"ଗ୍ରୀଷ୍ମର ଗୋଟିଏ ଦିନ ସହ ମୁଁ ଆପଣଙ୍କୁ ତୁଳନା କରିପାରେ କି?" ୧୯ ବର୍ଷୀୟ ଫଇଜା ଅନସାରୀ ଖୁବ ଧୀର ଗଳାରେ କହିଲେ, ଏକ ଗୁଞ୍ଜରଣ ଭଳି। କେବଳ ମହିଳାଙ୍କ ପାଇଁ ଥିବା ମୁମ୍ବ୍ରାର ଏହି ଏକମାତ୍ର ପାଠାଗାର – ରେହେନୁମା ଲାଇବ୍ରେରୀର ଟାଇଲ ଚଟାଣରେ ଆମେ ଗୋଡ଼ ଛନ୍ଦାଛନ୍ଦି ହୋଇ ବସିଥିଲୁ।
ଦାରୁଲ ଫ୍ଲାସ୍ ମସ୍ଜିଦ୍ ନିକଟରେ ଅବହେଳିତ ଅବସ୍ଥାରେ ଥିବା ଏକ ଆପାର୍ଟମେଣ୍ଟର ପ୍ରଥମ ମହଲାରେ ଏହି ପାଠାଗାରଟି ଚାଲିଥିଲା। ଦୁଇ କୋଠରୀ ବିଶିଷ୍ଟ ଏହି ପାଠାଗାରକୁ ଅନେକ ଜବାନ ଆସୁଥିଲେ ଏବଂ ଯାଉଥିଲେ। ପ୍ଲାଷ୍ଟିକ ଚେୟାର ଉପରେ ତାଙ୍କ ବୁର୍ଖାକୁ ରଖିଦେଇ ଥଣ୍ଡା ଚଟାଣ ଉପରେ ଗଡ଼ିପଡ଼ୁଥିଲେ। ଉପନଗରୀର ଉତ୍ତରପୂର୍ବ ଦିଗକୁ ୩୬ ଡିଗ୍ରୀ କୋଣରେ ଏହା ଅବସ୍ଥିତ। କେନ୍ଦ୍ରୀୟ ମୁମ୍ବାଇରୁ ଏହାର ଦୂରତା ପ୍ରାୟ ୩୫ କିଲୋମିଟର।
ଫଇଜା ସେକ୍ସପିୟରଙ୍କ ସନେଟ୍ ୧୮ ଆରମ୍ଭ କରିବା ମାତ୍ରେ ମୁଁ ଆହୁରି ଆହୁରି ଶୁଣିବାକୁ କହିଲି। ତାଙ୍କ ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହେଲା। ତାଙ୍କ ଭଉଣୀ ରେଜିଆ ମଧ୍ୟ ତାଙ୍କୁ ଚାହିଁଲେ। ରୋମିଓ ଆଣ୍ଡ ଜୁଲିଏଟ୍ ର ଗୋଟିଏ ପଂକ୍ତି ଉଦ୍ଧାର କଲେ ଫଇଜା, "ଏକ ସୁନ୍ଦର ହୃଦୟ ଏକ ସୁନ୍ଦର ମୁହଁଠାରୁ ଉତ୍ତମ।" ରେଜିଆ ତାଙ୍କ ଭଉଣୀଙ୍କୁ ଲାଜେଇ ଚାହିଁଲେ। ଅନ୍ୟ ଝିଅମାନେ ଭୁଟଭାଟ ହେଲେ, ପରସ୍ପରକୁ ଚାହିଁଲେ, ଲାଜେଇ ଲାଜେଇ ହସିଲେ। ଯେକେହି ଏହାକୁ ମଜା ବୋଲି ଭାବିନେବେ।
୧୮ ବର୍ଷୀୟ ରେଜିଆ ଅନ୍ସାରୀ ଲାଜକୁଳୀ ନଥିଲେ। ସେ ପଢିଥିବା ସେକ୍ସପିୟରଙ୍କ ଏକ ଉତ୍କଣ୍ଠାପୂର୍ଣ୍ଣ କାହାଣୀର ମର୍ମାର୍ଥ ବୁଝାଇଲେ। " ଦ୍ୱାଦଶ ରାତି ଏକ ହିନ୍ଦୀ ସିନେମା ଭଳି। ଭାୟୋଲାଙ୍କର ଡବଲ ରୋଲ୍ ଥିଲା।" ସେ କହିଲେ ସିଜାରିଓଙ୍କ ବେଶରେ ଥିଲେ ଭାଓଲା। ଇଂରାଜୀରେ ତାଙ୍କ ଦକ୍ଷତା ବଢାଇବାକୁ ଚାହୁଁଥିଲେ ରେଜିଆ। ସେଥିପାଇଁ ସେ ଲାଇବ୍ରେରୀରେ ସ୍ପୋକେନ୍ ଇଂଲିଶ କ୍ଳାସ୍ରେ ଯୋଗ ଦେଇଥିଲେ। ଏଠାରେ ସପ୍ତାହକୁ ପାଞ୍ଚଦିନ କ୍ଲାସ ହୁଏ। ପୂର୍ବାହ୍ନ ୧୧ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ। ପ୍ରତି ବ୍ୟାଚ୍ ପାଇଁ ଘଣ୍ଟାଏ ସମୟ।
ପ୍ରାୟ ୧୮ ମାସ ତଳେ ଝାଡଖଣ୍ଡ ଡୁମକା ଜିଲ୍ଲାର ଆସାନସୋଲ ଗାଁରୁ ଫଇଜା ଏବଂ ରେଜିଆଙ୍କ ପରିବାର ମୁମ୍ବାଇ ଚାଲି ଆସିଥିଲେ। ଦୁଇ ଭଉଣୀ ମୁମ୍ବ୍ରାକୁ ପସନ୍ଦ କରନ୍ତିନି। ରେଜିଆ କହିଲେ "ସବୁଠି ଅଳିଆ ଗଦା।" ଫଇଜା ସହମତି ଜଣାଇ କହିଲେ, "ବହି ଦୋକାନଠାରୁ ଭୋଜନାଳୟ ଅଧିକ।" ଦୁଇ ଭଉଣୀଙ୍କୁ ଗାଁରେ ବୁର୍ଖା ପିନ୍ଧିବା ଆଶବ୍ୟକ ପଡ଼ୁ ନଥିଲା। ରେଜିଆ କହିଲେ, "ଘରେ ଆମକୁ ଅନେକ ସ୍ୱାଧୀତା ମିଳେ, କିନ୍ତୁ ଏଠି, .. ଫଇଜା କଥା ଆଗକୁ ନେଲେ, ଆମ ମା’ କହନ୍ତି ଏଠିକା ପରିବେଶ ଭଲ ନୁହେଁ।"
ଆସାନସୋଲରେ ତାଙ୍କ ବାପାଙ୍କର ଗୋଟିଏ ତେଜେରାତି ହୋଲସେନ ଦୋକାନ ଥିଲା, ସେ ମୁମ୍ବାଇ ଚାଲି ଆସିବାକୁ ନିଷ୍ପତ୍ତି କଲେ। ଗାଁରେ ତାଙ୍କ ଜେଜେମା ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଅଛନ୍ତି। ରେଜିଆ କହିଲେ, "ଅଧିକ ରୋଜଗାର ଏବଂ ପିଲାଙ୍କ ପାଠ ପଢା ପାଇଁ ବାପା ମୁମ୍ବାଇ ଆସିଛନ୍ତି।" ଏଠାରେ ମଧ୍ୟ ଘର ପାଖରେ ସେ ଏକ ତେଜେରାତି ଦୋକାନ କରିଛନ୍ତି।
ପାଖରେ ଥିବା ଏ.ଇ. କାଲସେକର କଲେଜରେ ଏହି ଦୁଇ ଭଉଣୀ ଦିନର ଅଧିକ ସମୟ କାଟନ୍ତି। ସେମାନେ ଏଠି ବିଏ ପଢୁଛନ୍ତି, ଜଣେ ପ୍ରଥମ ବର୍ଷ ଏବଂ ଅନ୍ୟ ଜଣେ ଦ୍ୱିତୀୟ ବର୍ଷ। ରେହେନୁମା ଲାଇବ୍ରେରୀ ତାଙ୍କ ଘର ପାଖରୁ ପାଦଚଲା ବାଟ। ରେଜିଆ କହିଲେ, "ସେମାନେ ତାଙ୍କର ଘର [ଗାଁ ରେ] କୁ ପଛରେ ଛାଡ଼ି ଆସିଛନ୍ତି।"
ଉତ୍ତର ପ୍ରଦେଶ ହରାୟା ତହସିଲ୍ବଭନନ୍ ଗାଁର ବସିରା ଶାହା। ଏହି ପାଠାଗାରକୁ ଆସିଲେ ସେ ଘର କଥା ଭୁଲି ଯାଆନ୍ତି। ବସିରାଙ୍କୁ ୧୪ ବର୍ଷ ହୋଇଥିବାବେଳେ ସେ ବିବାହ କରିଥିଲେ। ଗୋଣ୍ଡିଆ ସହର ନିକଟରେ ଥିବା ଅଶୋକପୁର ଗାଁରେ ତାଙ୍କ ଶାଶୁ ଘର। ସାଉଦି ଆରବିଆରେ ତାଙ୍କ ସ୍ୱାମୀ ଜଣେ ନିର୍ମାଣ ଶ୍ରମିକ ଭାବେ କାମ କରୁଥିଲେ। ବର୍ତ୍ତମାନ ତାଙ୍କୁ ୩୬ ବର୍ଷ। ସେ ଦୁଇ ବର୍ଷ ହେବ ବିଧବା ହୋଇ ଯାଇଛନ୍ତି। ତାଙ୍କ ମାଆ, ଚାରି ଜଣ ପିଲା ଏବଂ ଦୁଇ ସାନ ଭଉଣୀଙ୍କ ସହ ସେ ମୁମ୍ବ୍ରାରେ ରହୁଛନ୍ତି।
୨୦୦୦ ମସିହାରେ ତାଙ୍କ ବାପା ମାଆ ଏଠିକୁ ପଳାଇ ଆସିଥିଲେ। କିନ୍ତୁ ୨୦୧୭ ଅକ୍ଟୋବରରେ ତାଙ୍କ ବାପାଙ୍କର ମୃତ୍ୟୁ ଘଟିଥିଲା। ମସ୍ଜିଦ୍ ବନ୍ଦରରେ ତାଙ୍କ ବାପାଙ୍କର ଏକ ଶୁଖିଲା ଫଳ ଦୋକାନ ଥିଲା, ଏବେ ତାକୁ ଲିଜ୍ରେ ଦିଆଯାଇଛି। ବସିରାଙ୍କର ଦୁଇପୁଅ। ଜଣେ ୧୬ ବର୍ଷର ଏବଂ ଆଉ ଜଣେ ୧୫ ବର୍ଷର। ସେମାନେ ଆଉ ସ୍କୁଲ ଯାଉ ନାହାନ୍ତି। କିନ୍ତୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଉର୍ଦୁ ପଢିଥିବା ଏବଂ ଧାର୍ମିକ ଶିକ୍ଷା ଗ୍ରହଣ କରିଥିବା ଅଧିକ ପଢିବାକୁ ସ୍ଥିର କରିଛନ୍ତି। ସେ କହିଲେ, "ସମଶିର ଏବଂ ଶିଫାଙ୍କ ସହ ଇଂରାଜୀରେ କଥା ହେବାକୁ ମୋର ସ୍ୱପ୍ନ ଅଛି।" ୧୨ ବର୍ଷର ସମଶିର ତାଙ୍କ ସାନ ପୁଅ ଏବଂ ୯ ବର୍ଷର ସିଫା ତାଙ୍କ ଝିଅ। ସେମାନେ ମୁମ୍ବ୍ରା ପବ୍ଲିକ୍ ସ୍କୁଲରେ ଇଂରାଜୀ ମାଧ୍ୟମରେ ପଢୁଛନ୍ତି।
