ଲୋହର୍ସି ଗ୍ରାମରେ ରହିଛି ଏହି ସ୍ୱତନ୍ତ୍ର ପ୍ରାଥମିକ ବାଳିକା ବିଦ୍ୟାଳୟ। କେନ୍ଦ୍ରୀୟ ଛତିଶଗଡ଼ର ରାୟପୁର ଜିଲ୍ଲାର ଧାମତରିଠାରୁ ୫ କିଲୋମିଟର ଦୂରରେ ଅବସ୍ଥିତ। ଏହି ବିଦ୍ୟାଳୟ ପରିସର ଉପରେ ନଜର ପଡ଼ିଲେ ଏହାର ବୟସ ବୁଝିହେଉଛି; ଏହି ବିଦ୍ୟାଳୟ ପରିସରରେ ରହିଥିବା ଅଶ୍ୱତ୍ଥ ଗଛର ମୋଟେଇ ଦେଖିଲେ ମନେ ହେଉଛି ୮୦ରୁ ୯୦ ବର୍ଷ ତଳର ଗଛ। ଥରେ ଭିତରକୁ ଯାଇ ଛାତ୍ରୀଙ୍କୁ ଭେଟିଲେ ସେମାନଙ୍କ ଭିତରେ ଥିବା ଉର୍ଜା ଓ ଉତ୍ସାହ ଦେଖି ସ୍କୁଲର ସ୍ୱତନ୍ତ୍ରତା ଅନୁଭବ କରିପାରିବେ।


Bilaspur, Chhattisgarh
|FRI, APR 06, 2018
ଶହେ ବର୍ଷରେ ପାଦ ଦେବ ଐତିହାସିକ ବିଦ୍ୟାଳୟ
ଛତିଶଗଡ଼ର ଏକ ପ୍ରାଥମିକ ବାଳିକା ବିଦ୍ୟାଳୟ ଶହେ ବର୍ଷରେ ପଦାର୍ପଣ କରିବାକୁ ଯାଉଛି
Author
Translator

Purusottam Thakur
ଏହି ବିଦ୍ୟାଳୟ ୧୯୧୮ ମସିହାରେ, ଭାରତ ସ୍ୱାଧୀନ ହେବାର ପ୍ରାୟ ତିନି ବର୍ଷ ତଳେ ପ୍ରତିଷ୍ଠା କରାଯାଇଥିଲା। ସେହିଦିନଠାରୁ ୯୬ ବର୍ଷ ଧରି ଗୋଟିଏ ରେଜିଷ୍ଟରରେ ଯତ୍ନପୂର୍ବକ ସମସ୍ତ ଛାତ୍ରୀମାନଙ୍କର ନାମ ଲେଖି ରଖାଯାଇଛି। ନୀଳିମା ନେତମ୍, ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ କହିଲେ ଯେ ସେମାନେ ଗୋଟିଏ କାଠ ବାକ୍ସରେ ସ୍କୁଲ୍ ପ୍ରତିଷ୍ଠା ହେବା ବର୍ଷଠାରୁ ଶିକ୍ଷକ ଓ ଛାତ୍ରୀଙ୍କ ବିଷୟରେ ଲେଖାଥିବା ପୁରୁଣା ଉଇଖିଆ ରେଜିଷ୍ଟରଟିଏ ପାଇଲେ। ସେମାନେ ସେହି ରେଜିଷ୍ଟରରେ ନୂଆ ମଲାଟ ମଡାଇ ତାହାକୁ ସଂରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି ଯାହାକି ସ୍କୁଲର ଇତିହାସ ବିଷୟରେ ଅଧ୍ୟୟନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହେବ।

