ଏତେ ବେଳକୁ ଗଣେଶ ଓ ଅରୁଣ ମୁକନେ ଯଥାକ୍ରମେ ନବମ ଓ ସପ୍ତମ ଶ୍ରେଣୀରେ ପଢ଼ୁଥାନ୍ତେ’, କିନ୍ତୁ ସେମାନେ କୋଲୋଶୀରେ ଥିବା ନିଜ ଘରେ ଅଯଥା କାମରେ ସମୟ ନଷ୍ଟ କରୁଛନ୍ତି । କୋଲୋଶୀ ମୁମ୍ବାଇର ବାହ୍ୟ ଇଲାକାରେ ଥିବା ଠାଣେ ଜିଲ୍ଲାର ଏକ ଛୋଟିଆ ବସ୍ତି। ସେମାନେ ନିଜ ଆଖପାଖରେ ଥିବା କବାଡ଼ି ସାମଗ୍ରୀକୁ ଏକାଠି କରି କାର୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ତିଆରି କରୁଛନ୍ତି । ନଚେତ୍ ସେମାନଙ୍କର ମାତା-ପିତା ଇଟା ଭାଟିରେ କାମ କରିବାକୁ ଯାଇଥିବା ସମୟରେ ଏଣେତେଣେ ବସି ସମୟ ବିତାଉଛନ୍ତି।
‘‘ଏବେ ସେମାନେ ଆଉ ବହି ପଢ଼ୁନାହାନ୍ତି। ଏ ପିଲା (ଅରୁଣ) ପରିତ୍ୟକ୍ତ ସାମଗ୍ରୀ ଓ କାଠ ଖଣ୍ଡ ସହାୟତାରେ ଖେଳନା ତିଆରି କରିବାରେ ସମୟ ବିତାଉଛି। ତା’ର ସାରା ଦିନ ଖେଳିବାରେ ବିତିଯାଉଛି।’’ ସେମାନଙ୍କ ମା’ ନୀରା ମୁକାନେ କହିଥିଲେ। କିନ୍ତୁ ଅରୁଣ ତାଙ୍କ କଥାକୁ ମଝିରୁ କାଟି କହିଲା, ‘‘ମୁଁ ଆପଣଙ୍କୁ କେତେ ଥର କହିବି ଯେ ସ୍କୁଲରେ ମୋତେ ଭଲ ଲାଗୁ ନାହିଁ?’’ ଦୁଇ ଜଣଙ୍କ ଭିତରେ ଲମ୍ବା ଯୁକ୍ତିତର୍କ ଆରମ୍ଭ ହୋଇଗଲା, ତେବେ ମଝିରେ ଅରୁଣ ଉଠିଯାଇ ଯୋଡ଼ାଯୋଡ଼ି କରି ତିଆରି କରିଥିବା କାର୍ରେ ଖେଳିବାକୁ ଲାଗିଥିଲା। ନିକଟରେ ସେ ଏହି ଗାଡ଼ିକୁ ଘର ଓ ଆଖପାଖର ଅଦରକାରୀ ଜିନିଷ ସହାୟତାରେ ତିଆରି କରିଛି ।
ନୀରା (୨୬) ସପ୍ତମ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି, କିନ୍ତୁ ତାଙ୍କ ୩୫ ବର୍ଷ ବୟସ୍କ ସ୍ୱାମୀ ବିଷ୍ଣୁ ଦ୍ୱିତୀୟ ଶ୍ରେଣୀରୁ ପାଠପଢ଼ା ଛାଡ଼ି ଦେଇଥିଲେ। ମୁକନେ ପରିବାର କୌଣସି ପରିସ୍ଥିତିରେ ନିଜ ପିଲାଙ୍କୁ ଔପଚାରିକ ଶିକ୍ଷା ଦେବାକୁ ଚାହୁଁଛନ୍ତି, ଯାହାଫଳରେ ଦୁହେଁ ସେମାନଙ୍କ ମାତାପିତାଙ୍କ ଭଳି ସ୍ଥାନୀୟ ନଦୀରୁ ମାଛ ମାରିବା ଏବଂ ଇଟା ଭାଟିରେ କାମ କରିବା ବ୍ୟତୀତ ଅନ୍ୟ କୌଣସି କାମ କରିପାରିବେ। ଅନେକ ଆଦିବାସୀ ପରିବାର ଇଟା ଭାଟିରେ କାମ କରିବା ଲାଗି ପଳାୟନ କରିଥାନ୍ତି । ସେମାନେ ଶାହାପୁର-କଲ୍ୟାଣ କ୍ଷେତ୍ରରେ ଇଟାଭାଟିରେ କାମ କରନ୍ତି ।