ଉର୍ଦୁ ଏବଂ ହିନ୍ଦୀରେ ରେହେନୁମା ଅର୍ଥ ହେଉଛି ‘ମାର୍ଗଦର୍ଶକ’। ୨୦୦୩ରେ ରେହେନୁମା ପାଠାଗାର ଆାରମ୍ଭ ହେବା ଦିନଠାରୁ ଏଠାକୁ ଦିନ ତମାମ ମହିଳାମାନେ ଆସୁଛନ୍ତି। ହସିବାକୁ, କଥା ହେବାକୁ, ଆରାମ କରିବାକୁ ଏବଂ ବହି ସାଙ୍ଗରେ ସମୟ କାଟିବାକୁ ଆସନ୍ତି। ଦାନ ଅର୍ଥରେ ଏହି ପାଠାଗାର ସ୍ଥାପନ ହୋଇଥିଲା। ଆଓ୍ୱାଜ-ଏ-ନିଶ୍ୱାନ ନାମକ ଏକ ବେସରକାରୀ ସଂସ୍ଥା ଅର୍ଥ ଯୋଗାଡ଼ ପାଇଁ ଅଭିଯାନ କରିଥିଲା। ଏହି ଜାଗାଟି ମଧ୍ୟ ଏହି ଏନ୍ଜିଓର, ମୁମ୍ବ୍ରା କେନ୍ଦ୍ରର। ଏହି ସଂସ୍ଥା ନାରୀ ଶିକ୍ଷା ଏବଂ ଆଇନ୍ ସହାୟତା ଉପରେ ଏହା କାମ କରେ। ଏଠାକୁ ଆସୁଥିବା ମହିଳାମାନେ ମଧ୍ୟ ବିଭିନ୍ନ ସମସ୍ୟା ନେଇ ଆସନ୍ତି। ବିବାହ ବିଛେଦ, ବହୁବିବାହ ଏବଂ ପାରିବାରିକ ହିଂସା ଭଳି ସେମାନଙ୍କର ବିଭିନ୍ନ ସମସ୍ୟା ଥାଏ।
ଏଠାର ଅଧିକ ସଂଖ୍ୟାରେ ମୁସଲିମ ରହୁଥିବାରୁ ଏହି ଜାଗାଟିକୁ ବଛା ଯାଇଛି। ଆୱାଜ-ଏ-ନିଶ୍ୱାନ୍ର ମୁମ୍ବ୍ରା ସଂଯୋଜକ ୟଶମେନ୍ ଆଗା କହନ୍ତି, "ମହିଳାମାନେ ବୁର୍ଖା ଖୋଲି ପରସ୍ପର ସହ କଥା ହେବାକୁ ଏବଂ ଆରାମ କରିବାକୁ ଏଠି ଜାଗାର ଅଭାବ ରହିଛି।" ପ୍ରଥମେ ସ୍କୁଲ ଛାତ୍ରୀ ଏବଂ ତାଙ୍କ ମାଆମାନଙ୍କୁ ପାଠାଗାରର ସଦସ୍ୟ ଭାବେ ଗ୍ରହଣ କରାଯାଉଥିଲା। ପରେ କଲେଜ ଛାତ୍ରୀମାନେ ମଧ୍ୟ ଯୋଗ ଦେବାକୁ ଆଗ୍ରହୀ ହେଲେ।
ଏହି ପାଠାଗାରର ୩୫୦ ଜଣ ସଦସ୍ୟ ଅଛନ୍ତି-ସମସ୍ତେ ମହିଳା। ଏମାନଙ୍କ ମଧ୍ୟରୁ ମନେକଙ୍କ ପରିବାର ବିଭିନ୍ନ ଗାଁରୁ ମୁମ୍ବାଇକୁ ଚାଲି ଆସିଛନ୍ତି। ଏମାନେ ବର୍ଷକୁ ଥରେ ୧୦୦ ଟଙ୍କା ଦେଇ ସଦସ୍ୟତା ନବୀକରଣ କରନ୍ତି। ସମସ୍ତେ ଘରକୁ ବହି କିମ୍ବା ପତ୍ରିକା ନେଇ ପଢିବା ପାଇଁ ଅନୁମତି ରହିଛି। ବୁକ୍ କ୍ଳବ୍ ବୈଠକ ଏବଂ କର୍ମଶାଳାରେ ମଧ୍ୟ ଏମାନେ ସାମିଲ ହୁଅନ୍ତି।