Purusottam Thakur

Purusottam Thakur
ଆମେ ସଂଗୃହୀତ କେତେକ ଦଲିଲ୍ ଦେଖିଲୁ, ଯେପରିକି ‘ପଦୋନ୍ନତି ପୁସ୍ତକ’। କେତେକ ଅଂଶ ଉଇ ଖାଇ ଯାଇଛି, କେତେକ ନାମ ଓ ସୂଚନା ଅସ୍ପଷ୍ଟ ମନେ ହେଉଛି। କିନ୍ତୁ ଅବଶିଷ୍ଟ ବିଷୟବସ୍ତୁ ସ୍ପଷ୍ଟ ଭାବରେ ପଢ଼ି ହେଉଛି। ଏହି ବିବରଣୀ ଟିପି ରଖିବା ପାଇଁ କାଳିରେ ବୁଡାଇ କାଠି କଲମରେ ତଥ୍ୟ ଲେଖାଯାଇଛି-ଅକ୍ଷରଗୁଡ଼ିକ ବଡ଼ ବଡ଼ ହୋଇ ରହିଛି ଏବଂ ସୁନ୍ଦର ହସ୍ତାକ୍ଷରରେ ଲେଖାଯାଇଛି।
ଏଠାରେ କେତେକ ନାମ ଦିଆଯାଇଛି-ବନୀନ ବା ତେଲିନ୍, ସୋନା ବାଇ କୋଷ୍ଟିନ୍, ଦୁର୍ପତ ବାଇ ଲୋହାରିନ୍, ରାମସିର୍ ବାଇ କାଲାରିନ୍, ସୁଗନ୍ଧିନ୍ ବାଇ ଗୋଣ୍ଡିନ୍-ଏହା ସହିତ ଜାତି ସ୍ପଷ୍ଟ ଭାବରେ ଲେଖାଯାଇଛି। ଏହାର କାରଣ ହୋଇପାରେ ଯେ ହାତଲେଖା ରେଜିଷ୍ଟରଗୁଡ଼ିକ ପରବର୍ତ୍ତୀ ସମୟରେ ବ୍ୟବହାର କରାଯାଉଥିବା ମୁଦ୍ରିତ ଏବଂ ପୃଥକ ସ୍ତମ୍ଭରେ ନାମ, ଅଭିଭାବକ ଓ ଛାତ୍ରୀଙ୍କର ଜାତି ଲେଖାଯାଉଥିବା ରେଜିଷ୍ଟରଠାରୁ ଭିନ୍ନ।
ଏହି ରେକର୍ଡରେ ମଧ୍ୟ ସେହି ଦଶନ୍ଧି ସମୟରେ ପୂର୍ବେ ପଢ଼ାଯାଉଥିବା ବିଷୟର ତାଲିକା ରହିଛି। ଉଦାହରଣସ୍ୱରୂପ ସାହିତ୍ୟ ଶିକ୍ଷାରେ ବାର୍ତ୍ତାଳାପ, ଗଳ୍ପ, ନାଟକ, ଗଦ୍ୟ, ଭାବପ୍ରକାଶ, ଶବ୍ଦଜ୍ଞାନ, କବିତା, ଶ୍ରୁତଲିଖନ, ସ୍ୱାକ୍ଷର ଏବଂ କପି ଲେଖିବା ଶିକ୍ଷାଦିଆଯାଉଥିଲା। ଅଙ୍କରେ ଗଣିବା, ଅଙ୍କ କଷିବା, ମୁଦ୍ରା, ସରଳ ମାପ, ଲେଖିବା ଶୈଳୀ, ଗୁଣନ ଖନ୍ଦା ଲିଖିତ ଏବଂ ମୌଖିକ ଯୋଗ ଓ ବିୟୋଗ ପଢ଼ାଯାଉଥିଲା। ସ୍କୁଲ୍ ଶିକ୍ଷକ ଜ୍ୟୋତିଷ ବିଶ୍ୱାସ କହନ୍ତି, ‘‘ସେ ସମୟରେ କ୍ରମାଗତ ସମନ୍ୱିତ ମୂଲ୍ୟାୟନ ବା କଣ୍ଟିନ୍ୟୁଜ୍ କମ୍ପ୍ରେନସିଭ୍ ଇଭାଲୁଏସନ୍ ଅତ୍ୟନ୍ତ ସାଧାରଣ ଥିଲା।’’

Purusottam Thakur
ଏହି ରେଜିଷ୍ଟର ମଧ୍ୟ ଦର୍ଶାଉଛି ଯେ କେତେଜଣ ବାଳିକା ପ୍ରାପ୍ତ ବୟସ୍କା ହେଲା ବେଳେ ସ୍କୁଲ୍ ତ୍ୟାଗ କରିଥିଲେ। ଏହାକୁ ସ୍କୁଲ୍ ଛାଡ଼ିବାର କାରଣ ଭାବରେ ଲିପିବଦ୍ଧ କରାଯାଇଛି। ସ୍ଥାନ ଛାଡ଼ି ଚାଲିଯିବା କିମ୍ବା ଦାରିଦ୍ର୍ୟକୁ ମଧ୍ୟ କାରଣ ଭାବରେ ଦର୍ଶଯାଇଛି। ସେହି ସମୟରେ ଲୋହର୍ସି ବ୍ୟତୀତ ଆମଡି ଏବଂ ମୁଜଗାହନ ଗ୍ରାମରୁ ପିଲାମାନେ ମଧ୍ୟ ଏଠାକୁ ପଢ଼ିବାକୁ ଆସୁଥିଲେ।

Purusottam Thakur
ଏହି ପୁରୁଣା ଦଲିଲ ସେହି ସମୟର ସମାଜ ଉପରେ ଆଲୋକପାତ କରେ। ୧୯୧୮ ପାଇଁ ଦଲିଲ୍ରେ ପ୍ରଥମେ ଅନୁଷ୍ଠାନର ନାମ ଝିଅମାନଙ୍କର ବିଦ୍ୟାଳୟ ଲେଖାଯାଇଥିଲା। ଏବଂ ପରେ ଏହାକୁ ବାଳିକା ପ୍ରାଥମିକ ବିଦ୍ୟାଳୟରେ ପରିବର୍ତ୍ତନ କରାଯାଇଥିଲା। ୧୯୧୮ ମସିହାରେ ୬୪ ଜଣ ବାଳିକା ଥିଲେ ଯେତେବେଳେ କି ଏବେ ମୋଟ୍ ଛାତ୍ରୀଙ୍କ ସଂଖ୍ୟା ହେଉଛି ୭୪, ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅନୁସୂଚିତ ଜାତି, ୧୨ ଜଣ ଅନୁସୂଚିତ ଜନଜାତି ଏବଂ ୨୧ ଜଣ ପଛୁଆବର୍ଗର। ଏହି ବିଦ୍ୟାଳୟରେ ୩ ଜଣ ଶିକ୍ଷକ ଅଛନ୍ତି।

