ମୁଖ୍ୟ ମଞ୍ଚର ଆଗରେ ଥିବା ଜନସମାଗମ ନିରବ ହୋଇଗଲେ। ଯେଉଁ କ୍ଷୀଣ ସ୍ୱର ରହିଯାଇଥିଲା ତାହାହେଉଛି ପ୍ରତ୍ୟେକ ରାଜ୍ୟର ଶହ ଶହ କିଲୋମିଟର ଦୂରରେ ଥିବା ଜନସାଧାରଣଙ୍କର ସମୂହ ହୃତ୍ସ୍ପନ୍ଦନ। ଉଚ୍ଚ ମନୋବଳ ଓ ସମ୍ମାନର ସହିତ ନେତାମାନେ ମଥାନତ କରି ଛିଡାହେଲେ। ଯେତେବେଳେ ଆଠଜଣ ଯୁବକ ମୁଣ୍ଡରେ ମାଟିପାତ୍ରଗୁଡିକ ରଖି ସଂଘୁ ସୀମାରେ ଥିବା ସଂୟୁକ୍ତ କିଷାନ ମୋର୍ଚ୍ଚାର ମଞ୍ଚ ଉପରକୁ ଚଢିଲେ ଆବେଗପୂର୍ଣ୍ଣ ବାତାବରଣରେ ସମସ୍ତେ ଉଚ୍ଚ ଭାବନାରେ ଦେଖୁଥିଲେ।
୨୦୨୧, ମାର୍ଚ୍ଚ ୨୩ ତାରିଖରେ ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କ ୯୦ତମ ଶହୀଦ ଦିବସକୁ ମନେପକାଇବା ପାଇଁ ,ସ୍ମୁତି ଓ ପବିତ୍ର ମାଟିରେ ପୂର୍ଣ୍ଣ ପ୍ରତ୍ୟେକ ପାତ୍ରଗୁଡିକ ବହୁତଦୂର ଯାତ୍ରାକରି ଦିଲ୍ଲୀ ସୀମାରେ ବିକ୍ଷୋଭ କରୁଥିବା କୃଷକମାନଙ୍କ ପାଖରେ ପହଁଚିଥିଲା।
ପଞ୍ଜାବର ଏହି ଯୁବକମାନେ ଆଠୋଟି ଐତିହାସିକ ସ୍ଥାନରୁ ଏହି ମାଟି ଆଣିଛନ୍ତି। ସ୍ଥାନଗୁଡିକ ଯାହା ଆମ ପାଇଁ ସ୍ୱତନ୍ତ୍ର, ଯାହା ଆମ ହୃଦୟ ରେ ଅଛି- ଏବଂ ଆମେ ସେମାନଙ୍କୁ ସ୍ୱାଗତ କରୁଅଛୁ," ଘୋଷଣା କଲେ ମଞ୍ଚ ଉପରେ ଥିବା କୃଷି ନେତା ଜତିନ୍ଦ୍ର ସିଂହ ଛିନା।
ସେହି ମାଟି ଯାହା ସବୁବେଳେ କୃଷକମାନଙ୍କ ଜୀବନରେ ଭୌତିକ ଓ ସାଂସ୍କୃତିକ ଗୁରୁତ୍ୱ ବହନ କରୁଥିଲା, ତାହା ଶହୀଦ ଦିବସରେ ନୂତନ ରାଜନୈତିକ ଐତିହାସିକ ରୂପ ନେଲା। କୃଷକମାନଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ବିଭିନ୍ନ ଶହୀଦମାନଙ୍କ ଗାଁରୁ ମାଟି ଆଣିବାର ଉଦ୍ଦେଶ୍ୟ ଥିଲା ବିକ୍ଷୋଭ କରୁଥିବା କୃଷକମାନଙ୍କୁ ନୂତନ ଶକ୍ତି ଓ ପ୍ରେରଣା ଯୋଗାଇବା। ଏବଂ ଏହି ଭାବନା ଜିଲ୍ଲାସ୍ତରୀୟ କୃଷି ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ସାଧାରଣ ଲୋକ ଓ କର୍ମକର୍ତ୍ତାଙ୍କ ମନରେ ଆସିଥିଲା।










