ଗତ ଦୁଇରାତି ଯେ ସେ ପ୍ରାୟ ଶୋଇ ନାହାନ୍ତି ତାହା ଯମୁନା ଯାଦବଙ୍କୁ ଦେଖିଲେ ଜଣାପଡ଼ୁ ନଥିଲା । ସେ ହସୁଥିଲେ- ହାତ ଉଠାଇ ଦୃଢ଼ ଭାବରେ କହୁଥିଲେ, ‘ଲାଲ୍ ସଲାମ୍’ । ‘‘ଆମେ ଆଗାମୀ ଦୁଇଦିନକୁ ଆଗ୍ରହର ସହ ଅପେକ୍ଷା କରିଛୁ।’’
ସେ ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର ଦୁଧଗାଓଁ ଗ୍ରାମରୁ ୬ଘଣ୍ଟା ପୂର୍ବେ ଦିଲ୍ଲୀରେ ପହଞ୍ଚିଛନ୍ତି। ସେ କୁହନ୍ତି, ‘‘ଆମେ ନଭେମ୍ବର ୨୭ ରାତିରେ ନାସିକ୍ରୁ ଟ୍ରେନ୍ ଧରିଲୁ। ଆମର ରିଜର୍ଭେସନ୍ ବର୍ଥ ନଥିଲା। ଆମେ ଦ୍ଵାର ପାଖରେ ବସି ଯାତ୍ରା କଲୁ। ୨୪ଘଣ୍ଟା ସିଧା ହୋଇ ବସିବା ପରେ ଏବେ ମୋର ପିଠି କାଟୁଛି।’’
ନଭେମ୍ବର ୨୯ର ଶୀତୁଆ ସକାଳରେ ଦିଲ୍ଲୀରେ ପହଞ୍ଚିଥିବା ୧୦ ହଜାର ଚାଷୀଙ୍କ ମଧ୍ୟରୁ ଯମୁନା (ଉପରେ ଥିବା ପ୍ରଚ୍ଛଦ ଫଟୋରେ) ଅନ୍ୟତମ। ୧୫୦-୨୦୦ କୃଷକ ଗୋଷ୍ଠୀ ଏବଂ ସଂଘର ସମୂହ ସଂଗଠନ ଅଲ୍ ଇଣ୍ଡିଆ କିଷାନ ସଂଘର୍ଷ କୋର୍ଡିନେସନ କମିଟି ଏହି ଦୁଇଦିନିଆ ପ୍ରତିବାଦ ପାଇଁ ସାରା ଦେଶରୁ କୃଷକମାନଙ୍କୁ ଏକତ୍ର କରିଛି। ନଭେମ୍ବର ୩୦ ତାରିଖରେ ପ୍ରତିବାଦକାରୀମାନେ କୃଷି ସଂକଟ ସମ୍ପର୍କରେ ଆଲୋଚନା ପାଇଁ ଏକ ସ୍ଵତନ୍ତ୍ର ୨୧ ଦିନିଆ ଅଧିବେଶନ ଦାବିକରି ସଂସଦ ଆଡ଼କୁ ପଦଯାତ୍ରା କରିବାର ଯୋଜନା କରିଛନ୍ତି।