ଜାନୁଆରୀ ମଝି ଆଡ଼କୁ ହୋଇଥିବା ଗତ ବୁକ୍ କ୍ଳବ୍ ବୈଠକରେ ମିର୍ଜା ଘାଲିବ ଏବଂ ଫଇଜ ଅହମ୍ମଦ ଫଇଜଙ୍କ କବିତା ଉପରେ ୧୨ ଜଣ ଜବାନ ମହିଳା ଆଲୋଚନା କରିଥିଲେ। ଗ୍ରନ୍ଥାଗାରିକ ଫଇଜ୍ ଖାନ କହିଲେ, “ପାଠକମାନଙ୍କୁ ଦୁଇଟି ଦଳରେ ବିଭକ୍ତ କରାଯାଇଥିଲା। ପ୍ରତିଯୋଗିତା ଏହା ଥିଲା ଯେ, ଗୋଟିଏ ଦଳ ପ୍ରଶଂସା କରିଥିବା ଜଣେ କବିଙ୍କୁ ଅନ୍ୟ ଦଳଟି ପ୍ରମାଣ ସହ ସର୍ବୋତ୍ତମ ବୋଲି ଗ୍ରହଣ କରିବ।” ଫଇଜା, ଘାଲିବ ଦଳରେ ଥିଲେ, କିନ୍ତୁ ସେ ବିଲକୁଲ ନିରପେକ୍ଷ ଥିଲେ।
ଫଇଜାଙ୍କୁ ଏବେ ୨୮ ବର୍ଷ। ତାଙ୍କୁ ଯେତେବେଳେ ୧୯ ବର୍ଷ ହୋଇଥିଲା, ସେବେଠାରୁ ସେ ଏଠାକୁ ଆସୁଛନ୍ତି। ମୁମ୍ବ୍ରାରେ ଜନ୍ମ ହୋଇଥିବା ଫଇଜା ମ୍ୟାନେଜମେଣ୍ଟରେ ଡିଗ୍ରୀ କରିଛନ୍ତି। ୨୦୧୪ରେ ତାଙ୍କୁ ଗ୍ରାନ୍ଥାଗାରିକ ପଦବୀରେ ନିଯୁକ୍ତି ମିଳିଥିଲା। ସେ କହନ୍ତି, "ବାହାର ଜାଗା ପୁରୁଷମାନଙ୍କ ଦ୍ୱାରା ଅଧିକୃତ, ମହିଳାମାନେ ଘର କଣରେ ରହି ଯାଉଛନ୍ତି। କିନ୍ତୁ ପାଠାଗାରରେ ସେମାନେ ପୁରୁଷଙ୍କ ଭଳି ଖୁବ୍ ସ୍ୱଛନ୍ଦର ବସନ୍ତି ଆଉ କଥା ହୁଅନ୍ତି।"
ସେ କେବଳ ପାଠାଗାରର ଚାବି ରଖନ୍ତିନି, ଏଠାକୁ ବୁଲିବାକୁ ଆସୁଥିବା ମହିଳାମାନଙ୍କୁ ମଧ୍ୟ ସଦସ୍ୟ ହେବାରେ ସହାୟତା କରନ୍ତି। ତାଙ୍କ ଭିତରେ ପଢିବା ପାଇଁ ସ୍ପୃହା ମଧ୍ୟ ତିଆରି କରନ୍ତି। ସେ କହନ୍ତି, ଉର୍ଦୁ ବହିର ବେଶୀ ଚାହିଦା। ସେଥିପାଇଁ ଏଠାରେ ୫ଟି କାଠ ଆଲମାରୀରେ ଥିବା ୬, ୦୦୦ ବହି ଭିତରୁ ଅଧିକାଂଶ ଉର୍ଦୁରେ ଲିଖିତ।
ଅଧିକାଂଶ ଲୋକପ୍ରିୟ ପୁସ୍ତକର ରଚୟିତା ପାକିସ୍ତାନୀ ଲେଖକ। ..... ଆଇବିଏନ୍-ଇ-ସାଫି ପେଜେସ୍ର ଇମ୍ରାନ ସିରିଜ୍ଏବଂ ଜାସୁସି ଦୁନିୟା ଖୁବ ଲୋକପ୍ରିୟ ଗୁଇନ୍ଦା ଉପନ୍ୟାସ। ଏସବୁ ହଳଦିଆ ପଡ଼ିଗଲାଣି। ଏହି ପାଠାଗାରରେ ୭୨ ଖଣ୍ଡ ଆଇବିଏନ-ଇ-ସାଫି ସିରିଜ୍ର ଉପନ୍ୟାସ ଅଛି।