Purusottam Thakur
ଏହାର ଅତୀତ କେବଳ ଉତ୍ସାହଜନକ ନୁହେଁ, ବିଦ୍ୟାଳୟର ବର୍ତ୍ତମାନ ମଧ୍ୟ ବେଶ୍ ଉଜ୍ଜ୍ୱଳ ଓ ସମ୍ଭାବନାମୟ। ମଧ୍ୟାହ୍ନ ଭୋଜନ ସମୟରେ ଶିକ୍ଷକ ଓ ଛାତ୍ରୀମାନେ ଏକାଠି ବସି ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥାନ୍ତି, ଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ବେଶ୍ ଅନ୍ତରଙ୍ଗ ସମ୍ପର୍କ ରହିଛି। ଛାତ୍ରୀମାନେ ବିଭିନ୍ନ ଗୋଷ୍ଠୀରେ ସମବେତ ସଙ୍ଗୀତ ଶିକ୍ଷା କରନ୍ତି ଓ ଏକାଠି ହିନ୍ଦୀ ଭାଷାରେ ତଥା ଛତିଶଗଡ଼ୀ ଭାଷାରେ ମଧ୍ୟ ଗାଆନ୍ତି। ଶ୍ରେଣୀଗୃହର କାନ୍ଥରେ ଶୋଭା ପାଉଛି ରଙ୍ଗୀନ ପଶୁପକ୍ଷୀଙ୍କର ଛବି। ସେସବୁ ଆଙ୍କିଛନ୍ତି ଶିକ୍ଷକ ଜ୍ୟୋତିଷ ବିଶ୍ୱାସ। ସେ କହନ୍ତି ‘‘ଏହି ଚିତ୍ରଗୁଡ଼ିକ ପାଠ୍ୟପୁସ୍ତକ ଉପରେ ଆଧାରିତ ଏବଂ ଏସବୁ ପିଲାମାନଙ୍କୁ ପଢ଼ିବାରେ, ଲେଖିବାରେ, ଶିଖିବାରେ ଓ ଚିନ୍ତା କରିବାରେ ସାହାଯ୍ୟ କରିଥାଏ।’’

ସୁନିଲ୍ କୁମାର ଯାଦୁ ହେଉଛନ୍ତି ବର୍ତ୍ତମାନର ପ୍ରଧାନ ଶିକ୍ଷକ। ସେ କହିଲେ ‘‘ମୋର ଇଚ୍ଛା ଆମ ବିଦ୍ୟାଳୟରୁ ଅଧିକରୁ ଅଧିକ ସଂଖ୍ୟକ ପିଲା ନବୋଦୟ ସ୍କୁଲ୍ରେ ପଢ଼ନ୍ତୁ ଏବଂ ସେଥିପାଇଁ ଆମେ ସବୁ ପ୍ରକାରେ ପ୍ରସ୍ତୁତି କରୁଛୁ।’’

Purusottam Thakur

Purusottam Thakur
ବିଦ୍ୟାଳୟର ପ୍ରାଚୀନ ଗୃହ ମରାମତି ହେବା ଆବଶ୍ୟକ ବା ବୋଧହୁଏ ନୂଆ ଗୃହ ନିର୍ମାଣ କରାଗଲେ ଅଧିକ ଖୋଲାସ୍ଥାନ ମିଳିପାରନ୍ତା। ଏସବୁ ସତ୍ତ୍ୱେ ସ୍କୁଲର ଇତିହାସ ଓ ଶିକ୍ଷକ ତଥା ଛାତ୍ରୀଙ୍କର ଉତ୍ସାହ ହୃଦୟକୁ ଛୁଇଁଯାଏ। ଅଧିକାଂଶ ଛାତ୍ରୀ ଗରିବ ପରିବାରର ଏପରିକି ପାଦରେ ପିନ୍ଧିବା ପାଇଁ ଚପଲ ହଳେ ସେମାନଙ୍କ ପାଇଁ ସ୍ୱପ୍ନ। କିନ୍ତୁ ସେମାନଙ୍କର ମନୋଭାବରୁ ମନେ ହୁଏ ସେମାନେ ଦିନେ ନା ଦିନେ ନିଶ୍ଚୟ ବିଦ୍ୟାଳୟ ତଥା ସମାଜ ପାଇଁ ଗର୍ବ ଓ ଗୌରବ ଆଣିଦେବେ।

Purusottam Thakur
ହିନ୍ଦୀରୁ ଅନୁବାଦ କରିଛନ୍ତି ରୁଚି ବର୍ସ୍ନେୟା
ଫଟୋ: ପୁରୁଷୋତ୍ତମ ଠାକୁର୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଶହେ-ବର୍ଷରେ-ପାଦ-ଦେବ-ଐତିହାସିକ-ବିଦ୍ୟାଳୟ

