ମଧ୍ୟାହ୍ନରେ ଦୁଇଟା ବୁଲଡୋଜର ପହଞ୍ଚିଲେ। ସ୍କୁଲ ପଡ଼ିଆରେ ଥିବା ପିଲାମାନେ ବଡ଼ ପାଟିରେ ଚିଲେଇଲେ, ‘‘ବୁଲଡ଼ୋଜର, ବୁଲଡ଼ୋଜର ... ସାର୍ ... ସାର୍ ...’’। ପିଲାଙ୍କ ବଡ଼ପାଟି ଶୁଣି ଅଧ୍ୟକ୍ଷ ପ୍ରକାଶ ପାୱର ଓ ପ୍ରତିଷ୍ଠାତା ମାଟିନ୍ ଭୋସାଲେ ଅଫିସ୍ ଭିତରୁ ବାହାରକୁ ଦୌଡ଼ି ଆସିଲେ।
ପାୱାର ପଚାରିଲେ, ‘‘ଏଠାକୁ କାହିଁକି ଆସିଛ?’’ ଜଣେ ବୁଲଡୋଜର ଡ୍ରାଇଭର କହିଲେ, ‘‘ଆମେ ଜାତୀୟ ରାଜପଥ ପାଇଁ [ଶ୍ରେଣୀଗୃହଗୁଡ଼ିକ] ଭାଂଗିବାକୁ ଚାହୁଁଛୁ। ବାହାରି ଯାଆନ୍ତୁ,’’ ଭୋସଲେ ପ୍ରତିବାଦ କଲେ, ‘‘କହିଲେ କୌଣସି ନୋଟିସ ଦିଆଯାଇ ନାହିଁ।’’ ଡ୍ରାଇଭର କହିଲେ, ‘‘ଉପରୁ [ଅମରାବତୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ] ନିର୍ଦ୍ଦେଶ ଆସିଛି।
ସ୍କୁଲ କର୍ମଚାରୀମାନେ ବେଞ୍ଚ ଓ ସବୁଜ ଲିଖନ ବୋର୍ଡଗୁଡ଼ିକୁ ଶ୍ରେଣୀଗୃହ ବାହାରକୁ ନେଇ ଆସିଲେ। ପାଠାଗାରକୁ ମଧ୍ୟ ଖାଲି କଲେ - ଆମ୍ବେଦକର, ଫୁଲେ, ଗାନ୍ଧୀ, ପୃଥିବୀ ଇତିହାସ ଏବଂ ମରାଠୀ ଭାଷାରେ ଲେଖାଯାଇଥିବା ପ୍ରାୟ ୨,୦୦୦ ଖଣ୍ଡ ବହି ଥିଲା। ଏସବୁକୁ ପାଖରେ ଥିବା ଏକ ସ୍କୁଲ ହଷ୍ଟେଲକୁ ନିଆଗଲା। ତା ପରେ ବୁଲଡୋଜର ବୁଲିଲା। ମାଟି ଉପରେ ଢଳି ପଡ଼ିଲା ଗୋଟିଏ କାନ୍ଥ।
ଦୁଇ ଘଣ୍ଟା ଧରି ବୁଲଡୋଜର ଭାଙ୍ଗିଲା। ଏହା ଥିଲା ଜୁନ୍ ୬ ତାରିଖ, ପ୍ରଶ୍ନଚିହ୍ନ ଆଦିବାସୀ ଆଶ୍ରମଶାଳା (ପ୍ରଶ୍ନ ଚିହ୍ନ ଆଦିବାସୀ ଆବାସିକ ସ୍କୁଲ)। ଏପ୍ରିଲରୁ ଆରମ୍ଭ ହୋଇଥିବା ଖରା ଛୁଟିରେ ହଷ୍ଟେଲରେ ଥିବା ପିଲାମାନେ - ସେମାନଙ୍କ ଶ୍ରେଣୀଗୃହ ଭାଙ୍ଗି ଯାଉଥିବାର ଦୃଶ୍ୟ ଦେଖିଲେ। କିଛି ପିଲା କହିଲେ, ‘‘ସେମାନେ ଏମିତି କାହିଁକି କଲେ? ଏବେ ଜୁନ ୨୬ରୁ ଆମ ସ୍କୁଲ ଆରମ୍ଭ ହୋଇପାରିବ ନାହିଁ। ’’












