ଅନ୍ୟ ଆଦିବାସୀ ମହିଳାଙ୍କ ସହ ସେ ଜମିରେ କାମ କରୁଥିଲେ। ସେତିକିବେଳେ ତାଙ୍କ ଗାଁ ସାଲିହାର ଜଣେ ଯୁବକ ଦୌଡିଦୌଡି ଆସି ଚିତ୍କାର କଲା, "ସେମାନେ ଆମ ଗାଁ ଉପରେ ଆକ୍ରମଣ କରୁଛନ୍ତି, ତମ ବାପାଙ୍କୁ ସେମାନେ ମାଡ଼ ମାରୁଛନ୍ତି। ସେମାନେ ଘର ପୋଡି ଦେଉଛନ୍ତି।"
'ସେମାନେ' ଥିଲେ ସଶସ୍ତ୍ର ବ୍ରିଟିଶ ପୋଲିସ। ଗାଁ ଉପରେ ସେମାନଙ୍କ ହମଲା ଥିଲା ବ୍ରିଟିଶ ରାଜ୍ର ଔଦ୍ଧତ୍ୟ। ଆହୁରି ଅନେକ ଗାଁକୁ ସେମାନେ ଧରାଶାୟୀ କରିଥିଲେ, ଜାଳି ଦେଇଥିଲେ, ଖାଦ୍ୟଶସ୍ୟ ଲୁଟ୍ କରିଥିଲେ। ବିଦ୍ରୋହୀମାନଙ୍କୁ ତାଙ୍କ ଠିକଣା ଦେଖାଇ ଦିଆଯାଇଥିଲା।
ଆଦିବାସୀ ଶବର ସଂପ୍ରଦାୟର ଦେମତୀ ଦେଇ ଶବର, ଅନ୍ୟ ୪୦ ଜଣ ଯୁବତୀଙ୍କ ସହ କ୍ଷିପ୍ରବେଗରେ ଗାଁକୁ ଆସିଲେ। ସେଇ ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ କହିଲେ, "ମୋ ବାପା ରକ୍ତ ଜୁଡୁବୁଡୁ ହୋଇ ମାଟି ଉପରେ ପଡିଥିଲେ। ତାଙ୍କ ଗୋଡରେ ଗୁଳି ବାଜିଥିଲା।"
ଏହି ସ୍ମୃତି ଗୋଟିଏ ମନକୁ ଜୀବନ୍ତ କରେ ନହେଲେ ବିତସ୍ପୃହ କରେ। "ମୁଁ ରାଗରେ ବନ୍ଧୁକ ଧରିଥିବା ସେଇ ଅଫିସର ଉପରେ ଆକ୍ରମଣ କଲି। ସେ ସମୟରେ ଆମେ ଜମି କିମ୍ବା ଜଂଗଲକୁ କାମ କରିବାକୁ ଗଲାବେଳେ ହାତରେ ଠେଙ୍ଗା ନେଇଥାଉ। ଯଦି ଜଙ୍ଗଲୀ ଜନ୍ତୁ ସାମ୍ନାକୁ ଆସନ୍ତି ତାଙ୍କୁ ମୁକାବିଲା କରିବାକୁ ହୁଏ।"
ସେ ଆକ୍ରମଣ କରିବାମାତ୍ରେ ଅନ୍ୟ ୪୦ ଜଣ ମହିଳା ଅନ୍ୟ ଫୋର୍ସମାନଙ୍କ ଉପରେ ଠେଙ୍ଗାରେ ଆକ୍ରମଣ ଆରମ୍ଭ କରିଦେଲେ। "ରାସ୍ତାରେ ସେଇ ବଦମାସକୁ ଗୋଡ଼େଇଲି। ସେ କିଛି ବାଟ ନପାଇ ଦୌଡିବାରେ ଲାଗିଲା।" ଏକଥା କହିବାବେଳେ ତାଙ୍କ ମୁହଁରେ କ୍ରୋଧ ପ୍ରକାଶ ପାଉଥିଲା। ମୁହଁ ପୋତି ହସୁଥିଲେ ମଧ୍ୟ। ସେଇ ଅଫିସରକୁ ସେ ଗାଁରେ ଗୋଡାଇଗୋଡାଇ ପିଟିଲେ। ତା ପରେ ସେ ତାଙ୍କ ବାପାଙ୍କୁ ସେଠାରୁ ଉଠାଇଥିଲେ। ସେ ପରେ ଗିରଫ ହୋଇଥିଲେ। ତେବେ ଅନ୍ୟଏକ ଆନ୍ଦୋଳନର ନେତୃତ୍ଵ ନେବାବେଳେ। କାର୍ତ୍ତିକ ଶବର ଏହି ଅଞ୍ଚଳର ଜଣେ ଜଣାଶୁଣା ବ୍ରିଟିଶ ବିରୋଧି ସଂଗଠକ।
ଏହାପରେ ନୂଆପଡ଼ା ଜିଲ୍ଲାର ତାଙ୍କ ଗାଁ 'ସାଲିହା' ରେ ଦେମତୀ ଦେଇ ଶବର 'ସାଲିହାନ' ଭାବେ ପରିଚିତ ହୋଇଥିଲେ। ଜଣେ ସଶସ୍ତ୍ର ବ୍ରିଟିଶ ଅଫିସରକୁ ଠେଙ୍ଗାରେ ପରାସ୍ତ କରିଥିବାରୁ ଓଡ଼ିଶାର ଜଣେ ସ୍ୱାଧୀନତା ସଗ୍ରାମୀ ଉତ୍ସବ ପାଳିଥିଲେ। ତାଙ୍କ ଭିତରେ ଆଜି ବି ସେଇ ନିର୍ଭୟପଣ ରହିଛି। ସେ ଏମିତି ଏକ ଅସାଧାରଣ କାମ କରିଥିବା ନିଜେ ମଧ୍ୟ ବିଶ୍ୱାସ କରି ପାରନ୍ତି ନାହିଁ। ତେବେ ସେ ଜାଗା ଉପରେ ସେମାନେ ଆଉ ରହିଲେନି। "ସେମାନେ ଆମ ଘର ଭାଙ୍ଗିଦେଲେ, ଫସଲ ନଷ୍ଟ କରିଦେଲେ। ମୋ ବାପାଙ୍କ ଉପରେ ଆକ୍ରମଣ କଲେ, ଯଦିଓ ମୁଁ ତାଙ୍କ ସହ ଲଢିଥିଲି।"
ଏହା ଥିଲା ୧୯୩୦ ମସିହାର କଥା, ଯେତେବେଳେ ତାଙ୍କୁ ୧୬ ବର୍ଷ ହୋଇଥିଲା। ବିଦ୍ରୋହ ଚାଲିଥିବା ଯେଉଁ ଅଞ୍ଚଳଗୁଡିକରେ ବୈଠକ ହେଉଥିଲା ସେଠାରେ ବ୍ରିଟିଶମାନେ ଦମନଲୀଳା କରୁଥିଲେ। ବ୍ରିଟିଶ ଏବଂ ବ୍ରିଟିଶ ସରକାରଙ୍କ ପୋଲିସ ଉପରେ ଆକ୍ରମଣ ପାଇଁ ଦେମତୀ ଶବର ସାଲିହାନ ନାମରେ ପରିଚିତ ହେଲେ।
