃଷକ ସଂଗଠନର ସଦସ୍ୟ ଭାବେ)। ଏବେ ସେ ଆନ୍ଦୋଳନସ୍ଥଳୀ ଦେଖିବାକୁ ଚାହୁଁଛନ୍ତି ଯାହାଫଳରେ ସେ ଶାନ୍ତିରେ ମୃତ୍ୟୁବରଣ କରିପାରିବେ।
ଗୁରଦାସପୁରର ବଟାଲା ବ୍ଲକ ହରଚୋୱାଲ ଗ୍ରାମର ଚାଷୀ ୫୮ ବର୍ଷୀୟ କୁଲୱନ୍ତ ସିଂ କୁହନ୍ତି, ଏକ ବର୍ଷ ଲମ୍ବା ସଂଘର୍ଷପୂର୍ଣ୍ଣ ପ୍ରତୀକ୍ଷା କାରଣରୁ ସେ ଆଇନ ଉଚ୍ଛେଦକୁ ନେଇ ସନ୍ଦିହାନ ହୋଇପଡ଼ିଥିଲେ। “ଏହାପରେ ମୁଁ ମନରେ ଆଶା ଜଗାଇବା ଲାଗି ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଲି ଏବଂ ନିଜକୁ କହିଲି – ଚର୍ଦିକଲାଁ (ଆଶାବାଦୀ ରହିବା ଲାଗି ଏକ ପଞ୍ଜାବୀ ଉକ୍ତି)
ଚାଷୀମାନେ ସେମାନଙ୍କର ଅନ୍ୟ ଦାବି ବିଷୟରେ ମଧ୍ୟ କହିଥିଲେ, ଏଥିରେ ସେମାନଙ୍କ ଫସଲ ପାଇଁ ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ର ଏକ ଆଇନଗତ ଅଧିକାର ଏବଂ ଲକ୍ଷୀମପୁର ଖେରୀରେ ପ୍ରାଣ ହରାଇଥିବା ଚାଷୀଙ୍କ ପାଇଁ ନ୍ୟାୟ ସାମିଲ ରହିଛି। ଏସବୁ ପ୍ରସଙ୍ଗ ସମେତ ଅନ୍ୟ ପ୍ରସଙ୍ଗକୁ ନେଇ ସଂଘର୍ଷ ଜାରି ରହିବ। ସେତେବେଳକୁ ଏକ ଉଲ୍ଲେଖନୀୟ ବର୍ଷ ବିତିଯାଇଥିବ। ଏ ପରିପ୍ରେକ୍ଷୀରେ କବି ଇକବାଲଙ୍କ ପଂକ୍ତି ମନକୁ ଆସୁଛି :
“
ଜିସ ଖେତ ସେ ଦେହକନ
କୋ ମୟାସ୍ସର ନହିଁ ରୋଜି
ଉସ୍ ଖେତ କେ ହର ଖୋସା-ଇ-ଗନ୍ଦୁମ କୋ ଜଲା ଦୋ”
(“ସେହି କ୍ଷେତ ଖୋଜି ଆଣ ଯାହାର ଫସଲ
ଚାଷୀଙ୍କ ଭାତ ହାଣ୍ଡି ନୁହେଁ
ଗହମର ପ୍ରତି ପାଚିଲା କେଣ୍ଡାକୁ ଶସ୍ୟାଗାରରେ ସାଇତି ରଖ”)
ଅନୁବାଦ : ଓଡ଼ିଶାଲାଇଭ୍