ଉମର ଅହମ୍ମଦ (ଏହି ପାଠାଗାରରେ ସବୁଠୁ ଅଧିକ ପଢାଯାଉଥିବା ଲେଖକ) ଙ୍କ ଉପନ୍ୟାସ ଗୁଡ଼ିକରେ ଅନେକ ଉପାନ୍ତ ଲେଖା ଏବଂ ପୃଷ୍ଠା ଗୁଡ଼ିକ ମୋଡ଼ି ହୋଇଗଲାଣି। ଯାହାକୁ ନେଇ ଫଇଜ ଦୁଃଖ ପ୍ରକାଶ କରନ୍ତି। ରେଜିଆ ବଟ୍, ଇସମତ୍ ଚୁଘତଇ, ମୁନ୍ସୀ ପ୍ରେମଚାନ୍ଦ, ସଦାତ୍ ହସନ୍ ମଣ୍ଟୋ ଆଦି ଲେଖକଙ୍କର ଅନେକ ପୁସ୍ତକ ରହିଛି। ଏହା ସହ ସେକ୍ସପିୟରଙ୍କ ଉର୍ଦୁ ଭାଷାନ୍ତର ମଧ୍ୟ ରହିଛି। ହ୍ୟାରି ପୋଟର, ଚେତନ ଭଗତଙ୍କ ପୁସ୍ତକ ମଧ୍ୟ ରହିଛି।
ଉତ୍ତର ପ୍ରଦେଶ ଘାଜିପୁର ଜିଲ୍ଲାର ଖିଜିରପୁର ଅଲି ନଗର ଗାଁରୁ ମୁମ୍ବ୍ରା ଆସିଥିବା ୨୦ ବର୍ଷୀୟ ଜର୍ଦବ ଶାହା ଶରଦ ପାଗଡେଙ୍କ ହିନ୍ଦୀ ଉପନ୍ୟାସ ଉଜ୍ଜାଲା କୀ ତଲାସ ପଢୁଥିଲେ । କିନ୍ତୁ ଆଲମାରୀ ଉପରେ ଥିବା ୱାର୍ଲଡ଼ ବୁକ୍ ଏନସାଇକ୍ଲୋପେଡ଼ିଆକୁ ଚାହୁଁଥିଲେ। ସେ ନିରାଶାର ସହ କହିଲେ, "ଏସବୁ ବହିକୁ ଘରକୁ ନେବା ପାଇଁ ଆମକୁ ଅନୁମତି ନାହିଁ। ଏହି ମାନଚିତ୍ରଗୁଡ଼ିକ ଦେଖିବାକୁ ମୋର ପ୍ରବଳ ଇଛା। ସୁଇଜରଲାଣ୍ଡକୁ ସାହସିକ ଯାତ୍ରା ବିଷୟରେ ଭାବୁଛି।"
ଗତବର୍ଷ ଯେତେବେଳେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଏମ୍ଏରେ ଇଂରାଜୀ ବିଷୟରେ ଶାହ ନାମଲେଖାଇଲେ, ସେତେବେଳୁ ତାଙ୍କର ସାହସିକତା ସଂପର୍କରେ ଜିଜ୍ଞାସା ସୃଷ୍ଟି ହେଇଛି। କିନ୍ତୁ ତାଙ୍କ ବାପା ମାଆ ତାଙ୍କୁ ଆଗକୁ ଛାଡ଼ୁ ନାହାନ୍ତି। ତାଙ୍କ ବାପା ଜଣେ ଟ୍ରକ୍ ଡ୍ରାଇଭର, ମାଆ ଗୃହିଣୀ। ସେ କହିଲେ, "ମୁଁ ହଷ୍ଟେଲରେ ରହିବାକୁ ସେମାନେ ଚାହୁଁ ନାହାନ୍ତି।" ଜର୍ଦବ ପଢିବା ସମୟରେ ତାଙ୍କ ମାମୁଘର ଗାଁରେ ରହୁଥିଲେ। ବାପା ମାଆ ମୁମ୍ବ୍ରାରେ ରହି ତାଙ୍କୁ ମାମୁ ଘର ଗାଁରେ ତାଙ୍କୁ ରଖାଇଥିଲେ। ବର୍ତ୍ତମାନ ସେ ମୁମ୍ବାଇର ଏକ କଲେଜରେ ନାମ ଲେଖାଇବାକୁ ଚାହୁଁଛନ୍ତି। ତାଙ୍କ ବିଲ୍ଡିଂରେ ରହୁଥିବା କେହି ଜଣେ ରେହେନୁମା ସଂପର୍କରେ କହିବା ପରେ ସେ ଏଠି ଯୋଗ ଦେଇଛନ୍ତି।
