ବର୍ଷକ ତଳେ, ୨୦୧୭ ମେ ମାସରେ, ଅନିଚ୍ଛା ସତ୍ତ୍ଵେ ଘର ଛାଡ଼ିଥିଲେ ସାରିକା ଏବଂ ଦୟାନନ୍ଦ ସାତପୁତେ। ୪୪ ବର୍ଷୀୟ ଦୟାନନ୍ଦ କହନ୍ତି, “ଅସୁରକ୍ଷା ଭାବ ଏବଂ ଭୟ ଯୋଗୁଁ ଆମେ ଏହି ନିଷ୍ପତ୍ତି ନେଇଥିଲୁ ।”

ମହାରାଷ୍ଟ୍ରର ଲାଟୁର୍‌ ଜିଲ୍ଲା ଅନ୍ତର୍ଗତ ସେମାନଙ୍କ ଗାଁ ମୋଗରଗାରେ ୨୦୧୭ ଏପ୍ରିଲ ୩୦ ତାରିଖ ଦିନ ଦଳିତ ସଂପ୍ରଦାୟ ଆମ୍ବେଦକର ଜୟନ୍ତୀ ପାଳନ କରିଥିଲେ । ଦୟାନନ୍ଦ କହନ୍ତି, “ପ୍ରତି ବର୍ଷ ବାବା ସାହେବଙ୍କ ଜନ୍ମବାର୍ଷିକୀ (ଏପ୍ରିଲ୍‌ ୧୪ରେ) ପାଳନର କିଛି ଦିନ ପରେ ଆମେ ଏହି ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଆୟୋଜନ କରୁ ।”

ମୋଗରଗା ଗାଁର ଲୋକସଂଖ୍ୟା ପ୍ରାୟ  ୨୬୦୦- ଏଥିରୁ ଅଧିକାଂଶ ମରାଠା, ଏବଂ ପ୍ରାୟ ୪୦୦ ଦଳିତ । ସେମାନଙ୍କ ମଧ୍ୟରୁ ଅଧିକାଂଶ ମାହାର ଏବଂ ମାତଙ୍ଗ ସଂପ୍ରଦାୟର । ମରାଠାମାନେ ଗାଁର କେନ୍ଦ୍ରସ୍ଥଳରେ ରହନ୍ତି, ଦଳିତମାନେ ଗାଁ ଉପକଣ୍ଠରେ । ଅଳ୍ପ କେତେକ ଦଳିତ ପରିବାର ପାଖରେ ଛୋଟ ଛୋଟ ଜମି ପ୍ଲଟ୍‌ର ମାଲିକାନା ରହିଛି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ, ଏଠାରେ ଯଅ, ହରଡ଼ ଏବଂ ସୋୟାବିନ୍‌ ଚାଷ କରୁଥିବା ମରାଠା କୃଷକମାନଙ୍କ ପାଖରେ ଶ୍ରମିକ ରୂପେ କାମ କରନ୍ତି । କିମ୍ବା ସେମାନେ ଏଠାରୁ ୧୦ କିଲୋମିଟର ଦୂର କିଲ୍ଲାରି ସହରରେ ଶ୍ରମିକ, ବଢ଼େଇ ଏବଂ କୁଲି ଭାବେ କାମ କରନ୍ତି ।

ଗତ ବର୍ଷର କାର୍ଯ୍ୟକ୍ରମ ପରେ ପରିସ୍ଥିତି ବିଷମ ରୂପ ନେଲା । ଦୟାନନ୍ଦ କହନ୍ତି, “କାର୍ଯ୍ୟକ୍ରମର ଦିନକ ପରେ ଏକ ଗ୍ରାମସଭା (ଗାଁ ବୈଠକ) ଡକାଗଲା (ପଞ୍ଚାୟତ ଦ୍ଵାରା)''। "କେତେକ ଲୋକ ଆମମାନଙ୍କ ଘର ଭିତରକୁ ଧସେଇ ପଶିଲେ ଏବଂ ଧମକ ଦେଇ ସଭାରେ ଉପସ୍ଥିତ ରହିବାକୁ ଆଦେଶ ଦେଲେ । ପରଦିନ ସକାଳେ ଯେତେବେଳେ ଆମେ (ପ୍ରାୟ ୧୫ ଜଣ) ସଭାରେ ପହଞ୍ଚିଲୁ, ସେମାନେ ଆମକୁ ଉସୁକାଇବା ପାଇଁ ‘ଜୟ ଭବାନୀ’, ‘ଜୟ ଶିବାଜୀ’ ବୋଲି ଚିତ୍କାର କଲେ ।” ଏସବୁ ସ୍ଲୋଗାନ୍‌ ଦେଇ୧୭ଶ ଶତାବ୍ଦୀର ମରାଠା ଶାସକ ଛତ୍ରପତି ଶିବାଜୀଙ୍କ ଜେଜେକାର କରାଯାଏ।