ଦେମତୀଙ୍କୁ ମୁଁ ଭେଟିବାବେଳେ ତାଙ୍କୁ ୯୦ ପାଖାପାଖି ହୋଇଥିଲା। ତାଥାପି ତାଙ୍କ ମୁହଁରେ ସୌନ୍ଦର୍ଯ୍ୟ ଏବଂ ଶକ୍ତି ଥିଲା। ତେବେ ତାଙ୍କ ଶରୀର କ୍ଷୀଣ ହୋଇଯାଇଥିଲା, ଦୃଷ୍ଟିଶକ୍ତି ଦ୍ରୁତ ଭାବେ ହ୍ରାସ ପାଉଥିଲା। ଯୌବନ ବେଳେ ସେ ନିଶ୍ଚିତ ଡେଙ୍ଗା, ସାମର୍ଥ୍ୟବାନ ଆଉ ସୁନ୍ଦର ଥିବେ ନିଶ୍ଚୟ। ତାଙ୍କର ଲମ୍ବା ବାହୁ ଏବେ ବି ଲୁକ୍କାୟିତ ଶକ୍ତିର ସଂକେତ ଦିଏ। ଲାଠି ଧରିବା ଭଳି ସେଇ ହାତ। ସେଇ ଅଫିସରର ସେତେବେଳେ ନିଶ୍ଚିତ ଖରାପ ସମୟ ଥିଲା। ସେ ଦୌଡ଼ି ପଳାଇବା ପାଇଁ ନିଷ୍ପତ୍ତି ନେବା ବିଲକୁଲ ଠିକ୍ ଥିଲା।
ତାଙ୍କର ସେହି ସାହସ କିନ୍ତୁ ପୁରସ୍କୃତ ହୋଇନି। ତାଙ୍କ ଗାଁ ବାହାରେ ତାଙ୍କୁ କେହି ମନେ ରଖି ନାହାନ୍ତି। ସାଲିହାନଙ୍କୁ ମୁଁ ଯେତେବେଳେ ଭେଟିଲି ସେତେବେଳେ ସେ କ୍ଷୁଧାସହ ଲଢେଇ କରୁଥିଲେ। ରହୁଥିଲେ ବରଗଡ଼ ଜିଲ୍ଲାରେ। ତାଙ୍କର ଏକମାତ୍ର ସଂପତ୍ତି ଥିଲା ଏକ ରଂଗୀନ ସାର୍ଟିଫିକେଟ୍, ଯାହା ତାଙ୍କ ବୀରତ୍ୱର ବର୍ଣ୍ଣନା କରୁଥିଲା। ତେବେ ସେହି ସାର୍ଟିଫିକେଟ ଖଣ୍ଡକ ତାଙ୍କଠାରୁ ବେଶି ତାଙ୍କ ବାପାଙ୍କ କଥା କହୁଥିଲା। ସେ ଯେଉଁ ପ୍ରତିଆକ୍ରମଣ କରିଥିଲେ, ସେଥିରେ ତାର କିଛି ଉଲ୍ଲେଖ ନଥିଲା। ତାଙ୍କୁ କେନ୍ଦ୍ର କିମ୍ବା ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ପେନସନ୍ କିମ୍ବା ସହାୟତା ମିଳୁନଥିଲା।
ତାଙ୍କ ସ୍ମରଣ ଶକ୍ତି ମଧ୍ୟ କ୍ଷୀଣ ହୋଇ ଯାଇଥିଲା। କିନ୍ତୁ ତାଙ୍କ ବାପା କାର୍ତ୍ତିକ ଶବରଙ୍କୁ କେମିତି ଗୁଳି କରାଯାଇଥିଲା ସେ କଥା ସେ ଅଦୌ ଭୁଲି ନଥିଲେ। ମୁଁ ଯେତେବେଳେ ସେଇ ପ୍ରସଙ୍ଗ ଉଠାଇଲି, ତାଙ୍କ ମୁହଁରେ କ୍ରୋଧ ପ୍ରକାଶ ପାଇଲା। ସତେ ଯେମିତି ବର୍ତ୍ତମାନ ତାଙ୍କ ସାମ୍ନାରେ ସେହି ଘଟଣା ଘଟି ଯାଉଛି। ଏଇ ଘଟଣା ତାଙ୍କର ଆଉ କିଛି କାହାଣୀକୁ ବି ମନେ ପକାଇଦେଲା।




