ପାଞ୍ଚ ଦିନ, ୨୦୦ କିଲୋମିଟର ଏବଂ ୨୭,୦୦୦ ଟଙ୍କା-ମହାରାଷ୍ଟ୍ରର ବିଡ ଜିଲ୍ଲାରେ ରେମଡେସିଭିର ଇଞ୍ଜେକ୍ସନ ସନ୍ଧାନରେ ରବି ବୋବଡେଙ୍କୁ ବ୍ୟତିବ୍ୟସ୍ତ ହୋଇ ଏତିକି ଖର୍ଚ୍ଚ କରିବାକୁ ପଡ଼ିଥିଲା।
ଚଳିତ ବର୍ଷ ଏପ୍ରିଲ ଶେଷ ସପ୍ତାହରେ ତାଙ୍କର ମାତାପିତାଙ୍କଠାରେ କୋଭିଡ-୧୯ର ଲକ୍ଷଣ ଦେଖାଯିବା ପରେ ଏସବୁ ଆରମ୍ଭ ହୋଇଥିଲା। “ସେମାନଙ୍କର ଖୁବଜୋରରେ କାଶ ହୋଇଥିଲା ଏବଂ ଛାତିରେ ଯନ୍ତ୍ରଣା ସହିତ ସେମାନେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ”, ୨୫ ବର୍ଷୀୟ ରବି ବିଡ୍ର ନିମଗାଓଁ ଗ୍ରାମରେ ଥିବା ନିଜର ସାତ ଏକର ଚାଷ ଜମିରେ ଚାଲି ଚାଲି ଯାଉଥିବା ସମୟରେ ଦୁଃଖଦ ଦିନଗୁଡ଼ିକୁ ସ୍ମରଣ କରି କହିଥିଲେ। “ତେଣୁ ମୁଁ ସେମାନଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାକୁ ନେଇଗଲି।”
ଡାକ୍ତର ତୁରନ୍ତ ରେମଡେସିଭିର ପାଇଁ ଲେଖିଦେଲେ-ଏହା କୋଭିଡ-୧୯ ଚିକିତ୍ସା ପାଇଁ ଏକ ଆଣ୍ଟି ଭାଇରାଲ ଔଷଧ ଥିଲା-ବିଡ୍ରେ ଏହାର ଅଭାବୀ ଯୋଗାଣ ରହିଥିଲା। “ମୁଁ ପାଞ୍ଚଦିନ ପର୍ଯ୍ୟନ୍ତ ଏଣେତେଣେ ଦୌଡ଼ିଲି”, ରବି କୁହନ୍ତି। “ମୋ ହାତରେ ସମୟ ନଥିଲା ଏବଂ କ’ଣ କରିବାକୁ ହେବ ମୁଁ ଜାଣିନଥିଲି। ତେଣୁ ମୁଁ ଏକ ଆମ୍ବୁଲାନ୍ସ ଭଡ଼ାରେ ଆଣିଲି ଏବଂ ମୋର ମାତାପିତାଙ୍କୁ ସୋଲାପୁରର ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କଲି।” ଯାତ୍ରା କାଳରେ ସେ ଆଶଙ୍କା ମଧ୍ୟରେ ରହିଥିଲେ। “ଆମ୍ବୁଲାନ୍ସରେ ସେହି ଚାରି ଘଣ୍ଟାକୁ ମୁଁ ଜୀବନରେ କେବେ ବି ଭୁଲିପାରିବି ନାହିଁ।”