India Nagar Colony in Latur town
PHOTO • Parth M.N.

ଦଳିତ ବିରୋଧୀ ଏକ ‘କଟକଣା’ଯୋଗୁଁ ସାତପୁତେମାନେ ଲାଟୁର୍‌ର ଇନ୍ଦିରା ନଗରକୁ ପଳାଇ ଆସିବାକୁ ବାଧ୍ୟ ହେଲେ

ଡକ୍ଟର ଆମ୍ବେଦକରଙ୍କ ଜନ୍ମବାର୍ଷିକୀ ପାଳନ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମ ଆୟୋଜନରେ ସଂପୃକ୍ତ ଦୟାନନ୍ଦ ଓ ଅନ୍ୟମାନଙ୍କୁ କୈଫିୟତ ଦେବାକୁ କୁହାଗଲା । ଦୟାନନ୍ଦ କହନ୍ତି, “ଆମେ କହିଲୁ ଏଭଳି କରିବାକୁ ଆମର ଅଧିକାର ଅଛି ଏବଂ ଆମେ ଏହା ସବୁ ସମୟରେ କରିଛୁ । ଏହା ପରେ ମାରପିଟ୍‌ ଆରମ୍ଭ ହୋଇଗଲା ଏବଂ ଆମର ଅଧିକାଂଶ ଲୋକ ଗୁରୁତର ଆହତ ହେଲେ । ସେମାନେ ଆଗରେ ପାଖରେ ଲୁହା ଛଡ଼, ପଥର ଏବଂ ଏଭଳି ଅନେକ ଜିନିଷ ସହ ପ୍ରସ୍ତୁତ ରହିଥିଲେ... ।”

ସାରିକା କହନ୍ତି, “ଗ୍ରାମ ସଭା ପରେ ପରେ ଯାହା ସବୁ ହେଲା ସେ ସବୁ ସଂପୂର୍ଣ୍ଣ ଅନ୍ୟାୟ''। "ପ୍ରଭାବଶାଳୀ ସଂପ୍ରଦାୟ ହୋଇଥିବାରୁ ସେମାନେ ଆମକୁ ବସାଇବା ପାଇଁ ଅଟୋରିକ୍‌ସା ଚାଳକମାନଙ୍କୁ ମନା କରିଦେଲେ, ଦୋକାନୀମାନେ ଆମକୁ କୌଣସି ଜିନିଷ ବିକିପାରିବେ ନାହିଁ । ଏମିତି କି ଆମେ ଆମ ପିଲାମାନଙ୍କ ପାଇଁ ଜରୁରୀ ଖାଦ୍ୟଦ୍ରବ୍ୟ ବି କିଣିପାରିଲୁ ନାହିଁ ।” ଏହି ‘କଟକଣା’ ଗାଁର ସମସ୍ତ ଦଳିତ ପରିବାରକୁ ପ୍ରଭାବିତ କଲା ।

ଉଭୟ ଦଳିତ ଓ ମରାଠାମାନେ ପରସ୍ପର ବିରୋଧରେ କିଲ୍ଲାରି ଥାନାରେ ମାମଲା ଦାୟର କରିଥିଲେ । ମୋଗରଗା ମାମଲା ବୁଝୁଥିବା ପୋଲିସ ଇନ୍ସପେକ୍ଟର ମୋହନ ଭୋସଲେ ଘଟଣାର ସତ୍ୟତାକୁ ସ୍ଵୀକାର କରନ୍ତି । କିନ୍ତୁ, ସେ କହନ୍ତି, “ଏବେ ପରିସ୍ଥିତି ଶାନ୍ତ ରହିଛି । ଗତ ବର୍ଷ ଅକ୍ଟୋବରରେ ଆମେ ମିଳିତ ଭାବେ ଦୀପାବଳି ଉତ୍ସବ ପାଳନ କରିଥିଲୁ । ଭାଉବୀଜ୍‌ ଅବସରରେ, ଯେତେବେଳେ କି ଭାଇ ତା’ର ଭଉଣୀକୁ ଉପହାର ଦେଇଥାଏ, ମରାଠା ଓ ଦଳିତ ସଂପ୍ରଦାୟର ଲୋକେ ପରସ୍ପରକୁ ସାଙ୍କେତିକ ଉପହାର ଦେଇଥିଲେ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ସ୍ଥିର କରିଥିଲେ ।”