ସେ କହିଲେ, "ମୁଁ ଗାଁରେ ସମୟ ନଷ୍ଟ କରୁଥିଲି। ... ଏଠି ଅନ୍ତତଃ ପଢୁଛି ଏବଂ କିଛି ଶିଶୁଛି।" ସେମାନେ ମୁମ୍ବ୍ରା ସହ ପରିଚିତ ହେବାକୁ କିଛି ସମୟ ଲାଗିଲା। କିନ୍ତୁ ଜର୍ଦବ ଗାଁକୁ ଛାଡି ନାହାନ୍ତି। ସେ କହନ୍ତି, "ସେଠି କୌଣସି ସୁଯୋଗ ନାହିଁ। ଏହା ଏମିତି ଏକ ଜାଗା ଯେଉଁଠି ପିଲାଙ୍କ ଭଳି ଆପଣ ଭଲପାଇ ପାରିବେ କିନ୍ତୁ ବୟସ୍କ ଭଳି ନୁହେଁ।" ବର୍ତ୍ତମାନ ସେ ରେହେନୁମା ପାଠାଗାର ସହ ନକଲି ସଂପର୍କ ରଖିଛନ୍ତି। ସେ ଅତି ଗୋପନରେ କହିଲେ, "ଏହା ମୁଁ ଚାହୁଁଥିବା ସାହସିକତା ହୋଇପାରେ।"
୧୯୯୨ ବମ୍ବେ ଦଙ୍ଗା ପରେ ବହୁ ମୁସଲିମ୍ ପରିବାର ମୁମ୍ବ୍ରା ଚାଲିଆସିଛନ୍ତି। ଶାଫିୟା ଶେଖଙ୍କ ପରିବାର ମଧ୍ୟ ଦକ୍ଷିଣ ମୁମ୍ବାଇର ଓର୍ଲିରୁ ସେତେବେଳେ ମୁମ୍ବ୍ରା ଚାଲି ଆସିଥିଲେ। ସେମାନେ ଖୁବ୍ ଚିନ୍ତିତ ଥିଲେ, କିନ୍ତୁ ଶାରୀରିକ ଭାବେ ତାଙ୍କର କୌଣସି କ୍ଷତି ଘଟିନଥିଲା। ସେ ଯେତେବେଳେ ପ୍ରଥମ କରି ରେହେନୁମା ଆସିଲେ, ସେତେବେଳେ ସେ ତାଙ୍କ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ଚାହୁଁଥିଲେ। ବିବାହର ଆଠମାସ ପରେ ସେ ଯେତେବେଳେ ଗର୍ଭବତୀ ଥିଲେ, ସେତେବେଳେ ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ଦେଇଥିଲେ। କିନ୍ତୁ ସେ ଏତେଗୁଡ଼ାଏ ବହି ଦେଖିବା ପରେ ଦ୍ୱନ୍ଦ୍ୱରେ ପଡିଯାଇଥିଲେ। ସେ କହିଲେ, "ମୋ ମନରେ ଏଭଳି ଭାବନା ଆସିଲା, ଯେମିତି ମହିଳାଙ୍କ ପାଇଁ ଏ ସମାଜରେ କିଛି ନାହି, ଏପରିକି ବହି ମଧ୍ୟ ସେମାନଙ୍କ ପାଇଁ ଅପହଞ୍ଚ।"
