‘‘ଆମେ ହିଁ ପଶମୀନା ଶାଲକୁ କୋମଳ କରି ଚିକ୍କଣ କରିଥାଉ।’’
ଶ୍ରୀନଗରରେ ଅବଦୁଲ ମଜୀଦ୍ ଲୋନଙ୍କ ଘର ଅଡ଼ୁଆ ସୂତାରେ ଅନାବନା ଦେଖାଯାଉଛି। ଚଟାଣରେ ବସି, ହାତରେ ଗୋଟିଏ ୱାଚ (ଏକ ଧାରୁଆ ଲୁହା ଉପରକରଣ) ଧରି ସେ କୁଶଳତା ପୂର୍ବକ ବିଛାଡ଼ି ହୋଇ ପଡ଼ିଥିବା ସୂତାକୁ ଭିଣୁଛନ୍ତି ଏବଂ ନୂଆକରି ବୁଣା ହୋଇଥିବା ପଶମିନା ଶାଲ୍ରୁ ଲିଣ୍ଟ୍ ବାହାର କରୁଛନ୍ତି। ସେ କୁହନ୍ତି, ‘‘ଆମ ଭଳି ଏକ କଳା ଅଛି ବୋଲି ଖୁବ୍ କମ୍ ଲୋକ ଜାଣନ୍ତି।’’
ଏହି ୪୨ ବର୍ଷ ବୟସ୍କ ଶିଳ୍ପୀ ଶ୍ରୀନଗର ଜିଲ୍ଲାର ନୱା କଦଲ ୱାର୍ଡରେ ରୁହନ୍ତି। ସେ ଅଧିକ ଦାମ୍ର ଏକ ପଶ୍ମୀନା ଶାଲ୍ରୁ ହାତରେ ପୁର୍ଜ (ଲିଣ୍ଟ ବା ସୂତା) ବାହାର କରିବା ଲାଗି ୱଚ୍ ଉପଯୋଗ କରିଥାନ୍ତି। ଏହି କାମକୁ ପୁରଜଗାରୀ କୁହାଯାଏ ଏବଂ କେବଳ ଶ୍ରୀନଗରରେ ଏପରି ୨୦୦ରୁ ଅଧିକ ଶିଳ୍ପୀ କାମ କରୁଛନ୍ତି। ଅବଦୁଲ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ପୁରଜଗାର ଶିଳ୍ପୀ ଭାବେ କାମ କରି ଆସୁଛନ୍ତି। ଆଠ ଘଣ୍ଟା କାମ କରିବା ତାଙ୍କୁ ପ୍ରାୟ ୨୦୦ ଟଙ୍କା ମିଳିଥାଏ।
ବୁଣା ହୋଇଥିବା, ରଙ୍ଗ ଦିଆଯାଇଥିବା ଏବଂ ଏମ୍ବ୍ରୋଡୋରୀ ହୋଇଥିବା ସବୁ ପ୍ରକାରର ପଶମିନା ଶାଲ୍ ପାଇଁ ହାତରେ ପୁରଜଗାରୀ କାମ ହୁଏ। ଏହି କପଡ଼ାର କୋମଳ ପ୍ରକୃତି ଯୋଗୁଁ କୌଣସି ମେସିନ୍ କାମ କାରୀଗରମାନଙ୍କ କୁଶଳୀ ହାତ କାମ ସହିତ ତୁଳନୀୟ ହୋଇପାରେ ନାହିଁ।
ପୁରଜଗାରୀ ପାଇଁ ଏକ ୱଚ୍ ଜରୁରି। ନିଜ ଆଗରେ କାଠ ତନ୍ତରେ ଭିଡ଼ା ହୋଇ ବନ୍ଧା ହୋଇଥିବା ଏକ ଶାଲକୁ ଧ୍ୟାନର ସହକାରୀ ଦେଖିବା ସହିତ ଅବଦୁଲ କୁହନ୍ତି, ‘‘ଆମର ସମ୍ପୂର୍ଣ୍ଣ ରୋଜଗାର ଏକ ୱଚ ଏବଂ ଏହାର ଗୁଣବତ୍ତା ଉପରେ ନିର୍ଭର କରିଥାଏ।’’ ‘‘ବିନା ୱଚରେ ପଶମିନା ଶାଲ୍କୁ ନିଖୁଣ ରୂପ ଦେବା ଆମ ପାଇଁ କଷ୍ଟକର।’’