ହେଲେ ଏଭଳି ଜବରଦସ୍ତି ଶାନ୍ତି ପ୍ରତିଷ୍ଠାକୁ ନେଇ ଦୟାନନ୍ଦ ଓ ସାରିକା ସନ୍ଦେହରେ ଅଛନ୍ତି । ଦୟାନନ୍ଦ କହନ୍ତି, “ଦୀପାବଳି ପୂର୍ବରୁ କେହି ଜଣେ ଅନ୍ୟ ଜଣଙ୍କ ଆଗରେ ‘ଜୟ ଭୀମ’ କହିବା ଘଟଣାକୁ କେନ୍ଦ୍ର କରି ପୁଣି ଥରେ ଗଣ୍ଡଗୋଳ (ଦୁଇ ସଂପ୍ରଦାୟ ଭିତରେ) ସୃଷ୍ଟି ହେଲା ।” ଦଳିତ ସଂପ୍ରଦାୟ ଦ୍ଵାରା ଭୀମରାଓ ଆମ୍ବେଦକରଙ୍କ ସମ୍ମାନରେ ଏହା କୁହାଯାଏ । “କେବଳ ଏକ ‘ଜୟ ଭୀମ’ ଯୋଗୁଁ ଝଗଡ଼ା ସୃଷ୍ଟି ହୋଇପାରୁଥିଲେ, ସ୍ଥିତି ଶାନ୍ତ ରହିଛି ବୋଲି ଆପଣ କେମିତି ଭରସା କରିବେ ।”

ମୋଗରଗାର ଜାତିଗତ ସଂଘର୍ଷରୁ ପ୍ରତିପାଦିତ ହୁଏ ଯେ, ୨୦୧୬ ଜୁଲାଇରେ ଔରଙ୍ଗାବାଦର କୋପାର୍ଡି ଗାଁରେ ଜଣେ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ବଳାତ୍କାର ଏବଂ ଅଙ୍ଗପ୍ରତ୍ୟଙ୍ଗ ଛେଦନ କରି ହତ୍ୟା ଘଟଣା ପରେ ମହାରାଷ୍ଟ୍ରରେ ଜାତିକୁ କେନ୍ଦ୍ର କରି ଲାଗି ରହିଥିବା ଉତ୍ତେଜନା ଘନୀଭୂତ ହୋଇଛି । ଝିଅଟି ଥିଲା ମରାଠା ସଂପ୍ରଦାୟର । ନଭେମ୍ବର ୨୦୧୭ରେ ଏକ ବିଶେଷ ଅଦାଲତ ତିନି ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ । ସବୁ ଅଭିଯୁକ୍ତ ଦଳିତ ସଂପ୍ରଦାୟର ।

ଏହି ଜଘନ୍ୟ ଅପରାଧ ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ମରାଠାମାନଙ୍କର ମୋର୍ଚ୍ଚା ବାହାରିଥିଲା ଏବଂ ୨୦୧୭ ଅଗଷ୍ଟ ୯ରେ ଆନୁମାନିକ ୩ ଲକ୍ଷ ମରାଠା ଏକ ପ୍ରତିବାଦ ଶୋଭାଯାତ୍ରାରେ ମୁମ୍ବାଇ ଯାଏ ଯାଇଥିଲେ । ସେମାନେ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ ସତ, କିନ୍ତୁ ମୁଖ୍ୟତଃ କୋପାର୍ଡିର ଅପରାଧୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଉପରେ ଜୋର ଦେଇଥିଲେ ।

