ନଭେମ୍ବର ପାଖାପାଖି, ତିନି ଦିନ ଧରି ରଙ୍ଗୀନ ଆଲୋକ ଓ ମାଟି ତିଆରି ଦୀପରେ ଝଲସି ଉଠେ ମାଜୁଲି ଦ୍ୱୀପର ଗରାମୁର ବଜାର। ଶୀତ ସନ୍ଧ୍ୟାର ଆଗମନ ସହିତ ଏଣେତେଣେ ଲାଗିଥିବା ଅସୁମାରି ଡାକବାଜି ଯନ୍ତ୍ରରୁ ଝଙ୍କୃତ ହୋଇଉଠେ ଖୋଳ ଓ ଝାଞ୍ଜ ବାଜଣାର ଧ୍ୱନି।
ଆରମ୍ଭ ହୋଇଯାଇଛି ରାସ ମହୋତ୍ସବ।
ସାଧାରଣତଃ ଅକ୍ଟୋବର ଏବଂ ନଭେମ୍ବର ମାସରେ, ଆସାମରେ ପ୍ରଚଳିତ କଟି-ଆଘନ ମାସର ପୂର୍ଣ୍ଣିମା ଦିନ ଏହି ଉତ୍ସବ ପାଳିତ ହୁଏ। ପ୍ରତି ବର୍ଷ ଏହି ଉତ୍ସବ ପାଳନ ଅବସରରେ ବହୁସଂଖ୍ୟକ ଯାତ୍ରୀ ଓ ପର୍ଯ୍ୟଟକ ଏହି ଦ୍ୱୀପରେ ସମବେତ ହୋଇଥାଆନ୍ତି। ଏହା ଦୁଇ ଦିନ ଧରି ଚାଲେ।
ବୋରୁନ ଚିତାଦର ଚକ୍ ଗାଁରେ ଏହି ଉତ୍ସବ ଆୟୋଜନ କମିଟିର ସଂପାଦକ ରାଜା ପାୟେଙ୍ଗ କହନ୍ତି, “ଏହା ଯଦି ନ ଥାଆନ୍ତା, ଆମକୁ କିଛି ହଜେଇ ଦେବା ଭଳି ଲାଗିଥାଆନ୍ତା। ଏହା (ରାସ ମହୋତ୍ସବ) ହେଉଛି ଆମର ସଂସ୍କୃତି। ବର୍ଷ ସାରା ଏହି ଉତ୍ସବ ପାଳନକୁ ଲୋକେ ଆଗ୍ରହର ସହିତ ଅପେକ୍ଷା କରିଥାଆନ୍ତି।”
ଆସାମର ଅନେକ ବୈଷ୍ଣବ ମଠ ମଧ୍ୟରୁ ଗୋଟିଏ ଗରାମୁର ସାରୁ ସତ୍ର। ସେଠାରେ ରୁଣ୍ଡ ହୋଇଛନ୍ତି ସେ ଅଞ୍ଚଳର ଶହ ଶହ ଲୋକ। ସମସ୍ତେ ନିଜ ନିଜର ସର୍ବୋତ୍ତମ ପୋଷାକ ପରିଧାନ କରି ଆସିଛନ୍ତି।





