ଆମ୍ବୁଲାନ୍ସ ଡ୍ରାଇଭର ତାଙ୍କ ପିତାମାତା-ଅର୍ଜୁନ(୫୫) ଏବଂ ଗୀତା (୪୮)ଙ୍କୁ ସୋଲାପୁର ସହରକୁ ନେଇଯିବା ଲାଗି ୨୭,୦୦୦ ଟଙ୍କା ଦାବି କରିଥିଲା। ଏ ସହର ମାଜାଲଗାଓଁ ତାଲୁକାରେ ଥିବା ସେମାନଙ୍କ ଗ୍ରାମଠାରୁ ୨୦୦ କିଲୋମିଟର ଦୂରରେ ଥିଲା। “ସୋଲାପୁରରେ ମୋର ଜଣେ ଦୂରସମ୍ପର୍କୀୟ ଡାକ୍ତର ଅଛନ୍ତି”, ରବି ବିସ୍ତୃତ ଭାବେ କହିଥିଲେ। “ସେ ଇଞ୍ଜେକ୍ସନ ଯୋଗାଡ଼ କରିଦେବେ ବୋଲି ମୋତେ ପ୍ରତିଶ୍ରୁତି ଦେଇଥିଲେ। ସାରା ବିଡରେ ଲୋକମାନେ ଇଞ୍ଜେକ୍ସନ ପାଇବା ଲାଗି ସଂଘର୍ଷ କରୁଥିଲେ।”
ମୂଳତଃ ଇବୋଲା ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ରେମଡେସିଭିର, ମହାମାରୀର ପ୍ରାରମ୍ଭିକ ସମୟରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଭାବୀ ସାବ୍ୟସ୍ତ ହୋଇଥିଲା। ତେବେ, ନଭେମ୍ବର ୨୦୨୦ରେ ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନ ରେମଡେସିଭିରର ବ୍ୟବହାର ଉପରେ ଏକ “ସର୍ତ୍ତମୂଳକ ସୁପାରିସ” ଜାରି କରିଥିଲା। ଡବ୍ଲୁଏଚଓ ପକ୍ଷରୁ କୁହାଯାଇଥିଲା ଯେ ରୋଗର ଗମ୍ଭୀରତା ନିର୍ବିଶେଷରେ, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କୋଭିଡ-୧୯ ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧ ଜୀବନ ରକ୍ଷାକାରୀ ଏବଂ ଅନ୍ୟ ଫଳାଫଳରେ ସୁଧାର ଆଣୁଥିବାର କୌଣସି ପ୍ରମାଣ ନାହିଁ।
କିନ୍ତୁ ଏହି ଆଣ୍ଟିଭାଇରାଲ ଔଷଧକୁ ଚିକିତ୍ସା ମାର୍ଗଦର୍ଶିକାରେ ଆଉ ସାମିଲ କରାଯାଇନାହିଁ, ତେବେ ଏହାକୁ ନିଷିଦ୍ଧ ମଧ୍ୟ କରାଯାଇନାହିଁ ବୋଲି କୁହନ୍ତି, ଭାରତୀୟ ଚିକିତ୍ସକ ସଂଘର ମହାରାଷ୍ଟ୍ର ଚାପ୍ଟରର ପୂର୍ବତନ ସଭାପତି ଡା. ଅବିନାଶ ଭୋଣ୍ଡୱେ । “ପୂର୍ବ କରୋନା ଭୂତାଣୁ ସଂକ୍ରମଣ (ସାର୍ସ-କୋଭ-୧) ଚିକିତ୍ସା ପାଇଁ ରେମଡେସିଭିର ବ୍ୟବହାର କରାଯାଉଥିଲା, ଏବଂ ଏହା ପ୍ରଭାବଶାଳୀ ବୋଲି ଜଣାପଡିଥିଲା,ଏହି କାରଣରୁ ଆମେ ନୂଆ କରୋନା ଭୂତାଣୁ ରୋଗ (ସାର୍ସ-କୋଭ-୨ ବା କୋଭିଡ-୧୯) ଭାରତରେ ପ୍ରଥମେ ଦେଖାଯିବା ପରେ ଆମେ ଏହାକୁ ବ୍ୟବହାର କରିବା ଆରମ୍ଭ କରିଥିଲୁ।”