ଏସବୁ ପ୍ରତିବାଦ ସମୟରେ ଅଧିସୂଚିତ ଜାତି ଏବଂ ଅଧିସୂଚିତ ଉପଜାତି ଅତ୍ୟାଚାର ପ୍ରତିରୋଧ ଆଇନ(୧୯୮୯) ଉଚ୍ଛେଦ କିମ୍ବା ଏଥିରେ ସଂଶୋଧନ ପାଇଁ ସ୍ଵର ଉଠିଥିଲା ଏବଂ ପୂର୍ବରୁ ହୋଇ ଆସୁଥିବା ଦାବିକୁ ଏହା ଖୋରାକ ଯୋଗାଇଥିଲା । ଦଳିତମାନେ ଏହି ଆଇନର ଦୁରୁପଯୋଗ କରୁଛନ୍ତି ବୋଲି ଉଚ୍ଚ ଜାତିର ଲୋକେ ଦୀର୍ଘ ଦିନ ହେଲା ଦାବି କରିଆସୁଛନ୍ତି ।

ମରାଠା କ୍ରାନ୍ତି ମୋର୍ଚ୍ଚାର ଉଦୟ ଗୱାରେ, ଲାଟୁରରେ ରହୁଥିବା ଜଣେ ଓକିଲ ଏବଂ ସେ ବିଭିନ୍ନ ‘ମିଥ୍ୟା’ ଅତ୍ୟାଚାର ମାମଲା ମାଗଣାରେ ଲଢ଼ନ୍ତି । ମୋଗରଗା ଗ୍ରାମ ସଭାରେ ଦଳିତମାନଙ୍କ ଉପରେ ଆକ୍ରମଣକୁ ସେ ନିନ୍ଦା କରନ୍ତି ସତ, କିନ୍ତୁ ସେ କହନ୍ତି ଯେ, ଗାଁରେ ଲାଗିଥିବା ‘କଟକଣା’ ଅତ୍ୟାଚାର ଆଇନର ଦୁରୁପଯୋଗ ବିରୋଧରେ ଏକ ପ୍ରତିକ୍ରିୟା ମାତ୍ର । ସେ କହନ୍ତି, “ବିବାଦର ସମାଧାନ କରିବାକୁ ଚାହୁଁଥିବା ଲୋକଙ୍କ ବିରୋଧରେ ବି ଅତ୍ୟାଚାର ଅଭିଯୋଗରେ ମାମଲା ରୁଜୁ ହୋଇଛି''। "ଆମେ ଚାହୁଁ ଯେ ମାମଲା ସତ ହୋଇଥିଲେ ମରାଠାମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ । କିନ୍ତୁ ମାମଲା ମିଥ୍ୟା ହୋଇଥିଲେ ଅଭିଯୁକ୍ତମାନଙ୍କର କ୍ଷତିଭରଣା କରାଯିବା ଉଚିତ ।”

Kavita Kamble sitting outside the doorway of her house
PHOTO • Parth M.N.
Buddha Nagar in Latur
PHOTO • Parth M.N.

କୃଷି କ୍ଷେତ୍ରରେ ସଂକଟ ସାଙ୍ଗକୁ ଭେଦଭାବ ଯୋଗୁଁ କବିତା କାମ୍ବଲେଙ୍କ ପରିବାର ଭଳି ବହୁ ଲୋକ ସେମାନଙ୍କ ନିଜ ଗାଁ ଛାଡ଼ି ଲାଟୁର ସହରର ବୁଦ୍ଧ ନଗରକୁ ପଳାଇ ଆସିଛନ୍ତି

ମୋଗରଗାରେ ଦୁଇ ସଂପ୍ରଦାୟ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଏଭଳି ଏକ ପର୍ଯ୍ୟାୟରେ ପହଞ୍ଚିଲା ଯେ ଭୟରେ ସାରିକା ତାଙ୍କର୧୨ ଏବଂ ୧୧ ବର୍ଷର ଦୁଇ ଝିଅଙ୍କୁ ଘରୁ ବାହାରକୁ ଛାଡ଼ିଲେ ନାହିଁ । ସେ କହନ୍ତି, “ଛୋଟମୋଟ ଜିନିଷ କିଣିବାକୁ ବି ଆମକୁ ଗାଁ ବାହାରକୁ ଯିବାକୁ ପଡ଼ିଲା''। "ଯେତେବେଳେ ଉଚ୍ଚ ରକ୍ତଚାପ ପୀଡ଼ିତ ମୋ ଶ୍ଵଶୁରଙ୍କ ପାଇଁ ଔଷଧ ଆବଶ୍ୟକ ହେଲା ଔଷଧ ଦୋକାନୀ ତାଙ୍କୁ ଏହା ବିକିଲେ ନାହିଁ । ଔଷଧ କିଣିବାକୁ (ଗାଁ ବାହାରେ ଥିବା ଏକ ଔଷଧ ଦୋକାନରୁ) ସେ ପାଞ୍ଚ କିଲୋମିଟର ଚାଲି ଚାଲି ଗଲେ । ଆମକୁ କେହି କାମ ଦେଲେ ନାହିଁ । ବଞ୍ଚିବା କଷ୍ଟକର ହୋଇପଡ଼ିଲା ।”

