“ମୋର ଚାଷଜମି ନାହିଁ କି ମୋ ପୂର୍ବପୁରୁଷଙ୍କର ବି ନଥିଲା,” କମଲଜିତ କୌର କହନ୍ତି । “ତଥାପି, ମୁଁ ଯେତେ କମ୍ ହେଲେ ବି, ଆମ ଚାଷୀମାନଙ୍କ ସହାୟତା କରିବା ପାଇଁ ଏଠାକୁ ଆସିଛି । କାରଣ, ଆଜି ଯଦି ମୁଁ ତାହା ନ କରିବି, ତେବେ ଆଗାମୀ ଦିନରେ ମୋ ପିଲାମାନଙ୍କ ଥାଳିରେ ଆହାର ରଖିବା ଲାଗି ମତେ ବଡ଼ ବଡ଼ କମ୍ପାନୀର ଲୋଭ ସହ ଲଢ଼ିବାକୁ ପଡ଼ିବ ।”
ପଞ୍ଜାବ ଲୁଧିଆନାର ଜଣେ ଶିକ୍ଷୟିତ୍ରୀ ୩୫ ବର୍ଷୀୟା କମଲଜିତ ଓ ତାଙ୍କର କେତେକ ବନ୍ଧୁ ସିଂଘୁର ଏକ ଛାଇ ଜାଗାରେ ଦୁଇଟି ସିଲେଇ ମେସିନ ଚଲାଉଛନ୍ତି । ଥରକେ ତିନି ଦିନ ପାଇଁ ପାଳି କରି ସେମାନେ ଆନ୍ଦୋଳନ ସ୍ଥଳକୁ ଆସନ୍ତି, ଏବଂ ଏଠାରେ,ବିନା ପାଉଣାରେ, ଆନ୍ଦୋଳନରତ କୃଷକମାନଙ୍କର ସାର୍ଟରୁ ହଜି ଯାଇଥିବା ବୋତାମ ଲଗାଇ ଦିଅନ୍ତି କିମ୍ବା ଶାଲୱାର-କମୀଜ ଭଳି ପୋଷାକ ଚିରି ଯାଇଥିଲେ ସିଲେଇ କରିଦିଅନ୍ତି । ସେମାନଙ୍କର ଏହି ସିଲେଇ ଷ୍ଟଲକୁ ପ୍ରତି ଦିନ ପ୍ରାୟ ୨୦୦ ଲୋକ ଆସିଥାଆନ୍ତି ।
ସିଂଘୁରେ ଅନେକ ରଙ୍ଗରେ ଏବଂ ଅତି ଉଦାରତାପୂର୍ଣ୍ଣ ଢଙ୍ଗରେ ଏଭଳି ଅନେକ ସେବା ଉପଲବ୍ଧ ହେଉଛି– ଆଉ ଏ ସବୁ କେବଳ ଆନ୍ଦୋଳନକୁ ସମର୍ଥନ ଜଣାଇବା ଲାଗି ହିଁ କରାଯାଉଛି।
ସେବା ପ୍ରଦାନକାରୀଙ୍କ ମଧ୍ୟରେ ଅଛନ୍ତି ଇର୍ଶାଦ (ପୂରା ନାଁ ମିଳିନାହିଁ) । ସିଂଘୁ ସୀମାରୁ ପ୍ରାୟ ଚାରି କିଲୋମିଟର ଦୂର କୁଣ୍ଡି ଶିଳ୍ପାଞ୍ଚଳରେ ଅବସ୍ଥିତ ଟିଡିଆଇ ମଲ୍ ବାହାରେ ଥିବା ଏକ ଅଣଓସାରିଆ ଗଳିମୁଣ୍ଡରେ, ଜଣେ ଶିଖ ଆନ୍ଦୋଳନକାରୀଙ୍କ ଅନାବୃତମୁଣ୍ଡକୁ ସେ ଖୁବ୍ ଜୋରରେ ମାଲିସ କରୁଛନ୍ତି । ଆଉ ଅନେକ ସେମାନଙ୍କ ପାଳି ପଡ଼ିବାକୁ ଅପେକ୍ଷା କରୁଛନ୍ତି । ଇର୍ଶାଦ କୁରୁକ୍ଷେତ୍ରର ଜଣେ ବାରିକ ଏବଂ ସେ କହନ୍ତି ଯେ ସେ କେବଳ ବିରାଦରୀବା ଭାଇଚାରା ଭାବ ଦୃଷ୍ଟିରୁ ଏଠାକୁ ଆସିଛନ୍ତି ।