ଶାଫିୟା ଏବଂ ତାଙ୍କ ମାଆ ହାସିନା ବାନୋ ସାଙ୍ଗେସାଙ୍ଗେ ସଦସ୍ୟ ହୋଇଗଲେ। ବର୍ତ୍ତମାନ ୨୭ ବର୍ଷୀୟ ଶାଫିୟା ତାଙ୍କ ୪ ବର୍ଷର ଝିଅ ମିଶ୍ବା ଫାତିମାଙ୍କ ବାଦ କିଛି ବହି ପଡ଼ୁଛନ୍ତି। ବର୍ତ୍ତମାନ ଶେଖମାନେ ହେଉଛନ୍ତି ନିୟମିତ ପାଠକ। ସେମାନେ ସପ୍ତାହରେ ଥରେ ୨-୩ଟି ବହି ଏବଂ ୨-୩ଟି ମାଗାଜିନ୍ ନେଇ ପଢୁଛନ୍ତି। ଅନ୍ୟମାନେ ଦୁଇ ମାସକୁ ଗୋଟିଏ ବହି ପଢୁଛନ୍ତି।
ବର୍ତ୍ତମାନ ଶାଫିୟା ପାକିସ୍ତାନର ପ୍ରଶଂସିତ ଔପନ୍ୟାସିକ ନେମ୍ରା ଅହମ୍ମଦଙ୍କ ପୁସ୍ତକ ଜନ୍ନତ୍ କେ ପଟ୍ଟୀ ପଢୁଛନ୍ତି। ଗୋଟିଏ ଝିଅ ଉପରେ ଯୌନ ହିଂସାକୁ ନେଇ ଏହି ପୁସ୍ତକଟି ଲେଖାଯାଇଛି। କାହାଣୀର ନାୟକ ଝିଅଟିକୁ ରକ୍ଷା କରୁନି। ସେ କହିଲେ, "ଏହା ହୀରୋ ଭଳି ନୁହେଁ, ଯିଏ ସମସ୍ତଙ୍କୁ ରକ୍ଷା କରିବାକୁ ଆଗେଇ ଆସନ୍ତି।"
ବହି ବ୍ୟତୀତ ଏହି ପାଠାଗାରରେ ମହିଳାମାନେ ପରସ୍ପର ସହ ସୁଖଦୁଃଖ ହେବାର ଅବସର ପାଆନ୍ତି। ଜର୍ଦବ କହିଲେ, ‘ଆମେ ଯେମିତି ଇଛା ସେମିତି ବସି ପାରୁଛୁ, ହସି ପାରୁଛୁ, ଖେଳି ପାରୁଛୁ ଏବଂ ପରସ୍ପର ସହ କଥା ହୋଇପାରୁଛୁ। ଏଠି ଯେଉଁ ସ୍ୱାଧୀନତା ଅଛି ତାହା ଘରେ ନାହିଁ। ସାଂପ୍ରତିକ ଉଷ୍ମ ପ୍ରସଙ୍ଗ ତିନି ତଲାକକୁ ନେଇ ଜି ଟିଭିର ଲୋକପ୍ରିୟ ସୋ – ଇସ୍କ ଶୁଭାନ ଆଲ୍ଲାହା ।
ଅନିଛାରେ ଗ୍ରନ୍ଥାଗାରିକ କାମକୁ ଗ୍ରହଣ କରିଥିବା ଫଇଜା ଯୁବତୀମାନଙ୍କ ପାଇଁ ବର୍ତ୍ତମାନ ପ୍ରେରଣା ପାଲଟି ଯାଇଛନ୍ତି। ସେମାନେ ନିଜେ ପଢି ନଥିବା ବହିଗୁଡ଼ିକ ସଂଗ୍ରହ କରିବା ଏବଂ ଆଲୋଚନା କରିବାକୁ ସେ ନିଜେ ଦାୟିତ୍ୱ ନେଇ ଉଦ୍ୟମ ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ସେ ରାଣା ଆୟୁବଙ୍କ ଗୁଜରାତ ଫାଇଲ୍ସ ପୁସ୍ତକ ସଂପର୍କରେ ଆଲୋଚନା କରିଥିଲେ। ରାଜ୍ୟରେ ୨୦୦୨ ମସିହାରେ ହୋଇଥିବା ଦଙ୍ଗାର ତଦନ୍ତ ଉପରେ ପୁସ୍ତକଟି ରଚିତ ହୋଇଛି। ତେବେ ଏହା ଘାଲିବ ଫଇଜଙ୍କ ଅଧିବେଶନ ଭଳି ନୁହେଁ, ବିଲକୁଲ ନୈରାଶ୍ୟଜନକ ଥିଲା।
ଅନୁବାଦ: ଓଡ଼ିଶାଲାଇଭ୍