ସାରିକା କହନ୍ତି ଯେ, ମାସକରୁ ଅଧିକ କାଳ ଧରି ସମଗ୍ର ସଂପ୍ରଦାୟ ଏଭଳି ଦୁଃଖକଷ୍ଟର ସମ୍ମୁଖୀନ ହେଲେ। ୨୦୧୭ ମେ ମାସ ଶେଷରେ ସେ ଏବଂ ଦୟାନନ୍ଦ ପେଡ଼ିପୁଟୁଳା ବାନ୍ଧିଲେ ଏବଂ ଝିଅମାନଙ୍କୁ ସାଙ୍ଗରେ ନେଇ ଲାଟୁର ସହରର ଇନ୍ଦିରା ନଗର କଲୋନିକୁ ପଳାଇ ଆସିଲେ । ଲାଟୁରର ଏକ ସ୍କୁଲ୍‌ରେ ସେମାନେ ଝିଅମାନଙ୍କ ନାଁ ଲେଖାଇଲେ । ଦୟାନନ୍ଦ କହନ୍ତି, “ଆମ ନିଜର ଜମି ନାହିଁ''। "ଆମେ ସେଠାରେ ମଜୁରିଆ ଭାବେ କାମ କରୁଥିଲୁ, ଏଠାରେ ବି ମଜୁରିଆ ଭାବେ କାମ କରୁଛୁ । କିନ୍ତୁ ଏଠାରେ ଜୀବନ କାଟିବା ଅଧିକ କଷ୍ଟକର, କାରଣ ଏଠାକାର ଖର୍ଚ୍ଚ ଅଧିକ ।”

ସେବେଠାରୁ ସ୍ଵାମୀ ସ୍ତ୍ରୀ ଦୁହେଁ ସବୁଦିନ ସକାଳେ ସହରରେ କାମ ଖୋଜିବା ଲାଗି ଘରୁ ବାହାରନ୍ତି । ଦୟାନନ୍ଦ କହନ୍ତି, “ଗାଁ ଅପେକ୍ଷା ଏଠାରେ କାମ ମିଳିବା କଷ୍ଟକର''। "ଦିନକୁ ପ୍ରାୟ ୩୦୦ ଟଙ୍କା ମଜୁରିରେ (ଜଣେ ଶ୍ରମିକ ବା କୁଲି ଭାବରେ) ସପ୍ତାହକୁ ମୋତେ ତିନି ଦିନ କାମ ମିଳେ । ଘରଭଡ଼ା ବାବଦରେ ଆମକୁ ୧୫୦୦ ଟଙ୍କା ଦେବାକୁ ହୁଏ । କିନ୍ତୁ, ଆଉ କିଛି ନହେଲେ ବି ମୁଁ ମୋ ପରିବାରର ସୁରକ୍ଷାକୁ ନେଇ ଚିନ୍ତିତ ନୁହେଁ ।”

