‘‘ମୁଁ … ମୁଁ …’’ ଅନ୍ୟମାନଙ୍କ ମଧ୍ୟରୁ କେହି ମୋ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ଅମନ ମହମ୍ମଦ ମୋ ପ୍ରଶ୍ନର ଉତ୍ତର ଦେବାକୁ ଆଗ୍ରହୀ ଥିଲେ। ମୁଁ ବିନାୟକ ଚଭିଥି ନିମନ୍ତେ ଚଳିତବର୍ଷର ପେଣ୍ଡାଲ୍ର ମୁଖ୍ୟ ଆୟୋଜକଙ୍କ ସମ୍ପର୍କରେ ୧୨ କିମ୍ବା ଏହାଠାରୁ ଅଧିକ ଛୋଟ ପିଲାମାନଙ୍କର ଗୋଟିଏ ଗୋଷ୍ଠୀକୁ ପ୍ରଶ୍ନ କରିଥିଲି। ଏହି ଗୋଷ୍ଠୀରେ ସବୁଠାରୁ ବଡ଼ ଥିବା ଟି. ରାଗିଣୀ କହିଥିଲେ, ‘‘ସେ ନିଜେ ଏକୁଟିଆ ୨,୦୦୦ ଟଙ୍କା ସଂଗ୍ରହ କରିଥିଲା।’’ ତେଣୁ ଅମନଙ୍କ ଦାବି ଉପରେ କେହି ପ୍ରଶ୍ନ ଉଠାଇ ନଥିଲେ।
ତାଙ୍କର ଆଦାୟ ଏହି ବର୍ଷ ସବୁଠାରୁ ଅଧିକ ଥିଲା: ପେଣ୍ଡାଲ୍ ଆୟୋଜକମାନଙ୍କର ଏହି ଗୋଷ୍ଠୀ ଦ୍ୱାରା ଆଦାୟ କରାଯାଇଥିବା ୩,୦୦୦ ଟଙ୍କାର ଏହା ଦୁଇ-ତୃତୀୟାଂଶ ଥିଲା। ସେମାନେ ଆନ୍ଧ୍ରପ୍ରଦେଶର ଅନନ୍ତପୁର ସହରର ସାଇନଗର ଅଞ୍ଚଳରେ ତାଙ୍କ ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକରୁ ଏହି ଦାନ ସଂଗ୍ରହ କରିଥିଲେ।
ଅମନ ମୋତେ କହିଥିଲେ ଏହା ତାଙ୍କର ପ୍ରିୟ ପର୍ବ। ମୁଁ ଆଶ୍ଚର୍ଯ୍ୟ ହୋଇନଥିଲି।
ସାଇନଗରରେ ବିନାୟକ ଚଭିଥି ଉତ୍ସବ ପାଳନ ଶେଷ ହେବାର କେଇ ସପ୍ତାହ ପରେ ୨୦୧୮ର ଏକ ରବିବାର ଚାରି ଜଣ ଛୋଟ ପିଲା ମିଛିମିଛିକା ଅଭିନୟ ଖେଳ ଖେଳୁଥିବାର ମୁଁ ଦେଖିଥିଲି। ତେଣୁ ମୁଁ ଫଟୋଗୁଡ଼ିକ ନେଲି। ଏହି ଖେଳ ପିଲାମାନଙ୍କର ଏକ ପ୍ରିୟ ଖେଳ ‘ଆଭା ଆପ୍ପାଚି’ର ଏକ ପରିବର୍ତ୍ତିତ ରୂପ ଥିଲା। ବାଳକଟି ବିନାୟକ ଚଭିଥିରେ ଯେଉଁ ହିନ୍ଦୁ ଦେବତାଙ୍କର ଜନ୍ମଦିନ ପାଳନ କରାଯାଇଥିଲା, ତାଙ୍କର ଅଭିନୟ କରୁଥିଲା। ଦୁଇଜଣ ଅନ୍ୟ ପିଲା ଗଣେଶ ନିମର୍ଜନମ୍ ବା ଭଗବାନଙ୍କ ମୂର୍ତ୍ତି ବିସର୍ଜନର ଅଭିନୟ କରି ତାଙ୍କୁ ଶେଷରେ ତଳେ ବସାଇବା ପାଇଁ ଚାରିପଟେ ବୁଲାଉଥିଲେ।
ଏହି ଛୋଟ ଗଣେଶ ଥିଲେ ଅମନ ମହମ୍ମଦ। ବର୍ତ୍ତମାନ ତାଙ୍କ ବୟସ ୧୧, ସେ ଉପରେ ଥିବା ପ୍ରଚ୍ଛଦ ଫଟୋରେ ପ୍ରଥମ ଧାଡ଼ି (ଏକଦମ୍ ବାମରେ)ରେ ବସିଥିବା ବାଳକ।
ଚଳିତବର୍ଷ ଅଗଷ୍ଟ ମାସରେ ବିନାୟକ ଚଭିଥି ପାଳନ ନିମନ୍ତେ ଅମନ ଏବଂ ତାଙ୍କ ସାଙ୍ଗମାନେ ଗୋଟିଏ ପେଣ୍ଡାଲ୍ରେ ୨x୨ ଫୁଟ ଆକାରର ଭଗବାନଙ୍କ ମୂର୍ତ୍ତି ସ୍ଥାପିତ କରିଥିଲେ – ବୋଧହୁଏ ଏହା ଅନନ୍ତପୁରରେ ସବୁଠାରୁ ଛୋଟ ଥିଲା। ମୁଁ ସେମାନଙ୍କ ପେଣ୍ଡାଲ୍ର ଫଟୋ ଉଠାଇବା ପୂର୍ବରୁ ଏହା ସରି ଯାଇଥିଲା। ପିଲାମାନେ ମୋତେ କହିଥିଲେ ଯେ ସେମାନେ ଏହି ମୂର୍ତ୍ତି ଟ. ୧,୦୦୦ରେ କିଣିଥିଲେ, ଅବଶିଷ୍ଟ ଟ. ୨,୦୦୦ ଏହାକୁ ତିଆରି କରିବା ଓ ସଜାଇବାରେ ଖର୍ଚ୍ଚ ହୋଇଥିଲା। ଏହା ସାଇନଗରର ତୃତୀୟ ଛକରେ ଦରଘାର ଠିକ୍ କଡ଼ରେ ତିଆରି ହୋଇଥିଲା।







