ସମିରୁଦ୍ଦିନ ଶେଖ ଦିନରେ ଦୁଇ ଥର ଅହମ୍ମଦାବାଦର ପୁରୁଣା ସହରସ୍ଥିତ ଭିଡ଼ ଇଲାକାର ଗଳିରେ ନିଜର ସାଇକେଲ ଧରି ଏପଟସେପଟ ହୋଇଥାନ୍ତି। ତାଙ୍କ ଘର ଫତେବାଡ଼ି, ଜୁହାପୁରାରୁ ତାଜ ଏନଭଲପସ୍ ପର୍ଯ୍ୟନ୍ତ ୧୩ କିଲୋମିଟର ତାଙ୍କୁ ଯାତ୍ରା କରିବାକୁ ପଡ଼ିଥାଏ। ନିଜର ଏହି କାର୍ଯ୍ୟସ୍ଥଳୀରେ ପହଞ୍ଚିବା ଲାଗି ତାଙ୍କୁ ପ୍ରାୟ ଏକ ଘଣ୍ଟା ସମୟ ଲାଗେ। “બાઇકહૈપરનહીંલેજાતા, ક્યોંકિપેટ્રોલનહીંપોસાતા [ମୁଁ ବାଇକ ନେଇପାରିବି ନାହିଁ କାରଣ ପେଟ୍ରୋଲ ଭରିବାକୁ ମୋ ପାଖରେ ଟଙ୍କା ନାହିଁ],”ନିଜ ସାଇକେଲ ରଖିବା ସମୟରେ ଏହି ୩୬ ବର୍ଷ ବୟସ୍କ ମୃଦୁଭାଷୀ ବ୍ୟକ୍ତିଜଣଙ୍କ କୁହନ୍ତି।
ପୁରୁଣା ସହରର ଖାଡ଼ିଆ ନାମକ ସ୍ଥାନରେ ଥିବା ଏକ ସପିଂ କମ୍ପ୍ଲେକ୍ସର ବେସମେଣ୍ଟରେ ୧୦ x୨୦ ଆକାର ବିଶିଷ୍ଟ ଏକ କୋଠରୀରେ ତାଙ୍କର କାର୍ଯ୍ୟ ଦିବସ ଆରମ୍ଭ ଓ ଶେଷ ହୋଇଥାଏ। ସେ ତାଙ୍କ ଭଳି ଆଉ ୧୦ ଜଣ ଲୋକଙ୍କ ସହିତ ଲଫାପା ତିଆରି କାମରେ ଲାଗି ପଡ଼ନ୍ତି। ବ୍ୟକ୍ତିଗତ ଭାବେ ଦିନକୁ ସେ ସର୍ବାଧିକ ୬,୦୦୦ରୁ ୭,୦୦୦ ଲଫାପା ତିଆରି କରନ୍ତି।
ଲଫାପା ତିଆରି କରିବା ଯେତିକି ସହଜ ଲାଗେ ପ୍ରକୃତରେ ସେତେ ସହଜ ନୁହେଁ । ସମିରୁଦ୍ଦିନ କୁହନ୍ତି, “ଏହି କଳା ଶିଖିବା ଲାଗି ଦେଢ଼ରୁ ଦୁଇ ବର୍ଷ ସମୟ ଲାଗିଥାଏ। ଯେପର୍ଯ୍ୟନ୍ତ ଉସ୍ତାଦ (ବରିଷ୍ଠ ଶିଳ୍ପକାର ଏବଂ ପ୍ରଶିକ୍ଷକ) ଆପଣଙ୍କ କାମର ଗୁଣବତ୍ତାକୁ ମଞ୍ଜୁରି ଦିଅନ୍ତି ନାହିଁ ଏବଂ ସେଥିରେ ନିଜର ମୋହର ଲଗାନ୍ତି ନାହିଁ ସେ ପର୍ଯ୍ୟନ୍ତ ଆପଣ ଜଣେ ସ୍ୱାଧୀନ କର୍ମଚାରୀ ଭାବେ ସ୍ୱତନ୍ତ୍ର ବେତନ ପାଇବାକୁ ହକଦାର ହୋଇପାରିବେ ନାହିଁ ।”
ଏଠାରେ ଗୁଣବତ୍ତାର ଅର୍ଥ ହେଉଛି ଗତି, ସଠିକତା, ନିପୁଣତା ଓ ଉପକରଣ ଜ୍ଞାନର ଏକ ମିଶ୍ରଣ। ପ୍ରତ୍ୟେକ କାର୍ଯ୍ୟଶାଳାରେ କଟିଂ ଓ ପ୍ୟାଚିଂ ପାଇଁ ଦୁଇଟି ମେସିନକୁ ଛାଡ଼ି ଦେଲେ ସବୁ କାମ ହାତରେ କରାଯାଇଥାଏ।
ମୁଖ୍ୟତଃ କାର୍ଯ୍ୟଶାଳାର ମାଲିକମାନେ ମେସିନ ପରିଚାଳନା କରିଥାନ୍ତି; ବଡ଼ ଆକାରର କାଗଜକୁ ଛୋଟ ଛୋଟ ନିର୍ଦ୍ଧାରିତ ଆକାରରେ କଟାଯାଏ ଏବଂ ଏକ ସ୍ୱତନ୍ତ୍ର ଡାଇ ବ୍ୟବହାର କରାଯାଇ ଭିନ୍ନ ଭିନ୍ନ ଆକାରରେ ଭଙ୍ଗା ଯାଇଥାଏ। ଶ୍ରମିକମାନେ କାଗଜ ଗଣିଥାନ୍ତି ଏବଂ ଗୋଟିଏ ଥରରେ ୧୦୦ଟି ଲଫାପା ମୋଡ଼ନ୍ତି, ଅଠା ଲଗାଇଥାନ୍ତି, ସିଲ ଓ ପ୍ୟାକିଂ କରିଥାନ୍ତି।
































