ତାମିଲନାଡୁର ଅନେକ ସ୍ଥାନ ସଦୃଶ, ତୁତୁକୁଡ଼ି ସହରର ବିଭିନ୍ନ ରାସ୍ତାରେ ଯେତେବେଳେ ଲୋକଙ୍କ ଭିଡ଼ ଜମିଲା, ସେମାନଙ୍କ ସହ ଯୋଗ ଦେବାକୁ ଜଣେ ଅତି ଛୋଟ ବାଳକ ଦୌଡ଼ି ଦୌଡ଼ି ଆସିଲା । କେଇ ମୁହୂର୍ତ୍ତ ଭିତରେ ସେ ସେହି ପ୍ରତିବାଦ ଶୋଭାଯାତ୍ରାର ଅଂଶ ପାଲଟିଗଲା ଏବଂ ଆନ୍ଦୋଳନାତ୍ମକ ସ୍ଲୋଗାନ୍ ଦେବାରେ ଲାଗିଲା । ଆଜି ସେ ଆମକୁ କହନ୍ତି, “ସେ ସମୟର କଥାକୁ ଆଜି ଆପଣ ଜାଣିପାରିବେନି କି ବୁଝିପାରିବେନି । କିନ୍ତୁ ଭଗତ ସିଂହଙ୍କୁ ଫାଶୀ ଦେବା ଘଟଣା ତାମିଲନାଡୁର ସ୍ଵାଧୀନତା ସଂଗ୍ରାମରେ ଏକ ଭାବନାତ୍ମକ ମୋଡ଼ ସୃଷ୍ଟି କରିଥିଲା । ଲୋକେ ହତଭମ୍ବ ହୋଇଯାଇଥିଲେ ଏବଂ ଅନେକ ଲୋକ ଲୁହ ଗଡ଼ାଉଥିଲେ ।”
“ମୁଁ ମାତ୍ର ୯ ବର୍ଷ ବୟସର ଥିଲି,” ଅଳ୍ପ ହସି ସେ କହନ୍ତି ।
ଆଜି ତାଙ୍କ ବୟସ ୯୯ ବର୍ଷ (୧୫ଜୁଲାଇ, ୨୦୨୦), କିନ୍ତୁ ତାଙ୍କ ଭିତରେ ସେହି ତେଜ ଏବଂ ଦେଶପ୍ରେମ ଆଜି ବି ରହିଛି, ଦିନେ ଯାହା ତାଙ୍କୁ ଜଣେ ସ୍ଵାଧୀନତା ସଂଗ୍ରାମୀରେ, ଜଣେ ପ୍ରଚ୍ଛନ୍ନ ବିପ୍ଳବୀ, ଲେଖକ, ବକ୍ତା ଏବଂ ଆନ୍ଦୋଳନାତ୍ମକ ବୁଦ୍ଧିଜୀବୀରେ ପରିଣତ କରିଥିଲା । ଜଣେ ବ୍ୟକ୍ତି ଯିଏ କି ୧୪ ଅଗଷ୍ଟ ୧୯୪୭ରେ ବ୍ରିଟିଶ ଜେଲ୍ରୁ ବାହାରକୁ ଆସିଥିଲେ । “ସେଦିନ କେନ୍ଦ୍ରୀୟ କାରାଗାରକୁ ବିଚାରପତି ଆସିଲେ ଏବଂ ଆମକୁ ମୁକ୍ତ କଲେ । ଆମେ ମଦୁରାଇ ଷଡ଼ଯନ୍ତ୍ର ମାମଲାରେ ଦୋଷମୁକ୍ତ ହୋଇଥିଲୁ । ମୁଁ ମଦୁରାଇ କେନ୍ଦ୍ରୀୟ କାରାଗାରରୁ ବାହାରିଲି ଏବଂ ସ୍ଵାଧୀନତା ସଂଗ୍ରାମ ସମାବେଶ ପାଇଁ ଶୋଭାଯାତ୍ରାରେ ସାମିଲ ହେଲି ।”
ଏବେ ୧୦୦ ବର୍ଷ ବୟସରେ ପଦାର୍ପଣ କରିସାରିଥିଲେ ହେଁ ଏନ୍.ଶଙ୍କରୈୟା ବୌଦ୍ଧିକ ଭାବରେ ସକ୍ରିୟ ଅଛନ୍ତି, ଏବେ ବି ସେ ଭାଷଣ ଦେଉଛନ୍ତି ଏବଂ ୨୦୧୮ ମସିହା ଭଳି ବିଳମ୍ବିତ ସମୟରେ ମଧ୍ୟ ସେ ମଦୁରାଇରେ ଆୟୋଜିତ ତାମିଲନାଡୁ ପ୍ରଗତିଶୀଳ ଲେଖକ ଓ କଳାକାର ସଂଗଠନର ଏକ ବୈଠକକୁ ସମ୍ବୋଧିତ କରିବା ପାଇଁ ତାଙ୍କ କ୍ରୋମପେଟସ୍ଥିତ ଘରୁ ଚେନ୍ନାଇର ଏହି ଉପନଗରକୁ ଯାତ୍ରା କରିଥିଲେ- ଯେଉଁଠାରେ ଆମେ ତାଙ୍କ ସହ ଏହି ସାକ୍ଷାତକାର ନେଇଥିଲୁ । ସ୍ଵାଧୀନତା ସଂଗ୍ରାମରେ ସାମିଲ ହୋଇ ନିଜ ପାଇଁ ସ୍ନାତକ ଡିଗ୍ରୀ ହାସଲ କରିପାରି ନଥିବା ଏହି ବ୍ୟକ୍ତି ଜଣକ ଅନେକ ରାଜନୈତିକ ପ୍ରବନ୍ଧ, ପ୍ରଚାର ପୁସ୍ତିକା, ପ୍ରଚାରପତ୍ର ଏବଂ ସାମ୍ବାଦିକତା ସ୍ତମ୍ଭ ଲେଖିଥିଲେ ।