କାତକାରୀ ସମ୍ପ୍ରଦାୟର ବାସିନ୍ଦା ବିଷ୍ଣୁ କୁହନ୍ତି, ‘‘ମୁଁ ନିଜେ ଅଧିକ ପାଠ ପଢ଼ିପାରିନାହିଁ । କିନ୍ତୁ ମୁଁ ମୋ ପିଲାମାନଙ୍କୁ ଭଲ ଭାବେ ପାଠ ପଢ଼ାଇବାକୁ ଚାହୁଁଛି।’’ କାତକାରୀ ଆଦିବାସୀ ସମୁଦାୟ ମହରାଷ୍ଟ୍ରରେ ତିନୋଟି ନିର୍ଦ୍ଦିଷ୍ଟ ଦୁର୍ବଳ ଜନଜାତି ସମୁଦାୟ (ପିଭିଡିଜି) ମଧ୍ୟରୁ ଅନ୍ୟତମ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ୨୦୧୩ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ରାଜ୍ୟରେ କାତକରୀ ସମ୍ପ୍ରଦାୟର ସାକ୍ଷରତା ହାର ମାତ୍ର ୪୧ ପ୍ରତିଶତ।
ସେଥିପାଇଁ, ଯଥେଷ୍ଟ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି କାରଣରୁ ଚାରି ବର୍ଷ ପୂର୍ବରୁ ଯେତେବେଳେ ସ୍ଥାନୀୟ ସରକାରୀ ବିଦ୍ୟାଳୟକୁ ବନ୍ଦ କରିଦେବା ଲାଗି ଘୋଷଣା କରାଗଲା, ବିଷ୍ଣୁ ଓ ତାଙ୍କର ପତ୍ନୀ ନିଜର ଦୁଇ ପୁଅଙ୍କୁ ମଢ଼ଗାଓଁରେ ଥିବା ଶାସକୀୟ ଉଚ୍ଚ ମାଧ୍ୟମିକ ଆଶ୍ରମ ବିଦ୍ୟାଳୟରେ ନାମ ଲେଖାଇଥିଲେ। ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ମଢ଼ ଆଶ୍ରମଶାଳା ନାମରେ ପ୍ରସିଦ୍ଧ ଏହି ରାଜ୍ୟ ସରକାରଙ୍କ ପରିଚାଳିତ ଆବାସିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢ଼ାର ବ୍ୟବସ୍ଥା ରହିଛି, ଏବଂ ଏହା ଠାଣେ ଜିଲ୍ଲାର ମୁରୱାଡ଼ଠାରୁ ୩୦ କିଲୋମିଟର ଦୂରରେ ଏହି ବିଦ୍ୟାଳୟ ରହିଛି । ମୋଟ୍ ୩୭୯ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ସେମାନଙ୍କ ଦୁଇ ପୁଅଙ୍କ ସହିତ ୧୨୫ ଜଣ ଆବାସିକ ଛାତ୍ରଛାତ୍ରୀ ଥିଲେ । ବିଷ୍ଣୁ କୁହନ୍ତି, ‘‘ମୁଁ ବେଶ ଖୁସି ଥିଲି, କାରଣ ସ୍କୁଲରେ ସେମାନଙ୍କ ପାଠପଢ଼ା ଓ ଭୋଜନ ଉଭୟର ବ୍ୟବସ୍ଥା ଥିଲା। କିନ୍ତୁ ସେମାନଙ୍କ କଥା ବେଶୀ ମନେ ପଡ଼ୁଥିଲା।’’