ସାତପୁତେ ପରିବାରର ସ୍ଥିତି, ବହୁସଂଖ୍ୟକ ଦଳିତ ଗାଁ ଛାଡ଼ି ସହର ଓ ନଗରକୁ ଚାଲିଯିବା ଘଟଣାକୁ ବର୍ଣ୍ଣନା କରେ। ପୁଣେର ଆଇନ ଅଧ୍ୟାପକ ତଥା ଦଳିତ ଆଦିବାସୀ ଅଧିକାର ମଞ୍ଚର ନୀତିଶ ନଭସାଗରେ କହନ୍ତି ଯେ କୃଷି କ୍ଷେତ୍ରରେ ସଂକଟ ଯୋଗୁଁ ସବୁ ସଂପ୍ରଦାୟର ବହୁସଂଖ୍ୟକ ଲୋକ ସେମାନଙ୍କ ଗାଁ ଛାଡ଼ି ସହରକୁ ପଳାଇ ଯାଉଛନ୍ତି । କିନ୍ତୁ ଏଥିରେ କିଛିଟା ପାର୍ଥକ୍ୟ ରହିଛି। “ଦଳିତ ଓ ଅନ୍ୟମାନେ ଲୋକେ ଗାଁ ଛାଡ଼ି ଚାଲିଯିବାରେ ରହିଥିବା ପାର୍ଥକ୍ୟ ହେଲା ଯେ ଅନ୍ୟମାନଙ୍କର (ସାଧାରଣତଃ) ନିଜର ଜମି ଅଛି ଏବଂ ତେଣୁ ସେମାନଙ୍କୁ ଗାଁ ଛାଡ଼ିବାକୁ ଅଧିକ ସମୟ ଲାଗେ । ଦଳିତମାନେ ଗାଁ ଛାଡ଼ି ଯିବାରେ ପ୍ରଥମ । ସେମାନେ ଗାଁକୁ ଫେରିଯିବାର ସେତେ ବେଶୀ କାରଣ ନାହିଁ । ଅନେକ ସମୟରେ, ସେମାନଙ୍କ ପରିବାରର ବୟସ୍କମାନେ ହିଁ ଗାଁରେ ରହିଥାଆନ୍ତି ।”

୨୦୧୧କୃଷି ଜନଗଣନା ତଥ୍ୟାବଳିରୁ ଏହା ସ୍ପଷ୍ଟ ଯେ ଭାରତରେ ଦଳିତମାନଙ୍କର ଖୁବ୍‌ କମ ନିଜସ୍ଵ ଜମି ରହିଛି । ଦେଶର ମୋଟ ୧୩୮,୩୪୮,୪୬୧ କାର୍ଯ୍ୟକାରୀ ଜମି ହୋଲ୍‌ଡିଂ ମଧ୍ୟରୁ ଅନୁସୂଚିତ ଜାତି ପାଖରେ କେବଳ ୧୭,୦୯୯,୧୯୦ଟି ବା ୧୨.୩୬ ପ୍ରତିଶତ ରହିଛି ।  ମୋଟ ୧୫୯,୫୯୧,୮୫୪ ହେକ୍ଟର ଜମି ହୋଲ୍‌ଡିଂ ମଧ୍ୟରୁ ଦଳିତମାନଙ୍କ ପାଖରେ୧୩,୭୨୧,୦୩୪ ହେକ୍ଟର ଜମି- କିମ୍ବା ୮.୬ ପ୍ରତିଶତର ମାଲିକାନା ରହିଛି ।

Keshav Kamble sitting on a chair in a room
PHOTO • Parth M.N.
Lata Satpute at the doorway of a house
PHOTO • Parth M.N.

ବୁଦ୍ଧ ନଗରରେ କେଶବ କାମ୍ବଲେ (ବାମ) କହନ୍ତି ଯେ ଦଳିତ ଜନସଂଖ୍ୟା ବଢୁଛି; ଲତା ସାତପୁତେ (ଡାହାଣ) ତାଙ୍କ ସଂପ୍ରଦାୟ ଉପରେ ପ୍ରତିଦିନ ହେଉଥିବା ଅତ୍ୟାଚାର କଥା କହନ୍ତି