ନରସିଂହାଲୁ ଶଙ୍କରୈୟା, ମଦୁରାଇର ଆମେରିକାନ କଲେଜରୁ ଇତିହାସରେ ସ୍ନାତକ ଡିଗ୍ରୀ ଲାଭ କରିବାର ସମୀପବର୍ତ୍ତୀ ହୋଇଥିଲେ ହେଁ ୧୯୪୧ରେ ରେ ମାତ୍ର ଦୁଇ ସପ୍ତାହ ପୂର୍ବରୁ ତାଙ୍କର ଅନ୍ତିମ ପରୀକ୍ଷାରେ ଉପସ୍ଥିତ ହୋଇପାରିନଥିଲେ । “ମୁଁ କଲେଜ ଛାତ୍ର ସଂସଦର ଯୁଗ୍ମ ସଂପାଦକ ଥିଲି ।” ଏବଂ ଜଣେ ପ୍ରତିଭାସଂପନ୍ନ ଛାତ୍ର ଯେ କି କଲେଜ ପରିସରରେ ଏକ କବି ସମାଜ ସ୍ଥାପନ କରିଥିଲେ ଏବଂ ଫୁଟ୍ବଲ୍ରେ କଲେଜର ପ୍ରତିନିଧିତ୍ଵ କରୁଥିଲେ । ସେ ସମୟର ବ୍ରିଟିଶ ରାଜ୍ ବିରୋଧୀ ଆନ୍ଦୋଳନରେ ସେ ଖୁବ୍ ସକ୍ରିୟ ଥିଲେ । “ମୋ କଲେଜ ପଢ଼ା ସମୟରେ, ବାମପନ୍ଥୀ ଚିନ୍ତାଧାରାର ବହୁ ଲୋକଙ୍କ ସହିତ ମୁଁ ବନ୍ଧୁତା ସ୍ଥାପନ କଲି । ଭାରତର ସ୍ଵାଧୀନତା ବିନା ପୂର୍ଣ୍ଣାଙ୍ଗ ସାମାଜିକ ସଂସ୍କାର ସମ୍ଭବ ନୁହେଁ ବୋଲି ମୋର ହୃଦ୍ବୋଧ ହେଲା ।” ତାଙ୍କୁ ୧୭ ବର୍ଷ ବୟସ ହେଲା ବେଳକୁ ସେ ଭାରତର କମ୍ୟୁନିଷ୍ଟ ପାର୍ଟି (ସେ ସମୟରେ ନିଷିଦ୍ଧ ଏବଂ ଗୁପ୍ତ ଥିଲା)ର ଜଣେ ସଦସ୍ୟ ଥିଲେ ।
ସେ ମନେ ପକାନ୍ତି ଯେ ସେତେବେଳେ ଆମେରିକାନ କଲେଜର ସକାରାତ୍ମକ ଆଭିମୁଖ୍ୟ ରହିଥିଲା । “କଲେଜର ନିର୍ଦ୍ଦେଶକ ଏବଂ କେତେକ ଅଧ୍ୟାପକ ଆମେରିକୀୟ ଥିଲେ ଏବଂ ଅବଶିଷ୍ଟ ସମସ୍ତେ ତାମିଲନାଡୁ ବାସିନ୍ଦା । ସେମାନେ ନିରପେକ୍ଷ ରହିବେ ବୋଲି ଆଶା କରାଯାଉଥିଲା, କିନ୍ତୁ ସେମାନେ ବ୍ରିଟିଶ ସପକ୍ଷବାଦୀ ନଥିଲେ । ସେଠାରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଅନୁମତି ମିଳୁଥିଲା...।” ବ୍ରିଟିଶ ବିରୋଧୀ ଆନ୍ଦୋଳନରେ ଭାଗ ନେଇଥିବାରୁ ଆନ୍ନାମଲାଇ ବିଶ୍ଵବିଦ୍ୟାଳୟର ଜଣେ ଛାତ୍ରୀ ମୀନାକ୍ଷୀଙ୍କୁ ଗିରଫ ଘଟଣାକୁ ନିନ୍ଦା କରିବା ଲାଗି ୧୯୪୧ରେ ମଦୁରାଇରେ ଏକ ବୈଠକ ବସିଥିଲା ।“ଏବଂ ଆମେ ସେଠାରେ ଏକ ପ୍ରଚାରପତ୍ର ଜାରି କଲୁ । ଆମ ଛାତ୍ରାବାସର କୋଠରିଗୁଡ଼ିକରେ ଚଢ଼ାଉ କରାଗଲା, ଏବଂ ସେହି ପ୍ରଚାରପତ୍ର ରଖିଥିବାରୁ ନାରାୟଣସ୍ଵାମୀ (ମୋର ବନ୍ଧୁ)ଙ୍କୁ ଗିରଫ କରାଗଲା । ପରେ ତାଙ୍କ ଗିରଫଦାରିର ପ୍ରତିବାଦ କରିବାକୁ ଆମେ ଏକ ସଭା କରିଥିଲୁ.. ।








