ଲକ୍ଷ୍ମୀ ଟୁଡୁ ଡାକ୍ତରଖାନାରେ ପହଞ୍ଚିବା ବେଳକୁ କଳ୍ପନା ମରିସାରିଥିଲା । “ଝିଅ ସେଦିନ ସକାଳବେଳା ଭାରି ଭୋକିଲା ଥିଲା । ମୁଁ ତା’ପାଇଁ ଭାତ ନେଇଯିବାକୁ ଇଚ୍ଛା କରିଥିଲି ହେଲେ ମୋର ଟିକେ ବିଳମ୍ବ ହୋଇଗଲା,” ବୋଲି ଲକ୍ଷ୍ମୀ ସେଦିନର କଥା ମନେ ପକାଇ କୁହନ୍ତି । “ସେଦିନ ଭାରି ବର୍ଷା ହେଉଥିଲା ।’’
ଏହା ହେଉଛି ଜୁନ୍ ୨୦୨୦ର କଥା, ଯେତେବେଳେ ତାଙ୍କର ୨୬ ବର୍ଷ ବୟସ୍କ ଝିଅ କଳ୍ପନାର ମୁଣ୍ଡ ବ୍ୟଥା ଓ ଅହରହ ବାନ୍ତି ହେବା କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଲକ୍ଷ୍ମୀଙ୍କ ମଝିଆ ଝିଅ ଶିବାନୀ ତାଙ୍କ ଭଉଣୀଙ୍କ ସହିତ ଡାକ୍ତରଖାନାରେ ଥିଲେ ।
ଗଙ୍ଗାରାମପୁରଠାରେ ଥିବା ଏକ ସରକାରୀ ସବ୍-ଡିଭିଜନାଲ୍ ଡାକ୍ତରଖାନା -–ଯାହା ସ୍ଥାନୀୟ ଅଞ୍ଚଳରେ କାଳଦିଘି ନାମରେ ପରିଚିତ- ର ଡାକ୍ତରମାନେ ତାଙ୍କୁ ଘରୋଇ ସ୍ନାୟୁ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବାକୁ ଉପଦେଶ ଦେବା ପରେ ୨୦୧୭ରୁ ଏକ ଘରୋଇ ରୋଗ ନିର୍ଣ୍ଣୟ କେନ୍ଦ୍ରରେ ତାଙ୍କର ଚିକିତ୍ସା ଚାଲିଥିଲା । ୨୦୧୯ରେ ତାଙ୍କର ଦ୍ୱିତୀୟ ପୁଅର ଜନ୍ମ ପରେ ତାଙ୍କର ସ୍ୱାସ୍ଥ୍ୟ ବହୁତ ଖରାପ ହୋଇଯାଇଥିଲା ।
ମାର୍ଚ୍ଚ ୨୦୨୦ରେ ତାଲାବନ୍ଦ ହେବା କାରଣରୁ ତାଙ୍କ ଡାକ୍ତର କୋଲ୍କାତାରୁ ନିୟମିତ ଭାବେ ତାଙ୍କର ମାସିକ ପରିଦର୍ଶନ ପାଇଁ ଆସି ପାରିଲେ ନାହିଁ । “ଆମେ ଅପେକ୍ଷା କରୁଥିଲୁ ହେଲେ ତାଙ୍କର ତାରିଖ ସବୁବେଳେ ଘୁଞ୍ଚି ଯାଉଥିଲା,” ବୋଲି ଲକ୍ଷ୍ମୀ ମନେପକାନ୍ତି । “ଏଣୁ ଆମେ ଡାକ୍ତର କହିଥିବା ସେହି ଔଷଧଗୁଡିକ ବାରମ୍ବାର ଆଣୁଥିଲୁ’’।
କଳ୍ପନା ଗଙ୍ଗାରାମପୁର ମହାବିଦ୍ୟାଳୟରେ ବିଏ ଛାତ୍ର ଥିବାବେଳେ ୨୦୧୪ରେ ତାଙ୍କର ବିବାହ ହୋଇଥିଲା । ତାଙ୍କର ୨୯ ବର୍ଷୀୟ ସ୍ୱାମୀ, ନୟନ ମର୍ଦିଙ୍କର ଗୋଟିଏ କିରାଣା ଦୋକାନ ଅଛି ଓ ସେ ପଶ୍ଚିମବଙ୍ଗର ଦକ୍ଷିଣ ଦିନାଜପୁର ଜିଲ୍ଲାରେ ଅବସ୍ଥିତ ଗଙ୍ଗାରାମପୁର ଟାଉନ୍ଠାରୁ ପ୍ରାୟ ୧୭ କିଲୋମିଟର ଦୂରରେ ଅବସ୍ଥିତ ଅନନ୍ତପୁର ଗ୍ରାମରେ ଟେଲରିଂ କାମ ମଧ୍ୟ କରୁଥିଲେ । ତାଙ୍କର ଅଭିବାବକ – ଶାଶୁ ଶ୍ୱଶୁର ସମସ୍ତେ କୃଷି ଶ୍ରମିକ ଅଟନ୍ତି । ଗୋଟିଏ ବର୍ଷ ପରେ, କଳ୍ପନା ତାଙ୍କର ପ୍ରଥମ ସନ୍ତାନକୁ, ପୁତ୍ର ସନ୍ତାନ, ଜନ୍ମ ଦେବାପରେ, ତାଙ୍କର ତୀବ୍ର ମୁଣ୍ଡବ୍ୟଥା – ଯାହା ପିଲାବେଳୁ ସେ ଭୋଗି ଆସୁଛନ୍ତି- ଆହୁରି ଗମ୍ଭୀର ହେବାକୁ ଆରମ୍ଭ ହେଲା ।