ମୁମ୍ବାଇସ୍ଥିତ ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍‌ସେସ୍‌ରେ, ସ୍କୁଲ୍‌ ଅଫ୍‌ ସୋସିଆଲ୍‌ ୱାର୍କ୍‌ର ଡିନ୍‌ ମନୀଷ ଝା କହନ୍ତି ଯେ, ଦଳିତ ସଂପ୍ରଦାୟର ପ୍ରବାସନ ପଛର କାରଣ ହେଉଛି କୃଷି କ୍ଷେତ୍ରରେ ସଂକଟ ଏବଂ ସାମାଜିକ ଭେଦଭାବ । ସେ କହନ୍ତି, “ଗାଁରେ ସେମାନଙ୍କ ପ୍ରତି ଅତ୍ୟାଚାର କିମ୍ବା ଭେଦଭାବ ଯୋଗୁଁ ଏକ ଅପମାନିତ ଏବଂ ବହିଷ୍କୃତହେଲା ଭଳି ଭାବନାର ସୃଷ୍ଟି ହୁଏ'' । "ତା ସହିତ ଦଳିତମାନଙ୍କର ନିଜର ଜମି ନାହିଁ । ଏବଂ ସାଧାରଣତଃ ମରୁଡ଼ି କିମ୍ବା କୃଷି ସଂକଟ ସମୟରେ କାମ ମିଳୁ ନଥିବା କାରଣରୁ ଦିନ ମଜୁରିଆ ଭାବେ କାମ କରିବାରେ ସେମାନଙ୍କର ଦକ୍ଷତା ହ୍ରାସ ପାଏ ।”

କେବଳ ଦଳିତମାନେ ରହୁଥିବା ଲାଟୁରର ବୁଦ୍ଧ ନଗରରେ ୫୭ ବର୍ଷୀୟ କେଶବ କାମ୍ବଲେ କହନ୍ତି ଯେ ବର୍ଷ ବିତିବା ସହିତ ଲୋକସଂଖ୍ୟା ବଢ଼ିବାରେ ଲାଗିଛି । ଅନୁମାନ କରି ସେ କହନ୍ତି, “ବର୍ତ୍ତମାନ ଏଠାରେ ୨୦ ହଜାରରୁ ଅଧିକ ଲୋକ ରହୁଛନ୍ତି । କେତେକ କେଇ ଦଶନ୍ଧି ତଳୁ (ସେମାନଙ୍କ ଗାଁରୁ) ଆସିଛନ୍ତି ତ ଆଉ କେତେକ କିଛି ଦିନ ତଳେ ଆସିଛନ୍ତି ।” କଲୋନିର ପ୍ରାୟ ସବୁ ପରିବାର ଦିନ ମଜୁରିଆ ଶ୍ରମିକ । ଯେମିତି କି ଲାଟୁରରୁ ୨୦ କିଲୋମିଟର ଦୂର ଖାରୋଲା ଗାଁରୁ ପାଞ୍ଚ ବର୍ଷ ତଳେ ଏଠାକୁ ଆସିଥିବା କବିତା ଏବଂ ବାଲାଜି କାମ୍ବଲେ। କବିତା କହନ୍ତି, “ଆମେ କୁଲି କିମ୍ବା ନିର୍ମାଣ ଶ୍ରମିକ ଭାବେ କାମ କରୁ, ଯାହା ଯେତେବେଳେ ମିଳିଲା । ଗାଁରେ ଜମି ମାଲିକମାନେ ହିଁ ସ୍ଥିର କରୁଥିଲେ ଆମକୁ କାମ ମିଳିବ କି ନାହିଁ । ଅନ୍ୟମାନଙ୍କ ଦୟାରେ କାହିଁକି ବଞ୍ଚିବୁ ?”

ତେଣେ ମୋଗରଗାରେ, ବର୍ଷକ ପରେ ବି ଜାତିଗତ ଉତ୍ତେଜନା ଲାଗି ରହିଛି ବୋଲି କହନ୍ତି ଯୋଗିତା । ସେ ଦୟାନନ୍ଦଙ୍କ ଭାଇ ଭଗବନ୍ତଙ୍କ ସ୍ତ୍ରୀ, ଯିଏ କି ତାଙ୍କ ସ୍ଵାମୀ ଓ ବାପାମାଆଙ୍କ ସହ ଗାଁରେ ରହନ୍ତି । ସେ କହନ୍ତି, “ସେମାନଙ୍କୁ ବୟସ ହୋଇଗଲାଣି'' । "ସେମାନେ ଗାଁ ଛାଡ଼ିବାକୁ ଚାହାଁନ୍ତି ନାହିଁ, କାରଣ ସେମାନେ ପୂରା ଜୀବନ ଏଇଠାରେ ହିଁ ବିତାଇଛନ୍ତି । ମୋର ସ୍ଵାମୀ ଜଣେ ଶ୍ରମିକ ଭାବେ, ପ୍ରାୟତଃ ଗାଁ ବାହାରେ କାମ କରନ୍ତି । ଗାଁରେ ଆମକୁ କାମ ମିଳିଯାଏ, କିନ୍ତୁ ଆମକୁ ଆଗରୁ ଯେତିକି ମିଳୁଥିଲା ସେତେ ବେଶୀ ନୁହେଁ । ଏବେ ବି ଆମକୁ ଉପେକ୍ଷା କରାଯାଏ । ଆମେ ବି ଆମ କାମ ପ୍ରତି ହିଁ ଧ୍ୟାନ ଦେଉ ।”

ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଅନୁସାରେ, ୨୦୧୬ ଏପ୍ରିଲ୍‌ରୁ ଲାଟୁରରେ ଘଟିଥିବା ପ୍ରାୟ ୯୦ଟି ଜାତିଆଣ ଅପରାଧ ମଧ୍ୟରୁ ମୋଗରଗା କାଣ୍ଡ ଅନ୍ୟତମ । କିନ୍ତୁ ସବୁ ଘଟଣା ଅତ୍ୟାଚାର ଆଇନ ଅନୁସାରେ ପଞ୍ଜୀକୃତ ହୋଇନାହିଁ । ଠିକ୍‌ ସେମିତି, କେବେ ୩୫ ବର୍ଷୀୟ ଲତା ସାତପୁତେଙ୍କ ନିତିଦିନିଆ ଅନୁଭବ ବି ଏଥିରେ ସାମିଲ ହୋଇନାହିଁ । କେମିତି କ୍ଷେତରେ କାମ କରୁଥିବା ସାତପୁତେଙ୍କ ସ୍ଵାମୀ, ତାଙ୍କ ଗାଁ ୱାରୱାନ୍ତିରୁ ପ୍ରାୟ ଛଅ କିଲୋମିଟର ଦୂର ଲାଟୁର ସହରରେ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି । ତାଙ୍କ ଘରର ଠିକ୍‌ ସାମନାରେ ଗାଁର ସମସ୍ତଙ୍କ ପାଇଁ ଥିବା କୂଅ ଥିଲେ ହେଁ, ପାଣି ପାଇଁ (ଗାଁ ବାହାରେ ଥିବା ଏକ କୂଅକୁ) ଲତାଙ୍କୁ ସବୁଦିନ ଅଧିକ ତିନି କିଲୋମିଟର ଚାଲି ଚାଲି ଯିବାକୁ ପଡ଼େ । “ଆମକୁ ଏଠି ଲୁଗାପଟା ଧୋଇବାକୁ କି ପାଣି ଭରିବାକୁ ଦିଆଯାଏନାହିଁ ।” ଜଣେ ସାମ୍ବାଦିକଙ୍କୁ ସେ କିଛି କହୁଥିବା ବେଳେ କେହି ପଡ଼ୋଶୀ କାଳେ ଦେଖିଦେବେ, ତା ଉପରେ ନଜର ରଖିବା ଲାଗି ତାଙ୍କ ଝିଅକୁ କହିବା ପରେ ସେ କହନ୍ତି, “ମନ୍ଦିର ଭିତରକୁ ପ୍ରବେଶ କରିବା କଥା ଛାଡ଼ନ୍ତୁ, ଆମକୁ ମନ୍ଦିର ଆଗରେ ବାଟ ଚାଲିବା ବି ମନା ।”

ଅନୁବାଦ: ଓଡ଼ିଶାଲାଇଭ୍‍

OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE
Translator : Parth M.N.

ਪਾਰਥ ਐੱਮ.ਐੱਨ. 2017 ਤੋਂ ਪਾਰੀ ਦੇ ਫੈਲੋ ਹਨ ਅਤੇ ਵੱਖੋ-ਵੱਖ ਨਿਊਜ਼ ਵੈੱਬਸਾਈਟਾਂ ਨੂੰ ਰਿਪੋਰਟਿੰਗ ਕਰਨ ਵਾਲੇ ਸੁਤੰਤਰ ਪੱਤਰਕਾਰ ਹਨ। ਉਨ੍ਹਾਂ ਨੂੰ ਕ੍ਰਿਕੇਟ ਅਤੇ ਘੁੰਮਣਾ-ਫਿਰਨਾ ਚੰਗਾ ਲੱਗਦਾ ਹੈ।

Other stories by Parth M.N.