ଏହି ରାସ୍ତାରେ ହିଁ ତାଙ୍କ ମିନି ଟ୍ରକ୍ ବାହାରେ ବସିଛନ୍ତି ସର୍ଦ୍ଦାର ଗୁରମିକ ସିଂହ ଏବଂ ତାଙ୍କ ଚାରିପଟେ ମାଗଣାରେ ମାଲିସ ପାଇଁ ଲୋକଙ୍କ ଭିଡ଼ ଜମିଛି । ପଞ୍ଜାବରୁ ସିଂଘୁ ଯାଏ, ଟ୍ରାକ୍ଟର ଟ୍ରଲିରେ ଖୁନ୍ଦାଖୁନ୍ଦି ହୋଇ ଆସିବା ପରେ ସେମାନଙ୍କର ମାଂସପେଶୀର ଯନ୍ତ୍ରଣା ଲାଘବ କରିବା ଲାଗି ଏହି ଭିଡ଼ ଜମିଛି । ସେ କାହିଁକି ଏଠାରେ ସାହାଯ୍ୟ କରିବାକୁ ଆସିଲେ ବୋଲି ବୁଝାଇବାକୁ ଯାଇ ସେ କହନ୍ତି, “ସେମାନେ ଏବେ ଆହୁରି ଅନେକ ପ୍ରକାର ଯନ୍ତ୍ରଣା ଭିତର ଦେଇ ଗତି କରୁଛନ୍ତି... ।”
ଚଣ୍ଡୀଗଡ଼ର ଜଣେ ଡାକ୍ତର ସୁରିନ୍ଦର କୁମାରଙ୍କ ପାଇଁ ସେବା ଯେଉଁ ରୂପ ନେଇଛି ତାହା ହେଲା ଅନ୍ୟ ଡାକ୍ତରମାନଙ୍କ ସହ ମିଶି ଏଠାରେ ଏକ ଚିକିତ୍ସା ଶିବିର ଖୋଲିବା । ଆନ୍ଦୋଳନ ସ୍ଥଳର ଅଂସଖ୍ୟ ଚିକିତ୍ସା ଶିବିର ଭିତରୁ ଏହା ଗୋଟିଏ । ସୁଦୂର କୋଲକାତା ଓ ହାଇଦ୍ରାବାଦରୁ ଆସିଥିବା ଡାକ୍ତରମାନେ ବି କେତେକ ଶିବିର ଚଳାଉଛନ୍ତି । ସୁରିନ୍ଦର କହନ୍ତି, “ଆମେ ଡାକ୍ତରୀ ଡିଗ୍ରୀ ହାସଲ ବେଳେ ଯେଉଁ ଶପଥ ନେଇଥିଲୁ, ତାହା ପୂରଣ କରିବାକୁ ହିଁ ଚେଷ୍ଟା କରୁଛୁ- ଏହି ହାଡ଼ଥରା ଶୀତରେ, ଦିନ ପରେ ଦିନ ବିତାଉଥିବା ବୟସ୍କମାନଙ୍କର ଚିକିତ୍ସା କରୁଛୁ । ସେମାନଙ୍କ ମଧ୍ୟରୁ ଅନେକ ଖୋଲା ରାସ୍ତାରେ ରହୁଛନ୍ତି ।”

















