୨୦୨୦ ମସିହା ଡିସେମ୍ବର ମାସରେ ସୁରେନ୍ଦ୍ର କୁମାର ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ସୀମାରେ ଥିବା ଗାଜିପୁରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୃଷକମାନଙ୍କ ଲାଗି ରୋଷେଇ କରିବା ପାଇଁ ସପ୍ତାହର ଗୋଟିଏ ଦିନରେ ଚାରି ଘଣ୍ଟା ସମୟ ବାହାର କରିଥାନ୍ତି। ଧୀରେ ଧୀରେ ଏହା ଆଠ ଘଣ୍ଟାକୁ ବୃଦ୍ଧି ପାଇଲା, ଏବଂ ବର୍ତ୍ତମାନ ସୁରେନ୍ଦ୍ର ବିକ୍ଷୋଭକାରୀଙ୍କ ରୋଷେଇ କାର୍ଯ୍ୟ ପାଇଁ ସପ୍ତାହରେ ପ୍ରାୟ ୧୨ ଘଣ୍ଟା ସମୟ ବିନିଯୋଗ କରୁଛନ୍ତି।
ପଶ୍ଚିମ ୟୁପିରୁ ଗାଜିପୁରର ଏହି ଆନ୍ଦୋଳନରେ ଯୋଗ ଦେବାକୁ ଆସୁଥିବା କୃଷକଙ୍କ ସଂଖ୍ୟା ବଢିବାକୁ ଲକ୍ଷ୍ୟ କରି ୫୮ ବର୍ଷୀୟ ସୁରେନ୍ଦ୍ର କୁହନ୍ତି, "ମୋତେ ଏହି ହାରରେ ପ୍ରତିଦିନ ରୋଷେଇ କରିବାକୁ ପଡ଼ିବ।"
ସୁରେନ୍ଦ୍ର ଜଣେ ହାଲୱାଇ (ଗୁଡିଆ) ଯିଏ ୟୁପିର ମୁଜାଫରନଗର ଜିଲ୍ଲାର ଶୌରୋନ ଗ୍ରାମରେ (କିମ୍ବା ସୋରାମ) ଏକ ଦୋକାନ ପରିଚାଳନା କରନ୍ତି। ସେ କୁହନ୍ତି, "ଆମେ ଏଠାରେ [ଗାଁରେ] ଖାଦ୍ୟ ରାନ୍ଧୁ ଏବଂ ଟ୍ରାକ୍ଟର ଓ କାର୍ରେ ସୀମାକୁ ପଠାଇଥାଉ। ଗାଁ ବାସିନ୍ଦା ସପ୍ତାହରେ ଥରେ ଗାଜିପୁରକୁ ଖାଦ୍ୟ ପଠାଇଥାନ୍ତି।
ସୁରେନ୍ଦ୍ର କୁହନ୍ତି, "ପ୍ରଥମେ ପଶ୍ଚିମ ୟୁପିର କୃଷକମାନେ ବହୁ ସଂଖ୍ୟାରେ ସେଠାରେ ନଥିଲେ। ତେଣୁ ମୁଁ ମୋର ଦୋକାନକୁ ପରିଚାଳନା କରିପାରୁଥିଲି, ଏବଂ ପ୍ରତି ସପ୍ତାହରେ କିଛି ଘଣ୍ଟା [ରାନ୍ଧିବାରେ] ବିତାଇ ପାରୁଥିଲି। କିନ୍ତୁ ଦିନକୁ ଦିନ ଏହି ଭାର ବଢିବାରେ ଲାଗିଛି।"
ଶୌରୋନଠାରୁ ପ୍ରାୟ ୯୫ କିଲୋମିଟର ଦୂରରେ ଥିବା ଗାଜିପୁର, ହେଉଛି ୨୦୨୦ ମସିହା ନଭେମ୍ବର ମାସ ୨୬ ତାରିଖରେ ଦିଲ୍ଲୀ ସୀମାରେ ଆରମ୍ଭ ହୋଇଥିବା ନୂତନ କୃଷି ଆଇନ ବିରୋଧରେ କୃଷକଙ୍କ ବିକ୍ଷୋଭର ତିନୋଟି ମୁଖ୍ୟସ୍ଥାନ ମଧ୍ୟରୁ ଅନ୍ୟତମ। ଭାରତୀୟ କିଷାନ ୟୁନିୟନ(ବିକେୟୁ)ର ନେତା ରାକେଶ ଟିକାଏତଙ୍କ ଭାବପ୍ରବଣ ଆବେଦନକୁ ସମର୍ଥନ କରି ପଶ୍ଚିମ ୟୁପିରୁ କୃଷକମାନଙ୍କର ଏକ ବଡ ଗୋଷ୍ଠୀ ଜାନୁଆରୀ ମାସର ଶେଷଭାଗରେ ବିକ୍ଷୋଭ ସ୍ଥଳରେ ପହଞ୍ଚିବା ଆରମ୍ଭ କରିଥିଲେ।









